Unknown

 

 

 

 

 

 

 

 

 

 

 

ଶୋଣିତର ସ୍ଵପ୍ନ

ସାତକଡ଼ି ହୋତା

 

 

 

 

 

 

 

 

 

 

 

 

 

ମୋର’ ଶାଶୁ ଓ ଶ୍ଵଶୁର ପଣ୍ଡିତ ଶ୍ରୀ ପୂର୍ଣ୍ଣଚନ୍ଦ୍ର ମିଶ୍ର ଏବଂ ଶ୍ରୀମତୀ ପ୍ରମଦା ମିଶ୍ରଙ୍କୁ

 

ନିଜ କଥା

 

‘ଶୋଣିତର ସ୍ଵପ୍ନ’ ଗଳ୍ପ ସଂକଳନର ସବୁଗୁଡ଼ିକ ଗଳ୍ପ ଓଡ଼ିଶାର ପ୍ରଖ୍ୟାତ ପତ୍ରିକାମାନଙ୍କରେ ପୂର୍ବରୁ ପ୍ରକାଶ ପାଇଥିଲା ।

 

ପାଠକ ଓ ବନ୍ଧୁମାନଙ୍କର ଆଗ୍ରହ ଏବଂ ଅନୁରୋଧ ଯୋଗୁଁ ଏହି ଗଳ୍ପ ସଂଚୟନ ପ୍ରକାଶିତ ହେଉଛି । ଏଥିପାଇଁ ପାଠକ ଓ ପତ୍ରିକାର ସମ୍ପାଦକମାନଙ୍କ ପାଖରେ ମୁଁ ଋଣୀ । ଏହି ଗଳ୍ପ ସଂକଳନକୁ ଓଡ଼ିଶାର ସ୍ଵନାମଧନ୍ୟ ପ୍ରକାଶକ ନିଉ ଷ୍ଟୁ ଡେଣ୍ଟସ୍ ଷ୍ଟୋରର ଶ୍ରୀ ଭିକାରୀ ଚରଣ ଦାଶ ପ୍ରକାଶ କରିବାପାଇଁ ଆଗ୍ରହ ପ୍ରକାଶ କରିଥିବାରୁ ତାଙ୍କ ନିକଟରେ ମୁଁ କୃତଜ୍ଞ । ଗଳ୍ପଗୁଡ଼ିକ ଲେଖିସାରିବା ପରେ ସେଗୁଡ଼ିକୁ ପୁଣି ଉତାରି ପତ୍ରିକାମାନଙ୍କୁ ପଠାଇବାରେ ସାହାଯ୍ୟ କରିଥିବାରୁ ଶ୍ରୀ ଅଶୋକ କୁମାର ହୋତା, ଶ୍ରୀ ଜଗନ୍ନାଥ ପଟ୍ଟନାୟକ ଏବଂ ଶ୍ରୀ ଆନନ୍ଦଚନ୍ଦ୍ର ପଣ୍ଡାଙ୍କୁ ମୁଁ ଆନ୍ତରିକ ଶ୍ରଦ୍ଧା ଜଣାଉଛୁ । ପାଠକମାନଙ୍କ ଚିତ୍ତବିନୋଦନ କରିବାରେ ଏହା ସହାୟକ ହେଲେ ଶ୍ରମ ସାର୍ଥକ ହେବ ।

 

ଓଡ଼ିଆ ଗଳ୍ପସାହିତ୍ୟ ଭଣ୍ଡାରକୁ ‘ଶୋଣିତର ସ୍ଵପ୍ନ’ ଟେକିଦେଇ ପାଠକମାନଙ୍କର ଶ୍ରଦ୍ଧା ଓ ଶୁଭେଚ୍ଛା ପାଇଁ ପ୍ରଣାମ ଜଣାଉଛି । ଇତି ।

 

ଲେଖକ

☆☆☆

 

ସୂଚୀପତ୍ର

 

୧.

କୃଷ୍ଣଚୂଡ଼ାର ସମାଧି

୨.

ଶୋଣିତର ସ୍ଵପ୍ନ

୩.

ନୂଆ ମଣିଷର ମନ

୪.

ଅନୁରାଗ

୫.

ସାକାରିନର ଚାହା

୬.

ଜଉଘର

୭.

ଆରଣ୍ୟକ

୮.

ମଧ୍ୟାହ୍ନରେ ସକାଳର ଫୁଲ

୯.

ତିନୋଟି ବିଜ୍ଞାପନ

୧୦.

କଳା କଳା ମୋଘ

୧୧.

ପାଗଳର ପ୍ରେମ

୧୨.

ବିକୃତିର ହସ

୧୩.

ଅର୍ପିତା

☆☆☆

 

କୃଷ୍ଣଚୂଡ଼ାର ସମାଧି

 

ତୁମେ ରାଜଧାନୀକୁ କୌଣସି କାମରେ କେବେ ଆସିଛ କି ନାହିଁ ମୁଁ ଜାଣେ ନାହିଁ । କିନ୍ତୁ ନିଶ୍ଚୟ ଅବସର ଗ୍ରହଣ କରିବାର ଦୁଇ ତିନି ବର୍ଷ ପରେ ବି ପେନସନ୍ ନପାଇ ଅଫିସରେ ବାବୁମାନଙ୍କୁ ଫୁସୁଲାଇବା ପାଇଁ ତୁମକୁ ଆସିବାକୁ ହୋଇଥିବ କିମ୍ବା କୋରାପୁଟରୁ ଯଦି ଗତବର୍ଷ କଟକ ବଦଳି ହୋଇଆସିଥିବ, ତା’ହେଲେ ଆଜିଯାଏ ଦରମା ନପାଇ ଏ ଅଫିସ ସେ ଅଫିସ ହଉଥିବ; ନହେଲେ ଯଦି ବେକାର ହୋଇଥାଅ, ନିଶ୍ଚୟ ବସ୍‍ଷ୍ଟାଣ୍ଡରେ ବା ବାଣୀବିହାର ଛକରେ ବସି ବା ଛିଡ଼ା ହୋଇ ଆକାଶକୁ, ଆଉ କେତେବେଳେ ବା ରାସ୍ତା ଉପରେ ଯିବା ଆସିବା କରୁଥିବା ଝିଅମାନଙ୍କୁ ଚାହିଁଥିବ । ମୁଁ କିନ୍ତୁ ଏ ସବୁ କଥା କହୁ ନାହିଁ, ଖାଲି ତୁମେ କେବେ ଆସିଥିବ ବୋଲି କଳ୍ପନା କରି କହୁଛି ଯେ, ଯଦି ଆସିଥାଅ, ତା’ହେଲେ ଷ୍ଟେସନ ଆଡ଼ୁ ଫାୟାରଷ୍ଟେସନ ଆଡ଼କୁ ଗଲାବେଳେ ସାଧନା ଔଷଧାଳୟର କୋଠା ପାଖରେ ଯେଉଁ ଛୋଟ କୃଷ୍ଣଚୂଡ଼ା ଗଛଟି ଅଛି, ତା’ ମୂଳକୁ ଲକ୍ଷ୍ୟ କରିଥିବ । ମାସେ ହେଲା ସେଇଠି ସେ ଆସି ବସୁଛି । ସେ ମୂକ କି ବାଚାଳ କିଛି ଜାଣିବାର ଉପାୟ ନାହଁ; କାରଣ ସେ କାହାରି ସହିତ କଥା କୁହେ ନାହିଁ । ବସି ବସି କେବଳ ଅନାଏ । କେତେବେଳେ ତା’ ବସିଥିବା ସ୍ଥାନର ଟିକିଏ ଆଗରେ କେହି କେହି ଦୟାକରି ଦଶପଇସି ବା ପାଞ୍ଚପଇସି ଗୋଟେ ପକେଇ ଦେଇଯାଏ ।

 

ମୁଁ ସେଦିନ ସେଇ ବାଟେ ଯାଉଥିଲି । ସ୍କୁଟରଟା ଖରାପ ହୋଇଗଲାରୁ ପାଖ ଦୋକାନରେ ମରାମତି କରିବାପାଇଁ ଦେଇ ବି.ଜେ.ବି. କଲେଜ ଆଡ଼କୁ ଗଲି । କୃଷ୍ଣଚୂଡ଼ା ଗଛ ଫୁଲରେ ଭର୍ତ୍ତି ହୋଇଥଲା । ସ୍ଵଭବତଃ ମୁଁ ଫୁଲକୁ ଭଲପାଉଥିବାରୁ ଗଛ ଉପରକୁ ଚାହିଁ ଚାହିଁ ଚାଲୁଥିଲି । ଲାଳ ରଙ୍ଗର ଏତେ ଶୋଭା—ପୁଣି ଏତେ ଆକର୍ଷଣ କଅଣ ସହଜରେ ପାସୋରି ଯାଇହୁଏ !

 

ଝୁଣ୍ଟିପଡ଼ି ଉଠି ବସିଗଲା ବେଳେ ଗଛ ମୂଳରେ ମୋର ଦୃଷ୍ଟି ମୁହୂର୍ତ୍ତକ ପାଇଁ ସ୍ଥିର ହୋଇଗଲା ।

 

ଜଣେ ବୃଦ୍ଧା ସେଇଠି ବସିଗଲା ଶୂନ୍ୟ ଦୃଷ୍ଟିରେ । ସେଇ ଦୃଷ୍ଟିର ରକ୍ତତା ଦେଖି ମୁଁ ଅବାକ୍ ହୋଇଗଲି । ଜ୍ୟୋତି ନଥିଲା ସେଥିରେ, ନଥିଲା ଆଶା ବା ଆଶଙ୍କାର ସୂଚନା । ନିର୍ଲିପ୍ତ, ନିସ୍ତରଙ୍ଗ ସେଇ ଚାହାଣୀ କିନ୍ତୁ ମୋତେ ସ୍ପର୍ଶ କଲେ । ମୁଁ ବିଦଗ୍‌ଧ ଚିତ୍ତରେ ଅନାଇ ରହିଲି । ଇଏ କ’ଣ ଭିଖାରୁଣୀ ? ମନ ସ୍ଵୀକାର କଲା ନାହିଁ ।

 

ମୁଁ ତା’ ପାଖକୁ ଯାଇ ଛିଡ଼ାହେଲି; କିନ୍ତୁ ଦଶ ବା କୋଡ଼ିଏ ପଇସା ପକାଇ ଦବାପାଇଁ ଇଚ୍ଛା ହେଲା ନାହଁ । ମନେହେଲା ସେ ମୋର ଦୟା ବା ଦାନପାଇଁ ଅପେକ୍ଷା କରେ ନାହିଁ । କୌଣସି ଦାନ ଦେଲେ ଯେପରି ତା’ର ଅବମାନନା କରାହବ । ତା’ ଦେହର ଚମ ଠାଏ ଠାଏ ଓହଳି ପଡ଼ିଥିଲେ ବି ତା’ର ବ୍ୟକ୍ତିତ୍ଵ ସେ ଦିନେ ଆକର୍ଷଣର ବସ୍ତୁ ଥିଲା—ଏହା ଏବେ ବି ସହଜରେ ଅନୁମାନ କରିହୁଏ ।

 

ସେ ସେଇ କୃଷ୍ଣଚୂଡ଼ା ଗଛମୂଳେ ମାସେ ହେଲା ବସୁଛି । ଯେଉଁମାନଙ୍କର ତଳକୁ ଚାହିଁବାର ଅଭ୍ୟାସ ବା ହୃଦୟ ଅଛି, ସେମାନେ ତାକୁ ସେହିଦିନୁ ସେଠାରେ ଦେଖି ଆସୁଛନ୍ତି । ଇମିତ ଗୋଟେ ବୁଢ଼ୀ ବା ବୁଢ଼ାକୁ ଗଛମୂଳରେ ବସିବାର ଦେଖିବା ବଡ଼ ବା ନୂଆକଥା ନ ହେଲେ ବି ସେ କାହାର କାହାର ଦୃଷ୍ଟି ଆକର୍ଷଣ କରୁଥିଲା ।

 

ତା’ ଆଖିର ନିର୍ଲିପ୍ତ, ଅନିଶ୍ଚିତ ଦୃଷ୍ଟିରେ ମୁଁ ଧରାପଡ଼ିଲି ନାହିଁ ସତ; କିନ୍ତୁ ସେ ମୋର ଉପସ୍ଥିତି ବିଷୟରେ ଜାଣୁ ଏହା ମୁଁ କାମନା କରୁଥିଲି । ସେ କିନ୍ତୁ ମୋତେ ନିରାଶ କରି ଅବିକଳ ପୂର୍ବପରି ବସିରହିଲା ।

 

ମୁଁ ଆଶ୍ଚର୍ଯ୍ୟ ହୋଇଗଲି । ଏପରି ଭିକାରୁଣୀ ଆଉ କେବେ ଦେଖିଥିବାର ମନେହେଲା ନାହଁ । ସେ ଯେପରି ଏକ ସ୍ଵତନ୍ତ୍ର ସ୍ଵରୂପ, ଏକ ଅସାଧାରଣ ବ୍ୟତିକ୍ରମ ।

 

ଅଫିସରୁ ଫେରୁଥିଲି । ବେଶ୍ କ୍ଳାନ୍ତ ଲାଗୁଥିଲା ସେତେବେଳକୁ । ପାଖରେ ଥିବା ଛୋଟ ଜଳଖିଆ ଦୋକାନକୁ ପଶିଯାଇ ଗୋଟିଏ ବେଞ୍ଚ ଉପରେ ବସି ପଡ଼ି ଦୁଇଟି ସିଙ୍ଗଡ଼ା ଏବଂ କପେ ଚାହା ଦବାପାଇଁ ଅର୍ଡ଼ର ଦେଲି ।

 

ଦୋକାନରେ ଭିଡ଼ ନଥିଲା । ଜଣେ ଲୋକ ଚାହା କପେ ଖାଇ ଉଠିଗଲ ପରେ ଦୋକାନୀକୁ ଏକାକୀ ପାଇ ମୁଁ କହିଲି—

 

ଏଇ ଭିକାରୁଣୀକୁ ଏଇ ଗଛମୂଳେ ବସିବାର କେତେଦିନ ହେଲା ଦେଖୁଛ ?

 

ସେ କହିଲା—ଏଇ ମାସେ ହବ ବାବୁ । ଆପଣ ତା’ କଥା କିଛି ଜାଣନ୍ତି ?

 

ମୁଁ କହିଲ—ନା, କଛି ଜାଣିବାପାଇଁ ଇଚ୍ଛା ହୁଏ ।

 

ସେ କହିଲା—ବଡ଼ଲେକମାନଙ୍କର ଗରିବ, ନିରାଶ୍ରୟମାନଙ୍କର କଥା ଜାଣିବାକୁ ଆଗ୍ରହ ହବା ସତରେ ଅତି ଶୁଭ ଲକ୍ଷଣ ବାବୁ ?

 

ମୁଁ କହିଲି—ମୁଁ ବଡ଼ଲେକ ନୁହେଁ—ଜୀବନବୀମା ଅଫିସର ଇନ୍‌ସପେକ୍ଟର ।

 

ସେ କହିଲା—ଯେଉଁମାନେ ପଙ୍ଖାତଳେ ବସନ୍ତି, ମୋହେନତ ନକରି ଭଲ ଖାଇ ପିନ୍ଧି ପାରନ୍ତି, ସେମାନଙ୍କୁ ବଡ଼ଲୋକ ଆମେ କହୁ ବାବୁ ।

 

ବଡ଼ଲୋକର ବ୍ୟାଖ୍ୟା ଦୋକାନୀଠାରୁ ଶୁଣି ମୁଁ କିନ୍ତୁ ପ୍ରତିବାଦ କଲି ନାହିଁ ।

 

ସେ କହିଲା—ସେ କଥା ଥାଉ । ଆପଣ ପରା ପଚାରୁଥିଲେ ସେଇ ବୁଢ଼ୀ କଥା—

 

ମୁଁ କହିଲ—କୁହ ।

 

ସେ କହିଲା—ବୁଢ଼ୀର ଦିନେ ସବୁ ଥିଲା ।

 

—କିମିତି ଜାଣିଲ ? ମୁଁ ଆଶ୍ଚର୍ଯ୍ୟ ହୋଇଯାଇ ପଚାରିଲି ।

 

ସେ କିଛି ସମୟ ନୀରବ ହୋଇଯାଇ ତା’ପରେ କହିଲା—ଚୌଧୁରୀବଜାରର ଅଶ୍ଵତ୍‌ଥ ଗଛ ସାମ୍ନାର କୋଠା ଦେଖିଥିବ । ଏବେ ସେଇଠି ଏକ ନର୍ସିଂ ହୋମ ଚାଲୁଛି । ସେ କୋଠାର ମାଲିକ ଦିନେ ଥିଲା ଏଇ ବୁଢ଼ୀ ।

 

ମୁଁ ଆଶ୍ଚର୍ଯ୍ୟ ହୋଇଗଲି ।

 

ସେ କହିଲା—ବୁଢ଼ୀର ସ୍ଵାମୀ ଗୋଟିଏ ତେଲ କଳର ମାଲିକ ଥିଲେ । ସେ ମରିଗଲା ପରେ ଦୁଇ ପୁଅ ମିଲ୍ ଚଲାଇଲେ । କପାଳ ମନ୍ଦ, ଦୁହେଁ ଆଗପଛ ହୋଇ ପାଞ୍ଚ ବରଷ ତଫାତରେ କ୍ୟାନସରରେ ମରିଗଲେ । ବଡ଼ପୁଅର ବୋହୂ ପାଗଳ ହୋଇ କେଉଁଆଡ଼େ ପଳେଇଲା । ସାନ ପୁଅ ବିଭା ହୋଇ ନଥିଲା ।

 

—କିନ୍ତୁ ବୁଢ଼ୀ ତ ଥିଲା ।

 

—ହଁ, ତାଙ୍କର ମ୍ୟାନେଜର କୌଶଳ କରି ଦିନେ ସବୁ ସମ୍ପତ୍ତିର ମାଲିକ ହୋଇଗଲା । ବୁଢ଼ୀକୁ ଅବଶ୍ୟ ଦୟାକରି ଗୋଟିଏ ଛୋଟ ଘର ଏବଂ ମାସକୁ ମାସ କିଛି ସାହାଯ୍ୟ ଦବାର ବ୍ୟବସ୍ଥା କରିଥିଲେ । କିନ୍ତୁ ବୁଢ଼ୀ ରହିଲା ନାହିଁ ସେ ଅନୁକମ୍ପା ଗ୍ରହଣ କରିବା ପାଇଁ । ସେ ରାସ୍ତା ଉପରକୁ ଚାଲିଆସିଲା ।

 

—ନିରାଶ୍ରୟ ହୋଇଗଲେ ଏହିପରି ରାସ୍ତା ଉପରକୁ ଅନେକ ଚାଲି ଆସନ୍ତି—ମୁଁ ଦୀର୍ଘ ନିଶ୍ୱାସଟିଏ ଛାଡ଼ି କହିଲି ।

 

—ଘିଅ ଲହୁଣୀରେ ଯିଏ ଭାସୁଥିଲା, ଯାହାର ହାତ ଟେକାକୁ ପ୍ରତିଦିନ ଦଶଜଣ ଅପେକ୍ଷା କରୁଥିଲେ, ସେ ହଠାତ୍ ଅନାଥ, ଅବହେଳିତ, ଅସହାୟ ହୋଇଗଲା ।

 

ଦୋକାନୀ ଧୀରେ ଧୀରେ କହିଲା ।

 

ମୁଁ ସିଙ୍ଗଡ଼ା ଗୋଟେ ମୁହଁ ଭିତରେ ଦବାକୁ ଯାଇ କିନ୍ତୁ ଦେଇପାରିଲି ନାହିଁ । ଚାହା କପେ ପିଇ ଦେଇ ଉଠି ବସିଲି ।

 

ସନ୍ଧ୍ୟା ହୋଇ ନଥାଏ । ସୂର୍ଯ୍ୟର ଶେଷ ଝଲକ ଟିକକ ଗୋଟାଇ ନଉଥିବା ପଣତ ପରି ଅପସରି ଯାଉଥାଏ । ମୁଁ ଦୋକାନ ଭିତରୁ ବାହାରି ଆସି ଚାଲଯିବା ଆଗରୁ ପୁଣି ଥରେ ଚାହିଁଲି ବୁଢ଼ୀ ଆଡ଼କୁ । ବୁଢ଼ୀ ହାତଯୋଡ଼ି ଆଖିବୁଜି ଉପର ଆଡ଼କୁ ମୁହଁକରି କାହାକୁ ପ୍ରଣାମ କରୁଥିଲା ।

 

ମୁଁ ଆଉ ସମ୍ଭାଳ ନପାରି ତା’ପାଖକୁ ଯାଇ ପଚାରିଦେଲି—ଏବେ ବି ଆହୁର ବିଶ୍ୱାସ ଅଛି ତୁମର ?

 

ସେ ଆଖିଖୋଲି ଟିକେ ମୋତେ ଚାହିଁଦେଇ କଅଣ ଭାବିଲି ବୋଧେ, କିନ୍ତୁ ମୁହୂର୍ତ୍ତକ ପରେ ମୋତେ ଅବାକ୍ କରିଦେଇ କହିଲା ଚନ୍ଦ୍ର, ସୂର୍ଯ୍ୟ ଏବେ ବି ଅଛନ୍ତି ବାପା, ଈଶ୍ଵରଙ୍କ ପୃଥିବୀରେ ଏବେ ବି ଆତଯାତ ହଉଛି ମଣିଷ ।

 

ମୋର ଆଖି ଓଦା ହୋଇଆସିଲା । ଧନ୍ୟ ସେହି ଈଶ୍ଵର ଏବଂ ତାଙ୍କରି ଉପରେ ଶବ୍ଦ ଦୁଃଖ କଷ୍ଟ, ପ୍ରତାରଣା ସତ୍ତ୍ୱେ ବିଶ୍ୱାସ ରଖିଥିବା ଏହି ମଣିଷ !

 

ବୁଢ଼ୀ ସବୁ ହରାଇ ସର୍ବହରା ହେଇଯାଇଥିଲେ ବି ଆଜନ୍ମ ବିଶ୍ୱାସ ହରାଇ ନାହିଁ ।

 

ଏଇ ବିଶ୍ଵାସ ଟିକକ ଯେଭଳି ଭାରତବର୍ଷର ମୂକ, ନିଃସହାୟ, ଜୀବନଯାତ୍ରାର ଏକମାତ୍ର ସମ୍ବଳ !

 

ମୁଁ ଆଉ କିଛି କହି ନପାରି ଧୀରେ ଧୀରେ ଅପସରିଗଲି ।

 

ଘରେ ପହଞ୍ଚଲା ବେଳକୁ ସାତଟା ବାଜି ଯାଇଥିଲା ।

 

ମେନକା ବାରନ୍ଦା ଉପରେ ଗୋଟେ ଚୌକିରେ ବସି ମୋତେ ଯେପରି ଅପେକ୍ଷା କରୁଥିଲା ।

 

ମୁଁ ବାରନ୍ଦା ଉପରେ ପାଦ ରଖିବା ଆଗରୁ ସେ କହିଲା—ଚାଲି ଚାଲି ଆସିଗଲ ଯେ ?

 

ସ୍କୁଟରଟା ଖରାପ ହୋଇଗଲା । ମରାମତି କରିବାପାଇଁ ଦେଇ ଆସିଲି—ମୁଁ କହିଲି ।

 

—ଏଇଥିପାଇଁ ଦୁଇଘଣ୍ଟା ସମୟ ଲାଗିଗଲା । ପୁଅପରି ବାପ ଆଉ ବାପପରି ପୁଅ ତ-! କ୍ଷୂର୍ଣ୍ଣ ସ୍ଵରରେ ସେ କହିଲା ।

 

ମୁଁ ପରିହାସ କରିବାପାଇଁ କହିଲି—ବାପ ପରି ପୁଅ—ପୁଅପରି ବାପ ନୁହେଁ ।

 

ସେ ରାଗିଯାଇ କହିଲା—ଥଟ୍ଟା କରିବାପାଇଁ ସମୟ ପାଇଲ ନାହିଁ । ତୁମେ ତ ଆସୁଛ ସାତଟାରେ, ଆଉ ତୁମ ଗୁଣମଣି କାହିଁକି ଆସନ୍ତେ ଯେ ତା’ ଆଗରୁ ?

 

ମୁଁ କଥାର ମର୍ମ ବୁଝିପାରି ଧୀରେ ଧୀରେ କହିଲି କଅଣ, ମୁନା ଆଜି ବି ଏଯାଏ ଆସିନାହଁ ?

 

ମେନକା ଆହୁରି ରାଗିଯାଇ କହିଲା—କେବେ ଆସେ ଯେ, ଆଜି ଆସିବ ଶୁଣେ । କଲେଜ ଛୁଟି ହେଲାଣି ପାଞ୍ଚଟାରୁ, ଅଥଚ ବାବୁ ଏଯାଏ ବୁଲୁଛନ୍ତି ।

 

—ହୁଏତ ଲାଇବ୍ରେରୀ ଆଡ଼େ ଯାଇଥିବ—ମୁଁ ଡରି ଡରି କୈଫିୟତ ଦବାଭଳି କହିଲି ।

 

—ତୁମେ ଅନ୍ତର୍ଯ୍ୟାମୀ ହୋଇ ନଥିଲେ ଠାଏ ଛିଡ଼ାହୋଇ ଏତେକଥା କହିପାରୁ ନ ଥାନ୍ତ-! ତୁମରି ଯୋଗୁଁ ପୁଅଟା ନଷ୍ଟ ହୋଇଗଲା ।

 

ମୁଁ ଆଉ ପ୍ରତିବାଦ ବା ପରିହାସ ନକରି ଘର ଭିତରକୁ ପଶିଗଲି । ନଷ୍ଟ ହୋଇ ଯାଉଥିବା ପୁଅର ଗୁଣାବଳୀର ପର୍ଯ୍ୟାଲୋଚନା କରିବାକୁ ଯାଇ ହଠାତ୍ ଅନୁଭବ କଲି—ମୁଁ ମୁନା କଥା ଭାବୁନାହିଁ ଯେ…ଭାବୁଛି ସେଇ ବୁଢ଼ୀ କଥା ।

 

ମୁଁ ଧୁଆଧୋଇ ହୋଇ ବାହାରେ ଆସି ବସିଲାବେଳକୁ ମୁନା ଆସି ସାରିଥିଲା ।

 

ମେନକା ମୋତେ ଦେଖି ଫେର୍ ମୁହଁ ଖୋଲି କହିଲେ—ପ୍ରତିଦିନ ପୁଅ ଯେ ସାତଟା ଆଠଟା ରାତିରେ ଫେରୁଛି, ତା’ର ପ୍ରତିକାର କରୁଛ ନା ନାହିଁ, ନା ନିଜ କାମ ଧନ୍ଦାନେଇ ମନ ଖୁସିରେ ବେଶ୍ ବୁଲିପାରୁଛ !

 

ମୁଁ ତାକୁ ଶାନ୍ତ କରିବା ପାଇଁ କହିଲି—ତାକୁ ବୁଝାଇ ଦେବି; ସେ ଆଉ ରାତିକରି ଘରକୁ ଫେରିବ ନାହିଁ ।

 

ସେ କହିଲା—ସିନେମା ନିଶା ଘାରିଛି ବାବୁଙ୍କୁ । ମ୍ୟାଟିନୀ ସୋ ଦେଖି, ସାଙ୍ଗ-ସାଥୀମାନଙ୍କ ସହ ଖୁସି ଗପକରି ଫେରିବାବେଳକୁ ଆଠଟା ବାଜିଯାଉଛି ।

 

ମୁଁ ପ୍ରତିବାଦ ନକରି ନୀରବ ରହିବାକୁ ଶ୍ରେୟସ୍କର ମନେକଲି ।

 

ଦୁଇଦିନ ଧରି ଅଫିସ ଛୁଟି ହେଲା ପରେ ବସାକୁ ନଫେରି ମୁଁ ସିନେମା ହଲ୍ ଆଗରେ ଯାଇ ଛିଡ଼ାହେଲି ମ୍ୟାଟିନି ସୋ ଭାଙ୍ଗିଲାବେଳକୁ, କିନ୍ତୁ କେଉଁଠି ମୁନାକୁ ପାଇଲି ନାହିଁ, ମନରେ ସନ୍ଦେହ ହେଲା, ତା’ହେଲେ କଅଣ ବଦ୍‍ମାସ ପିଲାମାନଙ୍କ ସହିତ ମିଶି ତାସ୍ ଖେଳୁଛି ବା ଆଡ଼୍‌ଡ଼ା ଦେଉଛି ? କିଛି ସ୍ଥିରକରି ପାରିଲି ନାହିଁ, ତେଣେ ମେନକା ମୋ ଉପରେ କ୍ରମଶଃ ଅସହିଷ୍ଣୁ ହୋଇଉଠିଲା । ପୁଅ ଅବାଟକୁ ଚାଲିଯାଉଛି—ମୁଁ ନୀରବରେ ବସି ମନକୁ ଆପେ ଗୁରୁ କରି ସିଦ୍ଧାନ୍ତ କରୁଛି ବୋଲି ବେଶ୍ ଦିପଦ ଶୁଣାଉଥିଲା ସେ ।

 

ଆଜି ଆଉ ବସିଲି ନାହିଁ । ଅଫିସ ଶେଷ ହେବାପରେ ସାଇକେଲ ଧରି ଚାଲିଲି ପାର୍କଆଡ଼େ—କାଳେ ଯଦି ସେଇଠି ବସି ଗପ କରୁଥିବ ! କିନ୍ତୁ ନା, ପାର୍କରେ ପାଇଲି ନାହଁ । ସେଇଠୁ ସିଧା ଚାଲିଲି ‘ଲକ୍ଷ୍ମୀ ବିଳାସ’ ରେସ୍ତୋରାଁ ଆଡ଼କୁ । କଲେଜ ପିଲା ସେଇ ରେସ୍ତୋରାଁରେ ଆଡ଼୍‌ଡ଼ା, ଦିଅନ୍ତି, ବସି ବସି ଚାହା, କଫି ପିଅନ୍ତି…ଆଉ କିଏ କିଏ ବି ଆଜିକାଲି ଭାଙ୍ଗ ଖାଆନ୍ତି, “ଲକ୍ଷ୍ମୀ ବିଳାସ”ରେ ଅନେକ ଭିଡ଼ କରନ୍ତି । ସେଠାକାର ସ୍ପେଶାଲ ସିଙ୍ଗଡ଼ା ନାଁକି ଅଦ୍ଵିତୀୟ । ପୁଣି କିଏ କିଏ କହନ୍ତି, ସିଙ୍ଗଡ଼ା ଭିତରେ ଗଞ୍ଜେଇର ଦାନା ଥାଏ । ମୁନା ଯଦି ସେଇଠି ବସି ବସି ଗଞ୍ଜେଇ ବା ସ୍ପେସାଲ ସିଙ୍ଗଡ଼ା ଖାଉଥବ…

 

ଆଉ ଭାବିପାରିଲି ନାହିଁ । ଆଖି ବୁଜି ହୋଇଗଲା । ସେଠାରୁ ବି ହତାଶ ହୋଇ ଫେରିଲି । ସହରଯାକ ସାଇକଲରେ ବୁଲିଲି, ହଷ୍ଟେଲକୁ ଯାଇ ବି ବୁଝିଆସିଲି, କିନ୍ତୁ କେଉଁଠି ପାଇଲି ନାହିଁ ।

 

ଫେରିବାବେଳେ ସେଇ କୃଷ୍ଣଚୂଡ଼ା ଗଛମୂଳେ ମୋର ଦୃଷ୍ଟି ପୁଣି ଥରେ ସ୍ଥିର ହୋଇ ରହିଗଲ ।

 

ବହୁତ ଲୋକ ଜମାହୋଇ କଅଣ ଦେଖୁଥିଲେ ଯେପରି ।

 

ବୁଢ଼ୀ ସେଇଠି ବସିଥିଲା ।

 

ମୁଁ କୌତୂହଳୀ ହୋଇ ପଛରେ ଛିଡ଼ାହୋଇ ଜଣକୁ ପଚାରିଲି—ସେ ସଠିକ କିଛି କହି ନପାରିଲେ ବି ଯାହା ଦେଖିଲି, ସେଥିରେ ମୋର ହଲକ ଶୁଖିଗଲା । ବୁଢ଼ୀ ଭୂଇଁ ଉପରେ ଗୋଟେ ଛିଣ୍ଡା ଚଟ ଉପରେ ଶୋଇଥିଲା । ପାଖରେ ଦୁଇଜଣ ପିଲା ବସି ମଥା ଉପରେ ପଙ୍ଖା କରୁଥିଲେ । ମୁଁ ଭିଡ଼ ଭେଦକରି ଭିତରକୁ ଯିବାପାଇଁ ଉଦ୍ୟମ କଲାବେଳକୁ ଦେଖିଲି ଅନ୍ୟ ପାଖରେ ଗୁଞ୍ଜନ ଉଠିଲା, କିଏ ଆସିଲା ଯେପରି ।

 

ମୋ; ପାଖରେ ଛିଡ଼ା ହୋଇଥିବା ଲୋକଟି କହିଲା—ଡାକ୍ତର ଆସିଲେ ପରା !

 

ମୁଁ ଉପରକୁ ମୁହଁକରି କଅଣ ହବାକୁ ଯାଉଛି ଦେଖିବାପାଇଁ ଆଖି ନତ କଲାବେଳକୁ ଭିଡ଼ ଭିତରୁ କାହାର ଠେଲାରେ ପଛକୁ ଖସି ଆସିଲି ।

 

ଡାକ୍ତର ଆସି ବୁଢ଼ୀର ନାଡ଼ି ଦେଖିଲେ, ଛାତି ପରୀକ୍ଷାକରି କହିଲେ—ଶେଷ ହୋଇଯାଇଛି । କରିବାର କିଛି ନାହିଁ ।

 

ମୁଁ ନିଶ୍ଚଳ ହୋଇ ଛିଡ଼ା ହୋଇଗଲି ।

 

ଜଣେ କିଏ ଭିଡ଼ ଭିତରୁ କହିଲା—ଏତେଦିନର ଉଦ୍ୟମ ତା’ହେଲେ ବ୍ୟର୍ଥ ହୋଇଗଲା-। ପିଲାଗୁଡ଼ାକ ଯାହା ଖଟୁଥିଲେ ।

 

ସେହି ପିଲା ଦୁଇଜଣଙ୍କ ଉପରେ ପୁନର୍ବାର ମୋର ଆଖି ପଡ଼ିଲା ଯାଇ ।

 

ସେ ଲୋକଟି କହିଲା—ଚାନ୍ଦା ଉଠାଇ ସେମାନେ ବୁଢ଼ୀପାଇଁ ଗୋଟେ କୁଡ଼ିଆ ବି କରିଥିଲେ ମୁକ୍ତେଶ୍ଵର ମନ୍ଦିର ପାଖରେ । ଦୁଇ ତିନିଦିନ ହେଲ ବୁଢ଼ୀକୁ ସେଠାରୁ ନେଇଯିବା ପାଇଁ ସେମାନଙ୍କର କି ଆନ୍ତରିକ ଚେଷ୍ଟା । ବୁଢ଼ୀର କିନ୍ତୁ ଭାଗ୍ୟ ନାହଁ ଏତେ ସ୍ନେହ ସୋହାଗ ପାଇଁ, ଏମାନଙ୍କର ସବୁ ଉଦ୍ୟମ ବ୍ୟର୍ଥକରି ଚାଲିଗଲା ।

 

ପିଲା ଦୁଇଜଣଙ୍କୁ କୁଣ୍ଢେଇପକେଇ କାନ୍ଦିବାକୁ ଇଚ୍ଛା ହେଲା ମୋ’ର । ମୁଁ ଭିଡ଼ ଭାଙ୍ଗି ଭତରକୁ ପଶିବା ପାଇଁ ଚେଷ୍ଟା କଲି ।

 

ଡାକ୍ତର ଉଠି ଚାଲିଗଲାବେଳକୁ ତାଙ୍କ ହାତରେ ପାଞ୍ଚ ଟଙ୍କାର ଗୋଟିଏ ନୋଟ ଗୁଞ୍ଜି ଦବ ବେଳେ ଅବାକ୍ ହୋଇ ଦେଖିଲି ମୋ’ଆଡ଼କୁ ପଛକରି ସେଠାରେ ମୁନା ଛିଡ଼ା ହୋଇଥିଲା ।

 

ମୁଁ ବୁଝିପାରିଲି ନାହିଁ ସେ ଏଠାରେ କାହିଁକି ଅଟକି ଯାଇଥିଲା ବୋଲି ।

 

ମୋର ଦୃଷ୍ଟି ଆକର୍ଷଣ କରି ସେହି ଲୋକଟି କହିଲା—ଦେଖୁଛନ୍ତ ସେହି ପିଲାଟିକୁ, ସେ ଏମାନଙ୍କର ନେତା । ସେ ବୁଢ଼ୀର ପୂର୍ବଜନ୍ମରେ କଅଣ ଥିଲା କେଜାଣି ବୁଢ଼ୀ ତା’ଠାରୁ ଏତେ ସେବା ପାଇଲା ।

 

ସେ କଅଣ ସେବା କରୁଥିଲା ବୁଢ଼ୀର ?

 

ଲୋକଟି କହିଲା—ନିଶ୍ଚୟ । ସେ କଥା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ମୁଁ ତ ଏଇ ପାଖରେ ଦୋକାନ ଦେଇଛି । ଏମାନେ ଦୁଇ ତିନିଥର ଚାନ୍ଦା ନେବା ପାଇଁ ଆସିଛନ୍ତି ମୋ ପାଖକୁ । ମୁଁ ତ ପ୍ରଥମେ ଦେବାପାଇଁ ଅମଙ୍ଗ ହୋଇଥିଲି । ଆଜିକାଲ କଲେଜ ପିଲମାନଙ୍କୁ କେଉଁ ବିଶ୍ୱାସ—ସିନେମା ଦେଖିବେ କି ଫୁର୍ତ୍ତି କରିବେ କିଏ ଜାଣେ; କନ୍ତୁ ଏମାନେ ଅନ୍ୟ ରକମ । ଯେଉଁଦିନ ଦେଖିଲି ନିଜେ ଜଳଖିଆ ନଖାଇ, ଚାନ୍ଦା ଉଠାଇ ସେଇ ପଇସାରେ ବୁଢ଼ୀର ସେବା ଆରମ୍ଭ କରିଦେଲେ ମୁଁ ବି ସେମାନଙ୍କର ସ୍ତାବକ ହୋଇପଡ଼ିଲି ।

 

ମୁନାକୁ ଭଲକରି ଦେଖିବା ପାଇଁ ଇଚ୍ଛା ହେଲା, କିନ୍ତୁ ଆଉ ଆଗେଇ ପାରିଲି ନାହିଁ । ମୋର ଅବନତ ଦୃଷ୍ଟି ଝାପ୍‌ସା ହୋଇ ଆସୁଥିଲା ଆକୁଳଭାର ବାଷ୍ପରେ ।

 

ମୁନା କିନ୍ତୁ ଚୁପ୍ ହୋଇ ବସି ନଥିଲା । ସଙ୍ଗେ ସଙ୍ଗେ ଶବ-ସତ୍କାର ପାଇଁ ଆୟୋଜନ କରିବାରେ ଲାଗିଗଲା । ବୁଢ଼ୀ ଉପରେ ଗୋଟିଏ ଚଦର ଘୋଡ଼ାଇ ଦେଇ ଯେତେବେଳେ ଛିଡ଼ା ହୋଇ ତା’ଆଡ଼କୁ ଚାହିଁଲା ମୁନା—ମୁଁ ଦେଖିପାରିଲି ତା’ ଦୃଷ୍ଟିର ଅନ୍ତରଙ୍ଗ ବିହ୍ୱଳତା ।

 

ମଣିଷ ପାଇଁ ପୁଣି ମଣିଷ ହୃଦୟରେ ଏତେ ବେଦନା, ଏତେ ପ୍ରେମ ଲୁଚି ରହିଥାଏ !

 

ଆଉ ବିଳମ୍ବ ନକରି କାଳେ ଧରା ପଡ଼ିଯିବି ବୋଲି ତରତର ହୋଇ ସେଠାରୁ ଅନ୍ତର୍ହିତ ହୋଇ ଫେରିଆସିଲି ଘରକୁ ।

 

ମେନକା ଅପେକ୍ଷା କରୁଥିଲା ବାରନ୍ଦାରେ ।

 

ମୋତେ ଦେଖି ପକେଇ ପାଟି କରି ଉଠିଲା—କେତେଟା ବାଜାଲାଣି ?

 

ମୁଁ ଚମକିପଡ଼ି କହିଲି—ଆଠଟା ।

 

ସେ’ କହିଲା—ହୋଟେଲକୁ ଲୋକେ ଆଠଟାରେ ଆସନ୍ତି ଖାଇବାପାଇଁ । ଏଇଟା ହୋଟେଲ ନୁହଁ ।

 

ମୁଁ କହିଲି ନିଶ୍ଚୟ ନୁହଁ । କିନ୍ତୁ…

 

ସେ କୁହାଇ ନଦେଇ କହିଲା—କାରଣ ଶୁଣିବା ପାଇଁ ମୁଁ ଅପେକ୍ଷା କରିନାହିଁ । ପୁତ୍ର ଗୁଣମଣି ବି ଏଯାଏ ଆସିନାହାନ୍ତି । ଆଜି ଇଭିନିଂ ସୋ ଯାଇଥିବେ ନିଶ୍ଚୟ ।

 

ମୁଁ ଚୁପ୍ ହୋଇଗଲି ।

 

ତା’ପରେ ଧୀରେ ଧୀରେ ଘର ଭତରକୁ ଗଲାବେଳେ ମେନକା ମୋ ଆଗରେ ଛିଡ଼ାହୋଇ କହିଲା—ସବୁ ନ ଶୁଣି ଚାଲିଯାଉଛି ଯେ…

 

ମନଟା ଭଲ ନଥିଲେ ବି ଟିକିଏ ବେଦନାର ହସ ହସି ମୁଁ କହିଲି—ଆହୁରି ବାକୀ ଅଛି କହିବା ପାଇଁ ?

 

ସେ ରାଗିଯାଇ କହିଲା—କୁମ୍ଭୀର ନେଇ ମଝି ନଈରେ କଲାଣି—ଆହୁରି ହସୁଛ; ଲାଜ ଲାଗୁନି । ଏଡ଼େ ବଡ଼ ପୁଅ ଅବାଟରେ ଚାଲିଗଲା, ଥରେ ବୁଝିଲ ! ଶେଷରେ ଗଞ୍ଜେଇ ଭାଙ୍ଗ ବା ମେଣ୍ଡେକ୍‌‌ସ ଖାଇ ବାପମାଆଙ୍କୁ ମାଡ଼ ମାରିଲେ ଜାଣିବ ।

 

ମୁଁ ମେନକାର କାନ୍ଧ ଉପରେ ହାତ ରଖି ସ୍ପଷ୍ଟ ଭାବରେ କହିଲି, ମୁନା ଖରାପ ହୋଇଯାଇ ନାହିଁ ମେନକା…ଭଲ ହୋଇଯାଇଛି । ମୋର କେବଳ ଅବଶୋଷ ତା’ର ଭଲ ରୂପଟା ତୁମେ ଦେଖିପାରିଲ ନାହିଁ ।

☆☆☆

 

ଶୋଣିତର ସ୍ୱପ୍ନ

 

ସ୍ଵାଧୀନତା ଦିବସ ଉପଲକ୍ଷେ ରୋଟାରୀ କ୍ଳବ୍‍ର ରାତ୍ରିଭୋଜନ ଉତ୍ସବରେ ଯୋଗ ଦେବାପାଇଁ ପ୍ରସ୍ତୁତ ହେଉଥିଲା ବୀଣା । ନୀଳରଙ୍ଗର ବନାରସୀ ସହିତ ସାମଞ୍ଜସ୍ୟ ରଖି ବ୍ଲାଉଜ୍, ସେହି ଅନୁସାରେ ହାତରେ ମିର୍ଜାପୁରୀ କାଚ । ଲମ୍ବା ଲମ୍ବା ଭ୍ରୂତଳେ ସ୍ୱପ୍ନମଖା ଆଖି ଦୁଇଟିକୁ କଜ୍ଜ୍ୱଳ ଦେଇ ସଜାଇଲା, କପାଳର ମଧ୍ୟବିନ୍ଦୁରେ ଆଙ୍କିଦେଲା କୁଙ୍କୁମର ଚିତା, ଆଉ ଅଧର ଉପରେ ବୋଳିଦେଲା ଗୋଲାପର ରଙ୍ଗ । ଅଙ୍ଗରେ ରଙ୍ଗ ଲାଗିଲେ ଅନୁରଗ ଜାତ ହୁଏ । ମନଟା ନୃତ୍ୟ ଆରମ୍ଭ କରି ଦେଇଥିଲା । ପ୍ରତି ଲୋମକୂପର ଅବାରିତ ହାର ଉନ୍ନୁଖ ହୋଇ ଅପେକ୍ଷା କରୁଥିଲେ ଉଲ୍ଲାସର । ପ୍ରସାଧନ ଶେଷ କରି ବହୁଦିନ ପରେ ସଜ ହୋଇ ଆସି ବସିଲା ରେଡ଼ିଓ ପାଖରେ ସନ୍ଧ୍ୟାର ଆଞ୍ଚଳିକ ସମ୍ବାଦ ଶୁଣିବାପାଇଁ । ବିଜୟ ଏବେ ବି ପ୍ରସ୍ତୁତ ହୋଇସାରିନି । ସମ୍ବାଦଟା ଶୁଣିଲେ କ୍ଷତି କ’ଣ ?

 

ସମ୍ବାଦ ପାଠକ ସ୍ୱାଧୀନତା ମହୋତ୍ସବର ସମସ୍ତ ବିବରଣୀ ଦେଇ ଶେଷରେ ଗୋଟିଏ ସମ୍ବାଦ ଘୋଷଣା କଲେ—“ଆମର ସ୍ଥାନୀୟ ସମ୍ବାଦଦାତାଙ୍କ ପାଖରୁ ଏଇ ସଦ୍ୟ ଖବର ମିଳିଲା ଯେ, ବିଖ୍ୟାତ ବିପ୍ଳବୀ ସଞ୍ଜୟ ମିଶ୍ରଙ୍କୁ ଚାରିବର୍ଷର ଅକ୍ଳାନ୍ତ ପରିଶ୍ରମ ପରେ ପୁଲିସ ଗିରଫ କରି ଆଣୁଥିଲାବେଳେ ସେ ସେମାନଙ୍କ ଆଖିରେ ଧୂଳିଦେଇ ପୁଲିସ ଗାଡ଼ିରୁ ପଳାଇ ଯାଇଛନ୍ତି । ପୁଲିସ-ରକ୍ଷୀ ତାଙ୍କୁ ସତର୍କ କରିବା ସତ୍ତ୍ୱେ ସେ ଜଣେ କନେଷ୍ଟବଳକୁ ଭୂଲୁଣ୍ଠିତ କରି ପଳାଇ ଗଲାବେଳେ ପୁଲିସର ଗୁଳିମାଡ଼ରେ ଆହତ ହୋଇଛନ୍ତି । ସନ୍ଧ୍ୟାସୁଦ୍ଧା ତାଙ୍କୁ ପୁନର୍ବାର ଗିରଫ କରିବାପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରିବା ସଙ୍ଗେ ସଙ୍ଗେ ଜନସାଧାରଣଙ୍କୁ ଏଇ ଆଇନଭଙ୍ଗକାରୀଙ୍କୁ ସାହାଯ୍ୟ ନକରି ବରଂ ତାଙ୍କୁ ଗିରଫ କରିବାରେ ପୁଲିସକୁ ସାହାଯ୍ୟ କରିବାପାଇଁ କର୍ତ୍ତୃପକ୍ଷ ନିବେଦନ କରିଛନ୍ତି ।”

 

ସମ୍ବାଦ ଶେଷ ହେବା ଆଗରୁ କଜ୍ଜ୍ୱଳମଖା ଆଖିଧାରରେ ଜମିଉଠିଲ ବିନ୍ଦୁ ବିନ୍ଦୁ ଲୁହ । ମୁହୂର୍ତ୍ତକ ମଧ୍ୟରେ ସର୍ବାଙ୍ଗରେ, ହୃଦୟର ନିଭୃତତମ ପ୍ରଦେଶରେ ସେ ଅନୁଭବ କଲା ଅସୀମ ଆକୁଳତା ।

 

ପ୍ରାୟ ଭୁଲି ଯାଇଥିବା ସଞ୍ଜୟ ମିଶ୍ର ଯେ ପୁଣି ଏପରି ଅତର୍କିତ ଭାବରେ ତା’ର ରୁଦ୍ଧ ଦ୍ଵାର ଖୋଲିବାପାଇଁ ଆସି ଅଳି କରିବ, ଏ କଥା ସ୍ଵପ୍ନରେ ବି ବହୁଦିନ ହେଲା ଭାବି ନଥିଲା ବୀଣା-। କିନ୍ତୁ ସତକୁ ସତ ଅଭୁଲା ସ୍ମୃତିରେ ଆଲୋକରେ ସେ ଅବାକ୍ ହୋଇ ଦେଖିଲ—ସଞ୍ଜୟ ରକ୍ତାକ୍ତ ଶରୀରରେ, ଏତେ ବଡ଼ ସହରର କୌଣସିଠାରେ ଆଶ୍ରୟ ନପାଇ, କେବଳ ତାହାରି ରୁଦ୍ଧଦ୍ୱାର ସମ୍ମୁଖରେ ଛିଡ଼ାହୋଇ ଟିକିଏ ସ୍ପର୍ଶ, ଟିକିଏ ସମବେଦନା ପାଇଁ ଅଳି କରୁଛୁ ।

 

ଏହିପରି କୋଡ଼ିଏ ବର୍ଷ ଆଗରୁ ସେ ଥରେ ଅଳି କରିଥିଲା ବୀଣା ପାଖରେ ଟିକିଏ ଆଶ୍ରୟ ପାଇଁ । କିନ୍ତୁ ସେ ଦେଇପାରି ନଥିଲା ତାହା । ସେ ଦିନର ଅବଶୋଷ ଆଜି ବି ଶେଷ ହୋଇନି । ସେ ଦିନର ଅକ୍ଷମତାର ବେଦନା ଆଜି ବି ଶେଷ ହୋଇଯାଇନି ।

 

ସ୍ଵାଧୀନତା ସଂଗ୍ରାମ ପରେ ପଞ୍ଚମ ଦଶକରେ ଦେଶର ଅଳ୍ପ କେତେକ ସ୍ଥାନରେ ଯେଉଁ ଉଗ୍ର ଭୂମି-ସଂସ୍କାର ଆନ୍ଦୋଳନ ଦେଖା ଦେଇଥିଲ, ପଢ଼ା ଶେଷ କରି ଚାକିରୀ ନକରି ସେଥିରେ ନିଜକୁ ଉତ୍ସର୍ଗ କରିଥିଲା ସଞ୍ଜୟ । ସେତେବେଳେ ତାକୁ କେତେ ଅନୁନୟ କରି ନଥିଲା ବୀଣା, ଏ ପଥ ପରିତ୍ୟାଗ କରି ତା’ ସହିତ ଏକ ସହଜ, ସରଳ ଓ ସିଧାପଥରେ ଚାଲିବା ପାଇଁ । କିନ୍ତୁ ସଞ୍ଜୟ ଥିଲା ଅନ୍ୟ ପ୍ରକାରର । ସହଜ, ସରଳ, ସିଧାପଥ ତାକୁ ଆହ୍ଵାନ କରେନା, ଆନନ୍ଦ ଦିଏନା ବୋଲି ସେ ବାଛି ନେଇଥିଲ ସମାଜ ସଂସ୍କାରର ଜଟିଳ ପଥ । ଜାଣି ଜାଣି ନିଜର ସବୁ ସୁଖ, ସମ୍ଭାବନା ଓ ସମୃଦ୍ଧିକୁ ଜଳାଞ୍ଜଳି ଦେଇ ସେ ଘୋଷଣା କରିଥିଲା ସ୍ଥତାବସ୍ଥା ବିରୁଦ୍ଧରେ ଆପୋଷହୀନ ସଂଗ୍ରାମ-

 

ସ୍ଥିତାବସ୍ଥାର ପ୍ରତିନିଧି ସ୍ଵୟମ୍ଭୁ ସୂପକାରଙ୍କ ପରିବାରରେ ବିପ୍ଳବର ଆହ୍ଵାନ ବାଜି ଫେରିଯାଇଥିଲା ପ୍ରତିଧ୍ଵନିର ଗ୍ଳାନି ନେଇ । ସେଦିନର କଥା ଆଜି ବି ମନେଅଛି ବୀଣାର ।

 

ସୁଦୂର ପଲ୍ଲୀ ଗ୍ରାମରେ ପୁଲିସ ସହିତ କୃଷକମାନଙ୍କର ସଂଘର୍ଷରେ ଆହତ ହୋଇଥିଲା ସଞ୍ଜୟ । ଦିନେ ସନ୍ଧ୍ୟାବେଳେ ସମସ୍ତଙ୍କର ଚକ୍ଷୁର ଅନ୍ତରାଳରେ ତା’ ପାଖକୁ ଆସି ଅନୁରୋଧ କଲା ସଞ୍ଜୟ—ଆଜି ନିଜେ ନିଜେ ତୁମପାଖକୁ ଆସିଛି ବୀଣା !

 

ସେ କହିଥିଲା—ଏତେ ପ୍ରତୀକ୍ଷା, ଏତେ ପ୍ରାର୍ଥନା ପରେ ତୁମେ ଆସିଲ ସଞ୍ଜୟ !

 

ସଞ୍ଜୟ ଉତ୍ତର ଦେଇଥିଲା—ତୁମ ଶୋଣିତର ସ୍ଵପ୍ନରେ ମୁଁ ଉଷ୍ମପ୍ରବାହ ବୀଣା ! ଆଉ, ମୋର ଶୋଣିତର ସ୍ଵପ୍ନର ତରଙ୍ଗ ତୁମେ । ଆଜି ମୁଁ ତୁମର ସାନ୍ନିଧ୍ୟ ନୁହେଁ, ସମବେଦନା ପ୍ରାର୍ଥନା କରେ ।

 

ତା’ଠାରୁ ବସି ବସି ସବୁ କଥା ଶୁଣି ଅବାକ୍ ହୋଇ ଯାଇଥିଲା ବୀଣା ।

 

କୃଷକମାନଙ୍କର ସ୍ୱାର୍ଥକୁ ସଂରକ୍ଷଣ କରିବାପାଇଁ ଯାଇ ନିଜର ଉଜ୍ଜ୍ୱଳ, ସମ୍ଭାବନାମୟ ଭବିଷ୍ୟତକୁ ସମର୍ପଣ କରିଥିଲା ସଞ୍ଜୟ । ତା’ଠାରୁ ସବୁ କଥା ଶୁଣି କହିଥିଲା ବୀଣା, ତୁମେ ମୋ କଥା ସମ୍ପୂର୍ଣ୍ଣ ଭୁଲିଯାଇ ପାରିଲ ସଞ୍ଜୟ ?

 

ସେ କହିଥିଲା—ମୁହୂର୍ତ୍ତକ ପାଇଁ ହେଲେ ବି ଭୁଲି ଯାଇନି ବୀଣା । ବୃହତ୍ତର ସମାଜର ଡାକ ଶୁଣି ନୂତନ ପଥର ସଂଗ୍ରାମୀ ପଥିକ ହୋଇଛି ସତ, ହେଲେ ତୁମର ଆନ୍ତରିକ ପ୍ରେରଣା, ତୁମ ସାନ୍ନିଧ୍ୟର ସୁବାସ ମୋତେ ମୁଗ୍‌ଧ କରିଛି, ଅଭୟ ଦେଇଛି । ମୁଁ ଉତ୍ସାହ ପାଇଛି, ଅଧିକ ବେଗରେ ଚାଲିବା ପାଇଁ ।

 

ସେ କହିଥିଲା—ଏ ତୁମର ଆଦର୍ଶର, କବି-ପ୍ରାଣର ବାହ୍ୟ ମୂର୍ଚ୍ଛନା ସଞ୍ଜୟ ! ଏହାକୁ ନେଇ ମୁଁ ବଞ୍ଚିପାରିବି ନି ସମସ୍ତଙ୍କ ସାଙ୍ଗରେ ।

 

ଦୁଇ ତିନି ମିନିଟ ଉତ୍ତର ଦେଇ ନପାରି ନୀରବରେ ଛିଡ଼ା ହୋଇ ରହିଥିଲା ସଞ୍ଜୟ । ତା’ପରେ ସଂଗ୍ରାମୀ ଚେତନାର ଚାବୁକ ଖାଇ କହିଥିଲା—ସମସ୍ତେ ବଞ୍ଚିଲେ ଆମର ବଞ୍ଚିବା ସାର୍ଥକ ହବ ବୀଣା । ସମସ୍ତଙ୍କୁ ଛାଡ଼ି ଆମେ କଅଣ ସ୍ଵର୍ଗରେ ହେଲେ ବି ରହିପାରିବୁ ସୁଖରେ ? ଦୁନିଆର ଦଳିତ, ନିପୀଡ଼ିତ, ନିଃସହାୟ ଯଦି ସମ୍ମାନର ସହିତ ବଞ୍ଚି ନରହେ, ଏ ପୃଥିବୀ ସହିପାରିବ ସେମାନଙ୍କର ଦୀର୍ଘଶ୍ଵାସର ଦାହ ? ଏଇ ଦେଖ, ଗୁଳି ମାଡ଼ରେ ଆହତ ହୋଇ ବି ମୁଁ ତୁମରି ପାଖକୁ ଦଉଡ଼ି ଆସିଛି ଟିକିଏ ଆଶ୍ରୟ ପାଇଁ । ରାତିକ ପାଇଁ ଟିକିଏ ଆଶ୍ରୟ ଦେଇ ପାରିବନି ବୀଣା-?

 

କମ୍ପିତ ହୃଦୟର ସଞ୍ଚିତ ବ୍ୟଥା ନେଇ ସେଦିନ ବାଷ୍ପାକୁଳ ଦୃଷ୍ଟିରେ ଦେଖିଥିଲା ବୀଣା ସଞ୍ଜୟ ମିଶ୍ରର ଆହତ ଶରୀର । ତା’ ଦେହ ଉପରେ ହାତ ବୁଲାଇ, ଆଖିର ଲୁହକୁ ଚିବୁକ ଉପରେ ଝରି ପଡ଼ିବାକୁ ଦେଇ ସେ କହିଥିଲା—ବାପାଙ୍କ କଥା ତୁମେ ତ ଜାଣ ସଞ୍ଜୟ ! ତୁମେ ଏଠି ଅଛ ବୋଲି ଯଦି ସେ ଜାଣନ୍ତି, ତେବେ ତୁମର ଲାଭ ଅପେକ୍ଷା କ୍ଷତି ହବ ବେଶୀ । ତା’ପରେ ମୁଁ ତୁମର ଲାଞ୍ଛନା କିପରି ସହିପାରିବି କୁହ ତ ! ଆଉ କହି ନପାରି କାନ୍ଦି ପକାଇଲା ବୀଣା । ତାକୁ ସାନ୍ତ୍ୱନା ନ ଦେଇ ତା’ର ଓଠଟିକୁ ଉପରକୁ ଟେକି ସଞ୍ଜୟ କହିଥିଲା—ସହସ୍ର ରାତ୍ରିର ସ୍ଵପ୍ନ ଦେଖୁଥୁଲ ବୀଣା, କେବଳ ଗୋଟିଏ ରାତିପାଇଁ ଭୟ କରୁଛ ?

 

—ଭୟ କରୁନି, ସଞ୍ଜୟ ! ଭୟ ହଉଛି କାଳେ ଯଦି ତୁମେ ଧରାପଡ଼ିଯାଅ ।

 

—ଧରା ନପଡ଼ିବା ପାଇଁ ଯେ ସମସ୍ତଙ୍କ ଆଖିରେ ଧୂଳିଦେଇ ତୁମରି ପାଖକୁ ଧାଇଁ ଆସିଛି ମୁଁ ।

 

ସେଦିନ କିପରି ଭାବରେ ସାନ୍ତ୍ୱନା ଦେବ ବୁଝି ନପାରି ବୀଣା କହିଥିଲା, ବାପାଙ୍କ କଥା ଭାବିଲେ ଭୟରେ ଥରିଉଠୁଛି ଦେହ । ତମେ ବରଂ ମୋତେ ନେଇଯାଅ ସଞ୍ଜୟ—କେଉଁ ଏକ ଅଜଣା, ଅଶୁଣା ଜାଗାକୁ । ମୁଁ ପ୍ରସ୍ତୁତ, ଯିବାପାଇଁ ରାଜି ।

 

ଓଠରୁ ହାତ ନେଇଆସି ତା’ର କାନ୍ଧ ଉପରେ ହାତ ରଖି ତାକୁ ଭରସା ଦେଇ କହଲା ସଞ୍ଜୟ—ଏତିକିରେ ଭୟ ପାଉଛ ?

 

ସେ ବ୍ୟାକୁଳ ଚିତ୍ତରେ ଆର୍ତ୍ତନାଦ କରି କହିଥିଲ—ମୁଁ ତୁମକୁ ଲାଞ୍ଛନା ସହିପାରିବି ନାହିଁ ସଞ୍ଜୟ । ଚାଲ, ତୁମରି ସହିତ ଯେଉଁଠାକୁ ନେଇଯିବ ସେଠାକୁ ଯିବାପାଇଁ ମୁଁ ପ୍ରସ୍ତୁତ । ନେଇ ଯାଇପାରିବ ?

 

ସମୟ ନଥିଲା ସଞ୍ଜୟର । ଯେଉଁ କାମରେ ସେ ହାତ ଦେଇଥିଲା, ତାହା ନାରୀ ହୃଦୟର ରୋମାଞ୍ଚ ପରି ନରମ ନୁହେଁ । ସେଠାରେ ଥିଲା ସଂଗ୍ରାମୀ ପୁରୁଷର ପ୍ରତିଜ୍ଞା, କସ୍ତୁରୀ ମନର ଅନିର୍ବାଣ ଶପଥ । ତା’ର ଭାଙ୍ଗିବା ସୃଷ୍ଟି, ଧ୍ଵଂସ ପାଇଁ ନୁହେଁ ।

 

ଟଳି ଟଳି ଆହତ ଶରୀରରେ ତା’ ପାଖରୁ ଫେରିଯିବା ଆଗରୁ ତାକୁ ଛାତି ଉପରକୁ ଟାଣିନେଇ ତା’ ମଥା ଉପରେ ହାତ ରଖି କହିଥିଲା ସେ—ବୃହତ୍ତର ଆହ୍ୱାନକୁ ଏଡ଼ିଯାଇ ନପାରି ତୁମକୁ ଏଡ଼ିଗଲି ବୀଣା ! ଜାଣେନା ପୁଣି କେବେ ଦେଖାହବ । ଆଉ ଜାଣିରଖ ବୀଣା, ଯଦି ବଞ୍ଚିରହେ ସଞ୍ଜୟ ମିଶ୍ର, ତା’ହେଲେ ଜୀବନର ଶେଷ ନିଃଶ୍ଵାସ ପର୍ଯ୍ୟନ୍ତ ବଞ୍ଚି ରହିବ ତୁମେ ।

 

ତା’ ପାଦତଳେ ବସିପଡ଼ି କାତର କଣ୍ଠରେ ନିବେଦନ କରିଥିଲା ବୀଣା—ମୋତେ ଭୁଲ ବୁଝନାହିଁ ସଞ୍ଜୟ ! ମୁଁ ତୁମର, ଏକାନ୍ତ ତୁମର । ମୋର ନିଃଶ୍ଵାସର ପ୍ରତ୍ୟାଶାରେ, ଶୋଣିତର ସ୍ଵପ୍ନରେ, ଆଉ ଅନ୍ତରର ଅନୁରାଗରେ ତୁମେ କେବଳ ଜୀଇ ରହିବ ନାହିଁ, ଶତାୟୁ ହେବ, ବିଜୟୀ ହେବ ସଞ୍ଜୟ ।

 

ସଞ୍ଜୟ ତାକୁ ଆଖିର ଟୋପାଏ ଲୁହ ବ୍ୟତୀତ ସେଦିନ ଆଉ କିଛି ନଦେଇ, ତାର ଅନ୍ତ ପ୍ରୟୋଜନ ନିର୍ଭୟ ଆଶ୍ରୟ ଟିକକ ନପାଇ, ପୀଡ଼ିତ ଶରୀରରେ ଫେରି ଯାଇଥିଲା । ସେହିଦିନୁ କୋଡ଼ିଏ ବର୍ଷ ମଧ୍ୟରେ ଦିନେ ହେଲେ ଆଉ ତା’ ପାଖକୁ ଆସି ନଥିଲା ସଞ୍ଜୟ, ମାଗି ନଥିଲା ତା’ର ସାନ୍ନିଧ୍ୟ, ଚାହିଁ ନଥିଲା ତା’ର ଆଶ୍ରୟ । ବୀଣା କେବଳ ବେଳେ ବେଳେ ସମ୍ବାଦପତ୍ରରୁ ପଢ଼ିଛ—ତାର ସଂଗ୍ରାମୀ ଜୀବନର ଆଲେଖ୍ୟ, ଦେଖିଛି ନୟନ ମନ ପୂରାଇ ଆଶାଦୀପ୍ତ ଏକ ଉଜ୍ଜ୍ୱଳ ମୁହଁ । ଭୀରୁ ହୃଦୟରେ ଗୋପନରେ ଆଶ୍ରୟ ନେଇ ଶିହରି ଉଠିଛି ନିଜ ଅନ୍ତଃସ୍ଥଳରେ ତା’ର ସମ୍ପୂର୍ଣ୍ଣ ଉପସ୍ଥିତିର ଆଲୋକରେ ।

 

ବିପ୍ଳବୀ ସଞ୍ଜୟ ଆଜିଯାଏ ବଞ୍ଚିଛି ତା’ ହେଲେ ।

 

ଆଉ ସମ୍ଭାଳି ନପାରି ଅନ୍ତରର ଅନ୍ତର୍ଦାହକୁ ମୂର୍ତ୍ତକରି କେବଳ ଅଶ୍ରୁବର୍ଷଣ କଲା ବୀଣା । ବାରମ୍ବାର ତା’ର ମନେ ପଡ଼ୁଥିଲା ସେଇ ଶେଷ ଅନୁରୋଧ—ରାତିକ ପାଇଁ ଆଶ୍ରୟ ଦେଇପାରିବ ନାହିଁ ବୀଣା ?

 

ସେହି ଟିକକ ନିର୍ଭୟ ଆଶ୍ରୟ ଦେଇପାରି ନଥିଲା ବୋଲି ଅନ୍ତଃସ୍ଥଳର କ୍ଷତ କଅଣ କମ୍ ବ୍ୟଥା ଦେଇଛି ତାକୁ ?

 

ସଞ୍ଜୟ ତା’ ଜୀବନର ପ୍ରଥମ ପ୍ରବାହ, ତା’ର ମୁକୁଳିତ ପ୍ରାଣର ପ୍ରଥମ ସୁରଭି । ତା’ର ଅଙ୍ଗରେ ରଙ୍ଗ ବୋଳି ସେ ଆଣିଥିଲା ନବରାଗର ଅନୁପମ ସୁଷମା । ଦୀର୍ଘ ଦିନର ଏଇ ଯାତ୍ରାପଥରେ ବୀଣା ସେହି ସଞ୍ଜୟ ମିଶ୍ରକୁ ଆଖିରେ ଦେଖି ନଥିଲା, କାନରେ ତା’ର କଣ୍ଠସ୍ଵର ଶୁଣି ନଥିଲା, ବହୁ ଅପ୍ରତ୍ୟାଶିତ ତା’ର ସାନ୍ନିଧ୍ୟ ପାଇ ନଥିଲା । ତଥାପି ଆଜି ଏତେବର୍ଷ ପରେ ହୃଦୟର ପ୍ରତ୍ୟେକ କୋଣରେ କମ୍ପନ ଜଗାଇ ସେ ଘୋଷଣା କଲା ତା’ର ଉପସ୍ଥିତି, ରକ୍ତକୋଷର ପ୍ରବାହରେ ସୃଷ୍ଟି କଲା ଅଦମନୀୟ ରାଗିଣୀର ଅନୁରଞ୍ଜିତ ଛନ୍ଦ ।

 

ବେଦନାବିଦଗ୍‌ଧ ହୃଦୟର ଉଚ୍ଛ୍ୱାସକୁ ସମ୍ଭାଳି ନ ପାରି ଅଶ୍ରୁ ବନ୍ୟାରେ ଭାସିଗଲା ବୀଣା ।

 

ତା’ର ପଥ ସରି ନଗଲେ ମଧ୍ୟ ଅସରନ୍ତି ନୁହେଁ । ଜୀବନକୁ କେବଳ ନିୟମର ଛନ୍ଦରେ ପ୍ରଦକ୍ଷିଣ କରି ନୂତନ ସୃଷ୍ଟି ଆଣି ହୁଏନାହିଁ । ଅମଡ଼ା ପଥରେ ରକ୍ତାକ୍ତ ପାଦରେ ଚାଲିବାରେ ଆକର୍ଷଣ ଅଛି, ଉଲ୍ଲାସ ଅଛୁ । ଏକମତ ସେ ନ ହେଉ ସଞ୍ଜୟ ସହିତ, କିନ୍ତୁ ଏକଥା କଅଣ କହିପାରିବ ସେ ନିର୍ଭୟରେ ଯେ, ସଞ୍ଜୟ ମିଶ୍ର ସମ୍ଭୋଗ ପାଇଁ ପ୍ରଦକ୍ଷିଣ କରୁଛି ଜୀବନକୁ ।

 

ବିଜୟ କହିଲା ସେ ପାଖରୁ—ସମୟ ହୋଇଗଲାଣି ଯେ; ଆଉ ବିଳମ୍ବ ନକରି ବାହାରିପଡ଼ ।

 

ସଞ୍ଜୟକୁ ଆଶ୍ରୟ ଦେଇପାରି ନଥିଲା ବୀଣା, ତା’ ସହିତ କୌଣସି ଯୋଗସୂତ୍ର ବି ରକ୍ଷା କରି ନଥିଲା । ତଥାପି ବାରମ୍ବାର ମନେ ହେଲା ତା’ର ଆଜି ବି ହୁଏତ ଆହତ ସଞ୍ଜୟ ଆସିବ ତାକୁଇ ଖୋଜି ଖୋଜି—ଟିକିଏ ନିର୍ଭୟ ଆଶ୍ରୟ, ଚେନାଏ ନିର୍ଭୟ ପ୍ରତିଶ୍ରୁତି ପାଇଁ । କେଉଁ ସାହସରେ ତାକୁ ଫେରାଇ ଦେଇପାରିବ ସେ !

 

ଆଖି ପୋଛ ମୁହଁ ଧୋଇ ଆଗକୁ ଆସି କହିଲା ବୀଣା—ଯିବା ପାଇଁ ତ ବାହାରିଥିଲି, ବିଜୟ ! ମଥାଟା ବଡ଼ ଧରିଛି ।

 

ରୋଟାରୀ କ୍ଳବର ବାର୍ଷିକ ବିଶେଷ ଭୋଜିକୁ ଯିବନି ତା’ହେଲେ ? ଆଶ୍ଚର୍ଯ୍ୟ ହୋଇ ପଚାରିଲା ବିଜୟ ।

 

ମୋ’ପାଇଁ ଅପେକ୍ଷା ନକରି ବରଂ ତୁମେ ଯାଅ ବିଜୟ, ମୁଁ ତ କହିଲି ଆଦୌ ମୋତେ ସୁସ୍ଥ ଲାଗୁନି ବୋଲି ।

 

ଡାକ୍ତର ଡାକିବି ?

 

ନା, ନା । ଟିକିଏ ବିଶ୍ରାମ କଲେ ବୋଧେ ଠିକ୍ ହୋଇଯିବ । ବିଳମ୍ବ କରନା, ଯାଅ ତୁମେ ।

 

ସୌଭାଗ୍ୟ, ତଥା ଆରୋଗ୍ୟ କାମନା କରି ଗାଡ଼ି ଧରି ବାହାରିଗଲା ବିଜୟ ।

 

ସନ୍ଧ୍ୟା ହୋଇ ସାରିଥିଲା । ମହାନଦୀଘେରା କଟକ ସହର ଆଲୋକ-ଅନ୍ଧକାର ମଧ୍ୟରେ ଲୁଚକାଳି ଖେଳ ଆରମ୍ଭ କରିଥିଲା ।

 

ରୋଟାରୀ କ୍ଳବକୁ ନଯାଇ ବେଦନାବଦଗ୍‌ଧ ହୃଦୟରେ ଟିକିଏ ଶାନ୍ତି ଅନୁଭବ କଲା ସେ । ସଞ୍ଜୟର ଚରମ ଦୁର୍ଦ୍ଦିନରେ ରୋଟାରୀ କ୍ଳବର କୃତ୍ରିମ ବାତାବରଣ ଭିତରେ ଅଣନିଃଶ୍ଵାସୀ ହେବାରୁ ମୁକ୍ତି ପାଇ ଟିକିଏ ହାଲୁକା ଅନୁଭବ କଲା ସେ ।

 

ହଠାତ୍ ଦମକାଏ ଥଣ୍ଡା ପବନ ମହାନଦୀ ଉପରୁ ବହିଆସି ଲାଗିଲା ଦେହରେ, ମୁହଁରେ । ଝରକାର ଫାଳେ କବାଟ ବାଡ଼େଇ ହୋଇଗଲା ବନ୍ଧ ଉପରେ ।

 

ବାହାରକୁ ଦଉଡ଼ିଯାଇ ବଗିଚା ଆଡ଼କୁ ଅନାଇଁଲ ବୀଣା, କାଳେ ଯଦି ଅନ୍ଧକାର ହେବା ସଙ୍ଗେ ସଙ୍ଗେ ଟିକିଏ ଆଶ୍ରୟ ପାଇଁ ଧାଇଁ ଆସିଥିବ ସଞ୍ଜୟ ।

 

ତୁଳସୀପୁରର ଏକ ସଂଭ୍ରାନ୍ତ ଅଞ୍ଚଳରେ ବିରାଟ ପାଚେରୀ-ଘେରା ଉଆସ ଭିତରେ ରହନ୍ତି ସେମାନେ । ଘର ପଛପଟେ ବଗିଚା ଭିତରେ ରାଶି ରାଶି ଅନ୍ଧକାର ଠୁଳ ହୋଇଥିଲା ଆମ୍ବ, ପଣସ, ନଡ଼ିଆ, ଦେବଦାରୁ ଗଛମାନଙ୍କ ଗହଣରେ ।

 

ସହସା ବକ୍ଷ ଥରାଇ ଭିତରୁ କିଏ ଯେପର ଘୋଷଣା କଲା—ମୁଁ ଆସିଛୁ ବୀଣା ।

 

ସେଲଫ୍‌ରୁ ଟର୍ଚ୍ଚ ଲାଇଟ୍‌ଟା ଉଠାଇ ନେଇ କ୍ଷିପ୍ରଗତିରେ ତଳକୁ ଓହ୍ଲାଇ ବଗିଚା ଭିତରକୁ ପଶିଗଲା ବୀଣା ।

 

ପ୍ରାୟ ଯୁଗେ ହବ ଆସି ନଥିଲା ଭିତରକୁ । ଯତ୍ନ ଅଭାବରୁ ଘାସଗୁଡ଼ା କଟା ନହୋଇ ବଡ଼ ବଡ଼ ହୋଇଯାଇଥିଲେ, ଲତାମାନେ ଆଶ୍ରୟ ପାଇଁ ଏଣେତେଣେ ଲୋଟି ପଡ଼ିଥିଲେ ।

 

ଚାରିଆଡ଼େ ତନ୍ନ ତନ୍ନ କରି ଖୋଜି ବୁଲିଲା ବୀଣା, କିନ୍ତୁ ବ୍ୟଥିତ ହୃଦୟର କମ୍ପନକୁ ପ୍ରଶମିତ କରି ତା’ ଆଗରେ ଆସି ଉଭାହେଲା ନାହିଁ ସଞ୍ଜୟ ।

 

ତା’ହେଲେ କି ସଞ୍ଜୟ ସବୁଦିନ ପାଇଁ ଅପସରିଗଲା ତା’ର ପଥ ଉପରୁ ?

 

ବ୍ୟଥାରେ ଅନ୍ତର ତା’ର କାନ୍ଦିଉଠିଲା ।

 

ତା’ପରେ ପାଗଳିମୀ ପରି ପ୍ରାଣର ଆବେଗରେ ଗୋଟିଏ ରିକ୍‌ସା ନେଇ କାଠଯୋଡ଼ି ପଥରବନ୍ଧ ଉପରେ, ଖାନନଗରର ଶ୍ମଶାନରେ, ଗଡ଼ଗଡ଼ିଆର ମନ୍ଦିର ଭିତରରେ, ଶଙ୍କରପୁରର ବିଲ ବଣରେ, ଜୋବ୍ରାର ତୋଟା ଭିତରରେ ଏବଂ ଗୋରା କବରର ନିସ୍ତବ୍‌ଧ ଅଞ୍ଚଳରେ ଘୂରି ଘୂରି ନିରାଶ ହୋଇ ଯେତେବେଳେ ଘରକୁ ଫେରଲା, ସେତେବେଳକୁ ରାତି ସାଢ଼େ ଦଶଟା ।

 

ଏହିଭଳି ରାତିର ପ୍ରଥମ ପାଦରେ ଟିକିଏ ଆଶ୍ରୟ ପାଇଁ ତା’ପାଖକୁ ଦିନେ ଦଉଡ଼ି ଆସିଥିଲା ବିପ୍ଲବୀ ସଞ୍ଜୟ ମିଶ୍ର ।

 

ନିଜର ଅକ୍ଷମତା ଯୋଗୁଁ ଆଜି ବି ହୃଦୟର ସେହି କ୍ଷତ ନିଶ୍ଚିହ୍ନ ହୋଇ ଯାଇନାହିଁ ।

 

ଯଦି ସେ ଆଜି ଆସେ, ତା’ହେଲେ ସେ କଅଣ ତାକୁ ଦେଇପାରିବ ଏକ ନିର୍ଭୟ, ନିର୍ଭରଶୀଳ ଆଶ୍ରୟ ?

 

ପୁଲିସ ଲାଗିଛି ପଛରେ । ହୁଏତ ଆହତ ବାଘ ପରି ସହରର ଅନ୍ଧାରୁଆ ଗଳିରେ କି ନର୍ଦ୍ଦମା ପାଖରେ ମଶା, ମାଛି, ସରୀସୃପଙ୍କ ଉପଦ୍ରବକୁ ଉପେକ୍ଷା କରି ଆତ୍ମଗୋପନ କରିଥିବ ସଞ୍ଜୟ । ଶୋଣିତର ସ୍ଵପ୍ନରେ ଯେଉଁ ସମ୍ଭାବନାମୟ ଆଗାମୀ କାଳର ହିରଣ୍ୟ ରୂପ ସେ ଦେଖିଥିଲା, ତାରୁଣ୍ୟର ପ୍ରଥମ ପୁଲକରେ ତାହା ହୁଏତ ଆଜି ବି ଅକ୍ଷୁଣ୍ଣ ଥିବ ସେହିପରି ।

 

ଏତେ ଅବସାଦ ଆଉ କେବେ ଜୀବନରେ ଅନୁଭବ କରିନଥିଲା ବୀଣା । ସର୍ବାଙ୍ଗରେ ହିମଶୀତଳ ଶିଥିଳତା ବିଷାଦକୁ ଗାଢ଼ତାର କରିଥିଲା ।

 

ପିଲାମାନେ ଶୋଇ ଯାଇଥିଲେ । ପୁଣି ଚାରିଆଡ଼େ ଭଲକରି ଆଖି ବୁଲାଇ, ବିଜୟ ଫେରିଲେ ଯେପରି ଅସୁବିଧା ନହୁଏ ସେଥିପ୍ରତି ବ୍ୟବସ୍ଥା କରି, ବହୁ ବର୍ଷ ପରେ ଆଜି ନିଜର ଶୟନକକ୍ଷରେ ନଶୋଇ ସଂଲଗ୍ନ ପ୍ରକୋଷ୍ଠରେ ବୀଣା ଶୋଇଗଲା ।

 

ସେଦିନ ବି ନିଦ ହୋଇନଥିଲା ତାକୁ ।

 

ଆଜି ବି ନିଦ ଟିକିଏ ଓହ୍ଲାଇ ଆସିଲା ନି ଆଖିପତାରେ ।

 

ଆଦର୍ଶ ପଛରେ ପାଗଳ ପରି ସେହିଦନୁ ଗୋଡ଼େଇଛି ସଞ୍ଜୟ । ପଡ଼ି ଉଠି ଧାଇଁଛୁ । ରକ୍ତାକ୍ତ ପାଦ, ସ୍ୱେଦଝରା ମୁହଁକୁ ପୋଛିଦେଇ ପୁଣି ନୂତନ ସଂକଳ୍ପ କରିଛି—ନିଃସ୍ଵର ଶୋଣିତରେ ସୁଖର ପରଶ ଦେବାପାଇଁ, ଶହଶହ କୋଟରଗତ ଆଖିରେ ବଞ୍ଚିବାର ମୋହ ଫୁଟାଇବା ପାଇଁ ।

 

ସେଦିନ, ଯେଉଁ ସ୍ଵପ୍ନ ଦେଖିଥିଲା ସଞ୍ଜୟ, ଆଜି ବି ତାହା ସାକାର ହୋଇନି; କିନ୍ତୁ ସେ ପରାଜୟ ସ୍ଵୀକାର କରିନି । ତା’ ଖବର ସେ ରଖିଛି କି ନା ବୀଣା ତାହା ଜାଣେ ନାହିଁ; କିନ୍ତୁ, ନୀରବ ନିର୍ଜନ ପଥ ଉପରେ, ବିଦଗ୍‌ଧ ହୃଦୟର ଅନୁରଞ୍ଜିତ ଅନ୍ତଃସ୍ଥଳରେ ସେ ଆସି ଉଭା ହୁଏ ପବନର ପରଶ ନେଇ, ଆଲୋକର ଆବେଗ ନେଇ । ଭୁଲ ଯାଇ ପାରିନାହିଁ ସେ ।

 

ସେ କଅଣ ଭୁଲି ଯିବାର କଥା !

 

ପୁଷ୍ପର ପ୍ରଥମ ସୁରଭି ମଳୟରେ ଭାସିଲେ ସେ ଖୋଜେ ବ୍ୟାକୁଳ ଅନ୍ତରରେ ପ୍ରଥମ ନିବେଦନର ସ୍ମୃତିକୁ, କୋଇଲିର ପ୍ରଥମ ତାନରେ ସେ ଖୋଜେ ଅଭୁଲା ଏକ ସ୍ଵରର ଆବେଗ ।

 

ସମସ୍ତଙ୍କୁ ସାଙ୍ଗରେ ଆଣିବା ପାଇଁ ତାକୁ ଏକା ଛାଡ଼ିଯାଇଛି ସଞ୍ଜୟ ।

 

ଅର୍ଦ୍ଧରାତ୍ରିର ଆବେଗ ନେଇ ସଙ୍ଗିନୀମାନଙ୍କର ସାନ୍ନିଧ୍ୟ ଦେହରେ ବୋଳି ହୁଏଇ ଫେରିଥିବ ବିଜୟ । ହୁଏତ ଆଉ ସେ ଲୋଡ଼ିବ ନାହିଁ ତାକୁ, ତା’ ପାଖକୁ ଆସି ଆଦର କରିବା ପାଇଁ ମନ ନଥିବ ତା’ର ନ ଆସୁ, ତା’ର ଆଗମନକୁ ଆଜିର ଶୋକାର୍ତ୍ତ ହୃଦୟରେ ସେ ସ୍ଵାଗତ କରି ପାରିବନାହିଁ । ଆଉ ଏହି ତାପଦଗ୍‌ଧ ସନ୍ତପ୍ତ ରାତିଟି ତା’ର ନିଜସ୍ଵ ।

 

ବୁଲା କୁକୁର ଦୁଇଟା କଳି ଲାଗି ଭୁକି ଉଠିଲେ ନଦୀବନ୍ଧ ଉପରୁ ।

 

ପାଲ ଲଗାଇ ନଦୀ ବକ୍ଷରେ ନଉକା ବାହି ଭାସି ଯାଉଥିବା ନାଉରୀର ପଦେ ଗୀତ ଭାସି ଆସିଲା ଶୀତଳ ପବନରେ ।

 

…ରାମ ଯେ ଗଲେ ମୃଗ ମାରି….

 

ଏତେବଡ଼ କୋଠାଘରଟା ନିସ୍ତବ୍‌ଧ ନୀରବତାରେ ଶୋଇଥିଲା ଅଧ ରାତିରେ ।

 

ଜାଣି ଜାଣି ଆଜି ଘରର ସବୁ ଆଲୁଅ ଲିଭାଇ ଦେଇଥିଲା ବୀଣା । କେହି ଯେପରି ଦେଖିବେ ନାହଁ, ଜାଣିବେ ନାହିଁ ସଞ୍ଜୟର ଉପସ୍ଥିତ । ସେ ଏକାକୀ ଆସିବ ଅତୀତକୁ ସଞ୍ଜୀବିତ କରି, ବର୍ତ୍ତମାନକୁ ମୁଖରିତ କରି ।

 

ପ୍ରଥମ ଜୀବନରେ ବ୍ୟଥା ପାଇଥିଲା ବୀଣା ।

 

ଟିକିଏ ଆଶ୍ରୟ ଦେଇ ନପାରି ସେ କହିଥିଲା ମୋତେ ବରଂ ସାଙ୍ଗରେ ନେଇ ଯାଅ ସଞ୍ଜୟ । ଯେଉଁ ସ୍ଥାନକୁ କହିବ, ତୁମ ସହିତ ଯିବାପାଇଁ ମୁଁ ପ୍ରସ୍ତୁତ ।

 

ଦଣ୍ଡେ ରହି ଉତ୍ତର ଦେଇଥିଲା ସଞ୍ଜୟ—ତୁମକୁ ନେଇଯିବା ପାଇଁ ସମୟ ଆସିନ ବୀଣା । ସେ ସମୟ ସେହିଦିନ ଆସିବ, ଯେଉଁଦନ ମୋର ସ୍ଵପ୍ନକୁ ବାସ୍ତବରେ ପରିଣତ କରି ଝଲକି ଉଠିବ ସକାଳର ସୂର୍ଯ୍ୟ, ମୁଖରିତ ହୋଇ ଶୁଣାଯିବ ଅଗଣିତ ମଣିଷର ଗୋଟାଏ ପଦଧ୍ୱନି-। ଅପେକ୍ଷା କରି ପାରିବନି ?

 

ଅଭିମାନରେ ଉତ୍ତର ଦେଇଥଲା ସେ—ମୋତେ ତା’ହେଲେ ତୁମେ ଭଲ ପାଅନି ସଞ୍ଜୟ ? ତୁମର ଆଦର୍ଶ ଯଦି ସବୁ, ମୋତେ ତା’ ହେଲେ କ’ଣ ଟିକିଏ ଦୟା, ଟିକିଏ ଅନୁକମ୍ପା ଦେବାପାଇଁ ଧାଇଁଆସ ତୁମେ ?

 

ତା’ର ହାତଟିକୁ ଟାଣି ନେଇ ମଥା ଉପରେ ହାତ ବୁଲାଇ କହିଥିଲା ସଞ୍ଜୟ—ଆଦର୍ଶ ମୋର ଜୀବନର ମାର୍ଗ । ତୁମେ ମୋ ସେହି ପଥରେ ଚାଲି ପାରିବ ବୀଣା ? ସେଠାରେ ଯୌବନର ମାଦକତା—ନାହିଁ, ଅଛି ଜୀବନଯୁଦ୍ଧର ଅପରିସୀମ ଆମୋଦ ?

 

ମୁହଁ ଫେରାଇ କହିଥିଲା ସେ—ମୁଁ ଏତେ କଥା ବୁଝେନା ସଞ୍ଜୟ । ତୁମେ ଗୋଟିଏ କଥାରେ କୁହ ତ, ମୋତେ ସବୁଠୁ ବେଶୀ ଭଲପାଅ କି ନାହିଁ ?

 

ମୁହୂର୍ତ୍ତେ ଉତ୍ତର ନଦେଇ ସ୍ଥାଣୁ, ନିର୍ବେଦ ହୋଇ ଯାଇଥିଲା ସଞ୍ଜୟ । ତା’ପରେ ଆର୍ଦ୍ରକଣ୍ଠରେ କହିଥିଲା—ଦେହ ଓ ମନର ଭଲ ପାଇବାକୁ ମୁଁ ଅସ୍ଵୀକାର କରେନା ବୀଣା; କିନ୍ତୁ କୋଟିକୁ ଧାରଣ କରି ଯେଉଁ ଧରଣୀ ଖୋଜୁଛୁ ଟିକିଏ ଅଧିକ ଉଦ୍ୟମ, ଅଧିକ ସମନ୍ଵୟ ଓ ସମାନତା ତାକୁ କେଉଁ ସାହସରେ ଅସ୍ଵୀକାର କରିବି କୁହ ? ତୁମକୁ ଭଲପାଇବା ଏବଂ ଦେଶକୁ ଭଲପାଇବା ଏକ କଥା ନହେଲେ ମଧ୍ୟ ଉଭୟ ପରସ୍ପର ବିରୋଧୀ ନୁହଁନ୍ତି—ଯଦି ସାମୂହିକ ଲକ୍ଷ୍ୟ ହୁଏ ଏକ । ମୁଁ ଦେଶକୁ ଗଢ଼ିବ ତୁମରି ହୃଦୟ ଦେଇ, ସବୁ ଦୁଃଖ କଷ୍ଟ ସହିବି ତୁମରି ସାନ୍ତ୍ୱନା, ପାଇ; ପୁଣି ସୁନ୍ଦର ହେବି ତୁମେ ଯେତେବେଳେ ମୋ ଦେହର ଧୂଳିମଳି ପଣତରେ ପୋଛି ଦେଇ ମୋତେ ଦେବ ସହଧର୍ମିଣୀର ସହାୟ । ଦେଇପାରିବ ନାହଁ ବୀଣା ?

 

ବୀଣା କାନ୍ଦିଥିଲା ସିନା ଉତ୍ତର ଦେଇ ପାର ନଥିଲା ସେଦିନ ।

 

ଆଜି ଏତେଦିନ ପରେ ସେହି ସଞ୍ଜୟ ମିଶ୍ର ତା’ର ପ୍ରତୀକ୍ଷାରେ ତାର ପ୍ରତ୍ୟାଶାରେ ଗୁମୁରି ଉଠେ କି ନାହିଁ ଜାଣିବାପାଇଁ ଇଚ୍ଛା ହୁଏ ବୀଣାର ।

 

ଭାବି ଭାବି କେତେବେଳେ ଛାଇନିଦ ଆସିଯାଇଥିଲା ସେ ଜାଣି ବି ପାରଲା ନାହିଁ ।

 

ପଛ କବାଟ ଉପରେ ଗୁଞ୍ଜନ ହେଲା ।

 

ନିଦ ଭଙ୍ଗିଗଲା ବୀଣାର । ସେ ଉତ୍‍କର୍ଣ୍ଣ ହୋଇ ଅପେକ୍ଷା କଲା ଆହୁରି ନିଶ୍ଚିତ ହେବାପାଇଁ ।

 

ପୁଣି ସେଇ ସାଙ୍କେତିକ ଶବ୍ଦର ଗୁଞ୍ଜନ । ଏଥର ଅସ୍ପଷ୍ଟ ଅବୋଧ୍ୟ ନୁହେଁ—ବେଶ୍ ସ୍ପଷ୍ଟ, ବୋଧଗମ୍ୟ ।

 

ଏହି ସାଙ୍କେତିକ ଶବ୍ଦର ସୂଚନା ସଞ୍ଜୟ ତାକୁ ଶିଖାଇଥିଲା ବିପ୍ଳବୀ ଜୀବନର ପ୍ରଥମ ସୋପାନରେ । ଆଜିଯାଏ କିନ୍ତୁ ଭୁଲିଯାଇନି ସେ । କମ୍ପିତ ହୃଦୟ ଆଉ ବ୍ୟାକୁଳ ଚିତ୍ତରେ ସେ ଓହ୍ଲାଇ ଆସିଲା ଖଟ ଉପରୁ । ଧୀରେ ଧୀରେ ଝରକା ପାଖକୁ ଆସି ଚାହିଁଲା ବାହାରକୁ । ନିରନ୍ଧ୍ର ଅନ୍ଧକାର ସବୁ ପରିଚୟକୁ ନିଶ୍ଚିହ୍ନ କରିଦେଇ ରାଜତ୍ଵ କରୁଥିଲା ଏକଛତ୍ର ଭାବରେ । ତୃତୀୟ ଥରପାଇଁ ଅତି ନିକଟରେ ପୁଣି ଶୁଣିଲା ସେହି ଶବ୍ଦ । ନିଜ ନିଃଶ୍ଵାସର ନିଶ୍ଚିତତା ପରି ଏଥର ନିଃସନ୍ଦେହ ହୋଇ ଅତି ସାବଧାନତାର ସହ କବାଟ ଖୋଲିଦେଲା ବୀଣା ।

 

ସାମ୍ନାର ଅନ୍ଧକାର ଭିତରୁ ଆତ୍ମପ୍ରକାଶ କରି କହିଲା ସଞ୍ଜୟ—ତୁମର ଅନୁମତିପାଇଁ ଅପେକ୍ଷା ନକରି ଚାଲିଆସିଲି ବୀଣା, ଟିକେ ଆଶ୍ରୟ ଦେଇପାରବ ?

 

ସ୍ଵର ସେହିପରି ସହଜ ଓ ସ୍ପଷ୍ଟ । ଭାବପ୍ରବଣତା ନାହିଁ, କମ୍ପନ ନାହିଁ ।

 

ତାକୁ ଭିତରକୁ ଆସିବାପାଇଁ ଇଙ୍ଗିତ ଦେଇ, ସେ ଆସିବା ପରେ କବାଟ ବନ୍ଦ କରି ତାକୁ ବିଛଣା ଉପରେ ବସାଇ ବୀଣା ବାଷ୍ପାକୁଳ କଣ୍ଠରେ କହିଲା, ମନେ ପଡ଼ିଲା ଏତେଦିନେ ?

 

ତୁମକୁ କେବେ ଭୁଲିଯାଇ ନାହଁ ବୀଣା । ସେଇଥିପାଇଁ ତ ଜୀବନର ଶେଷ ନିଃଶ୍ୱାସ ଛାଡ଼ିବା ଆଗରୁ ତୁମକୁ ହିଁ ସ୍ମରଣ କଲି ବେଶି ।

 

ଏଥର ଜାଣିଲା ବୀଣା, ସତରେ ସେ ସାଂଘାତିକ ଭାବରେ ଆହତ । ତା’ର ଶୁଶ୍ରୂଷା ଦରକାର । ପ୍ରକୋଷ୍ଠର ନୀଳବତୀ ଲଗାଇ ଦେଇ ସଞ୍ଜୟର ଆହତ ଦେହକୁ ଦେଖି ସେ ଶିହରି ଉଠିଲା ଭୟରେ ।

 

—ଡାହାଣ ହାତର ମାଂସପେଶୀ ଦେଇ ଗୁଳି ବାହାରିଯାଇଛି ବୀଣା ! ଅଜସ୍ର ରକ୍ତକ୍ଷୟ ହୋଇଛି । ମୁଁ ବ୍ୟାଣ୍ଡେଜ୍ କରିଛି ନିଜେ । ଔଷଧ ତ ମିଳିବନି ।

 

ବ୍ୟଗ୍ର ଓ ବ୍ୟଥିତ ହୋଇ କହିଲା ବୀଣା—ଡାକ୍ତର ଡାକିବି ସଞ୍ଜୟ ?

 

—ନା, ନା । ଆଉ ଅଳ୍ପ ସମୟ ପାଇଁ ଡାକ୍ତରର ପ୍ରୟୋଜନ ନାହିଁ ।

 

ସେ ଟିକିଏ ବିଶ୍ରାମପାଇଁ ଶୋଇବାକୁ ଚେଷ୍ଟା କଲା । ତାକୁ ନିଜର ବିଛଣା ଉପରେ ପରମ ଯତ୍ନରେ ଶୁଆଇ ଦେଇ ସମସ୍ତଙ୍କର ସୁଖପାଇଁ ନିଜକୁ ଉତ୍ସର୍ଗ କରିଥିବା ଗୋଟିଏ ଅମୂଲ୍ୟ ଜୀବନକୁ କିପରି ରକ୍ଷା କରିପାରିବ, ସେଇ କଥା ଚିନ୍ତା କରୁଥିଲା ବୀଣା । ହୃଦୟରେ ଏତେ ବ୍ୟଥା, ଏତେ ଅମାପ ବେଦନା ସେ କେବେ ଅନୁଭବ କରି ନ ଥିଲା । ପୁଣି ବ୍ୟାକୁଳ ହୃଦୟର ଏତେ ଶିହରଣ ସେ ଉପଲବ୍‌ଧ କରି ନଥିଲା ଆଉ କେବେ ।

 

ସଞ୍ଜୟର ଦେହ ଉପରେ ହାତ ବୁଲାଇ କହିଲା ସେ—ଛି, ଆଉ ସେପରି କୁହନା, ସଞ୍ଜୟ ! ତୁମେ ଭଲ ହୋଇଯିବ ନିଶ୍ଚୟ ।

 

ବେଦନାଜଡ଼ିତ ହସର ସରୁ ରେଖାଟିଏ ମୁହଁ ଉପରେ ଫୁଟି ଉଠିଲା ସଞ୍ଜୟର । ତା’ପରେ ସେ ବୀଣାର ହାତଟିକୁ ଛାତିଉପରେ ଜାକି ଧରି କହିଲା—ମୁଁ ଠିକ୍ ବାଟରେ ଯାଇଛି କି ଭୁଲ ବାଟରେ ଯାଇଛି, ବେଳେବେଳେ ମନରେ ପ୍ରଶ୍ନ ଉଠେ ବୀଣା ! କିନ୍ତୁ ସେ ଯାହା ହେଉ ତୁମେ ଜାଣିରଖ—ମୁଁ ଚୋର ବା ତସ୍କର ନୁହେଁ । ମୋର ନିଷ୍ଠା, ଦେଶସେବା, ମୋର ଆନ୍ତରିକତା କାହାରିଠାରୁ ଊଣା ନୁହେଁ ।

 

ତା’ର କପାଳ ଉପରେ ଜମିଥିବା ସ୍ୱେଦବିନ୍ଦୁକୁ ପୋଛି ଦେଇ ବୀଣା କହିଲ, ଟିକିଏ କିଛି ଖାଇବ ସଞ୍ଜୟ ?

 

…ଦିଅ, ଯାହା ହେବ, ଆଜି ଆଦୌ ମନାକରିବି ନି ।

 

ହିଟର ଲଗାଇ ପାଣି ଗରମ କରି ହର୍‌ଲିକ୍‌ସ ତିଆରି କଲା ବୀଣା । ସଞ୍ଜୟର ମୁହଁ ପାଖରେ କପ୍‌ଟିକୁ ଧରି କହିଲା—ପିଇଦିଅ ତ ସଞ୍ଜୟ ।

 

ହର୍‌ଲିକ୍‌ସତକ ପିଇଦେଇ କହିଲା ସେ—ସେଦିନ ତୁମକୁ ଟିକିଏ ଆଶ୍ରୟପାଇଁ ଅନୁରୋଧ କରିଥିଲି ନା ?

 

ତା’ର ହାତଧରି ଅନୁନୟ କଲ ବୀଣା—ମୋର ଅପରାଧ କ୍ଷମା କରିବ ନାହଁ ସଞ୍ଜୟ ?

 

—ତୁମର ଅକ୍ଷମତା ମୁଁ ବୁଝିଥିଲି ବୀଣା । ସେଇଥିପାଇଁ ତ ଦିନେ ହେଲେ ଦଗ୍‌ଧ ହୋଇନି ।

 

—ତୁମେ ଏତେ ବଡ଼ ସଞ୍ଜୟ ! ତୁମେ ଏଡ଼େ ମହାନ୍, ଏତେ ଉପରକୁ ଉଠିଯାଇଛ ଏ ଭିତରେ ।

 

ସର୍ବାଙ୍ଗରେ ବୃଦ୍ଧି ପାଉଥିବା ଅପରିସୀମ ଜ୍ଵାଳା ଏବଂ ନଶ୍ଚେଷ୍ଟତାକୁ ଘୋଡ଼ାଇ ରଖି ଥରିଲା ମୁହଁରେ ସେ କହିଲ—ଜୀବନଯାକ ସଂଗ୍ରାମ କରି ଆସିଲି, କିନ୍ତୁ ସବୁବେଳେ ତୁମର ସାନ୍ନିଧ୍ୟ ମୋତେ ଘେରି ରହିଥିଲା । ଦିନେ ହେଲେ ତୁମେ ମୋ ପଥର ଅନ୍ତରାୟ ହୋଇନାହିଁ ।

 

ଆଖିରୁ ବହିଯାଉଥିବା ଲୋତକଧାରକୁ ନ ପୋଛି ତା’ର କାନ ପାଖକୁ ମୁହଁ ଆଣି ବୀଣା କହିଲା, ମୁଁ ତ କିଛି କରି ପାରିଲିନାହିଁ । ଦିନେହେଲେ ତୁମ ଦେହର ଧୂଳିମଳି ଝାଡ଼ିଦେଇ ସାନ୍ତ୍ୱନା, ସନ୍ତୋଷ ଟିକେ ପାଇ ପାରିଲି ନାହିଁ ।

 

ସେଥିପାଇଁ କ୍ଷୋଭ କରନା । ସେ ସମୟ ପାଇବ ତୁମେ, ଆହୁରି ବହୁତ ବାକୀ ଅଛି ଯେ...

 

ଆଉ ବୋଧେ ସହ୍ୟ କରି ପାରୁ ନଥିଲା ସଞ୍ଜୟ । ବିକାରଗ୍ରସ୍ତ ମୁହଁ ଉପରେ ସ୍ନିଗ୍‌ଧ ଏକ ଦୀପ୍ତି ଫୁଟି ଉଠୁଥିଲା ମେଘମଣ୍ଡିତ ଆକାଶରେ ଚମକି ଉଠୁଥିବା ଗୋଟିଏ ଏକୁଟିଆ ତାରା ପରି ।

 

—ବଡ଼ କଷ୍ଟ ହେଉଚି ନା ?

 

—ଆଉ ସହିପାରୁ ନି ବୀଣା ! ମୋତେ ଟିକେ କଡ଼ ଲେଉଟାଇ ଶୁଆଇ ଦେଇପାରିବ-?

 

ଅତି ଯତ୍ନର ସହିତ ତାକୁ କଡ଼ ମୋଡ଼ି ଶୁଆଇ ଦେଇ କହିଲା ବୀଣା—ତୁମେ ଚିକିତ୍ସା ନପାଇ ଏହିପରି କଷ୍ଟ ଭୋଗିବ ସଞ୍ଜୟ ? ମୁଁ ଯେ ଆଉ ଦେଖିପାରୁନି…….

 

—ତୁମକୁ ସହିବାକୁ ହବ । ଚିକିତ୍ସାପାଇଁ ଯଦି ଧରାଦିଏ, ମୋର ଦେହଟାକୁ ଏହିପରି ଶାନ୍ତିରେ ସରିଯିବାର କଅଣ ଦେଖିପାରିବ ତୁମେ ?

 

ଅନ୍ତରର ଅନନ୍ତ କୋହୋଚ୍ଛ୍ୱାସକୁ ଅବରୋଧ କରି ନପାରି ହୃଦୟର ସମସ୍ତ ଦ୍ଵାର ଉନ୍ମୁକ୍ତ କରି କାତର କଣ୍ଠରେ କହିଲା ସେ—ମୋତେ ଆଜି କୁହ ସଞ୍ଜୟ, କ’ଣ କରିପାରବି ମୁଁ ? ଅଭିମାନ କରନା, ଅଭିଯୋଗ କରନା…କେବଳ ଆଦେଶ କର ଥରେ ।

 

ତା’ର ଓଠକୁ ଦୁର୍ବଳ, କମ୍ପିତ ହାତରେ ଉଠାଇ କହଲା ସଞ୍ଜୟ…ସେଦିନ ଯେଉଁ ଆଶ୍ରୟ ଦେଇପାରି ନଥିଲ, ଆଜି ତାହା ପାଇ ମୁଁ ଧନ୍ୟ ହୋଇଗଲି, ପୂର୍ଣ୍ଣ ହୋଇଗଲି, ବୀଣା ! ପୃଥିବୀରେ ଏବେ ବି ମୁଁ ଦେଖୁଛି ମୋ’ପାଇଁ ଗୋଟିଏ ହୃଦୟ ଅପେକ୍ଷା କରେ, ମୋର ପଦଧ୍ଵନ ଶୁଣିବା ପାଇଁ ଗୋଟିଏ ବ୍ୟାକୁଳ ଅକ୍ତର ଉତ୍‌କର୍ଣ୍ଣ ହୋଇଉଠେ । ଆଉ ମୋର ନିଃଶ୍ଵାସକୁ ଅନୁଭବ କରିବା ପାଇଁ ଏବେ ବି ଜଣେ ପଥ ଚାହେଁ । ଆଉ ମୋର କ୍ଷୋଭ ନାହିଁ । କାହାରି ଉପରେ କୌଣସି ଆକ୍ରୋଷ ନାହଁ, ବୀଣା ।

 

ତା ମଥା ଉପରେ ହାତ ବୁଲାଇ କହିଲା ବୀଣା—କଥା ନ କହି ଶୋଇବା ପାଇଁ ଟିକେ ଚେଷ୍ଟାକର ସଞ୍ଜୟ । ମୁଁ ବସିଛି ତୁମ ପାଖରେ । କେହି ଜାଣିବେ ନାହଁ, କେହି ଆସିବେ ନାହିଁ ତୁମକୁ ଲାଞ୍ଛତ କରିବାକୁ । ଆଜି ତୁମେ ନିର୍ଭୟ ଆଶ୍ରୟ ପାଇଛ ସଞ୍ଜୟ, ଆଜି ତୁମେ ମୋର ଏକାନ୍ତ ଆପଣର । ତୁମକୁ ଆଉ ଫେରିଯିବା ପାଇଁ ହବନି ସଞ୍ଜୟ ।

 

ଶେଷବେଳକୁ ଆଉ କୋହ ସମ୍ଭାଳି ନପାରି ସଞ୍ଜୟର ଛାତି ଉପରେ ଲୋଟିପଡ଼ିଲା ବୀଣା ।

 

ସଞ୍ଜୟ ଜୀବନର ଶେଷ ଆଲୋକରେ ଅନୁଭବ କରୁଥିଲା ଏକ ଅନବଦ୍ୟ, ଅନୁପମ ହୃଦୟର ଉତ୍ସର୍ଗ । ସେ ପ୍ରାୟ ଅସ୍ପଷ୍ଟଭାବରେ କହିଲା—ଆଉ ଫେରିଯିବା ପାଇଁ ଆସିନି ମୁଁ । ମୋର ନିଃଶ୍ଵାସର ପ୍ରବାହରେ, ସ୍ପନ୍ଦନର ଆବେଗରେ ଯେଉଁ ସ୍ଵପ୍ନ ଦେଖିଥୁଲ, ତାହା ସାକାର ହେବା ଆଗରୁ ଚାଲିଯାଉଛି । ଯଦି ପାର, ନିଜର ସୁଖକୁ ସମସ୍ତଙ୍କ ଭିତରେ ବାଣ୍ଟିଦେଇ ସେମାନଙ୍କର ଦୁଃଖରୁ ଟିକିଏ ନିଅ ବୀଣା ! ଦେଖିବ, ପୃଥିବୀ ତୁମର କେଡ଼େ ସୁନ୍ଦର ଦିଶିବ ।

 

ଅସରନ୍ତି କୋହର ଅଦମନୀୟ ଉଚ୍ଛ୍ୱାସରେ ଭାଙ୍ଗିପଡ଼ି ପ୍ରାର୍ଥନା କରୁଥିଲା ବୀଣା—ତୁମେ ଭଲ ହୋଇଯିବ ସଞ୍ଜୟ । ତୁମେ ବଞ୍ଚିବ—ଯୁଗ ଯୁଗ ଧରି ବଞ୍ଚି ରହିବ ସଞ୍ଜୟ ।

 

ଗୋଟିଏ ଯୁଗ ଶେଷ କରି ପୁଣି ଏକ ନୂତନ ଯୁଗର ଆଲୋକକୁ ଉତାରି ଆଣିବା ପାଇଁ ଶେଷଥର ପାଇଁ ବୀଣାର ମୁହଁକୁ ଚାହିଁଲା ସଞ୍ଜୟ ।

☆☆☆

 

ନୂଆ ମଣିଷର ମନ

 

ସମସ୍ତେ କହିଲେ, ସାଧୁ ପାଗଳ ହୋଇଗଲେ । ଅନେକ ଆହା ଆହା ବି କଲେ । ପିଲାମାନେ ଦାଣ୍ଡରେ ତାକୁ ଚାଲିଯାଉଥିବାର ଦେଖିଲେ ଖତେଇ ହୋଇ ପଛେ ପଛେ ଗୋଡ଼େଇଲେ । କେହି ଦୁଷ୍ଟ ପିଲା ବି ଟେକା ଖଣ୍ଡେ ଫିଙ୍ଗିଦେଲ ତା’ ଉପରକୁ । ସାଧୁ କିନ୍ତୁ ଦବି ଗଲାନି, ପଛକୁ ଫେରି ସେମାନଙ୍କ ଆଡ଼କୁ କଟକଟ କରି ଅନାଇଲାନି । ସେ ଚାଲିଲା, ନିତି ଯେପରି ଚାଲେ; ତା’ କାମରେ ଶିଥିଳତା ଦେଖାଗଲାନି ।

 

ଯେତିକି ହେବା କଥା, ସେତିକି ବରଷା ହେଉନାହିଁ ଦୁଇ ବରଷ ହେଲା । ଜମି ସବୁ ପଡ଼ିଆ ପଡ଼ିଛି । ଚାରିଆଡ଼େ ହାହାକାର, ହା ହୁତାଶ । ଲୋକମାନେ ଭିକ ମାଗି, ଅନ୍ନଛତ୍ରରେ ଖାଇ କେତେଦିନ ବଞ୍ଚିବେ । ପାରିଲା ପାରିଲା ମରଦଗୁଡ଼ାକ ହାତ ପତାଇ ମାଗିବେ କେତେଦିନ ? କାମ ଧନ୍ଦା ନାହିଁ, ନିଜର ଜମି ପରି ଅନ୍ୟର ଜମି ବି ଉଠିଆ ହୋଇପାରୁନାହିଁ । କାମ ନାହିଁ, ମୂଲ ଲଗାଇବ କିଏ ?

 

ସାଧୁର କିନ୍ତୁ ଏଥିକୁ ପରୁଆ ନାହିଁ । ସେ ଶୂନ୍ୟକୁ ଚାହେଁ, ତା’ପରେ ମା’ ବସୁନ୍ଧରାକୁ ଅନାଏ । ଉପରେ ମେଘ ମାଳ ମାଳ, ଖାଲି ଶୁଖିଲା….ବରଷା ନାହିଁ । ଇନ୍ଦ୍ରଦେବତା ରାଗ କରିଛନ୍ତ ଲେକମାନଙ୍କ ଉପରେ । ନୋହିଲେ ସବୁ ବରଷ ପାଣି ବରଷେ….ବିଲବାଡ଼ି ଧୋଇ ହୋଇଯାଏ ବଢ଼ି ପାଣିରେ, ଅଥଚ ଏଇ ଦୁଇ ବରଷ ହେଲ ବିଲବାଡ଼ି ଶୁଖି ଆଁ କରିଛି ପାଣି ଟୋପେ ଟୋପେ ଶୋଷିନେବା ପାଇଁ । ଅକାଳ ପଡ଼ିଲେ ଏପରି ହୁଏ । ଅଧର୍ମ ବଢ଼ିଲେ ପ୍ରକୃତି ବି ବୃଷ୍ଟି କରେ ନାହିଁ, ଫୁଲ ଫୁଟାଏ ନାହିଁ, ନଦୀ ଶୁଖିଯାଏ, ବିଲବାଡ଼ି ପଡ଼ିଆପଡ଼େ ।

 

ପ୍ରକୃତି ସାଙ୍ଗରେ ଲଢ଼ିବାକୁ କାହାର ବଳ ଅଛି ଦେହରେ । କିନ୍ତୁ ସାଧୁ ଦୃଢ଼ପ୍ରତିଜ୍ଞ । ସେ ହାରିଯିବ ନାହିଁ, ଶେଷ ନିଶ୍ଵାସ ଯାଏ ଲଢ଼ିଯିବ । କେବେହେଲେ ନ ବରଷି ଯିବ କୁଆଡ଼େ ଇନ୍ଦ୍ରଦେବତା । ସେଇ ପାଣିକୁ ସେ ଠୁଳ କରିବ, ମାଟି ଭିତରୁ ମା’ର ସ୍ତନରୁ କ୍ଷୀର ଝରିଲା ପରି ଯେଉଁ ପାଣି ଛପି ରହଛି, ତାକୁ ବାହାର କରିବ । ସେଇ ପାଣି ପିଇ ସେ ବଞ୍ଚିବ । ପାଞ୍ଚଜଣଙ୍କୁ ବଞ୍ଚାଇବ । ଏଇ କଥାଟା ମନକୁ ଆସିଲା ଦିନୁ ସେ ଗାଆଁର ଦଶଜଣଙ୍କ ସହିତ ଭାଗବତ ଘରେ ପରାମର୍ଶ କରିଥିଲା । କିନ୍ତୁ ସଭିଏଁ ତା’ କଥାକୁ ପାଗଳାମି ବୋଲି ଉଡ଼େଇଦେଲେ, ଲୋକେ ତା’ କଥାକୁ ଯେତିକ ଏଡ଼ିଗଲେ ବା ଉଡ଼ାଇ ଦେଲେ, ତା’ ମୁଣ୍ଡରେ ଜିଦ୍ ସେତିକି ବେଶୀ ହେଲା । ସେ କାହାରି ଆଡ଼କୁ ଅନିସା ନ କରି ସ୍ଥିର କଲା ନିଜ ବଳରେ ଛିଡ଼ା ହେବା ପାଇଁ । ଦୁଇଟା ହାତ ନିକମା ନୁହେଁ, ହାତୀର ବଳ ଅଛି ଦେହରେ । କୋଡ଼ି ନେଇ ସେ ବାହାରିଗଲା ଗୋହିରୀକୁ, ସେଇଠି ନିଜ ବିଲ ମଝିରେ କୂଅ ଖୋଳିବା ଆରମ୍ଭ କରିଦେଲା । ଫୁଲ ଚନ୍ଦନ ଦେଇ, ଶଙ୍ଖ ବଜାଇ ଶୁଭ ଦେଲାନି; କେବଳ ମା’ ବସୁନ୍ଧରାର ମାଟି ମୁଠେ ହାତରେ ଟେକି ନେଇ ଚୁମା ଖାଇ ପୁଣି ପକାଇ ଦେଲା ଭୂଇଁ ଉପରେ । ତା’ପରେ ଦମ୍ ଦମ୍ ହୋଇ ବସାଇଲା କୋଡ଼ି, ଫାଳ ଫାଳ ମାଟି ଓଲଟିପଡ଼ିଲା ମାଡ଼ରେ, ଖିଲ୍ ଖିଲ୍ କରି ହସି ଉଠିଲା ସାଧୁ ସାହାଣୀ ।

 

ସେଇଦିନୁ ସକାଳ ହେଲେ ଦୁଇପ୍ରହର ଯାଏ ନିତି ଯାଏ କୋଡ଼ି ନେଇ, ମାଟି କାଟେ । ଗହୀର ହେଲାରୁ ଗଇଁତି ବି ନେଲା ।

 

ଯେତେବେଳେ ଯାହା କାମ ପାଇଁ ସୁବିଧା କାମରେ ଲଗାଇଲା । ମାସେ ହେଲା କାମ କଲାଣି, ଦଶଫୁଟ ଗଭୀର କରି ସାରିଲାଣି । ତା’ ମେହେନତ ଦେଖି, ଏକଜିଦିଆ ପଣ ଦେଖି ଲୋକେ ହସିଲେ । ଆହା ଆହା କରି କହିଲେ—ସାଧୁ ସାହାଣୀଟା ପାଗଳ ହୋଇଗଲା । ବରଷା ନ ହେଲାରୁ ବିଲବାଡ଼ିରେ ଫସଲ ନଦେଖି ଆଉ ସମ୍ଭାଳି ପାରିଲା ନାହିଁ । ମଥାଟା ଖରାପ ହୋଇଗଲା ।

 

ଦୁଇପ୍ରହର ଖରାବେଳେ ସାଧୁକୁ ଦେଖିଲେ, ଦଣ୍ଡେ ଛିଡ଼ା ହୋଇଯାଇ ଅନାନ୍ତି ତା’ ଆଡ଼କୁ । ସେ କିନ୍ତୁ ଅନାଏ ନାହିଁ । ଫେରି ଚାହେଁ ନାହିଁ । କେବଳ ବେଶୀ ଥକ୍‌କା ଲାଗିଲେ ଗଇଁତି ମାରିବା ସଙ୍ଗେ ସଙ୍ଗେ କ’ଣ ସବୁ ଗୀତ ବୋଲେ, ବୁଝି ହୁଏନା ।

 

ସାଧୁ ସାହାଣୀର ମାଇପ, ମରଦ ପାଇଁ ମାନସିକ କରିଥିଲା ଗାଁ ବାସେଳୀଙ୍କ ପାଖରେ-। ଭଲ ହୋଇଗଲେ ଗୋଟିଏ କଳା ମେଣ୍ଢା ବଳି ଦବ, ପାଞ୍ଚଫେଣା ପାଚିଲା ପାଟକପୁରା କଦଳୀ ଭୋଗ ଲଗାଇବ, ଖଣ୍ଡେ କଳା ଝିମିରୀ ଶାଢ଼ିରେ ବାସେଳୀଙ୍କ ଖୋଲା ଦେହକୁ ଢାଙ୍କିଦେବ-। ସେ ଯାହା ସଞ୍ଚଥିଲା, ବାପଘରୁ ସୁନା, ରୂପା ଗହଣା ଦି’ଖଣ୍ଡ ଆଣିଥଲା, ସେଇ ସବୁ ବିକି ଚଳେଇ ଆଣିଲା ଏ ଯାଏଁ, ଆଉ ପାରୁନାହିଁ । କାଲି କଂସା ଖଣ୍ଡେ ବିକି ଚାଉଳ ଆଣିଥଲା, ଆଉ ପାଞ୍ଚଦିନ ଗଲେ ତାହା ବି ସରିଯିବ ।

 

କାମରୁ ଫେରିଲାବେଳେ ସାଧୁ ପୋଖରୀରେ ଗୋଳିଆ ପାଣିରେ ଦେହ ଭିଜାଇ ଘରକୁ ଫେରେ । ମାଇପ ବାଢ଼ିଦେଲେ ମୁହଁ ନ ଫିଟାଇ ଭକ ଭକ କରି ତୋରାଣି ମନ୍ଦାକ ଆଗ ପିଇଦେଇ ହସି ହସି କହେ—ତୋ ହାତରେ ଅମୃତ ଅଛି ଲୋ ରାଧିକା ।

 

ରାଧିକା ଲାଜରେ ମୁହଁ ବୁଲାଏ । ଏଇ ମଣିଷଟା ଯେ ପାଗଳ, ଏହା ବିଶ୍ଵାସ କରିବା ପାଇଁ ମନ ହୁଏନା; କିନ୍ତୁ ଭଲ ହୋଇଥିଲେ ତା’ ଆକଟ ଶୁଣନ୍ତା, ଗାଁ’ର ଦଶଜଣଙ୍କ ଉପଦେଶ ତ ମାନନ୍ତା । ସମସ୍ତେ ପାଗଳ ବୋଲି ଆହା ଆହା କହୁ ନଥାନ୍ତେ, ପିଲାଗୁଡ଼ାକ ଗୋଡ଼ି ଫୋପାଡ଼ନ୍ତେ ନାହଁ । ଆଖିରେ ପାଣି ଆସେ ରାଧିକାର ।

 

ସେ ଆଉ ମନ୍ଦିଏ ତୋରାଣି କଂସାରେ ଢାଳି ଦେଇ କହେ—‘ସଂସାର କଥା ଟିକିଏ ବୁଝିଲନି ।’

 

ଲୁଣ ସହିତ ଲଙ୍କା ଖଣ୍ଡିଏ କଳରେ ଜାକି କହେ ସାଧୁ—ସଂସାର ମୋ କଥା ବୁଝିଲେ, ମୁଁ ତା କଥା ବୁଝିବ ଲୋ ରାଧିକା ।

 

ବୋକା ବୋକା ଆଖି କରି ତା’ ଆଡ଼କୁ ବିକଳ ହୋଇ ଅନାଏ ରାଧିକା । ପାଗଳ ହୋଇ ନଥିଲେ ଏପରି କହନ୍ତା ? ରୋଷଘର ଭିତରକୁ ପଶିଯାଇ କାନ୍ଦେ ଫୁଲିଫୁଲି ।

 

ସବୁ କରମ ।

 

କରମକୁ ଏଡ଼ିଯିବ ସାଧ୍ୟ କାହାର ?

 

କିନ୍ତୁ ସାଧୁ ସାହାଣୀ ବେଳେ ବେଳେ ଭଲ ମଣିଷ ପରି କହେ, ଏଇ କରମ ଫରମ ମୁଁ ବିଶ୍ଵାସ କରେନା ଲୋ ରାଧିକା । ମୋ କରମ ମୋ ହାତ ମୁଠାରେ, ମୋ ଦେହର ବଳରେ । ମୁଁ ନ କଲେ ମୋ ହାତ ପୂରାଇ କେହି କରିଦେବ ନାହିଁ ।

 

ସବୁଦିନ କେହି ଦେବ ନାହିଁ ବୋଲି ନିଜ ଉପରେ ଭରସା ରଖେ ସାଧୁ । ହାତ ଯୋଡ଼ିକରି ଏତେ ବଳ ଥାଉଁ ଥାଉଁ ଭିକ ମାଗିବ, ଅନ୍ନଛତ୍ରକୁ ଯାଇ ଖେଚେଡ଼ି ଖାଇବ—ଛି ଛି ।

 

ଦୁଇଦିନ ହେଲ ଦେହଟା ଭଲ ନ ଥିଲା l ଜର ଜର ଲାଗୁଥିଲା । କିନ୍ତୁ ଘରେ ବସି ରହିଲା ନାହିଁ ସାଧୁ ସାହାଣୀ ।

 

ଦଶଫୁଟି ଗଭୀର ସେହି କୂଅ ଭିତରେ ବସି ବସି ହାଇମାରେ । ଆକାଶ ଉପରକୁ ଚାହିଁ ହସି ଦେଇ କହେ—ଏଥର ବରଷିଲେ ଏଇ ଭିତରେ ବାନ୍ଧି ରଖିବି ଯେ ।

 

ଆଉ ପନ୍ଦର ଫୁଟ ଖୋଳିଲେ ପାଣି ବାହାରିବ । ମା’ର ଥନରୁ କ୍ଷୀର ଝରିଲା ପରି ମା’ ବସୁନ୍ଧରାର ଥନରୁ ପାଣି ବାହାରିବ । ସେଇ ପାଣିକୁ ତେଣ୍ଡା ଲଗାଇ ଉପରକୁ ଉଠାଇ ବିଲରେ ମଡ଼ାଇବ ସାହାଣୀ । ବରଷା ସିନା ସମୟରେ ହବ ନାହିଁ, ଏକାବେଳକେ ନହୋଇ ଯିବ କୁଆଡ଼େ । ଯେତେବେଳେ ବରଷିବ ବରଷୁ, ସେ ପରୁଆ କରିବ ନାହିଁ । ତା’ କୂଅ ଭିତରେ ଆଠ ଦଶଫୁଟ ପାଣି ରହଲେ ଜମିରେ ଦୁଇଟା ଫସଲ କରିବ । ଏଇ ପଡ଼ିଆ ଜମିରେ ସୁନା ଫଳିବ । ସେତେବେଳେ ଗାଁ’ରେ ଆଉ ଦଶଜଣ ତାହାର ଦେଖା ଶିଖା କାମରେ ଲାଗିବେ, ତାକୁ ପାଗଳ ନ କହି କୋଡ଼ି ଧରି କୂଅ ଖୋଳିବେ ।

 

ନୂଆ ହୋଇ ଖୋଳୁଥିବା କୂଅର ପନ୍ଦର ଫୁଟ ତଳେ ଗାମୁଛା ପାରି ଶୋଇ ପଡ଼ିଲା ସାଧୁ ସାହାଣୀ । ଜର ଜର ଲାଗୁଥିଲା । ଗଇଁତି ମାରିବା ପାଇଁ ବଳ ପାଉ ନଥିଲା ବାହୁରେ ।

 

ଦୁଇ ଦିନ ପରେ ପୁଣି ବେଶ୍ ଭଲ ହୋଇଗଲା ସାଧୁ ସାହାଣୀ । ଔଷଧ ଖାଇ ନାହିଁ, ଦେହରେ, ପାଦରେ ଭଲକରି ସୋରିଷ ତେଲ ମାଲିସ୍ କରି ପୁରୁଣା ଗାଇ ଘିଅରେ ଫୁଟା ହୋଇଥିବା ପଞ୍ଚାଙ୍ଗ ଖାଇ ଦେଇ ଫୁର୍ତ୍ତି ପୁଣି ଫେରି ପାଇଲା ଦେହରେ ।

 

ରାଧିକା ଅଳିକଲା, କାମକୁ ନଯାଇ ଆଉ ଦୁଇଦିନ ବସି ରହିବା ପାଇଁ । ତା’ ଆଡ଼କୁ ନ ଅନାଇ ଗଇଁତିଟା କାନ୍ଧ ଉପରେ ରଖୁ ରଖୁ କହିଲା ସେ—ଅଳସୁଆ ହୋଇ ବସି ରହିବି କହୁଛୁ । ଅୟସ କଲେ ସମୟ ବସି ରହେନା ଲୋ ରାଧିକା । କାମ କଲେ କରମ ତିଆରି ହୁଏ । କରମ ନ କଲେ ଧରମ ନଷ୍ଟ । ଆଉ ତୁ ମତେ ବସି ରହିବା ପାଇଁ କହୁଛୁ ?

 

ତା’ ପାଖକୁ ଲାଗି ଆସି କହିଲା ରାଧିକା—ମୋ ସାନକୁହା ମାନ, ଆଉ ଦିନେ ବସିଯାଅ ଘରେ । ଆରାମ କର ଟିକିଏ, ବଳ ଆସୁ ବାହୁରେ ।

 

ହସି ଦେଇ କହିଲା ସାହାଣୀ—ଆରାମ ହାରାମ ଲୋ ରାଧିକା । ମୋ ବାହୁରେ ବଳ ଅଛି । କାମ ନକଲେ ଅଳସୁଆ ଲାଗିବ, ମନର ଫୁର୍ତ୍ତି ମରଯିବ ।

 

ତା’ ପରେ ଘର ଭିତରୁ ବାହାରି ଯାଉଁ ଯାଉଁ ଫେରି ଆସି ରାଧିକାର ଓଠଟିକୁ ଟେକି ଧରି କହିଲା—ରାଗିବୁନି, ତୋ କଥା ଶୁଣିଲିନି ବୋଲି । ମାଇପମାନଙ୍କର ଶରଧା ପାଇଲେ ମରଦଗୁଡ଼ାକ, ମାଇଚିଆ ହୋଇଯାଆନ୍ତି ।

 

ରାଧିକା ସ୍ଵାମୀର କାନ୍ଧ ଉପରେ ହାତ ବୁଲାଇ ଆଣି କହିଲା ବାସେଳୀ ଭଲରେ ରଖନ୍ତୁ, ଦିହ-ମୁଣ୍ଡ ଭଲରେ ରହୁ ।

 

ଆଉ ତେର ଫୁଟ ହୋଇଗଲେ ଭକ ଭକ କରି ପାଣି ଝର ଫୁଟିବ, ତୋତେ ନେଇଯିବି ସେଦିନ—ଗାଧୋଇ ଆସିବୁ ନୂଆ ପାଣିରେ । ହସ ହସ ମୁହଁରେ ତା’ ଆଡ଼କୁ ଅନାଇ କହିଲା ରାଧିକା—ଆଗ ବାହାରୁ ।

 

ଅଲବତ ବାହାରିବ । ମାଆର ସ୍ତନରେ କ୍ଷୀର ନାହିଁ ଭାବୁଛୁ ।

 

ରାଧିକା କିଛି କହିଲା ନାହିଁ । ଶୂନ୍ୟକୋଳକୁ ଚାହିଁ ମନଟା ବାହୁନି ଉଠିଲା କରୁଣତାରେ-

 

ସାଧୁ ସାହାଣୀ ଦିନକୁ ଚଉଦ ଘଣ୍ଟା ମେହେନତ କରି ମାଟି ହାଣିଲା । ମାଟି ଉଠାଇ କୂଅକୁ ଗହୀର କଲା । ବାଉଁଶ ସିଡ଼ି ଗୋଟେ ପକାଇଲା, ତଳୁ ଉପରକୁ ଉଠିବା ଓ ଓହ୍ଲାଇବା ପାଇଁ-। ରାଧିକା ବି ପାଞ୍ଚ ସାତ ଦିନ ହେଲା ଆସିଲଣି ସ୍ଵାମୀକୁ ସାହାଯ୍ୟ କରିବା ପାଇଁ ।

 

ସେ ଦିନ ସ୍ଵାମୀ, ସ୍ତ୍ରୀ ଆଉ ଖାଇବାକୁ ଗଲେ ନାହିଁ । ମୁଢ଼ି ଗଣ୍ଡିଏ ଗାମୁଛାରେ ବାନ୍ଧି ଆଣିଥିଲା ରାଧିକା । ସେଇତକ ଖାଇ ଲେଟାରୁ ପାଣି ପିଇଲେ ଦୁହେଁ । ମନଟା ଉଚ୍ଛନ୍ନ ହଉଥାଏ ସାହାଣୀର । ପାଣି ଝର ପାଖ ହେଲାଣି, ଓଦା ହେଲାଣି ମାଟି । ଥରେ ଥରେ ପାଣି ବି ଉପରକୁ ଉଠିଲାଣି । ଝରର ଅସଲ ଧାରଟି ପାଇଗଲେ ଝପକି ଉଠିବ ପାଣି ସୁଅ । ସାଧୁ ସାହାଣୀ ହାତ ତାଳି ଦେଇ ହରିବୋଲ କହି ନାଚିବ । ରାଧିକା ହୁଳହୁଳି ଦେଇ ପାଣି ସୁଅର ସ୍ଵାଗତ କରିବ । ତା’ ପରେ ଖୋଳିବ ପାଣି ସୁଅକୁ ବାନ୍ଧି ରଖିବା ପାଇଁ । ତେଣ୍ଡା ଲଗାଇବ ଉପରକୁ ପାଣି ଉଠାଇବା ପାଇଁ । ଧାନ ଫସଲ ସିନା ହେଲେ ନାହିଁ, ମାଣେ ଜମିରେ ଗହମ ଚାଷ କରିବ । ସୋରିଷ ବି କିଛି ବୁଣିଦେବ ହିଡ଼ ଉପରେ ।

 

ବୋଝରେ ମାଟି ଭର୍ତ୍ତି କରି ମଥା ଉପରେ ରଖି ତଳୁ ଉପରକୁ ଉଠୁଥିଲା ରାଧିକା ବାଉଁଶ ସିଡ଼ି ଉପର ଦେଇ । ତଳେ ସାଧୁ ସାହାଣୀ ଗଇଁତ ମାରୁଥିଲା, ଆଉ କଟା ମାଟିକୁ ଆଡ଼େଇ ଦେଇ ଗୀତ ବୋଲୁଥିଲା । ସେ ଗୀତର ଅର୍ଥ ତାକୁ ବଳ ଦେଉଥିଲା, ସାହସ ଦେଉଥିଲା । କପାଳ ଉପରୁ ଝାଳ ପୋଛି ସେ ବେଳେବେଳେ ପାଟିକରି କହୁଥିଲା…ଏଇ ହାତ ଜଗନ୍ନାଥ—କରମ ତୋର..ହାତରେ ମୋର !

 

ଉଠିଯିବାବେଳେ ହଠାତ୍ ପାଦ ଖସିଯାଇ ମୁହଁ ମାଡ଼ି ତଳେ ଦୁମ୍‍ ହୋଇ ପଡ଼ିଗଲା ରାଧିକା । ଆଉ ତା’ ଉପରେ ଢାଳି ହୋଇଗଲା ବୋଝ ଭର୍ତ୍ତି ମାଟି । ସେ ବେଦନାରେ ଚିତ୍କାର କରି ଉଠିଲା… ଉଃ । ମାଆଲୋ.....

 

ଗଇଁତିର ଶେଷ ମାଡ଼ ସହି ନପାରି ମାଟି ଫଟାଇ ଫୁଟି ଉଠିଲା ଉଜ୍ଜ୍ୱଳ, ଉଚ୍ଛ୍ୱସିତ ଜଳଧାର ଉପରକୁ ଉଠିବା ପାଇଁ ।

 

ସେଇ ଜଳଧାର ପରି ତରଳ ସରଳ ହସରେ ଫୁଲି ଉଠିବା ଆଗରୁ ରାଧିକାକୁ କୋଳ ଉପରକୁ ଉଠାଇ ନଇ ବ୍ୟାକୁଳ ନୟନରେ ତା’ ମୁହଁ ଉପରକୁ ଅନାଇ ରହିଲା ସାଧୁ ସାହାଣୀ ।

 

ଆଖି ମୁଦିଥିଲା ରାଧିକା ଚେତା ନଥିଲା ଦେହରେ ।

 

ତା’ ମୁହଁ ଉପରେ ମାଟି ଭିତରୁ ଉଛୁଳି ଉଠୁଥିବା ପାଣି ଆଞ୍ଜୁଳାଏ ଛିଞ୍ଚି ଦେଇ ଗାମୁଛାରେ ପଙ୍ଖା କରି କହିଲା ସାଧୁ ସାହାଣୀ…ଉଠୁ, ବସି ଥରେ ଚାହାଁ ରାଧିକା ପାଣିର ଝର ଛୁଟିଛି । ଏତେ ଦିନର ସପନ ସଫଳ ହୋଇଛି ।

 

ରାଧିକା ଯନ୍ତ୍ରଣାରେ କାତର ହୋଇ କହୁଥିଲା, ମୋତେ ସେଇ ପାଣିରୁ ଟୋପେ ଦିଅ…ତଣ୍ଟି ଶୁଖିଯାଉଛୁ ।

 

ସେଇ ଗୋଳିଆ ପାଣିରୁ ଟୋପେ ଆଣି ତା’ ପାଟି ଭିତରେ ଢାଳି ଦେଇ କହିଲା ସାହାଣୀ…ଏ ଖାଲି ପାଣି ନୁହେଁ ଲୋ ରାଧିକା, ମାଆର କ୍ଷୀର । ଏଥର ଆମେ ଆଉ ବରଷା ନହେଲେ ଆକାଶକୁ ଚାହିଁ କପାଳ ଉପରେ କର ମାରିବା ନାହିଁ । ବାହୁର ବଳ ଦେଇ ପାଣି ଉଠାଇ ଫସଲ କରିବା ।

 

ରାଧିକାର ଦେହ ମୁଣ୍ଡକୁ ଆଉଁଷି ଦେଇ ତାକୁ କାନ୍ଧ ଉପରେ ପକାଇ ଧୀରେ ଧୀରେ ଅଥଚ ନିଶ୍ଚିତ ପଦରେ ଉପରକୁ ଉଠିଲା ସାଧୁ ସାହାଣୀ ।

☆☆☆

 

ଅନୁରାଗ

 

ବମ୍ବେ ବନ୍ଦରରେ ‘ବିଶ୍ଵରୂପ’ ଜାହାଜ ଲାଗିବା କ୍ଷଣି ଅଫୁରନ୍ତ ଆନନ୍ଦରେ ଡେକ୍ ଉପରେ ଉପରକୁ ହାତ ଉଠାଇ ଆନନ୍ଦରେ ନାଚି ଉଠିଲା ସଦାନନ୍ଦ । ପୁଣ୍ୟଭୂମି, ଜନ୍ମଭୂମି ଭାରତବର୍ଷକୁ ଫେର ଆସିଛି ସେ ଦୀର୍ଘ ସାତବର୍ଷ ପରେ । ସାତବର୍ଷର ବ୍ୟବଧାନ ସାତ ଯୁଗର ଆକାଂକ୍ଷା ସୃଷ୍ଟି କରିଥିଲା ମନ ଭିତରେ । ଜନ୍ମଭୂମିର ମହିମାମଣ୍ଡିତ ରୂପ, ଜନନୀର ମଧୁକ୍ଷରା ବାଣୀ, ସାଙ୍ଗସାଥୀ, ଭାଇଭଉଣୀ, ଚିହ୍ନାପରିଚିତଙ୍କ ସ୍ନେହ ସୋହାଗ ସବୁ ମିଶି ହାତଠାରି ସ୍ଵାଗତ କରୁଥିଲେ ତାକୁ ।

 

ଆମେରିକାରେ ରହିଯିବା ପାଇଁ ଦୁଇ ଦୁଇ ଥର ସଂକଳ୍ପ କରି ମଧ୍ୟ ଶେଷରେ ରହି ନପାରି ଫେରଆସିଲା ସେ । ରହି ନ ପାରିବାର କାରଣ ସେ ନିଜେ, ନିଜ ମନର ପରିବର୍ତ୍ତିତ ରୂପ, ପରିବର୍ତ୍ତିତ ସଂକଳ୍ପ… । ପୁରବୀ ରହଯିବା ପାଇଁ ଜିଦ୍ କରିଥିଲା, ଏପରି କି ସେହି କାରଣରୁ ଶେଷରେ ତା’ ସହିତ ସଦାନନ୍ଦର ବିବାହ ପ୍ରସ୍ତାବ କାର୍ଯ୍ୟରେ ପରିଣତ ନହୋଇ କେବଳ କଥାରେ ରହିଗଲା । ତଥାପି ପଛରେ ସବୁ ପ୍ରତିଶ୍ରତ ଭଙ୍ଗକରି କେବଳ ଗୋଟି ପ୍ରତିଜ୍ଞା କଲା ସଦାନନ୍ଦ—ସେ ଫେରିଯିବ ଜନ୍ମଭୂମିକୁ । ପୁଣ୍ୟ ଓ ପାପରେ ଭରା, ଦୁଃଖ ଓ ସୁଖରେ ପରିପୂର୍ଣ୍ଣ, ଜୀବନ ଯନ୍ତ୍ରଣାରେ କାତର, ନବ ନବ ପ୍ରାଣାବେଗର ଉତାପରେ ପ୍ରବହମାନ ନୂତନ ନଦୀପରି ଉଜ୍ଜ୍ୱଳ ତାର ଜନ୍ମଭୂମି, ପ୍ରିୟ ଚିହ୍ନା ଅଚିହ୍ନା ସହସ୍ର ନରନାରୀ । ସେମାନଙ୍କ ମଧ୍ୟରେ ନିଜର ପ୍ରକୃତ ପରିଚୟ ସେ ଫେରି ପାଇବ । ଆମେରିକାରେ ହଜି ଯାଇଥିଲ ଏଇ ସାତବରଷ, ଭାରତରେ ଆବିଷ୍କାର କରିବ ପୁଣି ନିଜର ଆତ୍ମିକ, ଅନୁପମ ସମୃଦ୍ଧ ପରିଚୟ ।

 

ଜାହାଜ ଲାଗିଲାକ୍ଷଣି ସଦାନନ୍ଦ ହାତ ଉଠାଇ ଅଭିନନ୍ଦନ ଜଣାଇଲା ଦେଶକୁ । ଦେଶର ଅଗଣିତ ଜନଗଣଙ୍କୁ, ପଶୁପକ୍ଷୀ, କୀଟପତଙ୍ଗ, ପାହାଡ଼ପର୍ବତ, ବୃକ୍ଷଲତା, ନଦନଦୀ, ସରିତସାଗର, ପଲ୍ଲୀ, ନଗର ଓ ମରୁଭୂମିକୁ ।

 

ବନ୍ଦରରେ ଠୁଳ ହୋଇଥିବା ଏକ ବିଶାଳ ଜନତା ଆନନ୍ଦରେ କରତାଳି ହେଇ ଆଗନ୍ତୁକ ପରିବାର ଓ ସ୍ଵଜନମାନଙ୍କୁ ସମ୍ବର୍ଦ୍ଧନା ଜଣାଇଲେ ।

 

ସଦାନନ୍ଦ ହାତ ହଲାଇ ପ୍ରତ୍ୟୁତ୍ତର ଦେଲା ? କାହାକୁ ସଠିକ ଭାବରେ ସେ ଜାଣି ନଥିଲା । ତାକୁ ପାଛୋଟି ନବା ପାଇଁ କେହି ଆପଣାର ଲୋକ ଆସିଥିଲେ କି ନାହିଁ; ଆସିଥିଲେ ବି ସେମାନଙ୍କର ପରିଚିତ ରୂପ ଆଖି ଆଗରେ ପଡ଼ି ନଥିଲେ ବି ସେ ଜନ୍ମଭୂମିକୁ ସାତ ସାଗର ତେର ନଈ ପାର ହୋଇ ଫେରିଆସିଛି ବୋଲି ସ୍ଵାଗତ ଜଣାଇଲେ ସମସ୍ତଙ୍କୁ । ଅପରିଚିତ ହେଲେ ମଧ୍ୟ ସେ ସମସ୍ତେ ଆପଣାର, ସେମାନଙ୍କ ମଧ୍ୟରେ ଚାଲିଗଲେ ସଙ୍ଖୋଳି ହବାର ସ୍ଵାଦ ପାଇବ, ସମ୍ବର୍ଦ୍ଧିତ ହବାର ସମ୍ମାନ ପାଇବ ।

 

ପୁରବୀ ପାଖକୁ ଆସି ଲାଗି କହିଲା—ବଡ଼ ଭାବପ୍ରବଣ ହୋଇପଡ଼ିଛି ସେ... ।

 

ତା ମୁହଁ ଉପରେ ଦଣ୍ଡେ ଦୃଷ୍ଟି ନିବଦ୍ଧ କରି କହିଲା ସଦାନନ୍ଦ—ପ୍ରବଣତାରେ ହିଁ ପ୍ରାଣର ଅଫୁରନ୍ତ ଶିହରଣ ପୁରବୀ ।

 

—ପାଦ ନ ପଡ଼ୁଣୁ ଏତେ ଖୁସି କେଉଁଠୁ ଆସିଲା ସଦାନନ୍ଦ ?

 

—ଭାରତବର୍ଷର ଆନ୍ତର୍ଜାତିକ ସୀମା ଭିତରେ ଜାହାଜ ପହଞ୍ଚିବା କ୍ଷଣି ମୁଁ ଏକ ଅଭିନବ ଆନନ୍ଦରେ ଆତ୍ମହରା ହୋଇ ପଡ଼ିଲି ପୁରବୀ । ସେ ଆନନ୍ଦ ମୋର କେବଳ ନିଜସ୍ଵ ନୁହ, ତାହା ତୁମେ ମଧ୍ୟ ଦେଖି ପାରିବ ଏଇ ଅଗଣିତ ଲୋକଙ୍କର ଉଚ୍ଛ୍ଵସିତ କଳରୋଳରେ, ଅଗଣିତ ମୁହଁର ଭସା କାହାଣୀଭରା ସହସ୍ର ପ୍ରାଣୋତ୍‌ଫୁଲ୍ଲ ପ୍ରକାଶରେ !

 

—କିନ୍ତୁ ଆଜି ବି କହି ରଖେ ବଂଧୁ ! ତମର ଏ ଆନନ୍ଦ, ଫେରି ଆସିବାର ଜିଦ୍ ସବୁ ଦିନ ରହିବ ନାହିଁ । ହୁଏତ ବରଷ ନପୁରୁଣୁ ପୁଣି ଆମେରିକାକୁ ଫେରିଯିବା ପାଇଁ ପ୍ରଗଳ୍‌ଭ ହୋଇ ଉଠିବ ତମେ ।

 

ତାକୁ ଉତ୍ତର ନଦେଇ ତା’ କାନ୍ଧ ଉପରେ ହାତ ରଖି ସେ କହିଲା କେବଳ—ଆଜି ସଂଧ୍ୟା ଗାଡ଼ିରେ ବମ୍ବେ ଛାଡ଼ିବି ପୁରବୀ । ଠିକଣା ଦେଇଛି ଆଗରୁ । ଭୁଲ ଯିବନି ତ ଘରେ ପହଞ୍ଚିଲେ ।

 

ଭୁଲି ଯିବା ପାଇଁ ଚାହିଁଥିଲା ପୁରବୀ । କିନ୍ତୁ ଭୁଲି ନପାରି, ନିଜର ସମସ୍ତ ସଂକଳ୍ପ, ପ୍ରତିଜ୍ଞା ଭଙ୍ଗ କରି ସେ ସ୍ଵଦେଶକୁ ଫେରି ଆସିଲା ସଦାନନ୍ଦ ସହିତ । ସଦାନନ୍ଦ ଚାହିଁଥିଲେ ବିବାହ କରି ରହି ପାରିଥାଆନ୍ତା ତା’ ସହିତ । ଅଭାବ ନଥିଲା, ଅଭିଯୋଗ ନଥିଲା । କିନ୍ତୁ ବାରମ୍ବାର ଅନୁରୋଧ, ଅନୁଯୋଗ ସତ୍ତ୍ୱେ କଥା ନରଖି ମତ ପରବର୍ତ୍ତନ କରିଥିଲା ସଦାନନ୍ଦ । ବିବାହ କରିବା ପାଇଁ ଅସ୍ୱୀକାର କରି ନଥିଲା ସତ; କିନ୍ତୁ ଦେଶକୁ ଫେରିବା ପାଇଁ ଜିଦ୍ କରିବାରୁ ଶେଷରେ ତା’ ସହିତ ସଂପର୍କ ସ୍ଥାପନରେ ନିଜ ପରିବାରର ପ୍ରବଳ ପ୍ରତିରୋଧ ଭୟରେ, ନିଜେ ସେ ପ୍ରସ୍ତାବକୁ ସ୍ଥଗିତ ରଖିବା ପାଇଁ ସଦାନନ୍ଦକୁ ଅନୁରୋଧ କରିଥିଲା ପୁରରୀ ।

 

ସଦାନନ୍ଦର କଥା ପଦକରେ ଶ୍ଳେଷର ଝଙ୍କାର ଶୁଣି ପାରିଲା ସେ ।

 

ଅନ୍ତର ଭିତରଟା ଚହଲି ଉଠିଲା ପୁଣି । ନୀରବ, ନିଶ୍ଚଳ ହୋଇ ଶୋଇପଡ଼ିଥିବା କ୍ଷତଚିହ୍ନ ପୁଣି ବେଦନାର ପରଶରେ ଶିହରି ଉଠିଲା ।

 

ସେ ଭୁଲି ଯାଇ ପାରିବ ନାହିଁ ସଦାନନ୍ଦକୁ । ଆଉ ସଦାନନ୍ଦ ?

 

ସେ ସବୁ ଦେଇ ପୁରବୀକୁ ନିଜର କରିବା ପାଇଁ ଚାହିଁଥିଲେ ମଧ୍ୟ ଦେଶକୁ ନଫେରିବା ପାଇଁ ପୁରବୀର ଅହେତୁକୀ ଜିଦ୍ ଗ୍ରହଣ କରି ପାରି ନଥିଲା । ତଥାପି ମନରୁ ପୋଛି ପାରି ନଥିଲା ତାର ପରାଗ ବୋଳା ସାନ୍ନିଧ୍ୟ; ସୋହାଗଭରା ନିବିଡ଼ ସଂପର୍କ । ବଧୂ ନହେଉ, ବନ୍ଧୁ ହୋଇ ଚିରଦିନ ରହି ପାରିବେ ସେମାନେ ।

 

ଜାହାଜ ଭିତରୁ ଜେଟି ଉପରକୁ ଅବତରଣ କରିବା ପାଇଁ ସେତେବେଳକୁ ଆରମ୍ଭ କରି ଦେଇଥିଲେ ଯାତ୍ରୀମାନେ । ପୁରବୀକୁ ଅନ୍ୟମନସ୍କ ଦେଖି କହିଲା ସଦାନନ୍ଦ—ଚାଲ, ଆଉ ଡେରି କରନା । ହୁଏତ ତୁମ ବାପା, ମା’, ଭାଇ ଭଉଣୀ ଅଧୀର ଆଗ୍ରହରେ ଅପେକ୍ଷା କରୁଥିବେ ।

 

ପୁରବୀ ସଦାନନ୍ଦର ମୁହଁକୁ ଚାହିଁଲା ଟିକିଏ । ସେଇ ବେଦନାଝରା ଚାହଁଣୀରୁ ଲକ୍ଷେ କାହାଣୀ ଝରାଇ କହିଲା ସେ ମନେ ମନେ—ତୁମ ବିନା ମୁଁ ପୂର୍ଣ୍ଣ ନୁହେଁ, ଧନ୍ୟ ନୁହେଁ…କିନ୍ତୁ…

 

କିନ୍ତୁ ଶେଷ ସିଦ୍ଧାନ୍ତ ଗ୍ରହଣ କରିବା ପାଇଁ ସାହସ ହୋଇ ନଥିଲା ପୁରବୀର । ସଦାନନ୍ଦର ଭବିଷ୍ୟତ କାର୍ଯ୍ୟସୂଚୀ ଶୁଣିଲେ ସେ ଭୟପାଏ, ଦବିଯାଏ । ତା’ ବାପାର ନର୍ସିଂହୋମରେ ବା ବମ୍ବେର କୌଣସି ସରକାରୀ ସଂସ୍ଥାରେ ନୁହେଁ; ସଦାନନ୍ଦ ଚାହେଁ ନିଜର ସାଧନ ଓ ଶକ୍ତି ଦ୍ୱାରା ଦେଶର ଜନକଲ୍ୟାଣ କାମରେ ଆତ୍ମନିୟୋଗ କରିବା ପାଇଁ । ଏଥିସହିତ ସଂପୃକ୍ତ ସମସ୍ତ ତ୍ୟାଗ ଓ କଷ୍ଟ ସ୍ୱୀକାର କରିବାପାଇଁ ସେ ନିଜକୁ ମନେ ମନେ ପ୍ରସ୍ତୁତ କରି ରଖିଥିଲେ ।

ଜେଟି ଉପରକୁ ଓହ୍ଲାଇ ଆସି ମାଭୃଭୂମିର ସ୍ଥୂଳ ସଂପର୍କରେ ଆସିବାକ୍ଷଣି ସର୍ବାଙ୍ଗରେ ଏକ ଅଭାବମୟ ଶିହରଣ ଅନୁଭବ କଲା ସଦାନନ୍ଦ । ମଧ୍ୟାହ୍ନର ସୁନିର୍ମଳ ଆକାଶର ଝଲମଲ ରୂପକୁ ଚାହିଁଲା ସେ । ଚାରିଆଡ଼େ ଯନ୍ତ୍ରୀମାନଙ୍କୁ ସଙ୍ଖୋଳି ନବା ପାଇଁ ଛିଡ଼ା ହୋଇଥିଲେ ସେମାନଙ୍କର ଆତ୍ମୀୟ ସ୍ଵଜନ । ସେମାନଙ୍କ ସଙ୍ଗରେ ଛିଡ଼ା ହୋଇ ସେ ଏକ ଅପୂର୍ବ ଏକାତ୍ମତା ଅନୁଭବ କଲା । ତାପରେ ସେହି ଦିବ୍ୟଶକ୍ତିଙ୍କ ଉଦ୍ଦେଶ୍ୟରେ ଦୁଇ ହାତ କପାଳରେ ଲଗାଇ ପ୍ରଣାମ ଜଣାଇ ମନେ ମନେ କହିଲା ସଦାନନ୍ଦ—ଜନନୀ ଜନ୍ମଭୂମିଶ୍ଚ ସ୍ଵର୍ଗାଦପି ଗରୀୟସୀ । ମୋର ଜନନୀ ପରି ଏହା ଜନ୍ମଭୂମି ଜୀବନ୍ତ । ଏହା କେବଳ ନଗର ପ୍ରାନ୍ତର, ନଦୀ ନାଳ, ସରିତ ସାଗର, ପାହାଡ଼ ପର୍ବତ, ପ୍ରାସାଦ କୁଟୀରର ଏକ ସମ୍ମିଶ୍ରିତ ସ୍ଥୂଳ ବାହ୍ୟ ପ୍ରକାଶ ନୁହେଁ, ଏହା ଜୀବନ୍ତ ମାତୃମୂର୍ତ୍ତି ପରି ମହୀୟାନ, ଗରୀୟାନ ।

କେହି ନଥିଲେ ସେଠାରେ ତାକୁ ଅଭିନନ୍ଦନ ଜଣାଇବା ପାଇଁ । କିନ୍ତୁ ତଥାପି ହତୋତ୍ସାହ ହେଲା ନାହିଁ ସେ । ଉଲ୍ଲସିତ ଅନ୍ତରର ପ୍ରତ୍ୟେକ ଅନୁଭବରେ ସେ ଉପଭୋଗ କରୁଥିଲା । ନିଜ ଲେକମାନଙ୍କ ସହିତ ଏକ ହୋଇଯିବାର ଐକାନ୍ତିକତା ।

ତା’ ପାଖକୁ ଆସି ବିଦାୟ ନବା ପୂର୍ବରୁ ନିଜ ବାପ, ମା’ ଓ ଆତ୍ମୀୟମାନଙ୍କ ସହିତ ସଦାନନ୍ଦର ପରିଚୟ କରିଦେଇ କହିଲା ପୁରବୀ—ଡକ୍ଟର ସଦାନନ୍ଦ ମିଶ୍ର । ମୋର ସହପାଠୀ ବାପା । ଷ୍ଟେଟ୍‌ସ୍‌ରେ ହୃଦ୍‌ରୋଗ ବିଶେଷଜ୍ଞ ଭାବରେ ବିଶେଷ ଭାବରେ ପରିଚିତ ।

 

ସମସ୍ତଙ୍କୁ ଶ୍ରଦ୍ଧା ଜଣାଇଲା ସଦାନନ୍ଦ ।

 

ତାଙ୍କୁ ସେମାନଙ୍କର ଅତିଥି ହବା ପାଇଁ ଆବାହନ କଲେ ପୁରବୀର ପିତା ଧନକୁବେର ବଳବନ୍ତ ମେହେଟା । ସମୟ ଓ ସୁଯୋଗ ପାଇଲେ ସେମାନଙ୍କର ଆତିଥ୍ୟ ଗ୍ରହଣ କରି ନିଜକୁ ଧନ୍ୟ କରିବାର ପ୍ରତିଶ୍ରୁତି ଦେଇ ସେମାନଙ୍କ ପାଖରୁ ବିଦାୟ ନେଇ ପୁରବୀକୁ ଗୋଟିଏ କଡ଼କୁ ଡାକି କାନେ କାନେ କହିଲ—ଯାଉଛି ଆଜି । ମନେ ରଖିଥିବ ପୁରବୀ । ଆଉ ଯଦି ଆବଶ୍ୟକ ମନେ କର ଚିଠି ଦେଲେ ଉତ୍ତର ଦବ ତ ?

 

ଏହାର ସିଧା ସଳଖ ଉତ୍ତର ନଦେଇ ତା’ଠାରୁ ବିଦାୟ ନେଇ ଚାଲିଯିବା ପୂର୍ବରୁ କହିଲା ପୁରବୀ—ଯେତେ ଶୀଘ୍ର ପାର ଥରେ ଆସିବା ପାଇଁ ଚେଷ୍ଟା କରିବ ସଦାନନ୍ଦ । ମୁଁ ଅତ୍ୟନ୍ତ ଖୁସି ହେବି ।

 

ଦୁହେଁ ପରସ୍ପରଠାରୁ ବିଦାୟ ନେଇ ଭିନ୍ନ ଭିନ୍ନ ପଥରେ ଅଗ୍ରସର ହେଲେ ନିଜ ନିଜ ଗନ୍ତବ୍ୟସ୍ଥଳ ଉଦ୍ଦେଶ୍ୟରେ । କିଛି ସମୟ ମଧ୍ୟରେ ମୁଖରିତ ଜେଟି ପୁନର୍ବାର ନୀରବ ହୋଇଆସିଲା-

 

ଟାକ୍‌ସିରେ ଭିକ୍ଟୋରିଆ ଟରମିନାସ ଆଡ଼କୁ ଯାଉଁ ଯାଉଁ ଭାବୁଥିଲା ସଦାନନ୍ଦ—ପୁରବୀ ଯଦି ରାଜି ହେଇ ଥାଆନ୍ତା, ତାର ପଥ ବରଣ କରିବା ପାଇଁ ସେ ଏକାକୀ ନଯାଇ ଦୁହେଁ ଯାଇ ଥାଆନ୍ତେ । ଏକାକୀ ଚୁପ୍ ହୋଇ ଆତ୍ମଗତ ଭାବରେ ବସି ନରହି କଥା କହିବା ପାଇଁ ପାଖରେ ଥାଆନ୍ତା ଜଣେ ଅନ୍ତରଙ୍ଗ ସଙ୍ଗିନୀ । ଦୁଃଖ ସହିବା ପାଇଁ ନୁହେଁ, ଆଗାମୀର ରଙ୍ଗୀନ ସ୍ଵପ୍ନ ଦେଖିବା ପାଇଁ ଏବଂ ପରସ୍ପର ସଂହତି ରକ୍ଷା କରି ଦୁଇଟି ଜୀବନ ଏକ ହୋଇ ଯିବାର ଅନନ୍ୟ ସ୍ଵପ୍ନ ଦେଖି ଥାଆନ୍ତେ ସେମାନେ । କିନ୍ତୁ ତାହା ହେଲା ନାହିଁ । ଧନକୁବେରଙ୍କ ଅଲିଅଳୀ କନ୍ୟା ତା ପ୍ରସ୍ତାବରେ ରାଜି ହୋଇ ନପାରି ପଛରେ ପଡ଼ିଗଲା । ଅଥଚ ଆମେରିକାରେ ଥିଲାବେଳେ ଭବିଷ୍ୟତର ସୁଖ ସ୍ଵପ୍ନ ଦେଖିବା ପାଇଁ, ତାର କର୍ମ ଯଜ୍ଞରେ ନିଜର ସଂପୂର୍ଣ୍ଣ ସତ୍ତାକୁ ଆହୁତି ଦେଇ ତା’ ସହିତ ନିଜକୁ ଦେହରେ, ମନରେ, ପ୍ରାଣରେ ଏକାକାର କରିଦେବା ପାଇଁ କେତେ ପ୍ରତିଶ୍ରୁତି ଦେଇ ନଥିଲା ପୁରବୀ-! ପ୍ରତ୍ୟେକ ପ୍ରତିଶ୍ରୁତିର ପ୍ରତିଲିପି ବହନ କଣ ସେ ଉଲ୍ଲସିତ ଆନନ୍ଦରେ ତା’ ପାଖରେ ବାରମ୍ବାର ଧରା ଦେଇଥିଲା ଆସି ଗୋଟିଏ ଚୁମ୍ବନ ପାଇଁ, ମୁଠାଏ ମନଝରା ସୋହାଗ ବେଳା କଥା ପାଇଁ-। ତାକୁ ଫେରାଇ ନ ଦେଇ ତା’ର ଅନୁରାଗରଞ୍ଜିତ ଚିବୁକ ଉପରେ ମୁହଁ ରଖି ଯେଉଁ ନୀରବ କାକୁତି କରିଥିଲା ସଦାନନ୍ଦ, ସେ ଭାଷା ବୁଝିଥିଲା ପୁରବୀ । ସେହି ନିବେଦନକୁ ଅଞ୍ଜଳିଭରି କୁଢ଼ାଇ ନେଇଥିଲା ସେ । କିନ୍ତୁ ବାସ୍ତବ ପରସ୍ଥିତର ସମ୍ମୁଖୀନ ହେବା ପାଇଁ ସମୟ ଆସିଲା ଯେତେବେଳେ; ସେ ଆଗେଇ ଆସିଲା ବେଳକୁ ପଛରେ ପଡ଼ିଗଲା ପୁରବୀ ।

 

ସାନ୍‌ଫ୍ରାନ୍‌ସିସ୍‌କୋ ଛାଡ଼ିବା ପୂର୍ବରୁ ସେ ପୁନର୍ବାର ନିଜର ଶେଷ ପ୍ରସ୍ତାବ ତା’ ସମ୍ମୁଖରେ ଉପସ୍ଥାପିତ କରିଥିଲା । ଜୀବନ କେବଳ ଏକ ରଙ୍ଗୀନ ସ୍ଵପ୍ନ ନୁହେ, ଏହାର ବାସ୍ତବ ଭୂମିକା ମଧ୍ୟାହ୍ନ ପରି ଉତ୍ତପ୍ତ ଏବଂ ପ୍ରଦୀପ୍ତ । ଗୋଲାପର ସୁବାସକୁ ସଂପୂର୍ଣ୍ଣ ଭାବରେ ସର୍ବାଙ୍ଗରେ ବୋଳିହବା ପାଇଁ ସିଦ୍ଧାନ୍ତ କଲେ ତା’ କଣ୍ଟାର ଆଘାତକୁ ଡରିଗଲେ ଚଳିବ କିପରି ?

 

ତା’ର ହାତ ମୁଠା ଭିତରେ ହାତ ରଖି ଉତ୍ତର ଦେଇଥିଲା—ଏତେ କଥା ଭାବିବା ପାଇଁ ମନରେ ବଳ ନାହିଁ ସଦାନନ୍ଦ । ତମେ କହିଯାଅ । ମୁଁ ଆଗ୍ରହର ସହିତ ଶୁଣିଯାଏ ।

 

ତା’ ଆଡ଼କୁ ଢଳିପଡ଼ି ଦୁହିଁଙ୍କ ମଧ୍ୟରେ ଅପସୃୟମାଣ ବ୍ୟବଧାନକୁ ଆହୁରି ସଙ୍କୁଚିତ କରି କହିଥିଲା ସଦାନନ୍ଦ—ମୁଁ ଦେଶକୁ ଫେରିଯିବା ପାଇଁ ଶେଷ ସିଦ୍ଧାନ୍ତ କରିଛି ପୁରବୀ ଏବଂ ଏ କଥା ମଧ୍ୟ ସିଦ୍ଧାନ୍ତ କରିଛି ଯେ, ଯଦି ଆବଶ୍ୟକ ହୁଏ, ଆଉ ଦଶଜଣଙ୍କ ପରି ନିଜର ସୁଖସ୍ଵପ୍ନ ନ ଦେଖି ଅନ୍ୟର ଆଖିରେ ସେହି ସ୍ଵପ୍ନର ଅଞ୍ଜନ ବୋଲିବା ପାଇଁ ଆତ୍ମନିୟୋଗ କରିବି । ଏ ପଥରେ ଫୁଲ ସ୍ଵପ୍ନ ଚନ୍ଦନ ନାହିଁ, ଅଛି ଗୋଡ଼ି ପଥର । ଚାଲି ପାରିବ ତ ?

 

ତା’ ପାଖରୁ ଅଲଗା ହୋଇଯାଇ କ୍ଷଣକ ପାଇଁ ହତଚକିତ ଭାବକୁ ଘୋଡ଼ାଇ ରଖିବାର ଚେଷ୍ଟା କରି କହିଥିଲା ପୁରବୀ—କିନ୍ତୁ ପ୍ରଥମେ ବଡ଼ ଦୁଃଖ, ଅର୍ଥ ଉପାର୍ଜନ କର । ତା’ପରେ ଦୁଇହାତରେ ଇଚ୍ଛାନୁସାରେ ଦାନ କରିବ । ମନା କରିବ କଏ ?

 

ନିଜ ପ୍ରଶ୍ନର ଉତ୍ତର ନ ପାଇ ହତାଶ ହୋଇଥିଲା ସଦାନନ୍ଦ ।

 

ସେଇଦିନ ସନ୍ଧ୍ୟାରେ ଜାହାଜ ଚଢ଼ି ଆମେରିକା ଛାଡ଼ି ଏକା ସାଙ୍ଗରେ ଫେରିଥିଲେ ଦୁହେଁ ଦେଶ ଅଭିମୁଖରେ । କିନ୍ତୁ ସେଇ ଦିନଠାରୁ ବମ୍ବେ ବନ୍ଦରରେ ଜାହାଜ ଲାଗିଲାଯାଏ, ଦୁହିଁଙ୍କ ମଧ୍ୟରେ ପାର୍ଥକ୍ୟର ପ୍ରସାରିତ ପ୍ରାଚୀର ଉଭା ହେଲା ଆସି । ସେ ପ୍ରାଚୀର ଚୀନର ପ୍ରାଚୀରଠାରୁ ଦୀର୍ଘ, ବର୍ଲିନର ପ୍ରାଚୀର ପରି ନିର୍ଦ୍ଦୟ ଏବଂ ହିମାଳୟର ଗ୍ଲେସିଆର ଭରା ବରଫ ପ୍ରାଚୀର ପର ଅନୁଷ୍ଠିତ । ହୃଦୟରେ ଅନେକ ବ୍ୟଥା ପାଇଥିଲା ସଦାନନ୍ଦ । ଯୌବନର ଅପାଶୋରା ଦିନଗୁଡ଼ିକ ସ୍ମରଣ କରୁକରୁ ଥରେ ଥରେ ନିମ୍ନ ପ୍ରାଣର ଆବେଦନ ପାଖରେ ମଥା ନୁଆଁଇ ପାର୍ଥିବ ଜୀବନର ସୁଖ ଓ ସମୃଦ୍ଧି ପାଇଁ ନିଜ ସଂକଳ୍ପକୁ ତ୍ୟାଗ କରିବାପାଇଁ ମନ କରିଥିଲା ସେ । କିନ୍ତୁ ପୃଥିବୀର ପ୍ରଶାନ୍ତ ରୂପକୁ ଅବଲୋକ କରି ଏକ ଦିବ୍ୟ ଶକ୍ତିର ପରଶ ପାଇ ଦୁର୍ବଳ ମନ ତାର ସବଳ ହୋଇଉଠିଲା ବାରମ୍ବାର । ଦିନେ ମଧ୍ୟରାତ୍ରିର ନୀରବତାରେ ପ୍ରଶାନ୍ତମହାସାଗର ଉପରେ ଜାହାଜ ଆସୁଥିଲାବେଳେ ଡେକ ଉପରକୁ ଆସି ସହସ୍ର ତାରକାଖଚିତ ଅତନ୍ଦ୍ର ଆକାଶ ମଣ୍ଡଳର ଝଲମଲ ନିରୂପମ ରୂପ ଏବଂ ସମୁଦ୍ର ଉପରେ ତାର ବ୍ୟାପକ ପ୍ରତିଫଳନ ଦେଖି ସୃଷ୍ଟିର ଅନନ୍ତ ବ୍ୟାପକ ସତ୍ତା ପାଖରେ ସେ ମସ୍ତକ ନତ କରିଥିଲେ ।

 

ତା’ପରେ ଦେଶର, ନିଜ ଛୋଟ ଗ୍ରାମର, ନିଜ ଘର ଓ ପାଖ ପଡ଼ୋଶୀମାନଙ୍କର ପରିଚିତ ମୁହଁମାନ ତା’ ଆଖି ଆଗରେ ଗୋଟି ଗୋଟି କରି ଉଦ୍ଭାସିତ ହୋଇଉଠିଲେ । ଚଳଚ୍ଚିତ୍ର ପରି ଗୋଟିକ ପରେ ଗୋଟିଏ ଛବି ଭାସି ଉଠିଲା ତା’ ଆଖି ଆଗରେ । ପ୍ରକୃତିର ସେଇ ବିପୁଳ, ପ୍ରଶାନ୍ତ, ଅନନ୍ତ ରୂପରେ ଆତ୍ମହରା ସତାନନ୍ଦର ବିଲୁପ୍ତପ୍ରାୟ ଚେତନା ଜଗତରେ ସୁଦୂର ଭାରତବର୍ଷର ଏକ ରାଜ୍ୟର ଦାରିଦ୍ର୍ୟ ଦ୍ୱାରା ନିପୀଡ଼ିତ, ଅଯତ୍ନରେ ଆତଯାତ କରୁଥିବା ଓଡ଼ିଶା ନାମକ ଏକ ଦୁଃସ୍ଥ, ଅବିକଶିତ ପ୍ରାନ୍ତର କେତେ କେତେ ଅସହାୟ ହାତ ତା’ ଆଡ଼କୁ ପ୍ରସାରିତ ହୋଇ ଆସୁଥିଲେ ଟିକିଏ ସହାୟତା, କିଛି ସହାନୁଭୂତି ପାଇଁ ।

 

ସେ ହାତ ସହିତ ନିଜ ହାତର ସଂଯୋଗ ଦୃଢ଼ ହେବା ପୂର୍ବରୁ ପଛରୁ କାହାର ଶବ୍ଦ ଶୁଣିପାରି ପୁଣି ବାସ୍ତବ ଜଗତକୁ ଫେରି ଆସି ଅନେକ ରାତିର ସ୍ଵପ୍ନକୁ ଡେକ ଉପରେ ଛାଡ଼ିଦେଇ ଆସି ନିଜର କ୍ୟାବିନ ଭିତରରେ ଶୋଇବା ପାଇଁ ଚେଷ୍ଟାକଲା ସଦାନନ୍ଦ ।

 

ସେହିଦିନୁ ଭଲରେ, ସ୍ଵସ୍ତିରେ ଶୋଇବା ପାଇଁ ଅନେକ ଚେଷ୍ଟା କରି ମଧ୍ୟ ଶୋଇପାରି ନଥିଲା ସେ । ନିଶ୍ଚିନ୍ତ ହବା ପୂର୍ବରୁ ତନ୍ଦ୍ରାରେ ସହସ୍ର ସହସ୍ର ପ୍ରସାରିତ, ଉତ୍ତାପହୀନ ଅସହାୟ ହାତର ହିମଶୀତଳ ସ୍ପର୍ଶ ପାଇ ଆତଙ୍କରେ ଶିହର ଉଠିଛି ସଦାନନ୍ଦ । ବମ୍ବେରେ ପହଞ୍ଚିବା ଦିନଯାଏ ପ୍ରତ୍ୟେକ ଦିନ ଏଇ ପ୍ରସାରିତ ହାତର ସ୍ଵପ୍ନ ଦେଖିଛି, କଳ୍ପନା କରିଛି ଏବଂ ବାରମ୍ବାର ଶିହରି ଉଠିଛି ଏକ ଅଦ୍ଭୁତ ସମ୍ଭାବନାରେ, ଏକ ଅପରିସୀମ ଆନନ୍ଦର ଝଲକରେ । ସେଇଥିପାଇଁ ଜେଟି ଉପରେ ପାଦ ଦବା ପୂର୍ବରୁ ଅଗଣିତ ଲୋକଙ୍କ ହାତ ହଲା ଦେଖି ସେ ବିହ୍ୱଳ ହୋଇ ଜନ୍ମଭୂମିକୁ ଫେରି ଆସିଥିବାର ଆନନ୍ଦରେ ପୁଲକିତ ହୋଇ ନାଚି ଉଠିଥିଲା ।

 

ଏଇ ତାର ଜନ୍ମଭୂମି । ଏଇ ତାର ପୟୋଧରା, ପୁଣ୍ୟଝରା ଜନନୀର ଜୀବନ୍ତ ରୂପ ! ଏଇ ସେଇ ଜୀବନ–ଜାହ୍ନବୀର ଅବାରିତ ପ୍ରବାହ ।

 

ରିଟାୟାରିଂ ରୁମ୍‌ରେ ନିଜର ସମସ୍ତ ପ୍ରସାଧନ କର୍ମ ଶେଷ କରି ସନ୍ଧ୍ୟାବେଳେ ବମ୍ବେ-କଲିକତା ଡାକଗାଡ଼ିର ଗୋଟିଏ ପ୍ରଥମ ଶ୍ରେଣୀ ପ୍ରକୋଷ୍ଠରେ ବସିଲା ସଦାନନ୍ଦ । ନୀଳବତୀର ନିର୍ଦ୍ଦେଶ ପାଇ ଗାଡ଼ି ଛାଡ଼ିଲା । ଆଉ ବର୍ଥ ଉପରେ ପୁଲକିତ ଶରୀରଟିକୁ ମେଳାଇ ଦେଇ ଏ ଦେଶର ପାଣି, ପବନ, ପରିବେଶ ଓ ଅଗଣିତ ଜୀବନଯାତ୍ରା ସହିତ ପୁଣି ନିବଡ଼ ସମ୍ପର୍କରେ ଆସିବାର ସୁଯୋଗ ପାଇ ପୁଲକିତ ହେଉଥିଲା, ମହକି ଉଠୁଥିଲା ମନ । ଏଇ ଦେଶ ତା ନିଜର । ଏଇ ଅଗଣିତ ଜନଗଣ ମଧ୍ୟରୁ ସେ ଜଣେ, ସେମାନେ ସମସ୍ତେ ଆପଣାର ।

 

ଗାଡ଼ି ପ୍ଲାଟଫର୍ମ ଅତିକ୍ରମ କରିଯିବା ପୂର୍ବରୁ ଗୋଟିଏ ରୁଗ୍‌ଣ, ନଗ୍ନ, ମଇଳା ହାତ ପ୍ରସାରିତ ହୋଇ ଆସିଲା ତା ଆଡ଼କୁ । ରାଜାବାବୁ ପଇସା ଗୋଟେ…

ଚଳନ୍ତା ଗାଡ଼ିରୁ ଆଖି ପଲକରେ ଦେଖିନେଲା ଲୋକଟିର ପ୍ରସାରିତ ହାତକୁ । କହିବାର ନ ଥିଲା କିଛି । ପଇସା ଗୋଟେ ନୁହେଁ, ଏକ ଟଙ୍କାର ନୋଟଟିଏ ପକେଟରୁ ବାହାର କରି ଗୁଞ୍ଜିଦେଲା ସେ ତା ହାତରେ ।

ପଛରେ ପଡ଼ି ରହିଲା ଲୋକଟି । ଆଗେଇ ଗଲା ଡାକଗାଡ଼ି । ସଦାନନ୍ଦ ଝରକା ପାଖରୁ ମୁହଁ ଫେରାଇ ଭିତରକୁ ଚାହିଁଲା ।

ଅନ୍ୟ ତିନୋଟି ବର୍ଥରେ ଆଉ ତନିଜଣ ଯାତ୍ରୀ ଥିଲେ । ଯିଏ ଯାହାର କାର୍ଯ୍ୟରେ ବ୍ୟସ୍ତ-। ଇଗତପୁରୀ ଷ୍ଟେସନରେ ଖାଇବା ପାଇଁ ମିଳିବ । ଯଥେଷ୍ଟ ସମୟ ଅଛି ହାତରେ । ଇଲଷ୍ଟ୍ରେଟେଡ୍ ଉଇକ୍ଳିର ଶେଷ ସଂସ୍କରଣର ପୃଷ୍ଠା ଉପରେ ଆଖି ବୁଲାଇ ଗୋଟିଏ ପୃଷ୍ଠାର ଶିରୋନାମା ତଳର ଗୋଟିଏ ଚିତ୍ର ଉପରୁ ଆଖି ଉଠାଇ ନପାରି ବହୁ ସମୟ ସେହିପରି ଚାହିଁ ରହିଲା ସଦାନନ୍ଦ-

ଦରଦୀ ଲେଖକଙ୍କ ଦାରିଦ୍ର୍ୟ ଉପରେ ପ୍ରବନ୍ଧକୁ ବଳଶାଳୀ କରିବାପାଇଁ ହା ଅନ୍ନର ସମସ୍ୟା ଦ୍ଵାରା କେତେ କଙ୍କାଳସାର ନାରୀ, ପୁରୁଷ, ବାଳକ ବାଳିକାଙ୍କ ଏକ କରୁଣ ଛବି । ଦେହରେ ମାଂସ ନାହିଁ, ଆଖିରେ ଆଶା ନାହିଁ, ମୁହଁରେ ଭାଷା ନାହିଁ । ଜୀବନ ଯନ୍ତ୍ରଣାର ହାହାକାର ଭିତରେ ହଜି ଯାଇଛି ଜୀବନର ସ୍ଵପ୍ନ, ଶୁଖି ଯାଇଛି ଜୀବନ–ଯମୁନା ।

ମନଟା ଖରପ ହୋଇଗଲା ସଦାନନ୍ଦର ।

ସହଯାତ୍ରୀମାନଙ୍କ ସହ ଆଳାପ କରିବା ପାଇଁ ଇଚ୍ଛା ହେଲାନି । ଥରେ ଦୁଇଥର ଚେଷ୍ଟା କଲା ସେମାନଙ୍କ ସହିତ ଆଳାପ ଆଲୋଚନାରେ ଯୋଗ ଦବାପାଇଁ । କିନ୍ତୁ ମନ ବଳିଲା ନାହିଁ, ଆଗ୍ରହ ହେଲା ନାହିଁ । ଝରକା ଉପରେ ମଥା ରଖି ଆଉଜି ପଡ଼ିଲା ପୁଣି । ହୁ ହୁ କରି ବହି ଆସୁଥିଲା ଶୀତଳ ପବନ । ଦେହରେ ମୁହଁରେ ଲାଗିଲା ଆସି । ଟିକେଏ ଆଖି ବୁଜି ଶୋଇ ପଡ଼ିଲା ସଦାନନ୍ଦ ।

 

—ରାଜାବାବୁ ରୋଟି ଦୋ...ରାଜାବାବୁ ଖାନା ଦୋ…

 

ଉଠି ବସି ଚାହିଁଲାବେଳକୁ ଦେଖିଲେ ସେ ଗାଡ଼ି ଆସି ଇଗତପୁର ଷ୍ଟେସନରେ ଛିଡ଼ା ହୋଇଯାଇଛି । ବେହେରା ସମ୍ମୁଖ ଟେବୁଲ ଉପରେ ସଜାଇ ଦେଇ ଯାଇଛି ପ୍ଲେଟ, କଣ୍ଟା ଚାମଚ, ଖାଦ୍ୟ ସାମଗ୍ରୀ । ସହଯାତ୍ରୀମାନେ ନିଜ ନିଜର ପରିବେଷିତ ଖାଦ୍ୟ ଖାଇବା ପାଇଁ ଆରମ୍ଭ କରି ଦେଇଥିଲେ ସେତେବେଳକୁ । ସମୟ ଅଳ୍ପ, କହାର ନିଜର ନାହିଁ ସେମାନଙ୍କର । ପରିବେଷିତ ଖାଦ୍ୟ ଯେପରି ଜୀବନର ଶେଷ ସମ୍ବଳ । ଶୀଘ୍ର ତାହା ଶେଷ ନକଲେ କିଏ ଟାଣି ନେଇ ସେମାନଙ୍କୁ ଅଭୁକ୍ତ ରଖିଦେଇ ଯିବ ପରା !

 

କାଗଜର ନ୍ୟାପ୍‌କିନ୍‌ଟାକୁ ଜଙ୍ଘ ଉପରେ ମେଲାଇଦେଇ ହାତରେ କଣ୍ଟା ଚାମଚ ଧରି ଝୁଙ୍କିପଡ଼ିଲା ସଦାନନ୍ଦ ।

 

ଝରକାର ଫାଙ୍କ ଦେଇ ଝୁଙ୍କିପଡ଼ିଲା ଚାରୋଟି ପିଲାଙ୍କର ଆଠୋଟି ଆଖିର ନଗ୍ନ ଚାହାଣୀ । ମୁହଁରେ ଗୋଟିଏ କାକୁତିର କରୁଣ କାହାଣୀ...ବାବୁ ଖାନା ଦୋ...ବାବୁ ରୋଟି ଦୋ...

 

ଲହୁଣୀ ବୋଳା ଟୁକୁରାଏ ରୋଟି ପାଟି ଉପରେ ପୂରାଇବା ପାଇଁ ଯାଉଥିଲା ସଦାନନ୍ଦ-। କିନ୍ତୁ ହାତ ତାର ଅଟକିଗଲା ସେଇ ଚାରୋଟି ପିଲାଙ୍କର ପ୍ରସାରିତ ହାତର ଲଜ୍ଜାହୀନତା ଏବଂ ଝୁଂକି ପଡ଼ିଥିବା ଚାହାଣୀର କାରୁଣ୍ୟ ଦେଖି ।

 

ସହଯାତ୍ରୀ ଜଣେ କହିଲେ—ହଠ୍ ଯାଓ, ହଠ୍ ଯାଓ…ଲୋକଙ୍କୁ ଶାନ୍ତିରେ ମୁଠାଏ ଖାଇବା ପାଇଁ ଦେବେନି ଏମାନେ ।

 

ଭୟରେ କିଛିଦୂର ହଟିଗଲେ ପିଲା ଚାରୋଟି । ଲହୁଣୀ ଲଗା ରୋଟି ଟୁକୁରାଏ ମୁହଁରେ ଗୁଂଜି ସୁପ୍‌ରୁ ଚାମୁଚେ ଖାଇଲା ସଦାନନ୍ଦ ।

 

ହଟିଯାଇଥିବା ପିଲାଗୁଡ଼ିକ ଝରକା ପାଖରେ ଆସି ଛିଡ଼ାହେଲେ ପୁଣି । ପ୍ଳାଟଫର୍ମ ଉପରେ କର୍ତ୍ତବ୍ୟରତ ଜଣେ ଟିକଟ କଲେକ୍ଟର ଦଉଡ଼ି ଆସି ସେମାନଙ୍କୁ କର୍କଶ ଭାଷାରେ କହିଲା–ହଠ୍ ଯାଓ…ଭାଗୋ ଇହାଁ ସେ…

 

ଭୟରେ ପୁଣି ହଟିଗଲେ ପିଲା ଚାରିଜଣ ! କିନ୍ତୁ ଟିକଟ କଲେକ୍ଟର ଅନ୍ୟ କାର୍ଯ୍ୟରେ ସେଠାରୁ ଅନ୍ତର ହୋଇଯିବା ପରେ ପରେ ପୁଣି ଉଭାଦେଲେ ଆସି ସେମାନେ । ଆଖିରେ ଜଳୁଥିବା ଜଠରର ଅଲିଭା ଅଗ୍ନି । ଜିହ୍ୱାରେ ପରବେଷିତ ଖାଦ୍ୟର ଆଘ୍ରାଣପୁଷ୍ଟ ଲାଳସା । ସେମାନଙ୍କ ଆଡ଼କୁ ଆପେ ଆପେ ପ୍ରସାରିତ ହୋଇଗଲା ସଦାନନ୍ଦର ଆଖି ।

 

ନଗ୍ନ, ଅର୍ଦ୍ଧ ନଗ କଙ୍କାଳସାର ଚାରିଜଣ ରୁଗ୍‌ଣ ପିଲା । ଅଖାଦ୍ୟ ବା ଅପୁଷ୍ଟିକର ଖାଦ୍ୟ ଖାଇ ମରିଯାଇଛି ଜୀବନର ଜ୍ୟୋତି, କିଶୋର ବୟସର ଲାବଣ୍ୟ । ପିଲାମାନେ ହାତ ବଢ଼ାଇ କାକୁତି କରୁଥିଲେ—ରାଜା ବାବୁ ରୋଟି ଦୋ…

 

ଖାଇବା ପାଇଁ ସାହସ ହେଲାନି ସଦାନନ୍ଦର । ପ୍ରତ୍ୟେକଙ୍କ ହାତକୁ ଖଣ୍ଡେ ଖଣ୍ଡେ ଲହୁଣୀ ଲଗା ରୋଟି ବଢ଼ାଇଦେଲା ସେ ଚକ୍ଷୁର ପଲକରେ । ହାତରେ ରୋଟି ଖଣ୍ଡେ ଖଣ୍ଡେ ଧରି ଟିକିଏ ଦୂରକୁ ପରମ ଆନନ୍ଦରେ ଚାଲିଗଲେ ପିଲାମାନେ । କିନ୍ତୁ ପରମୁହୂର୍ତ୍ତରେ ଦୁର୍ଲଭ ଖାଦ୍ୟ ପାଇବାର ସମ୍ଭାବନା ଦେଖି ପାଖ ଆଖରୁ ଛୁଟି ଆସିଲେ ଆହୁରି ଚାରି ପାଞ୍ଚଜଣ । ଜଣେ ବୃଦ୍ଧା, ଦୁଇଜଣ ପିଲା, ଜଣେ ତ‌ରୁଣୀ… ଜଣେ ପ୍ରୌଢ଼…

 

ବାବା ଖାନା ଦୋ...

 

ସେମାନଙ୍କ ଆଡ଼କୁ ଚାହିଁଦେଇ ଡରିଗଲା ସଦାନନ୍ଦ । ଭୋକିଲା, ଅଭାବୀ ମଣିଷ ଏତେ କରୁଣ, କୁତ୍ସିତ ହୋଇପାରେ ତାହା ଏଇ ପ୍ରଥମ ଦେଖିଲା ସେ । ସାତବର୍ଷ ବିଦେଶରେ ଥିଲା, ସମୟ ବା ସୁଯୋଗ ହୋଇ ନଥିଲା କିଛି ଦେଖିବା ପାଇଁ, ଦେଶର ସ୍ଵରୂପ ଅବଲୋକନ କରିବା ପାଇଁ । ନୂତନ ଆଶା, ଅନେକ ରାତିର ଅଶେଷ ସ୍ଵପ୍ନ ନେଇ ଫେରୁଥିଲା ସେ କେତେ ଆଗ୍ରହ, ଉତ୍ସାହ, ଉଦ୍ଦୀପନା ନେଇ ଜନ୍ମଭୂମିକୁ କେବଳ ଜୀବନଧାରଣ କରିବା ପାଇଁ ନୁହେଁ, ନିଜକୁ ପ୍ରତିଷ୍ଠିତ କରିବାପାଇଁ, ପାଖ ପଡ଼ୋଶୀ ପାଞ୍ଚଜଣଙ୍କୁ ସୁଖୀ ଓ ସମୃଦ୍ଧ କରିବା ପାଇଁ ।

 

କିନ୍ତୁ ତା’ ସ୍ଥାନରେ ଦେଶକୁ ଫେରିବା ସଙ୍ଗେ ସଙ୍ଗେ ଏ କି ଦୃଶ୍ୟ ଦେଖିଲା ସେ ?

 

ବୃଦ୍ଧାକୁ ଧକ୍‍କା ନମାରି ଆଡ଼ କରିଦେଇ ଆଗେଇ ଆସିଲା ପ୍ରୌଢ଼ ଜଣକ । ପିଲା ଦୁଇଜଣଙ୍କୁ ପଛକୁ ଠେଲିଦେଇ ହାତ ବଢ଼ାଇଲା ଯୁବତୀ । ଅଙ୍ଗରେ ଯୌନର ଦୀପ୍ତି ନାହଁ, ବକ୍ଷ-ସ୍ଫୀତି ସଙ୍କୁଚିତ, ହା-ଅନ୍ନର ହାହାକାର ଭିତରେ ଜୀବନଜ୍ୟୋତି ମ୍ରିୟମାଣ । ସିହରି ଉଠିଲା ସଦାନନ୍ଦ । ନା, ଆଉ ସେ ଦେଖି ପାରିବ ନାହିଁ । ଦେଖିବା ପାଇଁ ସାହସ ନାହିଁ, ଶକ୍ତି ନାହିଁ । ପ୍ଲେଟ ଉପରେ ପରିବେଷିତ ଖାଦ୍ୟକୁ ପ୍ରସାରିତ ହାତମାନଙ୍କରେ ଗୁଞ୍ଜିଦେଲା ସଦାନନ୍ଦ । ଜଣକର ଆହାର । ନିମେଷକରେ ଶେଷ ହୋଇଗଲା । ହାତ ମୁଠାରେ କିଛି କିଛି ଖାଦ୍ୟ ପାଇ ଜଳି ଉଠିଲା ଜଠର, ଆଖିର ଚାହାଣୀରୁ ଝରି ପଡ଼ିଲା ବଞ୍ଚିବାର ଆଶା ।

 

ସୁନ୍ଦର, ଲୋଭନୀୟ ମଣିଷ ଜୀବନର ସେଇ କୁତ୍ସିତ, ନଗ୍ନ ଓ ଶକ୍ତ ରୂପକୁ ଦେଖି ଭୟରେ ଆଖି ବୁଜିଲା ସଦାନନ୍ଦ । ଜଣେ କିଏ ସହଯାତ୍ରୀ କହିଲେ କିଛି ନଖାଇ ସବୁ ଦେଲ ଯେ ! ସମୁଦ୍ର ଦେଲେ ମଧ୍ୟ ଚଳୁ କରିଦେବେ । ସଙ୍ଗେ ସଙ୍ଗେ ଏମାନେ । ଏମାନଙ୍କର ସଂଖ୍ୟା ଶହେ ନୁହେ; ସହସ୍ର । ପଚିଶ ବର୍ଷର ସ୍ଵାଧୀନ, ସାର୍ବଭୌମ ଭାରତ ବର୍ଷରେ ଏମାନଙ୍କର ସଂଖ୍ୟା ଆଶାତୀତ ଭାବରେ ବୃଦ୍ଧି ପାଇଛି. . .

 

ବେହେରା ଆସି ଉଠାଇ ନେଇଗଲା ବ୍ୟବହୃତ ପ୍ଲେଟ ଓ ଅନ୍ୟାନ୍ୟ ସରଞ୍ଜାମ । ବିଲ୍ ନେଇ ତା’ ହାତକୁ ଦଶଟଙ୍କିଆ ଖଣ୍ଡେ ନୋଟ୍ ବଢ଼ାଇ ଦେଇ ପାଣି ଗିଲାସେ ପିଇ ବିଛଣା ଉପରେ ଲମ୍ବ ହୋଇ ଶୋଇ ପଡ଼ିଲା ସଦାନନ୍ଦ ସ୍ଵସ୍ତିରେ ଟିକେ ନିଃଶ୍ଵାସ ମାରିବା ପାଇଁ ।

 

କିନ୍ତୁ ମୁଦ୍ରିତ ଆଖିର ମାନସ ରାଜ୍ୟରେ ସେ ଦେଖିଲା । କେବଳ ଶହ ଶହ ପ୍ରସାରିତ ହାତ, ଅଗଣିତ ନିରନ୍ନ ଲୋକଙ୍କର ନଗ୍ନ ଚାହାଣୀ । ମୁଠିଏ ଅନ୍ନ ପାଇଁ ମଣିଷ ଜୀବନର ଅନନ୍ତ ସମ୍ଭାବନାକୁ ଜଳାଞ୍ଜଳି ଦେଇ ମଣିଷକୁ ରାସ୍ତାକଡ଼ର ଶ୍ଵାନଠାରୁ ହୀନ ହୋଇଯିବାକୁ ହୋଇଛି ଆଜି-!

 

ନିଦ ହେଲାନି ସଦାନନ୍ଦର । ମଥାଟି ଭାରି ଭାରି ଲାଗୁଥିଲା ଅଶ୍ଵସ୍ତିରେ । ଅବସାଦରେ ପୂରି ଯାଇଥିଲା ଦେହ, ମନ । ବିଛଣା ଉପରେ ନିର୍ଜୀବ ପରି ପଡ଼ି ରହିଲା ଆମେରିକାର ପ୍ରାଚୁର୍ଯ୍ୟ ମଧ୍ୟରୁ ଫେରୁଥିବା ସଦାନନ୍ଦ ବର୍ତ୍ତମାନର କର୍ତ୍ତବ୍ୟ, ଭବିଷ୍ୟତର ଆଶା ସମ୍ପର୍କରେ ଭାବି ଭାବି ।

 

ଶୋଇ ଶୋଇ ସ୍ଵପ୍ନ ଦେଖୁଥିଲା ସେ ।

 

ପୃଥିବୀର ହାତ ଧରି ଆଗେଇ ଯାଉଛି ସେ ଏକ ପୁଲକରେ । ଅଙ୍ଗେ ଅଙ୍ଗେ ନୂତନ ମହକର ସ୍ପର୍ଶ ବୋଳି, ପ୍ରତ୍ୟେକ ହସରେ ପ୍ରାଣ ଉଭା ନିଶା ଢାଳି ଉଛୁଳା ଯୌବନର ଉଲ୍ଲାସରେ କେତେବେଳେ ତା’ ଉପରେ ଢଳିପଡ଼ୁଥିଲା ପୁରବୀ ତ କେତେବେଳେ ହାତ ଧରି ସେ ତାକୁ ଆକର୍ଷଣ କରୁଥିଲେ ତା’ ଆଡ଼କୁ । ପୁରବୀର ମୁହଁ ପାଖରେ ମୁହଁ ରଖି ଉଲ୍ଲସିତ ସର୍ବାଙ୍ଗରେ ମୁଖରିତ ନବେଦନକୁ ତା’ ମୁହଁ ଉପରେ ଥାପିଦବା ଆଗରୁ ସେମାନଙ୍କ ଆଡ଼କୁ ସହସ୍ର ନିରନ୍ନ, ନଗ୍ନ, କୁତ୍ସିତ ଲୋକଙ୍କର ପଟୁଆର, ଆସୁଥିବାର ଦେଖି ପାରିଲା ସଦାନନ୍ଦ । ଅଦ୍ଭୁତ ସେ ପଟୁଆର, ତୁଣ୍ଡରେ ଭାଷା ନାହିଁ, ଆଖିରେ ନିଶା ନାହିଁ, ଦାବୀ ନାହିଁ । ଦବି ଯାଇଛି ଜୀବନ ଜ୍ୟୋତି, ଶୁଖି ଯାଇଛି ବଞ୍ଚିବାର ଲାଳସା । ନୀରବ ପଟୁଆରର ଅବ୍ୟକ୍ତ ଆକୃତିରୁ ଝରି ପଡୁଥିଲା ଗୋଟିଏ ଭାଷା–ବଞ୍ଚାଅ ଆମକୁ…ବଞ୍ଚିବାକୁ ଦିଅ ଆମକୁ...

 

ସୁଖରେ ବଞ୍ଚିବା ପାଇଁ ଏବଂ ଅନ୍ୟମାନଙ୍କୁ ବଞ୍ଚାଇବା ପାଇଁ ତ ଆମେରିକାରୁ ସ୍ଵଦେଶକୁ ବାହୁଡ଼ି ଆସିଛି ସେ । ସେ ବି ଚାହେଁ ପୁରୁବୀ ସହିତ ବଞ୍ଚିବା ପାଇଁ, ତାକୁ ନେଇ ଛୋଟ ସଂସାରଟିଏ ଗଢ଼ିବା ପାଇଁ, ପରସ୍ପରର ସହଯୋଗ ଓ ସଂଯୋଗ ଦ୍ଵାରା ଗୋଟିଏ ବା ଦୁଇଟି ସ୍ଵପ୍ନଝରା ଉଚ୍ଛ୍ଵଳିତ ଜୀବନର ଉତ୍ତରାଧିକାର ଦେଖିବା ପାଇଁ ।

 

କିନ୍ତୁ ସେଇ କୁତ୍ସିତ, କଙ୍କାଳମାନଙ୍କର ସହସ୍ର ପ୍ରସାରିତ ହାତର କାରୁଣ୍ୟ ଦେଖି ଶଙ୍କାରେ ଥରିଉଠିଲା ସଦାନନ୍ଦ । ଭୟବିହ୍ଵଳ ପୁରବୀକୁ ପାଖକୁ ଟାଣି ନବାବେଳେ ସହସ୍ର ଦୀର୍ଘଶ୍ଵାସର ଅଗ୍ନି ପ୍ରବାହରେ ନିଦ ଭାଙ୍ଗିଗଲା ତାର ।

 

ବହୁତ ସମୟ ବୋଧେ ଶେଇ ପଡ଼ିଥିଲା ସଦାନନ୍ଦ । ଉଠି ବସି ଝରକା ଦେଇ ବାହାରକୁ ଚାହିଁଲା ସେ । ରାଶି ରାଶି ଅନ୍ଧକାର ମଧ୍ୟରେ କେଉଁ ଏକ ଅଜ୍ଞାତ ସ୍ଥାନରେ ଛିଡ଼ା ହୋଇଥିଲା ଗାଡ଼ି । ଜଣେ ଦୁଇଜଣଙ୍କର ଅସ୍ପଷ୍ଟ କଥା ଭସି ଆସୁଥୁଲା ଦୂରରୁ ।

 

ସଦାନନ୍ଦ ବୁଝିପାରିଲା ନାହିଁ କିଛି । ଅଳ୍ପ ସମୟ ପରେ ହାତରେ ବତୀ ହଲାଇ ହଲାଇ ନିଜ ବଗିଆଡ଼କୁ ଫେରୁଥିବା ଗାର୍ଡ଼ଙ୍କୁ ଦେଖି ପଚାରିଲା ସଦାନନ୍ଦ ଏ କେଉଁ ସ୍ଥାନ ଆଜ୍ଞା ! ଗାଡ଼ି ଅଟକି ନଯାଇ ଚାଲି ଯାଉଁ ଯାଉଁ କହିଲା—ଗୋଟିଏ ପୁତା ଭୋକିଲା ପରିବାରର ସାତଜଣ ଦୁଃସ୍ଥ ବ୍ୟକ୍ତି ରେଳଲାଇନ ଉପରେ ଚଳନ୍ତା ଗାଡ଼ି ସମ୍ମୁଖରେ ଚିରଦିନ ପାଇଁ ଶୋଇ ଯାଇଛନ୍ତି ସାହେବ । ଆଉ ଶୋକ ନାହିଁ, ଦୁଃଖ ନାହିଁ, ଜୀବନ ଯୁଦ୍ଧର ଜୟ ପରାଜୟ ନାହିଁ । ଚିରଦିନ ପାଇଁ ଶୋଇ ଯାଇଛନ୍ତି ।

 

ଅଥଚ ଅଳ୍ପଦନ ଜୀଇଁ ରହିବା ପାଇଁ ଅସିଥିଲେ ସେମାନେ । ଏହି ଅନନ୍ତ ସମୟର ପ୍ରବାହ ସେମାନଙ୍କୁ ସାମାନ୍ୟ ଟିକିଏ ସମୟ ଦେଲା ନାହିଁ ସୁଖରେ ସଂସାର କରିବା ପାଇଁ, ସୁଯୋଗ ଦେଲାନାହଁ ସମୃଦ୍ଧି ପାଇଁ ସାଧନା କରିବା ପାଇଁ ।

 

ଅଳ୍ପ ସମୟ ପରେ ଗାଡ଼ି ଛାଡ଼ିଲା । କିନ୍ତୁ ଜାଣେନି କାହିଁକି କେଉଁ ଏକ ଅସହ୍ୟ ବେଦନାରୁ ରେଳ ପହି ଉପରେ ଶୋଇ ପଡ଼ିଥିବା ସେଇ ଅଜ୍ଞାତ ସାତଜଣଙ୍କ ଉଦ୍ଦେଶ୍ୟରେ ମଥା ନତ କରି ମନେ ମନେ କହିଲା ସଦାନନ୍ଦ—ହେ ମରଣଶୀଳ ଜଗତର ଅପାଙ୍‌କ୍ତେୟ ଅମୃତର ସନ୍ତାନ । ତୁମକୁ ଯୁଗ ଯୁଗର ଅବହେଳା, ଲାଞ୍ଛନା, ବଞ୍ଚନା ଦେଇ କେବଳ ବଞ୍ଚି ରହିଛି ଯେ ମଲାଙ୍ଗ ମଣିଷ ସମାଜ, କ୍ଷମାକର ସେମାନଙ୍କୁ, କ୍ଷମାକର ମୋତେ, କ୍ଷମା କର ପୁରବୀକୁ ।

 

ଆଉ ଏକ ଷ୍ଟେସନରେ ଗାଡ଼ି ପହଞ୍ଚଲା କ୍ଷଣି ଗାଡ଼ିରୁ ଓହ୍ଲାଇ ପଡ଼ି ଟେଲିଗ୍ରାମ ଅଫିସକୁ ଯାଇ ତରତର ହୋଇ ପୁରବୀ ପାଖରୁ ଗୋଟିଏ ତାର ପଠାଇ ଦେଲା ସଦାନନ୍ଦ ।

 

—ସୁଖ ନୁହେଁ, ସମୃଦ୍ଧି ନୁହେଁ, ସହସ୍ର ନୀରବ, ନିରନ୍ନ ଲୋକଙ୍କର ପ୍ରସାରିତ ହାତକୁ ନରାଶ ନକରିବା ପାଇଁ ଜୀବନ ଉତ୍ସର୍ଗ କଲ ପୁରବୀ । ଆଉ ଥରେ ନିବେଦନ କରୁଛି, ଯଦି ମୋ ପ୍ରତି ଟିକିଏ ହେଲେ ଦରଦ ଥାଏ, ଆସ ଏହି ଅସହାୟ, ଅବହେଳିତ ମଣିଷମାନଙ୍କ ସେବାରେ ଜୀବନ ଉତ୍ସର୍ଗ କରିବା..ଏକାକୀ ଏଇ ପଥରେ ଚାଲିବା ପାଇଁ ସାହସ ଥିଲେ ବି ଶକ୍ତିର ଅଭାବ ହୋଇପାରେ । ତମେ ସେଇ ଶକ୍ତି ଦବ ପୁରବୀ ?

 

ତାର ପଠାଇ ଦେଲା, ହାଲୁକା ମନରେ ଆସି ପୁଣି ନିଜ ବିଛଣା ଉପରେ ଶୋଇପଡ଼ିଲା ସଦାନନ୍ଦ । ଯଦି ପୁରବୀ ଆଗେଇ ଆସେ ତାକୁ ନୁହେଁ ତାର ପଥକୁ ବରଣ କରିବା ପାଇଁ, କେଡ଼େ ଭାଗ୍ୟବାନ ନହେବ ସତରେ ସେ ।

 

ତିନିଦିନ ପରେ ଯେତେବେଳେ ଯାଇ ମୟୂରଭଞ୍ଜର ପାହାଡ଼ ଘେରା ଏକ ଅଖ୍ୟାତ ଗ୍ରାମର ନିଶ୍ଚଳତା ମଧ୍ୟରେ ଆତ୍ମୀୟ ସ୍ଵଜନମାନଙ୍କ ଗହଣରେ ପହଞ୍ଚିଲା ସଦାନନ୍ଦ, ସେତେବେଳକୁ ମେଘଦୂତର ବେଗ ଓ ପ୍ରାଣର ଚିରନ୍ତନ ଆବେଗ ନେଇ ଅପ୍ରତ୍ୟାଶିତ ଭାବରେ ପୁରବୀର ଉତ୍ତର ଅପେକ୍ଷା କରୁଥିଲା ତାକୁ—ମୁଁ ରାଜି, ରାଜି, ରାଜି… ।

☆☆☆

 

ସାକାରିନର ଚାହା

 

ମୋହିନୀମୋହନ ବାବୁ ଦେଶର ଜଣେ ମହାନ ସମାଜସେବୀ, ସେକଥା ମୁଁ ସ୍ପଷ୍ଟ ଭାବରେ ବୁଝି ପାରି ନତମସ୍ତକ ହେଲି ତାଙ୍କ ବ୍ୟକ୍ତିତ୍ଵ ଆଗରେ । ସେ ଚାକିରୀ କରି ରାଜନୀତି କରିବାର ସ୍ଵାଧୀନତା ଟିକକୁ ବଳିଦେଇ ବି ନିଜର ବ୍ୟକ୍ତିତ୍ଵର ବିକାଶକୁ ବ୍ୟାହତ କରିନାହାନ୍ତି । ରାଜନୀତିରେ କେତେକ ବ୍ୟକ୍ତିଙ୍କର ପୂର୍ଣ୍ଣ ବିକାଶ ହୁଏ ନାହିଁ ବୋଲି ସେମାନେ ବୋଧେ ରହି ଯାଆନ୍ତି ରାଜନୀତିର ବାହାରେ । ସେଥିପାଇଁ ସମାଜ ସେବାକୁ ନିଜର ବ୍ରତଭାବରେ ଗ୍ରହଣ କରିଥିଲେ ମୋହିନୀମୋହନ ।

 

ସେ ନିର୍ବାହୀ ଯନ୍ତ୍ରୀ । ସବୁ କାର୍ଯ୍ୟକୁ ପରମ ନିପୁଣତାର ସହିତ ନିର୍ବାହ କରନ୍ତି ବୋଲି ବନ୍ଧୁ, କର୍ମଚାରୀ ମଥା ଉପର ମହଲରେ ଖ୍ୟାତି ଅଛି ତାଙ୍କର । ସେ ଅଜାତଶତ୍ରୁ, ସବୁବେଳେ ମୁହଁ ଉପରେ ଆପଣାର କରିବାର ହସ ।

 

ସେ ଦିନ ମୁଖ୍ୟଯନ୍ତ୍ରୀଙ୍କ ଅଫିସ ସାମ୍ନାଦେଇ ବୁଲିଗଲାବେଳେ ଜଣେ ଦୀର୍ଘକାୟ ବ୍ୟକ୍ତିଙ୍କୁ ଦେଖାଇ ଦେଇ କହିଲା ବିକ୍ରମ—ଏଇ ଦେଖ୍ ମୋହିନୀମୋହନ ବାବୁ ଯାଉଛନ୍ତି ! ଚିହ୍ନୁଁଚୁ-?

 

—ନା ଭାଇ ! ମୋର ସେ ସୌଭାଗ୍ୟ ଆଜିଯାଏ ହୋଇନାହିଁ । ଖେଦ ପ୍ରକାଶ କରି କହିଲି ମୁଁ ।

 

—ବାସ୍ ଭଲହେଲା, ଆଜି ଚିହ୍ନିଗଲୁ ।

 

ସେ ମୋ କାନ୍ଧ ଉପରେ ଥାପୁଡ଼ାଏ ମାରି କହିଲା ।

 

—ଏତେ ଶୀଘ୍ର ମଣିଷକୁ ଚିହ୍ନି ହୁଏ ନାହିଁରେ...

 

ମୁଁ ଧୀରେ ଧୀରେ କହିଲି ।

 

ସେ କହିଲା–ଚିହ୍ନିନେ, ଦରକାର ବେଳେ କାର୍ଯ୍ୟରେ ଆସିବ । ମସ୍ତବଡ଼ ଲୋକ । ସବୁଠାରେ ପ୍ରବେଶ ଅଛି, ସବୁ ସଂସ୍ଥାକୁ ଅବଦାନ ଅଛି ।

 

ମୁଁ କହିଲି ଯେତେହେଲେ ଅଫିସିଏଲ ତ !

 

ସେ କହିଲା—ଏଇ ଗୋଟାଏ ଶବ୍ଦ ବ୍ୟବହାର କରି ଚପ୍ରାସୀଠାରୁ ଚିଫ ସେକ୍ରେଟାରୀ ପର୍ଯ୍ୟନ୍ତ ସମସ୍ତଙ୍କର ସଂଜ୍ଞା ନିରୂପଣ କରାଯାଇପାରେ; କିନ୍ତୁ ଏଇ ଗୋଟାଏ ଶବ୍ଦଠାରୁ ମୋହନୀମୋହନ ବଡ଼ ଏବଂ ତାଙ୍କର ପରିସର ଅନେକ ବିରାଟ ।

 

ମୁଁ କହିଲି—ଭଦ୍ରଲୋକ ଆଉ କଅଣ କରନ୍ତି ।

 

ସେ କହିଲା—କହିଲି ପରା ସମାଜସେବା ।

 

ଏଇ ଆମ ଆଚାର୍ଯ୍ୟ ନଗରକୁ ଗଲାବେଳେ ଯେଉଁ ଶ୍ରମିକ ସହର ନୂଆହୋଇ ତିଆରି ହୋଇଛି, ତାହା ୟାଙ୍କର କୀର୍ତ୍ତି ।

 

ଶ୍ରମିକ ସହରକୁ ମୁଁ ଯାଇଥଲି ଉଦ୍‌ଘାଟନ ଉତ୍ସବ ଦିନ । ମୁଁ ଜଣେ ସ୍ଵଳ୍ପ ବେତନଭୋଗୀ ସାମ୍ବାଦିକ । ସେଦିନ ଉତ୍ସବରେ ସାମ୍ବାଦିକମାନଙ୍କୁ ଯେଉଁ ସମ୍ବର୍ଦ୍ଧନା ଦିଆଯାଇଥିଲା ତାହା ତ୍ରୁଟିହୀନ, ସମସ୍ତେ ଖୁସି—ହୋଇ ଅନୁଷ୍ଠାନର ବିବରଣୀ ପ୍ରଚାର କରିଥିଲେ ନିଜ ନିଜ କାଗଜରେ-। ମୁଁ ସେହିପରି କରିଥିଲି । ପ୍ରାୟ ଦୁଇ ତିନି ମାସ ପରେ ଦିନେ ସେହି ବାଟଦେଇ ଯିବାବେଳେ ହଠାତ୍ ବର୍ଷା ଆସିଗଲା, ମୁଣ୍ଡ ଗୁଞ୍ଜିବା ପାଇଁ ମୁଁ ଗୋଟିଏ ଶ୍ରମିକ ନିବାସ ଭିତରେ ପଶିଗଲ-

 

ଘର ଭିତରୁ ଜଣେ ମଧ୍ୟବୟସ୍କ ବ୍ୟକ୍ତି ବାହାରି ଆସି କହଲା—ବର୍ଷାରେ ଭିଜିଗଲା କି ବାବୁ ।

 

ମୁଁ ସତରେ ଟିକିଏ ଭିଜି ଯାଇଥିଲି । କହିଲି—ହଠାତ୍ ବର୍ଷା ଆସିଗଲା, ପାଖରେ ଛତା ନଥିଲା ।

 

ସେ କହିଲା—ନ ହେଲେ ଘର ଭିତରେ ବର୍ଷା ହେବାର ଅପୂର୍ବ ଦୃଶ୍ୟ ଆପଣ ଦେଖି ପାରି ନଥାନ୍ତେ ।

 

ମୁଁ ଆଶ୍ଚର୍ଯ୍ୟ ହୋଇ କହିଲି—ଘର ଭିତରେ ବର୍ଷା ! ୟାର ଅର୍ଥ ବୁଝି ପାରିଲି ନାହିଁ ।

 

ସେ ମୋତେ ବାରନ୍ଦାରୁ ଘର ଭିତରକୁ ନେଇ ଯାଇ ଦେଖାଇଲା । ତିନୋଟି କୋଣରେ ଛାତ ଉପରୁ ପାଣି ଗଳୁଥିଲା, ସେଇ ବାଟଦେଇ ବି ବର୍ଷା ପାଣି ଭିତରକୁ ପଶୁଥୁଲା ।

 

ମୁଁ କହିଲି—ଅଳ୍ପଦିନ ହେଲା ଏଇ ଘରସବୁ ତିଆରି ହୋଇଥିଲା ନା !

 

ସେ କହିଲା—ଆଜ୍ଞା, ଏଇ ତିନି ମାସ ହବ ଆମେ ରହିଛୁ ଏଠି ।

 

ମୁଁ ଯେ ଏଇ ଶ୍ରମିକନିବାସ ଉଦ୍‌ଘାଟନ ଉତ୍ସବକୁ ଆସି ସମ୍ବର୍ଦ୍ଧିତ ହୋଇଥିଲି, ଏ କଥା ସାହସ କରି ଆଉ କହିପାରିଲି ନାହିଁ ।

 

ସେ କହିଲା—କୁଡ଼ିଆ ଭିତରେ କିନ୍ତୁ ଭଲ ଥିଲୁ ବାବୁ !

 

ମୁଁ ଆଶ୍ଵାସନା ଦେଇ କହିଲି—କହିଲେ ମରାମତି ହୋଇଯିବ ଯେ !

 

ସେ ମୋ ମୁହଁକୁ ଚାହଁ ଆଉ କିଛି ନକହି ତୁନି ରହିଲା ।

 

ଆଜି ସେ ଦିନର ସେଇ କଥା ଗୁଡ଼ାକ ଗୋଟି ଗୋଟି କରି ମୋର ମନେ ପଡ଼ିଗଲା । ସେଇ ଶ୍ରମିକ ନିବାସ ଗୁଡ଼ିକ ମୋହନୀ ମୋହନଙ୍କର ଯେ ଅକ୍ଷୟ କୀର୍ତ୍ତି, ତାହା ସ୍ମରଣ କରିପକାଇ ମୁଁ ଆବାକ ହୋଇ ସେ ଅପସୃୟମାନ ବ୍ୟକ୍ତିତ୍ୱ ଆଡ଼କୁ ଅନାଇ ରହିଲି ଅପଲକ ନୟନରେ ।

 

ବିକ୍ରମ କହିଲା—ଆଜି ବଡ଼ ବ୍ୟସ୍ତ ଅଛନ୍ତି ସେ, ବଡ଼ ସାହେବଙ୍କୁ କହିବାକୁ ଆସିଥିବେ-। ଝିଅ ବାହାଘର ଯେ !

 

ମୁଁ କହିଲି ତୁ କେମିତ ଜାଣିଲୁ !

 

—ବାଃ ରେ ମୁଁ ଜାଣିବି ନାହିଁ । ମୁଁ ପରା ତାଙ୍କ ସାହିର ଲୋକ । ନିମନ୍ତ୍ରଣ ପତ୍ର ବି ପାଇଛି ।

 

—ତା’ ହେଲେ ଆଜି ବାହାଘର ମଜ୍ଜା ।

 

ସେ କହିଲା—ତୁ ଯିବୁନି ?

 

ମୁଁ କହିଲି—ମୁଁ ତ ନିମନ୍ତ୍ରିତ ନୁହେଁ ବିକ୍ରମ ।

 

ସେ କହିଲା—ନିମନ୍ତ୍ରଣ ପତ୍ର ଅବଶ୍ୟ ପାଇବୁ ।

 

ମୁଁ କହିଲି—ଦରକାର ନାହିଁ ।

 

ସେ କହିଲା—ଦରକାର ଅଛି ଭାଇ ! ମୋର ଅନୁରୋଧ ତୋତେ ଯିବାକୁ ହବ ।

 

ମୋହିନୀମୋହନ ବାବୁଙ୍କ ଝିଅ ବିଭାଘରକୁ ମୋର ଯିବାରେ ବିକ୍ରମର କାହିଁକ ଏତେ ଆଗ୍ରହ ବୁଝି ପାରିଲି ନାହିଁ ।

 

ମୁଁ ରାଜି ହୋଇଗଲି । ଅନିମତ୍ରିତ ଭାବରେ ତ ଯାଇ ନାହିଁ, ନିମନ୍ତ୍ରଣ ପତ୍ରର ଅଧିକାରୀ ହୋଇ ଯିବାରେ ଆପତ୍ତି ରହି ନପାରେ । ସେ ସତକୁ ସତ ଗୋଟିଏ ନିମନ୍ତ୍ରଣ ପତ୍ର ମୋ ନାମରେ ଲେଖାଇ ଆଣି ପରେ ଦେଇଗଲା । ସେହି ଦିନ ସଂଧ୍ୟାରେ ଘରେ ଆଉ ଖାଇବି ନାହିଁ କହିଦେଇ ବିବାହ ସମ୍ବର୍ଦ୍ଧନାରେ ଯୋଗ ଦବାପାଇଁ ଧୋତି ପଞ୍ଜାବୀ ପିନ୍ଧି ବାହାରିଗଲି ତା’ ସହିତ ।

 

ମୋହିନୀମୋହନ ବାବୁଙ୍କର ଘର ରାଜପଥକୁ ଲାଗି । ଦ୍ଵିତଳ ପ୍ରାସାଦ । ଆଗରେ ସାମିଆନା ଏବଂ ସାଜସଜ୍ଜା । ଘର ସାମ୍ନାରେ ଗୋଟିଏ ପାଣିର ଫୁଆରା । ବିଭିନ୍ନ ରଙ୍ଗର ଆଲୋକମାଳା ପାଣିକୁଣ୍ଡ ଭିତରେ ଏବଂ ବାହାରେ ବେଶ୍ ମନୋରମ ପରିବେଶ ସୃଷ୍ଟି କରିଥିଲା । ଏତେ ଆଲୋକ ଥିବା ସତ୍ତ୍ୱେ ଆଲୋକର ତିବ୍ରତାକୁ ରଙ୍ଗୀନ କାଗଜର ଘୋଡ଼ଣୀ ସାହାଯ୍ୟରେ ବେଶ କମନୀୟ କରି ଦିଆଯାଇଥିଲା ।

 

ଆମେ ଦୁହେଁ ଭିତରକୁ ପଶୁ ପଶୁ ଗୋଲାପ ଜଳର ଛିଟା ଲାଗିଲା ଦେହରେ ମୁହଁରେ ।

 

ପ୍ରାୟ ଏକ ସମୟରେ ଦୁଇଟି ମୋଟର ଗାଡ଼ି ଛିଡ଼ା ହେଲା ଫାଟକ୍‌ ସାମ୍ନାରେ । ହନ୍ତସନ୍ତ ହୋଇ ଦଉଡ଼ିଗଲେ ସମ୍ବର୍ଦ୍ଧନାକାରୀମାନେ । ନିଜେ ମୋହିନୀମୋହନ ଓହ୍ଲାଇ ଆସିଲେ ଉପର ମହଲାରୁ ।

 

ଆମ ଦୁହିଙ୍କୁ ପାଛୋଟି ନଉଥିବା ବ୍ୟକ୍ତିଟି ସହସା ଅନ୍ତର୍ଦ୍ଧାନ ହୋଇଗଲେ । ଭି ଆଇ ପି ମାନଙ୍କୁ ପାଛୋଟି ଆଣିବା ପାଇଁ ଯାଇଥିଲେ ନିଶ୍ଚୟ ।

 

ଗୋଟିଏ କୋଣକୁ ଦୁଇଟି ଚୌକି ଦଖଲ କରି ଅପେକ୍ଷାକଲୁ ଆମେ ଦୁହେଁ ।

 

ବିଶିଷ୍ଟ ଆତିଥିମାନଙ୍କୁ ହସ ହସ ମୁହଁରେ ପାଛୋଟି ଆଣିଲେ ମୋହିନୀମେ ହନ ।

 

ବଡ଼ ସାହେବ ଏବଂ ତାଙ୍କ ପରିବାର । ବଡ଼ ସାହେବଙ୍କ ସାହେବାଣୀଙ୍କ ବପୃ ଦେଖିଲାଭଳି । ବେଶ୍ ପୃଥୁଳକାୟ, ହଲିଦୋହଲି ଆସୁଥାଆନ୍ତି । ସମୀହ କରି ତାଙ୍କୁ ମଝିରେ ରଖି ଅନ୍ୟମାନେ ଚାଲୁଥାନ୍ତି ଯେପର । ୟାଙ୍କୁ ଦେଖି ଆଜି ପ୍ରକୃତରେ ଗଜଗମନୀର ଅର୍ଥ ବୁଝିପାରିଲି । ତାଙ୍କ ଆବିର୍ଭାବ ଦେଖି ମତ୍ତଗଜ ଗମନୀ କହିଥିଲେ ଏହି ସ୍ଥାନରେ ଅଧିକ ପ୍ରଯୁଜ୍ୟ ହୁଅନ୍ତା ବୋଲି ମନକୁ ପ୍ରୋବଧ ଦେଲି ।

 

ସାମ୍ନାପଡ଼ିଆ ମୋଟର ଗାଡ଼ିରେ ପରିପୂର୍ଣ୍ଣ ହୋଇଗଲା । ପ୍ରାୟ ହଜାରରୁ ଊର୍ଦ୍ଧ୍ୱ ଅତିଥିଙ୍କ ସମାବେଶରେ ବିବାହ ଆସର ବେଶ୍ ସରଗରମ ହୋଇଉଠିଲା ।

 

ମଣ୍ଡପ ଉପରେ ବର ଓ କନ୍ୟାଙ୍କୁ ଆଣି ବସାଇ ଦିଆଗଲା । ଆଉ ସଙ୍ଗେ ସଙ୍ଗେ ଫୁଟନ୍ତା ଗୋଲାପ ଓ ରଜନୀଗନ୍ଧାର ସାତୋଟି କୁଣ୍ଡ ଆଣି ସାତୋଟି କୁମାରୀ କନ୍ୟା ସେମାନଙ୍କ ଚାରିପାଖରେ ରଖି ଦେଇଗଲେ । ମଥାରେ ସିନ୍ଦୂର, ଦେହରେ ଲାଲ ଧଡ଼ିର ଶାଢ଼ି ଥିବା ଜଣେ ସୁନ୍ଦରୀ ଯୁବତୀ ଗୃହବଧୂ ଆସି ସାତଥର ଶଙ୍ଖ ବଜାଇଦେଲେ । ସାତଜଣ ଅଳ୍ପ ବୟସ୍କା କୁମାରୀ ଆସି ସେଠାରେ ଧୂପକାଠି ଜାଳି ଦେଇଗଲେ ।

 

ମନ୍ତ୍ରମୁଗ୍‌ଧ ପରି ମୁଁ ସେଇ ଆଡ଼କୁ ଚାହଁ ରହିଥିଲି ।

 

ଅଳ୍ପ ସମୟ ଭିତରେ ମଣ୍ଡପ ପାଖରେ ବେଶ୍ ଭିଡ଼ ଜମିଉଠିଲ । ଅତିଥିମାନେ ଆଣିଥିବା ଉପହାର ନେଇ ମଣ୍ଡପ ପାଖକୁ ଯିବାପାଇଁ ଉଦ୍ୟମ କରୁଥିଲେ । କେହି ଖାଲି ହାତରେ ଆସି ନଥିଲେ, ଆସିବା ଶୋଭନୀୟ ମଧ୍ୟ ନୁହେଁ । ଏହାବୋଲି ସହରର ନାମଯାଦା ନିର୍ବାହୀଯନ୍ତ୍ରୀଙ୍କ ଘରକୁ ଚାରି ପାଞ୍ଚଜଣ ମିଶି ଚାନ୍ଦାକରି ଗୋଟେ କିଛି ଆଣି ଉପହାର ଦେବା ଯୁକ୍ତି-ଯୁକ୍ତ ହୁଏ ନାହଁ । ସମ୍ମାନରେ ବାଧା ଆସେ । କଏ ଟାଇମ୍-ପିସ. କିଏ ହଟର, କିଏ ଷ୍ଟୋଭ, କିଏ ହାତଘଡ଼, କିଏ ସୁନାମୁଦି ତ ଆଉ କିଏ ଟାନ୍‌ସିଷ୍ଟର ବା ଅଟୋମେଟିକ ସେଭିଂସେଟ ବା କାମେରା-

 

ମଥାରେ ପଗଡ଼ି, ଦେହରେ ଗଳାବନ୍ଧ କୋର୍ଟ ପରିହିତ ଜଣେ ପୃଥୁଳକାୟ ବ୍ୟକ୍ତି ଆସି ପହଞ୍ଚିଗଲେ । ତାଙ୍କ ପଛେ ପଛେ ଦୁଇଜଣ ଗୋଟିଏ ଛୋଟ ପ୍ୟାକେଟ ବୋହଆଣିବାର ଦେଖିଲି-

 

—କଅଣ ଥାଇପାରେ ? ପଚାରିଲି ବିକ୍ରମକୁ ।

 

—ଅନୁମାନ କର । ସେ କହିଲା ।

 

—ମିଷ୍ଟାନ୍ନ–ମୁଁ କହିଲି ।

 

—ବୋକା ନହେଲେ ଏମିତି ଅନୁମାନ କେହି କରେ ?

 

ମିଷ୍ଟାନ୍ନ ନେଇ ଶେଠଜୀ ଏଠାକୁ ଆସିବେ ନାହିଁ । ଭିତରେ ଇଲେକ୍‌ଟ୍ରିକ ଓଭେନ୍ ଓ କୁକିଂ ସେଟ୍ ଏବଂ ମନୋରଞ୍ଜନ ପାଇଁ ଏଇଚ୍ ଏମ୍ ଭିର ଦାମୀ ପୋର୍ଟେବଲ ଗ୍ରାମୋଫୋନ ସେଟ ରହିଛି ।

 

—ତୁ ଦେଖିଲା ପରି ସବୁ କହିଯାଉଛୁ ଯେ ବିକ୍ରମ !

 

ମୁଁ ଅବିଶ୍ଵାସୀ ସ୍ଵରରେ କହିଲି । ବିକ୍ରମ କାନ ପାଖରେ ମୁହଁ ରଖି କହିଲା—ଶେଠଜୀ କଅଣ ଦେଲେ କାମରେ ଲାଗିବ ତାହା ଆଗରୁ ବୁଝି ନେଇଥିଲେ । କାଲି ସନ୍ଧ୍ୟାବେଳେ ମୋହିନୀ ଷ୍ଟୋରରୁ ଏସବୁ କିଣୁଥିବାର ଦେଖିଛି ମୁଁ ।

 

ବାସ୍ ଭଲ ତ ! ଆଗରୁ ବୁଝିନେଇ କିଣିଲେ କାମରେ ବି ଆସିବ, ଆଉ ଅଯଥା ମୋହିନୀମୋହନ ବାବୁଙ୍କୁ ଖର୍ଚ୍ଚାନ୍ତ ହେବାକୁ ଦବ ନାହିଁ ।

 

ସେତେବେଳକୁ ସବୁଆଡ଼େ ଆନନ୍ଦ କୋଳାହଳ, ଆଡ଼ମ୍ବରର ଧୁମ୍‌ଧାମ୍ । କେତେ ବଡ଼ ବଡ଼ ଲୋକଙ୍କର ସମାବେଶରେ ବିବାହ ସମ୍ବର୍ଦ୍ଧନା ସଭା ବେଶ୍ ପରିପୂର୍ଣ୍ଣ ହୋଇ ଉଠିଥାଏ ।

 

ମୋହିନୀମୋହନ ଆଦର୍ଶବାଦୀ ବ୍ୟକ୍ତି । ଉପରିସ୍ଥ କର୍ମଚାରୀ ହେଲେ କଅଣ ହବ ତାଙ୍କର ଆଭିଜାତ୍ୟ ଅଛି । ଚଳଣିରେ କାଏଦା ଓ କସରତ୍ ଅଛି । ସେ ତିନୋଟି କନ୍ୟାର କେବଳ ପିତା ହୋଇ କ୍ଷାନ୍ତ ହୋଇ ନ ଥିଲେ । ସେମାନଙ୍କୁ ସତ୍‌ପାତ୍ରସ୍ଥ କରିବାପାଇଁ ସବୁକିଛି ଦବାର ସାମର୍ଥ୍ୟ ତାଙ୍କର ଥିଲେ ମଧ୍ୟ କୌଣସି ଡିମାଣ୍ଡ ନ ଦେବାପାଇଁ ସେ ବହୁକାଳରୁ ପ୍ରତିଜ୍ଞାବଦ୍ଧ ହୋଇଥିଲେ । ଯୌତୁକ ସେ ନେବେନାହିଁ ବା ଦେବେନାହିଁ । ପୁଅ ନଥିବାରୁ ନବାର ପ୍ରଶ୍ନ ଉଠୁନାହିଁ; ଏଣୁ ଦବାର ପ୍ରଶ୍ନ ଉପରେ ନୀତିଗତ ସିଦ୍ଧାନ୍ତ ସେ ଗ୍ରହଣ କରିଥିଲେ । ତାଙ୍କ ମତରେ ଯୌତୁକ ଏକ ସାମାଜିକ ଅଭିଶାପ । ଏହାକୁ ମୂଳୋତ୍ପାଟନ କରିବା ପ୍ରତ୍ୟେକ ସାମାଜିକ ପ୍ରାଣୀର କର୍ତ୍ତବ୍ୟ ।

 

ଏହି କର୍ତ୍ତବ୍ୟକୁ ପାଳନ କରିବା ପାଇଁ ଯାଇ ସେ ବରପକ୍ଷକୁ ଯୌତୁକ ନିଜ ତରଫରୁ ଦବାପାଇଁ ମନାକରି ଦେଇଥିଲେ । ତେବେ ତାଙ୍କ ନିଜ ଝିଅ ଗାଡ଼ି ବିନା ଯିବାଆସିବା କରିପାରେ ନାହିଁ ବୋଲି ତାହାରି ସୁବିଧା ପାଇଁ ଗୋଟିଏ ନୂଆ ଫିଆଟ ଗାଡ଼ି ଦେଇଥିଲେ । ସମସ୍ତଙ୍କୁ ଏହା ଯୌତୁକ ନୁହେଁ ବୋଲି ମଧ୍ୟ ସେ ପ୍ରଥମରୁ ଜଣାଇ ଦେଇଥିଲେ ।

 

ବରପିତା ଜଣେ ଆଇ.ଏ.ଏସ.କୁ ଜନ୍ମ ଦେଇ କାଳେ ଠକିଯିବେ—ତାହା ଯେପରି ନ ହୁଏ, ମୋହିନୀମୋହନ ସେଥିପ୍ରତି ତୀକ୍ଷଣ ଦୃଷ୍ଟି ଦେଇଥିଲେ । ସେ ସିନା ଯୌତୁକ ଦେବେ ନାହିଁ ବୋଲି ଭୀଷ୍ମପଣ କରି ବସିଛନ୍ତି, କିନ୍ତୁ ଉପହାର ଦବାକୁ ସେ କଦାପି କଣ୍ଟ୍ରୋଲ କରିପାରିବେ ନାହିଁ-। ଏହା କରିବା ପାଇଁ ନୈତିକ ବା ଦୈହିକ କ୍ଷମତା ତାଙ୍କର ନାହିଁ । ସ୍ୱଇଚ୍ଛାରେ ଆଶୀର୍ବାଦ ଆକାରରେ ଯଦି ସ୍ନେହୀ ଶୁଭେଚ୍ଛୁ ବନ୍ଧୁମାନେ କିଛି ଦିଅନ୍ତି, ତାହା ସେ ବନ୍ଦକରି ପାରିବେ ନାହିଁ-। ପରିବାରଠାରୁ ଦେଶର ସବୁ କାର୍ଯ୍ୟ ଯୋଜନା ଅନୁସାରେ କଲେ ଆମକୁ ଅନେକ ଦୁର୍ଭାଗ୍ୟରୁ ରକ୍ଷା ମିଳିଯାଆନ୍ତା ବୋଲି ସେ କଥା ପ୍ରସଙ୍ଗରେ କହନ୍ତି ।

 

ସେହି ଯୋଜନା ଯେପରି ଠିକଣା ବାଟରେ ଚାଲି କାର୍ଯ୍ୟକାରୀ ହୁଏ, ସେଥିପ୍ରତି ସେ ତୀକ୍ଷଣ ଦୃଷ୍ଟି ଦେଇଥିଲେ । କେଉଁ ଜିନିଷ ଝିଅ ସାଙ୍ଗରେ ଦବା ଉଚିତ ଅଥଚ ଯୌତୁକ ବୋଲି ଧରି ନିଆଯାଇପାରେ ବୋଲି ସେ ଦଉନାହାନ୍ତି, ତାହାର ଏକ ସୁବିସ୍ତୃତ ତାଲିକା ସେ ଆଗରୁ ପ୍ରସ୍ତୁତ କରି ହିତାକାଙ୍‌କ୍ଷୀମାନଙ୍କ ଜରିଆରେ ନିମନ୍ତ୍ରିତମାନଙ୍କ ମଧ୍ୟରୁ ଯିଏ ଯାହା ଦେଇପାରିବେ ସେହିପରି ଉପହାର ଦେଲେ କାମରେ ଆସିବ ବୋଲି ଆଗରୁ କୁହେଇ ଦେଇଥିଲେ । ଫଳରେ ଯୋଜନା ଅନୁସାରେ କାର୍ଯ୍ୟ ହେଲା ।

 

ବନାରସୀ ଶାଢ଼ିଠାରୁ ହୀରା ମୁଦିଯାଏ, ପୁଣି ଜାପାନୀ କ୍ୟାମେରାଠାରୁ ମୋଟରକାର ଯାଏ ସବୁ ଜିନିଷ ସେ ଝିଅ ଆଉ ଜୁଆଇଁ ପାଇଁ ଯୋଗାଡ଼ କରିପାରିଲେ; ଅଥଚ ଯୌତୁକ ଦେଲେନାହିଁ । ଶ୍ରମିକମାନଙ୍କ ପାଇଁ ଯେଉଁ ନଗର ନିର୍ମାଣ କରାଗଲା, ତା’ର ସମୂହ ଠିକାଦାର ଭାବରେ କାର୍ଯ୍ୟ କରୁଥିବା ଫତେଲାଲଜୀ ପୂରାଦାମ୍ ଦେଇ ଫିଆଟିଟି କଣିଦେଇ ମୋହମୀମୋହନଙ୍କ ନାମରେ ରସିଦ କଟାଇ କହିଲେ—ଝିଅ ବାପଘରେ ସବୁବେଳେ ଗାଡ଼ିରେ ବୁଲୁଛି । ଶ୍ୱଶୁର ଘରକୁ ତ ଆଉ ପାଦରେ ଚାଲି ଚାଲି ଯିବନାହିଁ । ଆପଣ ଭୀଷ୍ମଦେବ ହୋଇ ପ୍ରତିଜ୍ଞା ରକ୍ଷା କରନ୍ତୁ, ମୁଁ ଆପଣଙ୍କ ନାମରେ ରସିଦ୍ କଟାଇ ମୋ ଝିଅକୁ ସେଇଆ ଦେବି । ଆପଣଙ୍କ ଝିଅ ଓ ମୋ ଝିଅ ଭିତରେ ତ ଫରକ ନାହିଁ ।

 

ଏହିପରି ଝିଅ ଝିଅ ମଧ୍ୟରେ ଫରକ ଦେଖିପାରୁ ନଥିବା ବହୁ ମହାଶୟ ବ୍ୟକ୍ତି ବିଭିନ୍ନ ଉପହାର ଆଣି ବିବାହ ମଣ୍ଡପରେ କନ୍ୟା ଓ ବର ହାତକୁ ଟେକଦେଲେ । ପ୍ୟାକେଟ ସବୁ ନାଲି ହଳଦିଆ କାଗଜରେ ସଜ କରା ହୋଇଛି । ଭିତରେ ଫଟୋ ବା ପେନ୍ ଅଛି, ପ୍ଲାଷ୍ଟିକ ବା ପ୍ଳାଟିନମ ଅଛୁ ଜାଣିବା ଦୁଃସାଧ୍ୟ ।

 

ଘୋଡ଼ଣୀ ଜିନିଷଟିକୁ ମୋହମୀ ମୋହନ ଖୁବ୍ ପସନ୍ଦ କରନ୍ତି । ଆବିଳତା ନଥିଲେ ଲଜ୍ଜା ନ ଥାନ୍ତା । ଆଉ ଲଜ୍ଜା ନଥିଲେ ସୌନ୍ଦର୍ଯ୍ୟ ବା ଶାଳୀନତା ରହେନାହଁ । ସେଥିପାଇଁ ସେ ପ୍ରୟୋଜନ ଅନୁସାରେ ବନ୍ଧୁମାନଙ୍କୁ କହିଦେଇଥିଲେ ଆବରଣ ଦେଇ ଉପହାର ଆଣିବା ପାଇଁ । ସରକାରୀ ନିୟମ ଅନୁସାରେ ଉପହାର ମୂଲ୍ୟ କୋଡ଼ିଏ ଟଙ୍କାରୁ ଉର୍ଦ୍ଧ୍ୱ ହେଲେ ତାହା ନିଜ ଉପରିସ୍ଥଙ୍କୁ ଜଣାଇବାକୁ ପଡ଼ିବ । ଆବଶ୍ୟକ ହେଲେ ଜମା ବି ଦିଆଯାଇପାରେ । ଯୋଜନା ଅନୁସାରେ କାମ ନକଲେ ଏହାପରି ହୁଏ । ଯୋଜନାଟି ଠିକ୍‍ ଥିଲେ ଏପାଖ ସେପାଖ ହେବାର ଉପାୟ ନାହିଁ ।

 

ସମୟ ହୋଇଯାଇଥିଲା । ପ୍ରାୟ ଆଠଟା ରାତି । ଫୁଲପକା କାଗଜ ପ୍ଲେଟରେ ଗୋଟିଏ ସିଙ୍ଗଡ଼ା, ଗୋଟିଏ ଆଳୁଚପ୍, କିଛି ନଡ଼ିଆପକା ବୁଟ ଶିଝା, ଯୋଡ଼ିଏ ପକୋଡ଼ି ଏବଂ ଗୋଟିଏ କଦଳୀ । ରାତି ଆଠଟାବେଳକୁ ବେଶ୍ ଭୋକ ଲାଗି ଆସିଥିଲା । କିନ୍ତୁ ଏହିପରି ଗୋଟିଏ ସୁସଜ୍ଜିତ କାଗଜ ପ୍ଲେଟ ଦେଖି ଚମକିପଡ଼ିବା ଆଗରୁ ବିକ୍ରମ କହିଲା—କେବଳ କଅଣ ଯୌତୁକ ବିରୋଧୀ, ମୋହିନୀମୋହନ ପ୍ରଚଳିତ ଆଇନ କେବେ ଲଙ୍ଘନ କରିବେ ନାହିଁ । ଅତିଥି ସତ୍କାର ନିୟମ ଅନୁସାରେ ପଚିଶ ଜଣରୁ ଅଧିକ ଅତିଥିଙ୍କୁ ଅଟା, ମଇଦା ଚାଉଳ, ଚିନିର ଖାଦ୍ୟଦ୍ରବ୍ୟ ପରିବେଷଣ କରିହେବ ନାହଁ । ସେ ଏ ନିୟମ ଭାଙ୍ଗିବେ ନାହଁ ।

 

ତା’ପରେ ସେଦିନ ଆମପରି କେତେକ ସ୍ୱେଚ୍ଛାସେବୀଙ୍କ ପାଖରେ ମନ କଥା ଫିଟାଇ କହିଲେ ରଥ ବଜାର । ଦୋକାନରେ ଘିଅ ନାମରେ ଘୁଷୁରି ଚର୍ବି ବିକ୍ରି ହେଉଥବାର ଖୋଦ ସପ୍ଲାଇ ଅଫିସରଙ୍କଠାରୁ ସେ ଶୁଣିଛନ୍ତି । ଯେଉଁମାନେ ତାଙ୍କର ବନ୍ଧୁ ହିତାକାଙ୍‌କ୍ଷୀ ସେମାନଙ୍କୁ ଏହାପରେ ଘିଅଦ୍ୱାରା ପ୍ରସ୍ତୁତ ଖାଦ୍ୟ ଖୁଆଇ ସେ ସେମାନଙ୍କର ଅନିଷ୍ଟ କରିପାରିବେ ନାହିଁ ।

 

ବେଶ୍ ଯୁକ୍ତିଯୁକ୍ତ କଥା । ବେଶ୍ ଭଲ କଥା ।

 

ମୁଁ ଗୋଟିଏ କାଗଜ ପ୍ଲେଟ ଉଠାଇ ନେଲାବେଳେ କହିଲି ।

 

—ଚିନି ଉପରେ ସିନା ନିଷେଧାଜ୍ଞା, କିନ୍ତୁ ସାକାରିନ୍ ଉପରେ ତ ନାହିଁ । ଚାହା ସବୁ ସାକାରିନ୍ ଦେଇ ତିଆର କରାହୋଇଛି ।

 

—ସମସ୍ତେ ମଧୁମୂତ୍ର ରୋଗରେ ତ ଆଉ ପଡ଼ି ନାହାନ୍ତି !

 

ମୁଁ ମନ୍ତବ୍ୟ କଲି ।

 

—ସତ ଯେ, ଚିନି ବ୍ୟବହାର କରିଥିଲେ ଆଇନ ଭାଙ୍ଗିବାକୁ ପଡ଼ିଥାଆନ୍ତା । ହଜାରେ ଲୋକପାଇଁ ତ ଆଉ ପାଞ୍ଚ ସେର ଚିନି ଯଥେଷ୍ଟ ହୁଅନ୍ତା ନାହିଁ ।

 

ବୁଟ ସିଝା କିଛି ପାଟିରେ ପୂରାଇ ମୁଁ ଖାଇବାରେ ମନ ଦେଲି ।

 

ବଡ଼ ବଡ଼ ଅତିଥିମାନେ ବିଦାୟ ନବାବେଳକୁ ମୋହନୀମୋହନଙ୍କର ଅଫିସ ବାବୁମାନେ ଆସି ପହଞ୍ଚିଗଲେ । ଭିଡ଼ କମିଲେ ସେମାନେ ଆସିବେ ବୋଲି ଆଗରୁ ପରିକଳ୍ପନା କରଯାଇଥିଲା ।

 

ବିକ୍ରମ ଉଠିପଡ଼ିଲା । ସେ ବି ତ ସେମାନଙ୍କ ମଧ୍ୟରୁ ଜଣେ ।

 

ମୁଁ କହିଲି—କିରେ ! ଉଠିଲୁ ଯେ !

 

ସେ କହିଲା—ତୁ ବି ଆ, ଦୂରରୁ ନୁହେଁ ପାଖରୁ ଟିକେ ଦେଖି ଆସିବୁ ।

 

ଆମେ ଦୁହେଁ ମଣ୍ଡପ ଆଡ଼କୁ ଗଲୁ । ଗଣ୍ୟମାନ୍ୟ ଅତିଥିମାନେ ସେତେବେଳକୁ ବାହାର ଆଡ଼କୁ ଯାଉଥାଆନ୍ତି ।

 

ଆମପରି କିରାଣୀମାନଙ୍କ କଥା ସେ କେବେ ଭୁଲିଯାଇ ନାହନ୍ତି । କାଳେ ଏଭଳି ତିରୋଟି ସମୟରେ ଆମ କାନ୍ଧକୁ ବିବାହ ଉପହାର ଟିକ ବାଧିବ, ସେଥିପାଇଁ ସେ ଦିନେ ମୋତେ ଡାକି କହିଲେ—ତୁମେ ସବୁ ନିଜ ଲୋକ, କିଛି ଦବା ଦରକାର ନାହିଁ । ମିନି ହାତରେ ଫୁଲ ଗୋଟେ ଦେଲେ ତାହାହିଁ ହବ ଆଶୀର୍ବାଦ ।

 

ଆମେ ସେଥିପାଇଁ ରାଜି ହୁଅନ୍ତୁ କିପରି । ପ୍ରଥା ତ ଅଛି । ନ ମାନିଲାରୁ ସେ କହିଲେ–ନ ମାନୁଛ ଯେତେବେଳେ ଶସ୍ତାରେ ସାରିନବ । କିଛି ଜିନିଷ ଦବା ଦରକାର ନାହିଁ । ପ୍ରତ୍ୟେକ ପାଞ୍ଚ ଦଶ ଯାହା ପାରିବ ନଗଦ ଆକାରରେ ଦେଇଦବ । ଦବା ବି ହବ, ହାତକୁ ବାଧିବ ନାହିଁ-। ଆଉ ପଚାଶ ଷାଠିଏ ଟଙ୍କା କମ୍‌ରୁ ବଜାରରେ ତ କିଛି ମିଳିବ ନାହିଁ । ତାଙ୍କର କଥା ରହିଲା-। ଆମେ ସେ ପ୍ରସ୍ତାବ ଗ୍ରହଣ କରିନେଲୁ ।

 

—କେତେଜଣ ଆସିଛନ୍ତି ତୁମ ଅଫିସରୁ ! ମୁଁ ଟିକିଏ କୌତୁହଳୀ ହୋଇ ପଚାରିଦେଲି-

 

ସେ କହିଲା—ଅଢ଼େଇଶହ ଯାଏ ହେବେ ।

 

ମୁଁ କହିଲି—ବେଶ୍ ଭଲ ହେଲା । ଅଢ଼େଇ ହଜାର ଟଙ୍କା । ଏଇଠି ଆଦାୟ ହୋଇଗଲା ।

 

ବିକ୍ରମ ମୋ ମୁହଁ ଉପରେ ହାତ ପାପୁଲି ଚାପି ଦେଇ କହିଲା—ତୋତେ ଦେଖିବା ପାଇଁ ଡାକି ଆଣିଛି, କହିବା ପାଇଁ ନୁହେଁ ।

 

ମୋହିନୀମୋହନ ଛିଡ଼ା ହୋଇଥିବା ଅବସ୍ଥାରେ ଜଣକୁ ତାଙ୍କର ଫଟୋ ନେଉଥିବାର ଦେଖି ପାରି ଭାବିଲି—ଏଭଳି କରିତକର୍ମା ଆଦର୍ଶ ପୁରୁଷଙ୍କର ଏତେ ରୂପ କଅଣ ଏହି କ୍ୟାମରାର ଲେନ୍‌ସ ଛବିରେ ପ୍ରତିଫଳନ କରି ପାରିବ ? ସାକାରିନ୍ ଦିଆ ଚାହାର ମିଠାପରି ସବୁ ନକଲି ମନେ ହେଉଥିଲା ।

☆☆☆

 

Unknown

ଜଉଘର

 

ସୁରଭି,

 

ତୁମେ ଗୋଟିଏ ଗପ ଲେଖିବା ପାଇଁ କହିଥିଲ । ଗପଟି କିଭଳି ହେବା ଆବଶ୍ୟକ ତାହାର ମଧ୍ୟ ସୂଚନା ଦେଇଥିଲ । ସେଭଳି ଗପଟିଏ ଲେଖିବା ପାଇଁ ଉପାଦାନ ଖୋଜୁଁ ଖୋଜୁଁ ମୁଁ ଯେଉଁ ସଙ୍କଟରେ ପଡ଼ିଥିଲି, ତାହା କହିବା ପାଇଁ ଆଜି ଏ ଚିଠି ଲେଖୁଛି । ରୋମାଞ୍ଚଧର୍ମୀ ଗପଟିଏ ଲେଖିବା ପାଇଁ ଲେଖକକୁ ଯେ ଏପରି ଭୋଗିବାକୁ ପଡ଼େ; ତାହା ମୁଁ କଅଣ ସେତେବେଳେ ଜାଣିଥିଲି ।

 

ତୁମ ଘରୁ ଫେରି ସେଦିନ ଷ୍ଟେସନରେ ପହଞ୍ଚିଲାବେଳକୁ କଟକ ଲୋକାଲ ଛାଡ଼ି ଦେଇଥିଲା । ପକେଟରେ ପଇସା ଥିଲେ ମଧ୍ୟ ଅନ୍ୟ ଦଶଜଣଙ୍କ ପରି ବିନା ଟିକେଟରେ ଚାଲିଯିବା ପାଇଁ କେଡ଼େ ଆଶା କରି ଧାଇଁ ଆସିଥିଲି । ମନଟି ଖରାପ ହୋଇଗଲା । ତୁମ ପାଖରେ ଆଉ ଘଣ୍ଟାଏ ବସିଥିଲେ ଚା’ ଜଳଖିଆ ମିଳିଥାଆନ୍ତା । ତୁମେ ଆଜିକାଲି ଯେଉଁ ନୂଆ ସ୍ନୋ’ଟା ଲଗାଉଛ ତା’ର ସୁବାସ ଦେହରେ ମୁହଁରେ ଲାଗିଥାଆନ୍ତା; କିନ୍ତୁ କିଛି ହୋଇ ପାରିଲା ନାହିଁ । ରେଳବିଭାଗ ଉପରେ ରାଗ ହେଲା । ଲୋକଙ୍କୁ ହଇରାଣ କରିବା ପାଇଁ ଯେପରି ଏ ବିଭାଗଟା ସରକାର ଖୋଲିଛନ୍ତି । ସେଦିନର ଗୋଟିଏ ଘଟଣା ମନେ ପଡ଼ିଗଲା । ମୁଁ ସେକ୍ରେଟାରୀଏଟ୍ ଛୁଟି ହେବା ପରେ ଲୋକାଲରେ ଆସୁଥିଲି । ପ୍ରଥମ ଶ୍ରେଣୀରେ ଆଉ ଦୁଇଜଣ ଚିହ୍ନା ଲୋକଙ୍କ ସହିତ ବସିଥିଲି-। ସେଦିନ କିନ୍ତୁ ମୁଁ ଟିକଟ କରିଥିଲି । ଆମ ସହିତ ଡବାରେ ଆଉ ତିନିଜଣ ଯୁବକ, ଜଣେ ଯୁବତୀ ମଧ୍ୟ ଥିଲେ । ଗାଡ଼ି ଚାଲୁ ଥିଲାବେଳେ ଟିକଟ୍ କଲେକ୍‌ଟର ଆସି ଟିକଟ ମାଗିଲେ । ଆମେ ଟିକଟ ଦେଖାଇଲୁ । ଭଦ୍ରମହିଳା ଜଣକ ଟିକେ ହସିଦେଇ କହିଲେ—ଆମ ପାଇଁ ରେଳବାଇ ତ ଅଧିକା କୋଇଲା ପାଣି ଖର୍ଚ୍ଚ କରୁନି । ତିନିଜଣ ଟିକଟ ଦେଖାଇଲେ, ସେଇ କଅଣ ହେଲାନି ?

 

ମୁଁ ସ୍ତମ୍ଭିତ ହୋଇ ଚାହିଁ ରହିଲି ତାଙ୍କ ଆଡ଼େ ।

 

ଲୋକାଲ ଗାଡ଼ିରେ କେହି ସାହସ କରନ୍ତିନି ବିନା ଟିକଟରେ ଯାଉଥିବା ଯାତ୍ରୀଙ୍କ ଉପରେ ଜୋରିମାନା କରିବା ପାଇଁ । ସେଦିନ ମଧ୍ୟ ଟିକଟ କଲେକ୍ଟର କିଛି ଉତ୍ତର ନଦେଇ ହସି ଦେଇ ଚାଲିଗଲେ । ମୁଁ ନିଜକୁ ବୋକା ବୋଲି ଧିକ୍‌କାର କଲି । ଏପର୍ଯ୍ୟନ୍ତ ଏହି ସହଜ ସରଳ ତତ୍ତ୍ୱଟି ନଜାଣି ଟିକଟ କରି ଅଯଥା ଅର୍ଥଶ୍ରାଦ୍ଧ କରିଥିବାରୁ ଅନୁତାପ କଲି । ଛାଡ଼ ସେ କଥା । କଅଣ କହିବା ପାଇଁ ଯାଇ ଆଉ କେଉଁଆଡ଼େ ଚାଲିଆସିଲ ।

 

ସେଦିନ ଗାଡ଼ି ଫେଲ୍ ହୋଇ ପ୍ରଥମ ଶ୍ରେଣୀ ପ୍ରେକ୍ଷାଳୟରେ ଅପେକ୍ଷା କରୁଥିଲି । ତାଳଚେର ଆସିବା ପାଇଁ ଡେରି ଥିଲା । ଚା’ କପେ ମଗାଇ ପିଉଛି, ହଠାତ୍ ନିଜର ପଡ଼ିଗଲା ପଛପଟ ଟେବୁଲକୁ ଘେରି ବସିଥିବା ଭଦ୍ର ମହିଳା ଓ ଭଦ୍ର ବ୍ୟକ୍ତିଙ୍କ ଉପରେ । ସେମାନେ ସେଦିନ ସେଇ ଟିକଟ କଲେକ୍ଟର ଏବଂ ଟିକଟ କରି ନଥିବା ସହଯାତ୍ରିଣୀ । ସେମାନେ ବୋଧେ ମୋତେ ଚିହ୍ନି ପାରଲେ ନାହିଁ । ମୁଁ କିନ୍ତୁ ଚିହ୍ନିଲି । ବସି ବସି ଚା’ ପିଇବାବେଳେ ସେମାନଙ୍କର ହସ ଖୁସିରୁ ଭାସି ଆସୁଥିବା ପଦେ ଅଧେ କାନରେ ପଡ଼ି ହିଂସା ବି ହେଲା । କିନ୍ତୁ ଆଶ୍ଵାସନାର କଥା ଯେ ସେମାନେ କଥା ହଉଥିବାବେଳେ ଭଦ୍ର ମହିଳା ଜଣକ ଥରେ ଥରେ ଆଡ଼ ନୟନରେ ମୋର ସର୍ବାଙ୍ଗ ପୋଛି ନେଉଥିଲେ ।

 

ତାଳଚେର ଗାଡ଼ି ଆସିବାର ପ୍ରଥମ ଘଣ୍ଟି ବଜିଲା । ସେଦିନ କିଏ ଜଣେ ଅଫିସର ପରିଦର୍ଶନ କରିବା ପାଇଁ ଆସିଥିବାରୁ ଅଧିକ ସମୟ ବସି ଗପସପ କରିପାରୁ ନ ଥିବାରୁ ଟିକଟ କଲେକ୍ଟର ବାବୁ ଦୁଃଖ ପ୍ରକାଶ କରି ପରେ ଏହାର କ୍ଷତି ପୂରଣ କରିବେ ବୋଲି ପ୍ରତିଶ୍ରୁତି ଦେଇ ଚାଲିଗଲେ । ମୁଁ କିଛି ସମୟ କିଛି ନଜାଣିଲା ପରି ଆଖି ବନ୍ଦ କରି ସେମାନଙ୍କୁ ନିରୀକ୍ଷଣ କରୁଥିଲି-

 

ଟିକିଏ ପରେ ସେ ମୋତେ ଏକାକୀ ଦେଖି କହିଲେ—ଲୋକାଲ ଫେଲ୍ ହେଲେ ତାଳଚେରରେ ଯିବେ ତ ?

 

ମୁଁ ଆଶ୍ଚର୍ଯ୍ୟ ହୋଇ ତାଙ୍କଆଡ଼େ ଚାହିଁଲି ନିଶ୍ଚିତ ହବା ପାଇଁ । ଏହି ପ୍ରଶ୍ନ କାହାପାଇଁ । ତାଙ୍କର କିନ୍ତୁ ତିଳେ ହେଲେ ଦିଧା ନ ଥିଲା । ସେ ହସିଦେଇ କହିଲେ ଯେ କଅଣ ଶୋଇ ପଡ଼ିଥିଲେ କି ?

 

ମୁଁ ଲାଜେଇ ଯାଇ କହିଲି—ନା । ଏଇ ତାଳଚେରରେ ଯିବି ।

 

ସେ କହିଲେ—ଏବେ ବି କଫି ପିଇବା ପାଇଁ ସମୟ ଅଛି । ଯିବେ ?

 

ଏଇ ଅନୁରୋଧ ନିର୍ଦ୍ଦେଶ ପରି ମନେ ହେଲା । ଅଳ୍ପ ସମୟ ପୂର୍ବରୁ ଚା’ ପିଇଥିଲେ ବି ବହୁ ସମୟ ଧର ଚା’ କି କଫି ପାଟିରେ ପଡ଼ିନି ପରି ମନେ ହେଲା । ଉଠି ବସି କହିଲି—ଆସନ୍ତୁ ରେସ୍ତୋଁରାକୁ ଯିବା । ସେଠାରେ ସର୍ଭିସ ଭଲ ।

 

ସେ ବି ବୋଧେ ସେୟା ଚାହୁଁଥିଲେ । ଦୁହେଁ ଯାଇ ରେସ୍ତୋଁରାର ଗୋଟିଏ ଟେବୁଲ ଦଖଲ କଲୁ । ସେ ମୋତେ ସହଜ କରିଦବା ପାଇଁ କହିଲେ—ସେଦିନ ଗାଡ଼ିରେ ଦେଖା ହୋଇଥିଲା ମନେ ଅଛି ?

 

ମୁଁ ହଁ କଲି ।

 

—ସେଇଦିନୁ ଆପଣଙ୍କ କଥା ବହୁତ ଭାବିଛି ।

 

ମୁଁ ଶିହର ଉଠି କହିଲି, କାହିଁକି, ବୋକାମି କରିଥିଲି ବୋଲି ।

 

ସେ ଖିଲି ଖିଲି କରି ହସି ଉଠି କହିଲେ—ନ ଠକିଲେ ମଣିଷ କ’ଣ ଶିଖେ ?

 

ମୁଁ ଦୁଇଟା ଓମ୍‌ଲେଟ୍‌ ଏବଂ ଦୁଇକପ୍ କଫି ଅର୍ଡ଼ର ଦେଇ କହିଲି–ସେଇଦିନୁ କିନ୍ତୁ ମୁଁ ଚାଲାକ ହୋଇ ଯାଇଛି ।

 

ସେ କହିଲେ–ସତେ ?

 

ତାଙ୍କ ଚାହାଣୀରୁ ଜାଣୁଥିଲି ସେ ମୋର ନିକଟତମ ହେବା ପାଇଁ ଚାହୁଁଛନ୍ତି ।

 

ମୁଁ କହିଲି–କିନ୍ତୁ ଏହାର ବାହାଦୁରି ମୋର ନୁହେଁ, ଆପଣଙ୍କର ।

 

ତାହେଲେ ମାନିନିଅ ମୁଁ ତୁମର ଗୁରୁ ।

 

ତାଙ୍କ ସ୍ଵରରେ ଆପଣାର କରିବାର ଧ୍ଵନି ଶୁଣି ମୁଁ ପୁଲକିତ ହୋଇ କହି ପକାଇଲି–ତୁମେ ପ୍ରକୃତରେ ଅପୂର୍ବ ।

 

ସେ କହିଲେ ସବୁଦିନ ଏଇ ମନ ରହିବ ତ ?

 

ମୁଁ କହିଲି–ଏଇ ମନ ବୃନ୍ଦାବନ । ଏଠାରେ ସଙ୍ଗର ପଟୁଆର; ମହକର ଜୁଆର ।

 

ଟେବୁଲ୍ ଉପରେ ପ୍ଲେଟରେ ରଖା ହେଇଥିବା ଗରମ ଓମ୍‌ଲେଟ୍‌ରୁ ଟିକେ ଖାଇ ସେ କହିଲେ–କେତେ ଲୋକ ସହିତ ଦେଖାହୁଏ ପ୍ରତିଦନ । କିନ୍ତୁ କେବଳ ଜଣେ ଜଣେ ମନେ ରହନ୍ତି ।

 

ପୁଣି ସେମାନଙ୍କ ମଧ୍ୟରୁ ହୁଏତ ଜଣେ ନା ଦୁଇଜଣଙ୍କର ଠିକଣା ମନେ ରହେ ।

 

ସେ ହସି ଦେଇ କହିଲେ—ତୁମେ ସିନା ଜାଣନି, ମୁଁ କିନ୍ତୁ ତମ ଠିକଣା ଜାଣେ ଯେ… ।

 

ମୁଁ ଅବାକ ହୋଇ ଅନାଇ ରହିଲି । ସେ ମୋ ଆଡ଼କୁ ଝଙ୍କିପଡ଼ି ଫିସ୍ ଫିସ୍ କରି କହିଲେ ନିହାର ! ତୁମ ଅଫିସର ଲେଡ଼ିଷ୍ଟେନୋ ନେଲୀକୁ ତମେ ଭଲପାଇ ବସିନ ତ ?

 

ମୁଁ ଲାଜରେ ଲାଲ ପଡ଼ିଗଲି ! ସେ କିନ୍ତୁ ସହଜ କଣ୍ଠରେ କହିଲେ—ଲାଜ କରିବାର କଅଣ ଅଛି ଯେ ଏଥିରେ ! ସଙ୍ଗିନୀ ରହିବେ, ରଙ୍ଗ ବି ରହିବ । କିନ୍ତୁ ସଙ୍ଗ ଦେଲା ବୋଲି ରଙ୍ଗ ସମସ୍ତେ ଦେଇ ଜାଣନ୍ତିନି ।

 

ମୁଁ ସାହସ କରି କହିଲି—ନେଲୀକୁ ମୁଁ ପସନ୍ଦ କରେ ନା ।

 

ସେ ଖସି ହୋଇ ଟେବୁଲ ତଳେ ମୋ ପାଦ ଉପରେ ଟିକେ ଚାପ ଦେଇ କହିଲେ—ଆଜିଠୁଁ ଆଉ ଲେକାଲ୍ ନୁହେଁ, ତାଳଚେରରେ ଯିବା । ଯେ ଗପିବା ପାଇଁ ବେଶ୍ ସମୟ ମିଳବ ।

 

ମୁଁ ବିଲ୍‌ର ପଇସା ଦେଇଦେଲି ।

 

ତୃତୀୟ ଘଣ୍ଟା ବାଜିଲା ।

 

ଦୁହେଁ ଆଗକୁ ଯିବାବେଳେ ସେ କାନ୍ଧ ପାଖରେ ମୁହଁ ରଖି କହିଲେ—କାହିଁ ମୋ ନ ମଟା ଜାଣିଲ ନାହିଁ ତ ?

 

ମୁଁ ଛିଡ଼ା ହୋଇ ପଡ଼ି କେବଳ ମୁଗ୍‌ଧ ହୋଇ ଅନାଇ ରହିଲା ।

 

ସେ କହିଲେ ମୋ ନାମ—ନିରା । ଭଲ ଶୁଭୁଛୁ କାନକୁ ।

 

ମୋତେ ସେତେବେଳକୁ ନିରା ପିଇଲା ପରି ମନେ ହେଉଥୁଲା ।

 

ଟ୍ରେନ୍ ଆସି ଛିଡ଼ା ହେଲା ।

 

ତାଳଚେର ଗାଡ଼ି ଆସିଲେ ପ୍ଳାଟଫର୍ମ ଉପରେ ଲୋକ ଗହଳି ଏତେ ବେଶୀ ହୁଏ ବୋଲି ମୋର ଧାରଣା ନଥିଲା । ଆଜି ଯେପରି ବେଶୀ ଭିଡ଼ । ସେଇ ଭିଡ଼ ଉପରେ ସେ ମୋ ଉପରେ ଦୁଇ ତିନିଥର ଢଳିପଡ଼ିଲେ । ମୁଁ ତାଙ୍କୁ ବାଟ କଢ଼ାଇ ଗୋଟିଏ ଡବା ଭିତରକୁ ନବା ବେଳକୁ ପରିଶ୍ରମରେ ନୁହେଁ, ଉତ୍ତେଜନାରେ ଝାଳେଇ ଯାଇଥିଲି । ଉଠିବା ବେଳେ ହାତ ଧରି ଉଠିବା ପାଇଁ ତାଙ୍କୁ ସାହାଯ୍ୟ ମଧ୍ୟ କରିଥିଲେ । ସେ ଉଠି ସାରି କହିଲେ, “ଏଡ଼େ ଭିଡ଼ ! କିନ୍ତୁ ଜାଣ ନିହାର—ଏହି ଭିଡ଼ ନ ଥିଲେ, ଠେଲି ପେଲି ଆଗକୁ ଯିବାର ନ ଥିଲେ, ଜୀବନଟା ସୁଆଦି ନ ଥାଇ ସିଠା ପରି ହୋଇଯାଏ । ଜୀବନଯାକ ଯେ ଭିଡ଼ ଭିତରେ ଆଗେଇ ଯାଏ, ସାହସର ସହିତ ସଂଗ୍ରାମ କରି କରି ସେ ସୁଖପାଏ, ବଞ୍ଚିବାର ରୋମାଞ୍ଚ ଅନୁଭବ କରେ ।”

 

ମୁଁ ବୋକା ପରି ପଚାରି ଦେଲି—ଆଉ ଯେ ଭିଡ଼ର ଭାର ସମ୍ଭାଳି ନପାରି ପଛକୁ ପଡ଼ିଯାଏ ?

 

ସେ ହସିଦେଇ କହିଲେ—ତୁମେ ତ ପଛରେ ପଡ଼ିନ । ଠିକ୍ ମୋ ସାଙ୍ଗରେ ପାଦ ମିଳାଇ ଆସିପାରିଛ । ଯେଉଁମାନେ ପଛରେ ପଡ଼ିଗଲେ ସେମାନଙ୍କୁ ଅନୁକମ୍ପା କର ।

 

ଲଗାଲଗି ହୋଇ ଦୁହେଁ ବସିଲୁ ଗୋଟିଏ ସ୍ଵଳ୍ପାଲୋକିତ ପ୍ରଥମ ଶ୍ରେଣୀ ଡବାରେ । ଅବଶ୍ୟ ରେଳବାଇ ବିଭାଗ ଆମ ଦୁଇଜଣଙ୍କ ପାଇଁ ଅଧିକ ପାଣି ଓ କୋଇଲା ଖର୍ଚ୍ଚ କରୁ ନଥିବାରୁ ସେଦିନ ଆମେ ଟିକଟ କରି ନଥିଲୁ ।

 

ତୁରୀ ବଜାଇ ଗାଡ଼ି ଛାଡ଼ିଲା । ମୋ ହାତ ଉପରେ ଚାପ ଦେଇ ସେ କହିଲେ—ଅଳ୍ପ ଆଲୁଅଠାରୁ ଅନ୍ଧାର ବେଳେ ବେଳେ ଭଲ ନୁହେଁ କି ?

 

ମୁଁ ବୁଝିପାରିଲି ନାହିଁ ।

 

ଝରକା ବାଟେ ଝଙ୍କ ପଡ଼ି କହିଲି—କିନ୍ତୁ ଆଲୋକକୁ ଯୁଗ ଯୁଗ ଧରି ଅଭିନନ୍ଦନ ଜଣାଇ ଆସିଛୁ ମଣିଷ ।

 

ସେ କହିଲେ—ତମେ ପିଲାଭଳି କହୁଛ ଯେ ! ଅନ୍ଧାର ଭିତରେ ଆଲୁଅର ମଣିଷ ଯେଉଁ ଉତ୍ତାପ ଟିକକ ପାଏ, କେବଳ ଆଲୁଅରେ ତାହା ମିଳେ କେଉଁଠି ।

 

ବୁଝିଗଲି । ତାଙ୍କର ଓ ମୋ ଭିତରେ ଥିବା ବ୍ୟବଧାନକୁ ସମ୍ପୂର୍ଣ୍ଣ ଅପସାରିତ କରି କହିଲି—ଆଉ ଅଳ୍ପ ସମୟରେ ଭୁବନେଶ୍ୱର ପହଞ୍ଚିବା ସେ I ପୁଣି କେବେ ଦେଖା ହେବ କେଜାଣି-?

 

ନିରା କହିଲେ—ବର୍ତ୍ତମାନର ଉତ୍ତାପମୟ ମଧୁର ମୁହୂର୍ତ୍ତଗୁଡ଼ିକୁ କେବଳ ଉପଭୋଗ କର । ଏତେ ଭବିଷ୍ୟତ କଥା ଏଇନେ ଭାବୁଛ କାହିଁକି ?

 

ମୁଁ ତାଙ୍କ ହାତ ଉପରେ ହାତ ରଖି କହିଲି–ଭବିଷ୍ୟତଟା ଅନ୍ଧକାର ନା ଉଜ୍ଜ୍ୱଳ ?

 

ସେ ଉତ୍ତର ନ ଦେଇ କେବଳ ମୋ ଆଡ଼କୁ ଲାଗିଆସି ଚାହିଁଲେ । ତା ପରେ ମୋ ବାହୁରେ ଚିମୁଟି ଦେଇ କହିଲେ–ବାହାରକୁ ଚାହଁ । ଦେଖ କେତେ ଜୁଳୁଜୁଳିଆ ପୋକ ଆଲୋକ ବିତରଣ କରିବା ପାଇଁ ଚେଷ୍ଟା କରୁଛନ୍ତି । କିନ୍ତୁ ଆଲୁଅ ପାଉଛ କି ?

 

ଉତ୍ତର ପାଇବା ପାଇଁ ଅପେକ୍ଷା ନ ରଖି ନିରା କହିଲେ—ଭବିଷ୍ୟତଟା ସେହିପରି । ତୁମେ ଜୁଳୁଜୁଳିଆ ପୋକ ପରି ହେଲେ ଆଲୁଅ ଦେଉଛ ଜାଣି ମଧ୍ୟ ସବୁ ଅନ୍ଧାର ରହିବ । ଆଉ ଯଦି ଦାବାଗ୍ନି ପରି ଦପ ଦପ କର ଜଳିଉଠିପାର, ତା’ହେଲେ ଅନ୍ଧାର ଭିତରେ ଆଲୁଅର ବିଳାସ ଅନୁଭବ କରିପାରିବ ।

 

ସେ କେବେ କବିତା ଲେଖିଛନ୍ତି କି ନାହିଁ ବୋଲି ଜାଣିବା ପାଇଁ ମୋର ଇଚ୍ଛା ହେଲା । ତାଙ୍କ ଆଡ଼କୁ ଚାହିଁଲି କିନ୍ତୁ ପଚାରି ପାରିଲି ନାହିଁ ।

 

ନିରା ମୋ ଆଡ଼କୁ ଟିକେ ଢଳିପଡ଼ି କହିଲେ—ଲାଜ ଏ ଯାଏ ଯାଇନି । ପଚାରିବ ପଚାରିବ ହଉଛ ଅଥଚ ପଚାରି ପାରୁନା ଯେ…

 

ମୁଁ ଲାଜେଇ ଯାଇ କହିଲି–ତୁମେ କେବେ କବିତା ଲେଖିଛ ?

 

ସେ କହିଲେ ଲେଖିନି । କିନ୍ତୁ ଆଜି ଲେଖିବା ପାଇଁ ଇଚ୍ଛା ହଉଛି ।

 

ମୁଁ କହିଲି—ଲେଖିବି କହିଲେ କବିତା କଅଣ ଲେଖିହୁଏ ?

 

ନିରା କହିଲେ—ପ୍ରତ୍ୟାଶା, ପ୍ରତିଶ୍ରୁତି ଓ ପ୍ରେରଣା କବିତା ଲେଖିବା ପାଇଁ ପାଥେୟ ଯୋଗାଏ । ଆଜି ସବୁ ପାଇଛି ।

 

—ତୁମେ କି ପ୍ରତିଶ୍ରୁତି ପାଇଲ ?

 

—ବାଃ ରେ । ପାଇନି ଏଇ ସେ ଆମର ଆଜିର ସମ୍ପର୍କ ଏ କଅଣ ଦିନକର । ଆଗାମୀ ଦିନର ସଫଳ ପ୍ରତ୍ୟାଶା ଆଜିର ପ୍ରତିଫଳିତ ହଉନାହିଁ କି ?

 

ମୁଁ ଅନେକ କହିବା ପାଇଁ ଇଚ୍ଛା କରି ମଧ୍ୟ କହି ନ ପାରି ମୂକ ହୋଇଗଲି । ଯେତେବେଳେ ମଣିଷ ମୁଖର ହବାପାଇଁ ବେଶୀ ଚାହେଁ—ସେତିକିବେଳେ କହି ନପାରି ଅମୂଲ୍ୟ ଧନ ହରାଏ, ନା ପାଏ, ଏ ଯାଏ କେହ ସ୍ଥିର କରିପାର ନାହାନ୍ତି । ମୁଁ କିନ୍ତୁ ନ କହିବି ଯାହା ଅନୁଭବ ଭିତର ଦେଇ ତାଙ୍କୁ ଜଣାଇ ଦେଇପାରିଲି, ସେଥିରେ ସେ ବିଚଳିତ ନ ହୋଇ କହିଲେ—କେବଳ ଆଜି ନୁହଁ, ତାଳଚେର ଗାଡ଼ିର ଏଇ ଯାତ୍ରା ପରି ଆମର ଯାତ୍ରା ମଧୁମୟ, ଦୀର୍ଘ ହେଉ…

 

ପୁଣି ଦଣ୍ଡେ ରହି ନିରା କହିଲେ—ବୁଝି ପାରୁଛ ତ ? ଯାତ୍ରା କହିଲେ ମଣିଷ ପଛକୁ ବା କଡ଼କୁ ଯିବା ବୁଝାଏ ନାହିଁ । ସେ କେବଳ ଆଗକୁ ଚାଲେ…ଆଗକୁ ଅନେଇ ଆଗକୁ… ।

 

ଭୁବନେଶ୍ଵର ଷ୍ଟେସନରେ ଗାଡ଼ି ଆସି ଛିଡ଼ାହେଲା । ଆମେ ଦୁହେଁ ଓହ୍ଲାଇ ପଡ଼ି ପ୍ଲାଟଫର୍ମ ପାର ହୋଇ ବାହାରକୁ ଆସିଲୁ । ଗୋଟିଏ ରିକ୍‌ସାରେ ପାଖାପାଖି ବସି ଯିବାପାଇଁ ମନ ହଉଥିଲା । କିନ୍ତୁ ତାଙ୍କୁ ଶହୀଦ ନଗର ଯିବାକୁ ଥିଲାବେଳେ ମୋତେ ଯିବାକୁ ଥିଲା ବାପୁଜୀ ନଗର-। ଉତ୍ତର ଓ ଦକ୍ଷିଣର ସଂଯୋଗ କେଉଁଠି ? ବିପରୀତ ଦିଗକୁ ଏକା ସାଙ୍ଗରେ ଯାଇ ହୁଏନା-

 

ସେ ଗୋଟିଏ ଶବାରିରେ ବସି ଶୁଭରାତ୍ରି ଜଣାଇ ଓ ଆଗାମୀ ଯାତ୍ରାର ସଫଳ ପ୍ରତିଶ୍ରୁତି ନେଇ ଆଗେଇଗଲେ । ମୁଁ ଗୋଟିଏ ଶବାରୀରେ ଉଠି ବସି କହିଲି—ବାପୁଜୀ ନଗର ।

 

ମୋ ଘର ସମ୍ମୁଖରେ ଗୋଟିଏ ଟାକ୍‌ସି ଛିଡ଼ା ହୋଇଥିବାର ଦେଖି ଏତେବେଳେକେ ଯାଇ ମୋର ସ୍ମରଣ ହେଲା ଯେ, ଅଜି ଜୁଲାଇ ପହିଲା । ଆଜି ମୋ ସାନ ଶାଳୀର ଜନ୍ମଦିନ । ତାଙ୍କ ଘରକୁ ସନ୍ଧ୍ୟାବେଳେ ଯିବାର କଥାଥିଲା । ହାତ ଘଡ଼ିକୁ ଚାହିଁଲି । ସାଢ଼େ ଆଠ । ଇସ୍ ଏତେ ଡେରି ହୋଇଗଲା ।

 

ତରତର ହୋଇ ରିକ୍‌ସାରୁ ଓହ୍ଲାଇ ପଡ଼ି ପକେଟରୁ ଟଙ୍କାକିଆ ନୋଟଟିଏ ବାହାର କରି ରିକ୍‌ସାବାଲା ହାତରେ ଗୁଞ୍ଜି ଦେଇ ଘର ଭିତରକୁ ପଶିଗଲି ।

 

ଲତା ମୁହଁ ହାଣ୍ଡି କରି ସେତେବେଳକୁ ବିଛଣା ଉପରେ ଘୋଡ଼ାଘୋଡ଼ି ହୋଇ ଶୋଇ ପଡ଼ିଥିଲା । ପୁଅ ପାଖରେ ବସି ଛବି ଦେଖୁଥିଲି । ମୋତେ ଦେଖି ପକାଇ ତଳକୁ ଡେଇଁପଡ଼ି କହିଲା—ଏତେ ଡେରିରେ ଫେରୁଛ ବାପା ! ମାଉସୀର ଜନ୍ମଦିନ ପରା ଆଜି ! ବୋଉ ମନକଷ୍ଟରେ ଶୋଇଛି…

 

ବଡ଼ ଅନୁତାପ ହେଲା ମନରେ । ଏଇ ପ୍ରଥମଥର ବୋଧେ ଲତା ମନରେ କଷ୍ଟ ଦେଲି ମୁଁ ।

 

ତା’ ପାଖକୁ ଯାଇ ତା’ ହାତଧରି କହିଲି—ଉଠ, ଉଠ ।

 

ଲୋକାଲ ଫେଲ୍ ହୋଇ ତାଳଚେରରେ ଆସିଛୁ । ଡେରି ହୋଇଗଲା ।

 

ସେ କିଛି କହିଲା ନାହିଁ ।

 

ପୁଣି ଅନୁନୟ କଲି—ଆଉ ଡେରି କରନା ! ଉଠି ବସ । ଏଇନେ ବାହାରିପଡ଼ିଲା । ଆଗରୁ ନହେଲା, ଭୋଜିଭାତବେଳକୁ ନିଶ୍ଚୟ ପହଞ୍ଚି ଯାଇଥିବା ଯେ…

 

ଭୋଜି ଉପରେ ମୋର ଲୋଭ ସବୁବେଳେ । ସେଥିପାଇଁ କଥା ଶୁଣେ । ଲତା କିନ୍ତୁ ଆଉ ବିଳମ୍ବ ନ କରି ଉଠି ବସିଲା । ପାଖକୁ ଲାଗି ଆସି ହସିଦେଇ କହିଲା—ଅତର ପାଇଲ କେଉଁଠୁ ? ତମ ଦିହ ବାସୁଛି ଯେ…

 

ମୁଁ ଚମକି ପଡ଼ିଲା ।

 

ସେ ଆହୁରି ପାଖକୁ ଲାଗି ଆସି ମୋ ଛାତି ପକେଟ ଉପରେ ମୁହଁ ଗୁଞ୍ଜି କହିଲା—ହ ସତ ତ ! ଅତର ବାସନା– ।

 

ମୁଁ ବୋକା ଭଳି ଛିଡ଼ା ହୋଇ ରହିଲି । ମୋ ତୁଣ୍ଡରେ କଥା ନଥିଲା । ମୁଁ କି ଉତ୍ତର ଦେବି ଖୋଜି ପାଉ ନ ଥିଲି । ସେ କିନ୍ତୁ ଅପେକ୍ଷା ନକରି କହିଲା—କାହା ପାଖରେ ବସିଥିଲ କି ଗାଡ଼ିରେ ?

 

କଥାଟା କେଉଁଆଡ଼କୁ ଗତି କରୁଛି ଏତେବେଳେ ସ୍ପଷ୍ଟ ଅନୁମାନ କରି ଲତା ପାଖରେ ପ୍ରଥମଥର ପାଇଁ ମିଛ କହିଲି—ଗାଡ଼ିରେ ଯେଉଁ ଭିଡ଼ । ଗୋଟିଏ ରସିକ ବୁଢ଼ା ବସିଥିଲ ପାଖକୁ ଲାଗି ।

 

—ବୁଢ଼ା, ପୁଣି ରସିକ ।

 

କହୁଁ କହୁଁ ହସରେ ଫାଟି ପଡ଼ିଲା ଲତା ।

 

ମୋ ଆଟାଚିଟା ହାତରୁ ନେଇ ପୁଅ କହିଲା ଦେଖିଲୁ, ଆଜି ପହିଲାରେ ବାପା ପରା ଟଙ୍କା ଆଣିବେ କହୁଥିଲୁ ।

 

ମୋ ହାତରୁ ଆଟାଚିଟା ନେଇ ତରତର ହୋଇ ଖୋଲି ପକାଇ କହିଲା ଲତା—କେତେ ଆଣିଛ ?

 

—ସେଇ ସାଢ଼େ ପାଞ୍ଚଶହ ।

 

—କାହିଁକି ? —ବାକୀୟା ପାଇନ କି ?

 

—ପରେ ମିଳିବ । ବିଲ୍ କରିବାପାଇଁ ବିଳମ୍ବ ହୋଇଯାଇଛି ଅଫିସରେ ।

 

ତା’ପରେ ଆଶ୍ଚର୍ଯ୍ୟ ହୋଇ କହିଲା ଲତା—କାହିଁ, ଟଙ୍କା ତ ନାହଁ ଏଥରେ ।

 

ମୁଁ ବିଶ୍ଵାସ କରି ପାରିଲି ନାହିଁ । ଆଟାଚିଟାକୁ ତା’ ହାତରୁ ଟାଣି ନେଇ କହିଲି—ନାହିଁ ମାନେ, ଏଇ ଭିତରେ ତ ରଖିଥିଲି… ।

 

କିନ୍ତୁ ଛୋଟ ଆଟାଚିଟାକୁ ତନ୍ନ ତନ୍ନ କରି ଦେଖିବା ପାଇଁ ବେଶୀ ସମୟ ଲାଗିଲା ନାହିଁ-

 

ଥକ୍‌କା ହୋଇ ବସିପଡ଼ିଲି ବିଛଣା ଉପରେ ।

 

ଲତାର ମୁହଁ ଉପରେ ବିଷାଦର ଛାୟା । ସେ କହିଲା—ମାସକର ଦରମା ଦିନକରେ ଚାଲିଗଲା । କଅଣ କରିବା ଯେ…

 

ମୁଁ ତାକୁ ସାନ୍ତ୍ୱନା ଦେଇପାରିଲି ନାହିଁ । ନିର୍ବାକ୍ ନିଷ୍ପନ୍ଦ ହୋଇ କେବଳ ଭାବୁଥିଲି ନିରା କଥା I ସେ ନେଇଯାଇ ନାହିଁ ତ… ?

 

ନା, ସେ ଏଡ଼େ ଛୋଟ ହୋଇ ଯିବନି ।

 

ମୋତେ ବିଷଷ୍ଣତାରୁ ଉଦ୍ଧାର କର କହିଲା ଲତା–ଛାଡ଼, ଯାହା ହବାର ହୋଇଗଲା । ମନମାରି ବସି ରହିଲେ ଆଉ ସେ ଟଙ୍କା ଫେରି ଆସିବନି । ପୁଣି କହୁଛି ସାବଧାନ ହୁଅ । ଗାଡ଼ିରେ ଯିବା ଆସିବା କଲାବେଳେ ଯାହା ତାହା ସହିତ ଆତ୍ମଭୋଳ ହୋଇ ଆତ୍ମୀୟତା କରନା । ମୋର ଦୃଢ଼ ବିଶ୍ୱାସ ସେଇ ରସିକ ବୁଢ଼ାଟା ।

 

କଥା ଛଡ଼ାଇ ନେଇ କହିଲି—ମୁଁ କଅଣ ଜାଣିଥିଲି ଯେ…

 

—ସମସ୍ତଙ୍କୁ ବିଶ୍ଵାସ କର କାହିଁକି ?

 

ମୁଁ ଉତ୍ତର ଦେଇ ପାରିଲି ନାହିଁ । ଲତା କିନ୍ତୁ ସବୁ ଦୋଷ ମାଫ୍ କରି ଦେଇ କହିଲା—ବାହାରିପଡ଼ । ବିଳମ୍ବ ହୋଇଯାଉଛି । ବୋଉ କାନଫୁଲ କିଣିବା ପାଇଁ ଯେଉଁ ଚାରିଶହ ଟଙ୍କା ଦେଇଥିଲା ଜମା ଅଛି ସବୁ । ସେଇଥିରେ ମାସଯାକ ଚଳିଯିବା କଷ୍ଟେମଷ୍ଟେ....

 

ଆଖି ମୋର ଓଦା ହୋଇଆସିଲ । ତା’ ପାଖରୁ ଆଉ ସବୁ ଲୁଚାଇବା ପାଇଁ ତରତର ହୋଇ ଗାଧୁଆ ଘର ଭିତରକୁ ପଶିଗଲି ।

 

ସଜ ହୋଇ ବାହାରିଲାବେଳକୁ ସାଢ଼େ ନଅଟା ବାଜି ଯାଇଥିଲା । ଲତାକୁ ନ ପାଇ ମୁଁ ତାକୁ ଏଣେତେଣେ ଖୋଜିଲି । ପୁଅ ପାଖକୁ ଆସି କହିଲା ବାପା, କିଏ ଏଇ ଚିଠି ଆଉ ଟଙ୍କା ଦେଇ ଯାଇଛି ଦେଖ । ବୋଉ ଚିଠି ପଢ଼ିସାରି କାନ୍ଦି କାନ୍ଦି ଠାକୁରଘରେ ପଶି ଦୁଆର ବନ୍ଧ କରିଦେଇଛି ଭିତରୁ । ମୁଁ ଆହୁରି ଆଶ୍ଚର୍ଯ୍ୟ ହୋଇଯାଇ ଚିଠିଟା ଉଠାଇ ନେଇ ପଢ଼ି ଦେଇଗଲି ।

 

ଶହୀଦନଗର

ତା ୧ । ୭ । ୭୪

 

ଲତା,

 

ରାଗିବୁ ନାହଁ ଲେଖୁଛି ବୋଲି । ନିହାର ପାଇଁ ତୋ ମନରେ ଯେଉଁ ଅଭିମାନ ଥିଲା ତୁ କେତେ ଥର ସମ୍ବଲପୁରରେ କହିଥିଲୁ ମୋତେ । ପୁରୁଷ ପାଇଁ ଏତେ ଅଭିମାନ କରିବା ପାଇଁ ମୁଁ ମନା କରିଥିଲି ନା ।

 

ତୁ କହିଥିଲୁ—ପୃଥିବୀ ପଛେ ଦୁଇଭାଗ ହୋଇଯିବ, ତୋ ହାତରୁ କେହି ନିହାରକୁ ଛଡ଼ାଇ ନେଇ ପାରିବ ନାହିଁ । ସେ ପୁରୁଷମାନଙ୍କ ମଧ୍ୟରେ ଏକ ମସ୍ତବଡ଼ ବ୍ୟତିକ୍ରମ । ସେଦିନ ଏକଥା ଶୁଣି ମୋ ମନରେ ହିଂସା ହୋଇଥିଲା । ମୁଁ ଜିଦ୍ କରିଥଲି ତୋର ଏ ଅଭିମାନ ଭାଙ୍ଗିବା ପାଇଁ । କାହିଁକି ଯେ ଏତେ ଜିଦ୍ କଲି ଆଜି ବି ବୁଝିପାରୁନି । କିନ୍ତୁ ତୁ ଯେଉଁ ଗଡ଼କୁ ଇସ୍ପାତରେ ତିଆରି ବୋଲି ଜାଣିଥୁଲୁ, ତାହା ମହମବତୀ ପରି ଏଡ଼େ ନରମ ବୋଲି ଜାଣିଥିଲେ ମୁଁ ବି ଚେଷ୍ଟା କରି ନଥାନ୍ତି ସତରେ ।

 

ସମ୍ବଲପୁରରୁ ତମେ ସବୁ ବଦଳି ହୋଇଆସିଲା । ମୁଁ ବି ଏଇ ଦୁଇମାସ ହେଲା ବଦଳି ହୋଇଆସିଛି । ତୋ ସହିତ ଦେଖା ଯାହା ହୋଇଥିଲା ସେଦିନ ମାର୍କେଟରେ । ତୋତେ ଦେଖି ମୋର ପୁରୁଣା ଜିଦ୍‌ଟା ଗୁମୁରି ଉଠିଥିଲା ମନ ଭିତରେ । ସେଇଥିପାଇଁ ପରୀକ୍ଷା କରିନେଲି । ଆଉ ମୋତେ ସୁବିଧା କରି କେବେ ନିହାର ବାବୁଙ୍କ ସହିତ ଚିହ୍ନା କରାଇ ଦେଇ ନ ଥୁଲୁ ସେ ମୋତେ ଚିହ୍ନି ପାରି ଥାଆନ୍ତେ ସେ ।

 

ମୋର ଦେହର ଗନ୍ଧ ତାଙ୍କ ଦେହରେ ଜାମାରେ ପାଇଥିବୁ ନିଶ୍ଚୟ । ଆଉ ତାଙ୍କ ତନ୍ମୟ ଅବସ୍ଥାରେ ଆଟାଚି ଭିତରୁ ଦରମା ଟଙ୍କାତକ ନେଇ ଆସିଥିଲି ପରେ ଫେରାଇ ଦେଇ ତୋ ପାଖରେ ପ୍ରମାଣ କରିବାପାଇଁ ଯେ ତୋର ଅଜେୟ ଗଡ଼ ଆଉ ଜଣେ ଜୟ କରି ନେଇଛି ।

 

ଖୁବ୍ ରାଗୁଥିବା ମୋ ଉପରେ ନା । ହେଲେ ପ୍ରତିଶ୍ରୁତି ଦଉଛି ଲତା, ଆଉ ତୋ ଧନ ଉପରେ ମୋର ଲୋଭ ନାହିଁ । ମୁଁ ପରୀକ୍ଷା କରିସାରି ପୁଣି ଫେରାଇ ଦେଇଛି । ନିହାର ତୋର ହୋଇ ରହିବେ ।

 

ତୋର ଅଭିମାନ ଭାଙ୍ଗିବା ପାଇଁ ଈର୍ଷାରେ ଏତେଦୂର ଆଗେଇ ଗଲି ବୋଲି କ୍ଷମା କରିବୁ ! ଆଉ ନିହାର ବାବୁ । ତାଙ୍କୁ କହିବୁ ମୁଁ ତାଙ୍କୁ ସମ୍ପୂର୍ଣ୍ଣ ଭୁଲିଯାଇଛି ବୋଲି ।

 

ତୋର

ନିରା

 

ମୋ ପାଦତଳେ ପୃଥିବୀ ଘୂରୁଥିଲା ସେତେବେଳକୁ, ମୁଁ ପଡ଼ି ଯାଉଁ କାନ୍ଥକୁ ଆଉଜିପଡ଼ି ଛିଡ଼ା ହୋଇ ରହିଲି ।

 

ଠାକୁର ଘର ଭିତରୁ ବାହୁନୁଥିଲା ଲତା—

 

—କୋଠାବାଡ଼ି ଧନ ଦୌଲତ । କିଛି ମାଗି ନାହଁ ପ୍ରଭୁ । ମୋର ଏଇ ଅଭିମାନ ଟିକକ ରଖିପାରିଲ ନାହଁ ମୋର ଏଇ ଦମ୍ଭ ଟିକକ....

 

ହୋ ହୋ କରି ପୁଣି କାନ୍ଦିଉଠିଲା ସେ ।

 

ଏତେଗୁଡ଼ାଏ କଥା ଚିଠିରେ କିଏ ଲେଖେ ସେ । କିନ୍ତୁ ଗପଟିଏ ଲେଖି ନପାରି ଅଙ୍ଗେ ନିଭାଇବା କଥାଗୁଡ଼ା ରାତି ଅଧରେ ଲେଖି ପକାଇଲ ।

 

ଲତା ଶୋଇଯାଇଛି ।

 

ପୁଅ ବି ଶୋଇ ପଡ଼ିଛି ।

 

କେବଳ ମୁଁ ଚାହିଁ ରହିଛି ଆକାଶର ଅଗଣିତ ତାରା ପରି ।

 

ଆଉ ଲେଖା ଖଣ୍ଡେ ପାଇବା ପାଇଁ ତମେ ବି ହୁଏତ ପଥ ଚାହିଁ ବସି ରହିଥିବ । ଇତି ।

 

ତମର

ନିହାର

☆☆☆

 

ଆରଣ୍ୟକ

 

ସମସ୍ତେ ତାକୁ ନୂତନ ପଦୋନ୍ନତି ପାଇଁ ଅଭିନନ୍ଦନ ଜଣାଇଲେ । କିନ୍ତୁ ପ୍ରଗଳ୍‌ଭା ଖୁସି ହୋଇପାରିଲା ନାହିଁ । ଯାହାର ବ୍ୟକ୍ତିଗତ ସେକ୍ରେଟାରୀ ଭାବରେ କୋମ୍ପାନୀ ତାକୁ ନିଯୁକ୍ତି ଦେଇଛି, ସେ ବ୍ୟକ୍ତିଟି ସେ ସୁବିଧାର ନୁହେଁ । ନିହାତି ନୀରସ, ଏକଜିଦିଆ, ନିଷ୍ଠୁର । ମଣିଷ ପୁଣି ଏତେ ନିଷ୍ପ୍ରାଣ ଓ ସ୍ପନ୍ଦନହୀନ ହୋଇପାରେ ଏହା ଏହି ପ୍ରଥମ ଜାଣିଲା ସେ । ଲାରସନ ଏବଂ ଟାରବୋ କୋମ୍ପାନୀର ସମ୍ବଲପୁର ଶାଖାର ମେନେଜର ପଦ ଯେଉଁଦିନ ଆସି ଅଧ୍ୟୁଷିତ କଲା ପଲ୍ଲବ, ସେଦିନ ସମସ୍ତ ଅଫିସର, ସହକାରୀ, ଷ୍ଟେନୋଗ୍ରାଫର ଓ ତଳିଆ କର୍ମଚାରୀମାନେ ଆସି ତାକୁ ସ୍ଵାଗତ ଜଣାଇଥିଲେ । ପ୍ରଥମ ଦିନ ଏହି ସ୍ଵାଗତ ସମ୍ଭାଷଣ ପାଇଁ ଯେ କୌଣସି ବ୍ୟକ୍ତି ସମସ୍ତଙ୍କୁ ଅନ୍ତତଃ ଧନ୍ୟବାଦ ଜଣାଇଥାଆନ୍ତା । କିନ୍ତୁ ସେସବୁ କିଛି ନକରି ବରଂ ତା’ ପାଖକୁ ଆସି ଅଯଥା ସମୟ ନଷ୍ଟ କରିଥିବାରୁ ଅସନ୍ତୋଷ ପ୍ରକାଶ କରିଥିଲା । ମୁହଁଟା ଏକାବେଳକେ ନିର୍ଲିପ୍ତ, ଅବୋଧ୍ୟ । କୌଣସି ଭାବ ବା ଅଭାବର ଚିହ୍ନବି ସେଥିରେ ଦେଖି ପାରିନଥିଲେ ପ୍ରଗଳ୍‌ଭା । ସେହି ବ୍ୟକ୍ତି ପାଖରେ ବ୍ୟକ୍ତଗତ ସେକ୍ରେଟାରୀ ଭାବରେ ନିଯୁକ୍ତି ପାଇବ, ଏହା କଳ୍ପନା ବି କରି ନଥିଲା । ଆଜି ତାର ବାସ୍ତବ ପରଣତିରେ ସେ ଶିହରିଉଠିଲା ଆତଙ୍କରେ ।

 

ପଲ୍ଲବ ପଟ୍ଟନାୟକ ତାରୁଣ୍ୟ ପ୍ରତି କେବେ ଆକୃଷ୍ଟ ହୋଇ ଜୀବନର ଆକର୍ଷଣ ଅନୁଭବ କରିଛି କି ନାହିଁ ତାହା ଜଣାନାହିଁ । କିନ୍ତୁ, ତା’ ଦେହରେ, ମୁହଁରେ ଭାଷାହୀନ ଆକୁତି ପରି ଏକ ଦୀପ୍ତି ଖେଳିବୁଲେ । ସେଇ ଦୀପ୍ତିରେ ଦହନ ନାହିଁ—ଅଛି କେବଳ ନିଷ୍କମ୍ପିତ ଏକ ଉର୍ଦ୍ଧ୍ଵ ଶିଖା । ପଲ୍ଲବର ଆଖି ଯୋଡ଼ିକରେ ଭାଷା କେବଳ ପରୀକ୍ଷା କରିବା ପାଇଁ—ବିନିମୟ ପାଇଁ ନୁହେଁ । ସ୍ପର୍ଶହୀନ, କୁଣ୍ଠିତ ଶବ୍ଦଗୁଡ଼ିକ ତା’ ମୁହଁରୁ ବାହାରେ କେବଳ ଆଦେଶ ଦବାପାଇଁ ଆଦର କରିବାପାଇଁ ନୁହେଁ ।

 

ପ୍ରଗଳ୍‌ଭା ପ୍ରଥମ ଦିନ ଅଭିବାଦନ ଜଣାଇ କହିଥଲା—ମୁଁ ପ୍ରଗଳ୍‌ଭା ପ୍ରଧାନ । ଆପଣଙ୍କର ବ୍ୟକ୍ତିଗତ ସେକ୍ରେଟାରୀ ।

 

ପଲ୍ଲବ ତା’ ମୁହଁକୁ ନ ଚାହିଁ ଗୋଟିଏ ଫାଇଲ ଉପରେ ଲେଖ ଲେଖୁ କହିଥଲା—ବେଶ୍ । କାମରେ ଲାଗିଯାଅ । ଏରିଆର କିଛି ରଖନା । କାମ ଜମିଲେ ଜଟିଳତା ଜମେ । ସବୁ ଅପ ଟୁ ଡେଟ କରିରଖ । ଆଉ ମୋର କାର୍ଯ୍ୟକ୍ରମ ଦେଖି ତୁମର କାର୍ଯ୍ୟକ୍ରମ ପ୍ରସ୍ତୁତ କରିନିଅ ।

 

ଟିକିଏ ରହି ସେ ପୁଣି କହିଲା—ମୁଁ ଚାହେଁ ପଙ୍କଚୁଆଲିଟି, ଡିସିପ୍ଲିନ୍ । ଡିସିପ୍ଲିନ୍ ନରହିଲେ ଡେଡ଼ିକେସନ ଆସିବ ନାହିଁ ।

 

ପଲ୍ଲବର କକ୍ଷ ପରିତ୍ୟାଗ କରିବା ପୂର୍ବରୁ ଆଉ ଥରେ ଭଲ କରି ତା ଆଡ଼କୁ ଚାହିଁଲା ପ୍ରଗଳ୍‌ଭା । ନା, ନିର୍ବକାର ନିର୍ଲିପ୍ତ ପୁରୁଷର ମୁହଁରେ ବା ଆଖିରେ କୌଣସି ପ୍ରତ୍ୟାଶା ବା ପ୍ରତିଶ୍ରୁତି ନାହିଁ ।

 

ସେଇଦିନୁ ନିରଳସ ଭାବରେ ଘଣ୍ଟାର କଣ୍ଟା ପରି ସମୟାନୁବର୍ତ୍ତିତା ରକ୍ଷାକରି ପ୍ରତ୍ୟେକ କାର୍ଯ୍ୟ ସମ୍ପାଦନ କରଛି; ଶୃଙ୍ଖଳା ଦ୍ୱାରା ନିଷ୍ଠାକୁ ବଳଶାଳୀ କରିଛି ।

 

ଛଅମାସ ହୋଇଗଲା, କିନ୍ତୁ ଛଅ ମିନିଟର ସାନ୍ନିଧ୍ୟ ସେ ପାଇ ପାରିଲାନାହିଁ । ପାଖରେ ଥାଇ ଅନେକ ଦୂରତ୍ୱ ଅନୁଭବ କରେ । ଆଖି ପାଏନା, ଅବୋଧ୍ୟ ରହିଯାଏ ଅନେକ କିଛି ।

 

ସେଦିନ ବୋର୍ଡ଼ର ଗୋଟିଏ ଜରୁରୀ ମିଟିଂ ଶେଷ ହେବାବେଳକୁ ସନ୍ଧ୍ୟା ଅତିକ୍ରମ କରି ରାତି ଆଠଟା ହୋଇ ଯାଇଥିଲା । ମିଟିଂରୁ ଫେରିବା ସଙ୍ଗେ ସଙ୍ଗେ ଅନ୍ୟମାନଙ୍କ ପରି ଅଫିସ ଛାଡ଼ି ବୁଇକ୍ ଗାଡ଼ିରେ ଚାଲିଗଲା ନାହିଁ ପଲ୍ଲବ । ଆହୁରି ଦେଢ଼ଘଣ୍ଟା କାଳ ବସି ନୋଟ୍ ଦେଲା, ଟାଇପ୍ କରା ନୋଟ ପଢ଼ି ସଂଶୋଧନ କଲା, ଦୁଇଟା ଜରୁରୀ ଚିଠିର ଉତ୍ତର ଦେଲା ଦୁଇଜଣ ଅନୁପସ୍ଥିତି ଡାଇରେକ୍ଟରଙ୍କ ପାଖକୁ । ସେତେବେଳକୁ ରାତି ସାଢ଼େ ନଅ ।

 

ପ୍ରାୟ ଏକା ସମୟରେ ଆଗପଛ ହୋଇ ଯେତେବେଳେ ଅଫିସ ଛାଡ଼ି ଘରକୁ ଯିବା ପାଇଁ ବାହାରକୁ ଆସିଲେ ଦୁହେଁ, ସେତେବେଳକୁ ଆକାଶରୁ ଝରି ପଡ଼ୁଥଲା ଧାରାଶ୍ରାବଣର ମୂଷଳ ଧାର । ବିତାଶ ବହୁଥିଲା ଜୋରରେ ।

 

ଝଡ଼ ।

 

ପୋର୍ଟିକୋରେ ରଖାହୋଇଥିବା ଗାଡ଼ି ଭିତରକୁ ପଶିଗଲା ପଲ୍ଲବ ।

 

ଅଫିସ ବସ୍ ଚାଲି ଯାଇଥିଲା ।

 

ପ୍ରଗଳ୍‌ଭା ଘରକୁ କିପରି ଯିବ ସ୍ଥିର କରି ନପାରି ବାହାରେ ଛିଡ଼ାହୋଇ ଭାବୁଛି, ହଠାତ୍ ଦେଖିଲା ପଲ୍ଲବ ବାହାରକୁ ଆସି କହିଲା—ବର୍ଷା ହେଉଛୁ ଯେ, ଯିବ କିପରି ?

 

ଏ ପ୍ରଶ୍ନ ଅବାନ୍ତର ବୋଲି ମନେ ହେଲା ପ୍ରଗଳ୍‌ଭାର । ତା’ର ଅବସ୍ଥା ଦେଖି ମଧ୍ୟ ଯେଉଁ ଲୋକ ଏପରି ପ୍ରଶ୍ନ ପଚାରିପାରେ ତାକୁ ଉତ୍ତର କିପରି ଦବ ସେ ।

 

କିଛି କହିବା ପାଇଁ ଚେଷ୍ଟା କରି ମଧ୍ୟ କହି ପାରିଲା ନାହିଁ ।

 

ଜାନିଟରକୁ ଡାକି ଅଫିସ ଗାଡ଼ିରେ ତାକୁ ଘରେ ପହଞ୍ଚାଇ ଦେବାକୁ କହି ନିଜ ଗାଡ଼ିରେ ଚାଲିଗଲା ପଲ୍ଲବ ।

 

ନା, ଅଫିସ ଗାଡ଼ି ଆଉ ଦରକାର ନାହିଁ । ନିଜ ପାଦରେ ନିଶ୍ଚୟ ସେ ଚାଲିଯାଇ ପାରିବ-। ନିଜ ଉପରେ କି ଆଉ କାହା ଉପରେ ପ୍ରତିଶୋଧ ନବା ପାଇଁ କହିବି ନାହିଁ । ଛୋଟ ଛତାଟିକୁ ନାମକୁମାତ୍ର ଆଶ୍ରୟ କରି ବର୍ଷାରେ ଭିଜି ଭିଜି ତ୍ଵରିତ୍ ପଦରେ ରାସ୍ତା ଉପରକୁ ଆଗେଇ ଗଲା ପ୍ରଗଳ୍‌ଭା ।

 

ତା’ପରେ ସାତଦିନ ଅଫିସକୁ ଯାଇନାହିଁ ସେ ଫ୍ଲୁ ଯୋଗୁଁ । ସୋମବାର ଦିନ ପୁଣି ଅଫିସକୁ ଯାଇ ଯେତେବେଳେ ପଲ୍ଲବକୁ ସୁପ୍ରଭାତ ଜଣାଇଲା ସେ, ତା’ ଆଡ଼କୁ ଟିକିଏ ଚାହିଁ ଦେଇ କହିଲା ପଲ୍ଲବ—ଭାବ-ପ୍ରବଣ ହେଲେ-ଏମିତ ଭୋଗିବାକୁ ହୁଏ । ସେଦିନ ମୋ ଗାଡ଼ିରେ ନନେଲି ବୋଲି ଅଫିସ୍ ଗାଡ଼ି ବି ନନେଇ ଭିଜିଭିଜି ଚାଲି ଗଲ ନା ?

 

ପାଷାଣ କେବେ ଏତେ ଦରଦ ଦେଖାଇପାରେ ଏଇ ପ୍ରଥମ ଜାଣିଲା ପ୍ରଗଳ୍‌ଭା ।

 

ଏଇ କଥା ଶୁଣି ଅନୁରାଗରେ ନୁହେଁ, ରାଗରେ ସେଦିନ ସେ କହି ପକାଇଥିଲା—ସେ ମୋର ବ୍ୟକ୍ତିଗତ ବ୍ୟାପାର । ଆପଣଙ୍କ ପରି ଏତେ ବଡ଼ ଏକ୍‌ଜିକିଉଟିଭ ତା’ର କାରଣ ନ ଜାଣିଲେ କ’ଣ କ୍ଷତି ଅଛି ?

 

ଉତ୍ତର ଖୋଜି ନପାଇ ମୁହଁ ତଳକୁ କରିଦେଇଥଲା ପଲ୍ଲବ ।

 

ଆଘାତ ପାଇଲା ବୋଧହୁଏ ?

 

ତାକୁ ଆଘାତ କରିପାରିଛି ବୋଲି ନିଜକୁ ଅଭିନନ୍ଦନ ଜଣାଇ ପ୍ରାୟ ନାଚି ନାଚି ନିଜ କକ୍ଷ ଭିତରକୁ ପଶି ଆସି ସୋଫା ଉପରେ ଢଳିପଡ଼ି ଗୁଣୁଗୁଣୁ ହୋଇ ଗୀତ ପଦେ ଗାଇଲା ସେ ।

 

ସେଇଦନୁ ଦୁଇଦିନଯାଏ ତାକୁ ଆଉ ଡାକି ନଥିଲା ପଲ୍ଲବ ।

 

ପ୍ରଗଳ୍‌ଭା ପରେ ସେ ଅନୁତାପ କରିନି ଏପରି ନୁହେଁ, କିନ୍ତୁ ସେତେବେଳକୁ ଉପାୟ ନଥିଲା । ବହିଗଲା ପାଣି ପରି କହିଦେଲା କଥା ଆଉ ଫେରି ଆସେନା ।

 

ଫେରି ଆସିବ କି ନାହିଁ ନ ଜାଣିପାରି ସେଇଥିପାଇଁ ବୋଧହୁଏ ଫେରି ଫେରି ଚାହେଁ ମଣିଷ ।

 

ଶନିବାର ଅଧା ଛୁଟି । ଦେଢ଼ଟାବେଳକୁ ଅଫିସ ଛାଡ଼ି ଚାଲିଗଲାବେଳେ ଲକ୍ଷ୍ୟ କଲା ପ୍ରଗଳ୍‌ଭା, ତା’ ଆଡ଼କୁ ବକ୍ର ଦୃଷ୍ଟିରେ ଟିକିଏ ଚାହିଁ ଦେଇଗଲା ପ୍ରଲ୍ଲବ ।

 

ସବୁ ଯେପରି ବଦଳି ଯାଉଛି ।

 

ବଦଳ ଯାଏ ମଣିଷ, ବଦଳ ଯାଏ ପରିବେଶ ।

 

ତେବେ କ’ଣ ସତରେ ବଦଳି ଯାଇପାରିବ ପଲ୍ଲବ ?

 

ଭାବିବା ପାଇଁ ଭଲଲାଗେ ମଣିଷକୁ । ମନେ ମନେ ଅନେକ ଅସମ୍ଭବକୁ ସମ୍ଭବ କରି ସେ ପାଏ ସନ୍ତୋଷ, ସାନ୍ତ୍ୱନା ! ଆଉ ଅନେକ ସମୟରେ ଅନେକ ସମ୍ଭବ ବି ଅସମ୍ଭବରେ ପରିଣତ ହୋଇଯାଇ ଦୀର୍ଘଶ୍ୱାସ ପରି ମିଳେଇଯାଏ ଦୂରରେ ।

 

ଅସମ୍ଭବର ସମ୍ଭାବ୍ୟହୀନତା ନେଇ ଯିଏ ଉଭା ହୋଇଥିଲା ତା’ ଆଗରେ, ତା’ ପାଖରୁ ସମ୍ଭବର ସମ୍ବାଦ ପାଇ ବହୁଦିନ ପରେ ଛାତିତଳେ ମୃଦୁ କମ୍ପନ ଅନୁଭବ କଲା ପ୍ରଗଳ୍‌ଭା ।

 

ସିନେମା ବହୁଦିନ ହେଲା ଦେଖା ହୋଇନି । ଭଲ ଛବିଟିଏ ଆସିଛି । ଦେଖିବା ପାଇଁ ମନ ହଉଚି । ଏକା ଏକା ଯିବା ପାଇଁ ମନ ବଳୁନି । ସାଙ୍ଗରେ ଆଉ କିଏ ଯିବ ଯେ…ସମୟ ଆସେ ଯେତେବେଳେ ଏକା ପଥ ଚାଲିବ ପାଇଁ, ସିନେମା ଦେଖିବା ପାଇଁ । ଏକା ଏକା ବସି ଭାବିବା ପାଇଁ ଭଲ ଲାଗେନା, ଉତ୍ସାହ ମିଳେନା ।

 

ସାଙ୍ଗ ଖୋଜିଲା ପ୍ରଗଳ୍‌ଭା ।

 

ଉପରଓଳି ସଜହୋଇ ବହାରିପଡ଼ିଲା ସିନେମାଦେଖିବା ପାଇଁ । ସାଙ୍ଗ ନଥାନ୍ତୁ, ମନର ରଙ୍ଗ ଟିକକୁ ଆଉ ଟିକେ ଚହଟାଇ ଦବ; ନିଜେ ନିଜକୁ ଅନ୍ୟର ପ୍ରତିବିମ୍ବ ମଧ୍ୟରେ ଅନୁଭବ କରିବ-

 

କିନ୍ତୁ ସେଦିନ ସିନେମା ହଲ ସାମ୍ନାରେ ହଠାତ ପଲ୍ଲବ ସହିତ ଦେଖା ହୋଇଯିବ ବୋଲି ସେ କଳ୍ପନା ମଧ୍ୟ କରି ନଥିଲା । ପାଷାଣର ପୁଣି ସଉକ ଅଛି । ସିନେମା ଦେଖିବାର ମନ ଅଛି ।

 

ପଲ୍ଲବ ତାକୁ ଦେଖି ପକାଇ କହିଲା—ହ୍ୟାଲୋ !

 

ଅନେକ ସମୟରେ ଏହି ‘ହ୍ୟାଲୋ’ ହିଁ ଯଥେଷ୍ଟ । କୂଳ ନପାଇ ଭାସି ଯିବାବେଳେ କୁଟାଖିଅ ବି ଯଥେଷ୍ଟ !

 

ଟିକିଏ ହସି ଦେଇ ଉତ୍ତର ଦେଲା ପ୍ରଗଳ୍‌ଭା ।

 

ଆଉ ଟିକିଏ ପାଖକୁ ଆସି କହିଲା ପଲ୍ଲବ—ସିନେମା ଦେଖିବ ?

 

ରାଗ ଲାଗିଲା ତାକୁ । ଭଦ୍ରାମି ଶିଖିନି ଲୋକଟା । ସିନେମା ଦେଖିବ ନାହିଁ ତ କଅଣ ସିନେମା ହଲ ଆଗରେ ଛିଡ଼ା ହୋଇଛି ସିନେମା ଦେଖିବା ପାଇଁ ଆସିଥିବା ଲୋକମାନଙ୍କୁ ଦେଖିବା ପାଇଁ ?

 

ତଥାପି ରାଗ ଚାପି କହିଲା ପ୍ରଗଳ୍‌ଭା—ସିନେମା ହଲକୁ ଆଉ କେଉଁଥିପାଇଁ କିଏ ଆସେ ଯେ....

ତା’ ମୁହକୁ ପଲକରେ ଚାହିଁ ଦେଇ ଆଗେଇ ଯାଇ ଦୁଇଟା ଟିକେଟ କାଟିଆଣିଲା ପଲ୍ଲବ । କହିଲା ସମୟ ହୋଇଗଲାଣି, ଆସ ।

ଥରିଲା ପାଦରେ ଉପରିସ୍ଥ ସାହେବଙ୍କର ପଦାଙ୍କ ଅନୁସରଣ କଲା ପ୍ରଗଳ୍‌ଭା ।

ସର୍ବାଙ୍ଗ ଶିଥିଳ ହୋଇ ଆସୁଥିଲା । କଣ୍ଠ ଶୁଖି ଆସୁଥିଲା ।

ଆଜି ଯେପରି ତାଳୁରୁ ତଳିପାଯାଏ ଏକ ଅଗ୍ନିମୟ ସମ୍ଭାବନାର ସ୍ରୋତ ତାକୁ ଅଚେତ କରିଦେବା ପାଇଁ ଚାହେଁ ।

ପାଖରେ ଆଉ ଗୋଟିଏ ଆସନରେ ବସିଲା ପ୍ରଗଳ୍‌ଭା ।

ସିନେମା ଆରମ୍ଭ ହୋଇଗଲା ।

ପଲ୍ଲବ ଆଡ଼କୁ ଲାଗି ଆସିବା ପାଇଁ ମନ ହଉଥିଲା ପ୍ରଗଳ୍‌ଭାର ।

ହାତ ଉପରେ କାହାର ପରଶ ଲାଗିଲା ଯେପରି । ଚାହିଁବା ପାଇଁ ସାହସ ହଉ ନଥିଲା ପ୍ରଗଳ୍‌ଭାର । କିନ୍ତୁ ଟିକିଏ ପରେ ପଲ୍ଲବକୁ ସାମ୍ନାକୁ ଝୁଙ୍କି ପଡ଼ିବାର ଦେଖି ସେ ଜାଣିଲା ସେ ପରଶ ପଲ୍ଲବର ନୁହେଁ, ପଣତର ଏକାଂଶ ପବନରେ ଉଡ଼ି ବାଜୁଥିଲା ତାର ଅନାବୃତ ହାତ ଉପରେ ।

 

ଗୋଟିଏ ଦୃଶ୍ୟରେ ନାୟକ ନାୟିକାର ହାତଧରି ଅଳି କରୁଥଲା…

 

କଣେଇ କରି ଚାହିଁଲା ପ୍ରଗଳ୍‌ଭା । ପଲ୍ଲବ ଆଖି ବନ୍ଦ କରି କଅଣ ଭାବୁଥିଲା ଯେପରି-

 

ଛି...ଛି…ସିନେମା ଦେଖାର ସରସତା ନଷ୍ଟ ହୋଇଗଲା ଏକାବେଳେ ।

 

ତାକୁ ତା’ହେଲେ ପାଖରେ ବସାଇଥିଲା କ’ଣ ଅନୁକଂପା କରି ? ସେ ତ ଟିକିଏ ଦୟା, ଚେନାଏ ଅନୁକଂପା ପାଇଁ ଆସି ନଥିଲା । ବିନିମୟ ଯେଉଁଠାରେ ନାହିଁ ଅନୁରାଗ ସେଠାରେ ଉଧେଇ ପାରେନା ।

 

ରାଗ ନୁହେଁ, କାନ୍ଦିବା ପାଇଁ ଇଚ୍ଛା ହଉଥିଲା ପ୍ରଗଳ୍‌ଭାର । ମଣିଷ ପୁଣି ପାଷାଣ ପରି ସତରେ ଏଡ଼େ ନୀରବ, ନିଶ୍ଚଳ ହୋଇପାରେ ? ଏଇ ନିଷ୍ଠୁର, ନିର୍ବେଦ ପାଷାଣଟା ପାଇଁ ତା’ହେଲେ ସେ ବେଳେବଳେ ଅଥୟ ହୁଏ କାହିଁକି ? ମୂକ ମୁହଁରୁ ପଦେ କଥା ଶୁଣିବା ପାଇଁ ଉନ୍ମୁଖ ହୋଇ ଅନାଇ ରହେ କ’ଣ ପାଇଁ ?

 

ଇଣ୍ଟର୍‌ଭାଲରେ ବାହାରକୁ ଆସି ଆଉ ଫେରିଗଲା ନାହିଁ ପ୍ରଗଳ୍‌ଭା ।

 

ପଲ୍ଲବ ସେଦିନ ଶେଷଯାଏ ଥିଲା କି ନାହିଁ ଜାଣିବା ପାଇଁ ଇଚ୍ଛା ହେଲନି, ପ୍ରୟୋଜନ ବି ନଥିଲା I

 

ଆକର୍ଷଣ ଥିଲେ ସମ୍ପର୍କ ଗଢ଼ିଉଠେ । ଯେଉଁଠାରେ ଦର କଷାକଷି ହୁଏ, ସେଠାରେ ସମ୍ପର୍କ ଗଢ଼ି ଉଠେନା, ସ୍ନେହ ପ୍ରୀତି ଦୂରେଇ ଯାଆନ୍ତି ।

 

ପରଦିନ ଅଫିସରେ କିନ୍ତୁ ତାକୁ ଦେଖି ଆଗପରି ଅନୁଚ୍ଚ କଣ୍ଠରେ କହିଲା ପଲ୍ଲବ—ବସ ।

 

ବସିବା ପାଇଁ ଆସି ନଥିଲେ ବି ଆଦେଶ ପାଳନ କଲା ପ୍ରଗଳ୍‌ଭା ।

 

—ଗୋଟେ ଗଳ୍ପ ଶୁଣ ।

 

ଆଶ୍ଚର୍ଯ୍ୟ ହୋଇ ତା’ ଆଡ଼କୁ ଥରେ ଚାହିଁ ପୁଣି ତଳକୁ ମୁହଁ ପୋତିଲା ପ୍ରଗଳ୍‌ଭା ।

 

ବହୁଦିନ ପରେ ଅରଣ୍ୟର ଅନ୍ଧକାର ଭିତରେ ଆଦିମ ଜୀବନ-ଯାପନ କରିବା ପରେ ଆଲୋକକୁ ଯେତେବେଳେ ଆସିଲା ସେହି ଲୋକଟି—ଦେଖିଲା, ସେତେବେଳେ ଅବାକ୍ ହୋଇ କେବଳ ରାଶି ରାଶି ଆଲୋକର ମେଳା । ଆଉ ରୂପ, ରାଗ, ରଙ୍ଗର ମହୋତ୍ସବ । ବିପଣୀରେ ପସରା ମେଲାଇ ବସିଲା ପରି ବସିଥିଲେ ଅନେକ ଅନେକ ଜୀବନ୍ତ ମଣିଷ । ସେ ସେମାନଙ୍କ ମୁହଁକୁ ଚାହିଁଲା, କିନ୍ତୁ ତା’ ମୁହଁକୁ କେହି ଚାହିଁଲେ ନାହିଁ । ସେ କାହା ସହିତ ମିଶିପାରଲା ନାହିଁ । ଅଯତ୍ନ, ଅବହେଳା ଓ ଅନାଦର ପାଇ ସେ ଭାବିଲା ଅରଣ୍ୟର ଅନ୍ଧକାର ତା’ହେଲେ ଆଲୋକଠାରୁ ଅନେକ ଭଲ ତ ? ଅନ୍ଧକାର ସମସ୍ତଙ୍କର ବୈଶିଷ୍ଟ୍ୟ ଓ ପରିଚୟକୁ ନିଶ୍ଚିହ୍ନ କରି ଏକତ୍ୱର ସାନ୍ତ୍ୱନା ଦିଏ, ଅଥଚ ଆଲୋକର ଏତେ ପାର୍ଥକ୍ୟ, ଏତେ ଜ୍ଜ୍ୱାଳା, ଏତେ ଦାବୀ !

 

ପ୍ରଗଳ୍‌ଭା ଏକଜିକଟିଭ୍ ମ୍ୟାନେଜରର ମୁହଁକୁ ଅନାଇ ସ୍ତମ୍ଭିତ ହୋଇଗଲା ।

 

କେତେବେଳୁ କେଜାଣି ତା’ ମୁହଁକୁ ଅନାଇ ରହିଥିଲା ପଲ୍ଲବ ।

 

ସେ ରହିଗଲା ସିନା; କିନ୍ତୁ ଉତ୍ସାହିତ ହୋଇ କହିଲେ ପ୍ରଗଳ୍‌ଭା ତା’ପରେ ?

 

ଟିକିଏ ରହିଯାଇ ଆରମ୍ଭ କଲା ପଲ୍ଲବ—ଅରଣ୍ୟର ସେଇ ଅଧିବାସୀ ତଥାପି ଆଲୋକରେ ବସବାସ କରିବା ପାଇଁ ବାସନା କଲା । ସଭ୍ୟ, ସୁନ୍ଦର ଲୋକଗୁଡ଼ିକ ସହିତ ଚଳପ୍ରଚଳ ହେଲା । କିନ୍ତୁ ଅନେକ କିଛି ଶିଖି ପାରଲା ନାହିଁ । ଆଲୋକିତର ମଣିଷର ଅନେକ ଆଚାର ବ୍ୟବହାର ତାର ବୋଧଗମ୍ୟ ହେଲା ନାହଁ । ଆରଣ୍ୟକ ଜୀବନରେ ଯାହା ଦେଖି ନଥିଲା ସେ ସବୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲା । ତେଲ, ଘିଅ, ଦୁଧ, ମହୁ ପରି ଆଲୋକର ମଣିଷ ଯେ ପ୍ରେମ, ଆନନ୍ଦ, ନୈବେଦ୍ୟକୁ ଅପମିଶ୍ରିତ କରିପାରିଛି, ତାହା ଦେଖି ସେ ଅନ୍ଧକାରକୁ ଲେଉଟି ଯିବାପାଇଁ ମନକଲା ।

 

କିନ୍ତୁ ଆସିବା ପଥ ଯେତେ ସହଜ ଫେରିବା ପଥ ଯଦି ସେତିକି ସହଜ ହୋଇଥାଆନ୍ତା… ।

 

ଏହିଠାରେ ବନ୍ଦ କରି ଗୋଟିଏ ଲାଲ ପେନ୍‌ସିଲକୁ ଦୁଇ ତିନଥର ଏପାଖ ସେପାଖ କଲା ପଲ୍ଲବ । ତା’ପରେ ଅନ୍ୟଆଡ଼କୁ ମୁହଁ ବୁଲାଇ କହିଲା—ଶେଷ ପର୍ଯ୍ୟନ୍ତ ବସିଥିଲେ ତା’ପରେ କଅଣ ହେଲା ଦେଖିଥାଆନ୍ତି । ତୁମେ ତ ଅଭିମାନ କରି ଚାଲିଆସିଲ ଅଧାରୁ ।

 

ଏତେବେଳେ ବୁଭୁକ୍ଷିତ ଅନ୍ତର ଭିତରେ ଜାଣିଲା ପ୍ରଗଳ୍‌ଭା । ସେ ଆଦୌ ନଦେଖି କେବଳ ନିଜକୁ ଦେଖୁଥିଲା ସିନେମା ହଲ୍‌ରେ ।

 

କୌଣସି ଉତ୍ତର ନଦେଇ ସେ ସେହିପରି ବସିରହିଲା । ଆଜି ଯେପରି ମୁଖର ମୂକ ହୋଇଛି, ମୂକ ବାଚାଳ ହୋଇଛି ।

 

ସେଦିନର ଅଭିମାନ ଏଯାଏ ନିଭି ଯାଇ ନଥିଲା । ତା’ପରେ କହିଲା ପଲ୍ଲବ—Well, ଆଜି ଏତିକିରେ ଥାଉ । ତୁମେ ଆସନ୍ତା ସପ୍ତାହର Engagement padଟା ଆଣ ତ ।

 

ଉଠିଗଲାବେଳେ ହଠାତ୍ ତାକୁ ପଚାରି ଦେଲା ପଲ୍ଲବ—ପିଲାଦିନେ ମାଆର ମମତା ବହୁତ ପାଇଥିଲ, ନା ?

 

—ଏଥିରେ ଅସ୍ଵାଭାବିକତା ରହିଲା କେଉଁଠି ସାର୍ !

 

ହଠାତ୍ କହି ପକାଇଲା ପ୍ରଗଳ୍‌ଭା । କିନ୍ତୁ ତା’ପରେ ଦେଖିଲା ଉଜ୍ଜ୍ୱଳି ଉଠୁଥିବା ମୁହଁଟି ଏକାବେଳକେ ବିଷଣ୍ଣ ହୋଇଗଲା । ଆଉ କିଛି ନକହି ନୀରବରେ କେବଳ ବସି ରହିଲା ପଲ୍ଲବ ।

 

ଧୀରେ ଧୀରେ ତା’ ଚେମ୍ବର ଭିତରୁ ଅତିକ୍ରାନ୍ତ ହୋଇଗଲା ପ୍ରଗଳ୍‌ଭା ।

 

ସଙ୍ଗେ ସଙ୍ଗେ ଏଙ୍ଗେଜ୍‌ମେଣ୍ଟ ପ୍ୟାଡ଼ଟା ନେଇ ଫେରି ନଯାଇ ଗୋଟେ ଖାଲି ତାରିଖ ଖୋଜିଲା ପ୍ରଗଳ୍‌ଭା ।

 

ତାରିଖଟିଏ ଲୋଡ଼ା ତା’ର ।

 

ସେଠାରେ ଆଉ କାହାର ଯିବା ଆସିବା, ଅଭିନନ୍ଦନ, ସମ୍ବର୍ଦ୍ଧନା ନଥିବ । କାହାର ଘରେ ଆମୋଦ ପ୍ରମୋଦ ପାଇଁ ନିମନ୍ତ୍ରଣ ନଥିବ ।

 

ଗୋଟିଏ ଖାଲି ତାରିଖ । ସମ୍ପୂର୍ଣ୍ଣ ନିଜସ୍ୱ, ବ୍ୟକ୍ତିଗତ ଓ ଆପଣାର ।

 

ପ୍ୟାଡ଼୍‌ଟା ଧରି ଭିତରକୁ ପଶିଗଲ ପ୍ରଗଳ୍‌ଭା ।

 

ସେ ପଲ୍ଲବର ମୁହଁକୁ ଚାହିଁ ଶିହରି ଉଠିଲା ।

 

ଏଇ ଅଳ୍ପ ସମୟର ବ୍ୟବଧାନ ମଧ୍ୟରେ ଗୋଟିଏ ନିର୍ଲିପ୍ତ ନିଷ୍ଠର ମୁହଁ ଉପରେ ଏତେ ପ୍ରତ୍ୟାଶାର ପ୍ରତିଲିପି ଭାସି ଉଠିଲା କେଉଁଠୁ ?

 

ପୁଲକିତ ମନକୁ ଦେହ ଭିତରେ ଢାଙ୍କି ରଖି ଟେବୁଲ ଉପରେ ନଇଁ ପଡ଼ି କହିଲା ସେ–ମାସର ଦ୍ଵିତୀୟ ଶନିବାରଟା ଖାଲି ଅଛି ସାର୍ ।

 

ବେଶ୍ ।

 

କେବଳ ଏତିକି କହି ଅଟକିଗଲା ପଲ୍ଲବ । ଅନେକ ଯେପରି ସେ କହିବା ପାଇଁ ଚାହୁଁଥିଲା, କିନ୍ତୁ କିଛି କହିପାରିଲା ନାହିଁ ।

 

ତାକୁ ଟିକେ ଉତ୍ସାହିତ କରିବା ପାଇଁ ଇଚ୍ଛା ହେଲା ପ୍ରଗ୍‍ଳଭାର ।

 

କ’ଣ ପୁଣି ସିନେମା ଯିବେ ସାର୍ ?

 

ତା’ ଆଡ଼କୁ ଝୁଙ୍କି ପଡ଼ି କହିଲା ପଲ୍ଲବ—ସିନେମା ନୁହେଁ । ଗୋଟିଏ ନିରୋଳା ନିଛାଟିଆ ସ୍ଥାନରେ ମୁଁ ତମର ସାନ୍ନିଧ୍ୟ କାମନା କରେ । କିଛି ସମୟ ଦେଇ ପାରିବ ପ୍ରଗଳ୍‌ଭା ।

 

କିଛି ଉତ୍ତର ଦେବା ପୂର୍ବରୁ ତା’ ହାତ ଆଙ୍ଗୁଳି ଉପରେ ଅନ୍ୟ ହାତର ପରଶ ପାଇ ଥରିଉଠିଲା ସେ । ବିହ୍ଵଳିତ ଆନନ୍ଦରେ ମହମବତୀ ପରି ତରଳିଯିବା ଆଗରୁ ସେ ଦେଖିଲା ଦୁଇ ଆଖିର ଭାଷାରେ ବହ୍ନିମାନ ବୁଭୁକ୍ଷାର ଉଜ୍ଜ୍ୱଳ, ଅନାବୃତ ସଙ୍କେତ ।

 

ତା’ ହାତକୁ ବଜ୍ରମୁଷ୍ଟି ଭିତରେ ଆବଦ୍ଧ କରି ପେଶି ଦଉଥିଲା ପଲ୍ଲବ ।

 

ଏତେ ଶକ୍ତ ତାର ହାତମୁଠା ।

 

ଥରୁଥିଲା ପ୍ରଗଳ୍‌ଭା ।

 

ଏତେ ଶୀଘ୍ର ଏଇ ପାଷାଣ ପ୍ରତିମା ତରଳିଯିବ, ଏହା ଯେପରି ଚାହୁଁ ନଥିଲା ସେ ।

 

ପଲ୍ଲବ ଅପେକ୍ଷା କରିବା ପାଇଁ ପ୍ରସ୍ତୁତ ନଥିଲା । ସର୍ବାଙ୍ଗରେ ଅନେକ କାଳର ଅନାଦୃତ ଗୋଟିଏ ତୀବ୍ର ଆଙ୍କାକ୍ଷା ଅନିର୍ବାଣ ହୋଇଉଠୁଥିଲା । ପୃଥିବୀର ସମସ୍ତ ସମ୍ପଦ ଭୋଗ କରିବା ପାଇଁ ଗୋଟିଏ ଅଦମ୍ୟ । ଲାଳସା ଲହ ଲହ ଜିହ୍ୱା ବିସ୍ତାର କରି ତାର ସମସ୍ତ ଶରୀରକୁ ପରିବ୍ୟାପ୍ତ କରୁଥୁଲା । ଆଖି ଯୋଡ଼ିକ ଜ୍ୱାଳାରେ ବନ୍ଦ ହୋଇଯିବା ପୂର୍ବରୁ ଦେହ ଓ ମନର ସମସ୍ତ କାମନା ଦେଇ ଥରେ ପ୍ରଗଳ୍‌ଭା ଆଡ଼କୁ ଆକୁଳ ଆବେଗରେ ଅନାଇଲା ପଲ୍ଲବ ।

 

ଅନାଦି କାଳର ସେଇ ଆରଣ୍ୟକ ଚାହାଣୀରେ ସର୍ବଗ୍ରାସୀ ବୁଭୁକ୍ଷାର ଲେଲିହାନ ଶିଖା ଦେଖି ନିକୃଷ୍ଟ, ପୁରାତନ ଆଦିମ ମଣିଷର ପରିଚୟ ପାଇ ଆତଙ୍କରେ ଥରି ଉଠିଲା ପ୍ରଗଳ୍‌ଭା ।

 

ସେ ବ୍ୟତିକ୍ରମ ଆଶା କରୁଥିଲା ।

 

ତା’ ଚିବୁକ ଉପରକୁ ନଇଁ ପଡୁ଼ଥିବା ଯୋଡ଼ାଏ ଅଧରରୁ ବିଷ ଜ୍ୱାଳା । ନିଜକୁ ମୁକ୍ତ କରିବା ପାଇଁ ପ୍ରଥମେ ଘୁଞ୍ଚି ଆସିଲା ପ୍ରଗଳ୍‌ଭା । ସେତେବେଳକୁ ସାପର ଉଦ୍‌ଗତ ଫଣା ଦଂଶନ କରିବା ପାଇଁ ଉପରକୁ ଉଠୁଥୁଲ ଆହୁରି ଯୋରରେ ।

 

ପଲ୍ଲବର ଦେହରେ, ଶୋଣିତ କଣାରେ ସେତେବେଳେ ବିସ୍ଫୋରଣ । ସେ ଭିସୁଭିୟସର ତରଳ, ଆଗ୍ନେୟ ଲାଭା ପରି ତା’ ସମ୍ମୁଖର ସବୁ ସମ୍ପଦ, ସବୁ ସୌରଭକୁ ଗ୍ରାସ କରିଦେବା ପାଇଁ, ଚାହୁଁଥିଲା । ନିଶ୍ଚିହ୍ନ ହବାରେ, ଗୋଟିଏ ରଙ୍ଗରେ ସମସ୍ତଙ୍କୁ ନିଶ୍ଚିହ୍ନ କରି ଦବାରେ ଯେପରି ଆରଣ୍ୟକ ଜୀବନର ଚରମ ଆନନ୍ଦ ।

☆☆☆

 

ମଧ୍ୟାହ୍ନରେ ସକାଳର ଫୁଲ

 

ଅରୁନ୍ଧତୀ ସ୍ତ୍ରୀ ହେବାପାଇଁ ଚାହୁଁଥିଲା, ହେଲା; ମା’ ହବାପାଇଁ ଚାହୁଁଥିଲା, ହେଲା । ଉଚ୍ଚ ସମ୍ଭ୍ରାନ୍ତ ପରିବାରରେ ପୋଷାକୀ ଜୀବନ ପାଇଁ ଯାହା ପ୍ରୟୋଜନ, ସେ ସବୁ ପାଇଥିଲା । ସବୁ ମିଳବା ସତ୍ତ୍ୱେ ଏକ ପରିପୂର୍ଣ୍ଣ ଜୀବନର ସ୍ଵାଦ ଓ ଆହ୍ଲାଦ ତାକୁ ସମ୍ପୂର୍ଣ୍ଣ ବିକଶିତ କରିପାରିଲା ନାହିଁ । ସବୁ ପାଇବା ଭିତରେ ଗୋଟାଏ କିଛି ନ ପାଇବାର ଅଭାବବୋଧ । ତାକୁ ବେଳେ ବେଳେ ଅଥୟ କରୁଥିଲା । ଅସ୍ଥିର, ଅଶାନ୍ତ ହୋଇ ସେ ନିଜ ଭିତରକୁ ନିରୀକ୍ଷଣ କରୁଥିଲା, ଆଲୋକିତ ଓ ଅନ୍ଧାର ପୃଥିବୀକୁ ଅନାଉଥିଲା, କେଉଁଠି କ’ଣ ଅପୂର୍ଣ୍ଣତା ରହିଗଲା, ତାହା ଜାଣିବା ପାଇଁ । ଅପୂର୍ଣ୍ଣ ଜୀବନର ଜ୍ୱାଳା ତାକୁ ଏକାକୀ ଥିବାବେଳେ କାତର କରୁଥିଲା । ସେ କ୍ରମଶଃ ଅନୁଭବ କଲା, ଏକ ତୀବ୍ର ଅଭାବବୋଧର ଅବସାଦ । ଅରୁନ୍ଧତୀ ଚେଷ୍ଟାକଲା, କିନ୍ତୁ ଜାଣିପାରିଲା ନାହିଁ କେଉଁଠି ସେ ହାରିଗଲା ବା କଅଣ ହରାଇ ବସିଲା । ଅସ୍ଥିର ହୋଇ ବିଛଣା ଉପରେ ଏପଟ ସେପଟ ହେଲା, ସ୍ଵାମୀ କାମରୁ ଫେରିଲେ ତାଙ୍କୁ ଅଶାନ୍ତ ଚିତ୍ତରେ ଅନାଇଲା, ପିଲାମାନେ ଆସି ପହଞ୍ଚିଗଲେ, ଅପ୍ରସନ୍ନ ହେଲା । ସବୁବେଳେ ମନରେ, ଦେହରେ ରାଗ ରାଗ ଭାବଟା ଗରଗର କଲି । ସେ ଅତିଷ୍ଠ ହୋଇଉଠିଲା ନିଜକୁ ନେଇ ।

 

କନ୍‌ଭେଣ୍ଟ ସ୍କୁଲକୁ ଅମିତାଭ ଆଉ ଅମିତା ଚାଲିଗଲେ କାମ କମିଆସେ । ଅଜିତ ଅଫିସକୁ ଚାଲିଗଲେ କାମ ସରିଯାଏ । ସେ ଏକା ବସି ରହେ, ଶୁଏ ବା ଏପାଖ ସେପାଖ ହୁଏ । ବେଳେ ବେଳେ ରେଡ଼ିଓ ଛାଡ଼ି ଇଜି ଚୌକିରେ ବସି, ଆଖି ବନ୍ଦ କରି ଶୂନ୍ୟ ଦୃଷ୍ଟି ହୋଇଯାଏ । ତା’ପରେ ପତ୍ରିକା କେଇଟା ପାଖକୁ ଟାଣି ନେଇ ପୃଷ୍ଠା ଓଲଟାଏ । ଉଠିଯାଇ ମେକାନିକାଲ ଟଏର କଳ ମୋଡ଼ି ଖେଳ ଦେଖେ । ତା’ପରେ ପୁଣି ସବୁ ଫୋପାଡ଼ିଦେଇ ଶୋଇ ଶୋଇ ନିଜ ଓଠକୁ ନିଜେ କାମୁଡ଼ିବା ପାଇଁ ଚେଷ୍ଟା କରେ ।

 

ସେ ଏପରି ନଥିଲା, ପ୍ରଥମ ଯୌବନର କୋଳାହଳକୁ ସଙ୍ଗୀତର ସ୍ଵର ଦେଇ ମଧୁର କରିଥିଲା, ଐକାନ୍ତିକ ନିଷ୍ଠା ଦେଇ ଐଶ୍ଵର୍ଯ୍ୟଶାଳୀ କରିଥିଲା । କିନ୍ତୁ କେବେ ଯେ ସେ ସବୁ ଶେଷ ହୋଇ ସେ ମରୁଭୂମିର ନିର୍ଜନତାରେ ନିର୍ଯ୍ୟାତିତା ରାଜକୁମାରୀ ପରି ବିଳାପ କରିବା ପାଇଁ ପଡ଼ି ରହିଲା ଏକାକୀ, ବୁଝି ବି ପାରିଲା ନାହିଁ ।

 

ସ୍ଵାମୀଙ୍କର ବ୍ୟବସାୟର ପ୍ରସାର ଅନେକ । ବଡ଼ ବଡ଼ ପ୍ରତିଷ୍ଠାନର ସଲିସିଟର୍ । ସକାଳେ ଚାହା ପିଇ ମୁହଁ ହାତ ଧୋଇ ଖବର କାଗଜଟା ଉପରେ ମୁହଁ ବୁଲାଇ ନେଇ ସାତଟାବେଳୁ ସାଢ଼େ ନଅଟାଯାଏ ଯାଇ ବସନ୍ତି ଚେମ୍ବର୍‌ରେ । ପିଲାମାନଙ୍କୁ ନେଇ ଅନ୍ୟ ଘରେ ବସନ୍ତି ଗୃହ-ଶିକ୍ଷକ । ସାଢ଼େ ଦଶଟାବେଳକୁ ସମସ୍ତେ ସ୍ନାନ, ପ୍ରସାଧନ ଶେଷ କରି, ଖାଇ ପିଇ ବାହାରି ଯାଆନ୍ତି ଅଫିସ ଆଉ ସ୍କୁଲକୁ । ଲଞ୍ଚ ଖାଇବାର ପ୍ରୟୋଜନ ଥାଏ ନାହିଁ । ଟିଫିନ ପଠାଇଦିଏ ଅରୁନ୍ଧତୀ । ପୁଣି ଚାରିଟାରୁ ସାଢ଼େ ଛଅଟାଯାଏ କୋଳାହଳ । ପିଲାମାନେ ଆସନ୍ତି, ଜଳଖିଆ ଖାଆନ୍ତି, ଖେଳନ୍ତି । ସ୍ଵାମୀ ଆସି ପହଞ୍ଚିଲେ ଧୁଆଧୋଇ ହୋଇ, ଲୁଗା ବଦଳାଇ, ବାଲ୍‌କନିରେ ଚା’ ଆଉ ଟୋଷ୍ଟ ଖାଆନ୍ତି । ସବୁ କାମ ଶେଷକରି ତାଙ୍କ ପାଖରେ ବସୁ ନ ବସୁଣୁ ସେ ଉଠି ବାହାରନ୍ତି ଚେମ୍ବରକୁ । ଜରୋରୀ କନ୍‌ସଲଟେସନ୍ ପାଇଁ ଲୋକେ ଆସନ୍ତି । ବସି କର ଦୁଇପଦ ବ୍ୟକ୍ତିଗତ କଥା ବା ଘର ସଂସାରର ହାଲଚାଲ ବୁଝିବା ପାଇଁ ସମୟ ହୁଏନା । ପିଲାମାନେ ପଢ଼ିବା ପାଇଁ ଚାଲିଯାଆନ୍ତି ଗୃହ-ଶିକ୍ଷକ ଆସିଲେ । ସେ ପୁଣି ଏକା ହୋଇଯାଏ । ଦିନେ ଦିନେ କ୍ଳବରେ ପାର୍ଟି ଥିଲେ ବା କାହାରି ଘରକୁ ଯିବାର ଥିଲେ ସେ ଅଜିତ ସହିତ ଯାଏ । କିନ୍ତୁ ସମୟ ହୁଏନା ଏସବୁ ପାଇଁ । ଅଜିତ୍‌ର ସିନେମା ପ୍ରାୟ ଦେଖା ହୁଏନା କହିଲେ ଚଳେ । ରାତିରେ ସବୁ କାମ ଶେଷ ହେଲେ, କ୍ଳାନ୍ତ ହୋଇ ଶୋଇବା ଘରକୁ ଆସିଲାବେଳକୁ ଚୁରୁଟ୍‌ର ଶେଷ ଧୂଆଁ ଛାଡ଼ି ଅପେକ୍ଷା କରୁଥାଏ ଅଜିତ୍ । ପାଖକୁ ଆସୁ ନଆସୁଣୁ ନିଦ ହୋଇଯାଏ କ୍ଳାନ୍ତିରେ-। ଏତେବଡ଼ ରାତିର କଳାପର୍ଦ୍ଦା ପଡ଼ିଥିବା ଷ୍ଟେଜ୍ ଉପରେ ଏକା ପଡ଼ିରହେ ଅରୁନ୍ଧତୀ-। ଏକା କେତେ ଅଭିନୟ କରିବ, ଏକା ଏକା କେତେ ସ୍ଵଗତୋକ୍ତି କରିବ ?

 

ନେପଥ୍ୟେ ନିର୍ଜନ । କାହାରି ସ୍ଵର ଶବ୍ଦ ନାହିଁ । ସମସ୍ତେ ଚୁପ୍‌ଚାପ । ଟିକିଏ ଆଦର ପାଇଁ ଇଚ୍ଛା କରି ଆସିଥାଏ ଅରୁନ୍ଧତୀ । ସ୍ଵାମୀର ଆହ୍ଲାଦ ପାଇବାପାଇଁ ଇଚ୍ଛା ହୁଏ । ଦିନଯାକର ପରିଶ୍ରମ ପରେ ଅବସାଦଭରା ଦେହରେ ତାଙ୍କ ହାତର ପରଶ ପାଇଁ ମନଟା ବ୍ୟାକୁଳ ହୁଏ । ମଥା ବିନ୍ଧିଲେ ବା ନିଦ ନହେଲେ ତାଙ୍କର ଟିକିଏ ସଚେତନ ସମବେଦନା ବା ପ୍ରୀତିସ୍ପର୍ଶ ପାଇବା ପାଇଁ ସେ ଆଖି ଖୋଲି ଚାହେଁ । କିନ୍ତୁ ରାତିର ଫୁଟନ୍ତ ରଜନୀଗନ୍ଧା ପରି ସେ ରହିଯାଏ ଏକା । ଅଜିତ୍ ଶୋଇଯାଏ ।

 

ଅରୁନ୍ଧତୀ ବ୍ୟଥିତ ହୁଏ । ସ୍ଵାମୀର ମୁହଁ ଉପରକୁ ଚାହେଁ । ଆହା ! ଦିନଯାକର ଖଟଣି ପରେ ଶାନ୍ତିରେ ଶୋଇପଡ଼ିଛନ୍ତି ଟିକିଏ । ତାଙ୍କୁ ଉଠାଇବ ନାହିଁ, ତାଙ୍କ ଆରାମରେ ବ୍ୟାଘାତ ଦବ ନାହିଁ । ତାଙ୍କୁ ଏକା ଛାଡ଼ି ସଂଲଗ୍ନ କୋଠରୀକୁ ଉଠିଯାଏ ଅରୁନ୍ଧତୀ, ଦେଖି ଆସିବାପାଇଁ ପିଲାମାନଙ୍କୁ । ପୁଅ ଝିଅ ଶୋଇ ଯାଇଛନ୍ତି । ସରଳ, ସହଜ ପିଲା ଦୁହିଙ୍କର ସବୁ ଆବଦାର ବନ୍ଦ ହୋଇ ଯାଇଥାଏ । ସେମାନଙ୍କର ବିଛଣା ଉପରେ ବସି ଦେହ ଆଉଁସିଦିଏ, ଚାଦର ଖସି ଯାଇଥିଲେ ଠିକ୍ ସ୍ଥାନରେ ରଖିଦିଏ । ମଶାରୀର ଧାର ଖୋଲି ଯାଇଥିଲେ, ଲଗାଇଦେଇ ଚାଲି ଆସେ । ପୁଣି ସେ ଏକା ହୋଇଯାଏ । ପୁଅ ବା ଝିଅ ଅଳି ଅର୍ଦ୍ଦଳି କରିବାପାଇଁ ନଥା’ନ୍ତି ପାଖରେ । ସେ ଏପାଖ ସେପାଖ ହୁଏ, ରାସ୍ତା ଉପରକୁ ଚାହେଁ ।

 

ମ୍ୟୁନିସିପାଲଟିର ବତୀଗୁଡ଼ାକ ବ୍ୟତୀତ ଆଉ କେଇଟା ବୁଲା କୁକୁରକୁ ଛାଡ଼ି ସବୁ ନିଶୂନ, ନିଝୁମ । ସାରା ସହରଟି ଶୋଇପଡ଼େ, ବଡ଼ ଛୋଟ, ଧନୀ ଗରିବ, ଶୋଇପଡ଼ନ୍ତି ।

 

ଏକା ଏକା ଶୋଇ ହୁଏନା ବୋଲି ଚେଇଁ ରହେ ଅରୁନ୍ଧତୀ । ପୁଣି ଏକା ଏକା ଚେଇଁ ରହି ପାରେନା ବୋଲି ଶୋଇବା ପାଇଁ ଚେଷ୍ଟା କରେ ସେ ।

 

ଅଜିତ୍ ଉପରେ ରାଗ ହୁଏ । ଏତେ ବିଷୟ ସମ୍ପତ୍ତି ଥାଇ ତା’ର କି ଲାଭ ହେଲା ? ସ୍ଵାମୀକୁ ସେ ପାଇଲା ନାହିଁ, ତା’ ପାଖରେ ଦାବୀ, ପ୍ରତିବାଦ କରିବା ପାଇଁ ସମୟ ହେଲାନାହିଁ, ତା’ ପାଖରୁ ଆଦର, ଆହ୍ଲାଦ ପାଇବା ପାଇଁ ସୁଯୋଗ ମିଳିଲା ନାହିଁ । ବିଷୟ ସମ୍ପତ୍ତି ତାକୁ ସଂଗ ଦିଅନ୍ତି ନାହିଁ, ସୋହାଗ ନଥିଲେ ସମ୍ପଦକୁ ସେ ଭୋଗ କରିପାରିବ ନାହିଁ । ଦିନ ପରି ରାତିଟା ବି ବଡ଼ ନିଛାଟିଆ, ନୀର୍ଜନ ଲାଗେ । ପଦେ ନରମ କଥା, ଥରଟିଏ ଆହ୍ଵାନ ବା ଅନୁରାଗ ବୋଳା ଟିକିଏ ଅନୁଭବ ପାଇବା ପାଇଁ ଏପାଖ ସେପାଖ ହୁଏ ।

 

ଅର୍ଥ ଅନେକ ଉପାର୍ଜନ କରେ ଅଜିତ୍ । ସେଇ ଅର୍ଥ ଦ୍ଵାରା ସେ ଅଏସ୍ କରିବା ପାଇଁ ସବୁ ଉପାଦାନ ସଂଗ୍ରହ କରେ । କିନ୍ତୁ ସମୟ ପାଏନା ସ୍ତ୍ରୀ ସହିତ ନିରୋଳାରେ ବସି ଟିକିଏ ଆଳାପ କରିବା ପାଇଁ, ପିଲାମାନଙ୍କ ସହିତ ପ୍ରାଣ ଖୋଲି ଟିକିଏ ଖେଳିବା ପାଇଁ ।

 

ପିଲାମାନଙ୍କୁ ବି ପୂରାପୂରି ପାଏନାହିଁ ଅରୁନ୍ଧତୀ । ସ୍କୁଲକୁ ଯାଆନ୍ତି, ଖେଳାବୁଲା କରନ୍ତି-। ଯେଉଁ ସମୟତକ ଘରେ ରହନ୍ତି, ସେଥୁରୁ ଦୁଇଚାରି ଘଣ୍ଟା ପଢ଼ିବାରେ କଟିଯାଏ । ରବିବାର ଦିନ ଛୁଟିରେ ସେ ସ୍ଵାମୀ ସହିତ କ୍ଳବ ଯାଏ, ସେମାନେ ତାକୁ ପାଆନ୍ତି ନାହିଁ ।

 

ଏକା ଏକା ରହିବାର ବେଦନା ଏଇ ଦୁର୍ବିସହ, ସେ ବିବାହ ଆଗରୁ ଏକା ଥିଲାବେଳେ ଜାଣି ନଥିଲା । ସେତେବେଳେ ଏକା ରହି ନିଜକୁ ନିରେଖିବାରେ ଆନନ୍ଦ ଥିଲା । ନିଜ କଥା ସହିତ ଅନ୍ୟ ଜଣକର କଥା ଭାବିବା ପାଇଁ ଭଲ ଲାଗୁଥୁଲା ବସି ବସି ବା ଶୋଇ ଶୋଇ । ଆଉ କେହି ପାଖରେ ନଥିଲେ ଗୁଣୁଗୁଣୁ ହୋଇ ଗୀତ ଦୁଇପଦ ବୋଲୁଥିଲା, ନହେଲେ ବଡ଼ ଦର୍ପଣଟା ଆଗରେ ଛିଡ଼ା ହୋଇ ନିଜ ଦେହର ସବୁ ଅଂଶକୁ ନିରେଖି ନିରେଖି ଚାଁହୁଥିଲା । ସେ ଦିନର ଏକା ରହିବାରେ ଥିଲା ଅନୁରାଗର ପୂର୍ବରାଗ, ଆଉ ଆଜି ଅନୁଯୋଗ ବ୍ୟତୀତ କିଛି ନାହିଁ ।

 

ଅଜିତ୍ କିନ୍ତୁ ସେଦିନ ସନ୍ଧ୍ୟାବେଳେ ଫେରି ଘୋଷଣା କଲା, ଶୁଣୁଛ ଅରୁ ! ଅଭିଳାଶ ଆସୁଛୁ ।

 

ଅରୁନ୍ଧତୀ ସ୍ଵାମୀ ଆଗକୁ ଆସି କହିଲା— ଅଭିଳାଶ ! କିଏ ସେ ?

 

—ଏ ଭିତରେ ଭୁଲିଯାଇଛ ତା’ହେଲେ, ସେ ପରା ମୋର ପିଲାଦିନର ସାଙ୍ଗ । ବଡ଼ ଲେଖକ ଜଣେ ।

 

—କେବେ ଆସିବେ ? ପଚାରିଲା ସେ ।

 

—କାଲି ସକାଳ ଗାଡ଼ିରେ । ପୁରୀ ଏକ୍‌ସପ୍ରେସ୍ । ଭୋର ପାଞ୍ଚଟା ।

 

—ଏତେ ସକାଳୁ ମୁଁ କିନ୍ତୁ ଷ୍ଟେସନ ଯାଇ ପାରିବିନି । ନିସ୍ପୃହ ଭାବରେ କହିଲା ଅରୁନ୍ଧତୀ ।

 

—ମୁଁ ଏକା ଯିବି । ସେ ଆମ ଘର ଦେଖିନି, ତା’ପରେ ନ ଯିବାଟା ସୁନ୍ଦର ଦିଶିବନି ।

 

—ଉଠି ପାରିବ ପାଞ୍ଚଟା ଆଗରୁ ? ହସିଦେଇ ପଚାରିଲା ଅରୁନ୍ଧତୀ ।

 

—ଉଠାଇଦବ ପନ୍ଦରମିନଟ୍ ଆଗରୁ ।

 

—ବନ୍ଧୁ ପାଇଁ ଉଠିପାରିବ ନିଶ୍ଚୟ, କିନ୍ତୁ ସେଦିନ ମୁଁ ଯିବାର ଥିଲା ବୋଲି ଉଠିପାରିଲ ନାହିଁ, ନା ! ମୁହଁ ଶୁଖାଇ କହିଲା ସେ ।

 

ଅରୁନ୍ଧତୀର ମନ ଭିତରେ ବହୁଦିନର ଗୋଟାଏ ଘଟଣା ଅଲିଭା ଦାଗ ପରି ରହିଯାଇଛି-। ସବୁ ଯତ୍ନ କରି ଅଜିତ୍ ତାକୁ ଲିଭାଇ ପାରିନି ।

 

ପ୍ରାୟ ପାଞ୍ଚବରଷ ତଳର ଘଟଣା । ଅରୁନ୍ଧତୀର ସକାଳ ପୁରୀ ଏକ୍‌ସପ୍ରେସରେ ବାପଘରକୁ ଯିବାର ଥିଲା । ସେ ସବୁ କାମ ଶେଷ କରି କାର୍‌ରେ ବସିଲେ ବି ଠିକ୍ ସମୟରେ ଉଠିପାରଲା ନାହିଁ ଅଜିତ୍ । ତା’ର ଉଠିବାର ଆଗ୍ରହ ନଦେଖି ତାକୁ ଉଠାଇ ନଥିଲା ଅରୁନ୍ଧତୀ । ଶେଷରେ ଡ୍ରାଇଭର ନେଇ ତାକୁ ଛାଡ଼ି ଅସିଲା ଷ୍ଟେସନରେ ।

 

ଅନୁତାପ କରିଥିଲା ଅଜିତ୍ । କ୍ଷମା ବି ମାଗିଥିଲା ଅନେକ ଥର ।

 

ଛୋଟ ଘଟଣାଟିଏ । କିନ୍ତୁ ବେଳେ ବେଳେ ଏଇ ଛୋଟ ଘଟଣା ବି ବଡ଼ ହୋଇ ଦେଖାଦିଏ ।

 

ଅଭିଳାଶର ଆସିବା ତା’ହେଲେ ନିଶ୍ଚିତ । ତା’ପାଇଁ ସବୁ ବ୍ୟବସ୍ଥା କରିବାକୁ ପାଇଁ ତତ୍ପର ହୋଇଉଠିଲା ଅରୁନ୍ଧତୀ ।

 

ତିନିଦିନ ପାଇଁ ଆସି ସାତଦିନ ରହିଗଲା ଅଭିଳାଶ । ସାତୋଟି ଦିନ ସାତଘଣ୍ଟା ପରି ମନେ ହେଉଥିଲା ଅରୁନ୍ଧତୀର ।

 

ଦିନର କର୍ମବ୍ୟସ୍ତତା ଭିତରେ ସେ ଚଞ୍ଚଳ, ମୁଖରିତ ହେଉଥିଲା । ବସି ବସି ଗପିବା ପାଇଁ, ଅଭିଳାଶଠାରୁ ବହୁ ଜୀବନର ରୋମାଞ୍ଚକର କାହାଣୀ ଶୁଣିବା ପାଇଁ ସେ ସମୟ ପାଇଥିଲା ସେ ।

 

ସମୟ ଏତେ ଦୀର୍ଘ, ପୁଣି ଏତେ ଅଳ୍ପ ।

 

ଯେଉଁଦିନ ଅସରନ୍ତି ମନେ ହେଉଥିଲା ତାକୁ, ତାହା ଅତିଶୀଘ୍ର ସରି ଯାଉଥିବାର ଅଭିଯୋଗ ଆସିଲା ମନରେ ।

 

ଅଭିଳାଶ ବିଦାୟ ନେବାର ଶେଷଦିନ । ମଧ୍ୟାହ୍ନରେ ଆସି ବସିଲା ତା’ ପାଖରେ ।

 

—ଆଜି ନଗଲେ କ୍ଷତି ଅଛି ?

 

ମୁହଁ ତଳକୁ କରି ପଚାରିଲା ଅରୁନ୍ଧତୀ ।

 

ଯିବା ପାଇଁ ପାଞ୍ଚଘଣ୍ଟା ବାକୀ ଅଛି ଯେତେବେଳେ, ଏତେବେଳୁ ସେଇକଥା ଭାବିବ କାହିଁକି କୁହ ତ ?

 

—ନା, ଭାବୁନାହିଁ ଯେ......

 

—ଭାବୁଛ ନିଶ୍ଚୟ । ଏତେ ଭାବିବାର କିନ୍ତୁ କାରଣ ନାହିଁ ।

 

—ତୁମେ ଲେଖକ ନା ?

 

—ହୁଁ ।

 

—ଏଇ କଥା କହିପାରୁଛ ?

 

ତାକୁ ଉତ୍ତର ଦେଲାନି ଅଭିଳାଶ ।

ଉତ୍ତର ସବୁବେଳେ ଦେଇହୁଏ ନାହିଁ । ମଣିଷ ଯଦ ସବୁ ଉତ୍ତର ଦେଇ ପାରୁଥାନ୍ତା, ତାହାହେଲେ ଏଇ ସଂସାରର ଶୋଭା ବି ଏତେ ରହନ୍ତା ନାହିଁ, ସୁରଭି ଵି ଏତେ ଛୁଟନ୍ତା ନାହିଁ ।

 

ଅଭିଳାଶ ତିନିଦିନ ପାଇଁ ଆସି କାହିଁକି ଯେ ସାତଦିନ ରହିଗଲା, ସେ ବି ଜାଣି ପାରିଲା ନାହିଁ । ସ୍ନେହ ମମତା ଭରା ବନ୍ଧୁ ଓ ବାନ୍ଧଵୀର ସଂସାର ଛାଡ଼ି ଚାଲିଯିବା ପାଇଁ ପାଶୋରି ଯାଇଥିଲା ସେ ।

 

ସେଦିନ ମଧ୍ୟାହ୍ନରେ ନିଜ କୋଠରିର ବିଛଣା ଉପରେ ଆଉଜି ପଡ଼ି ସୁଏଟର୍ ଗୋଟେ ବୁଣୁଥିଲା ଅରୁନ୍ଧତୀ । ଏକା ଥିଲାବେଳେ ଅନେକ ଅଭାବ ଜାତହୁଏ ମନରେ । ଯଦି ସବୁଦନ ସେ ସଂସାରର ରୁଟିନ ଭିତରେ ସଙ୍ଗ ପାଆନ୍ତା, ଜୀବନ ରାଗ ଓ ରଙ୍ଗର କେତେ ଆକର୍ଷଣୀୟ ହୁଅନ୍ତା ସତରେ ।

 

ଅଜିତ୍ କୋର୍ଟକୁ ଚାଲିଗଲେ ସେ ପଡ଼ିରହେ ଏକା । ଏତେ ବଡ଼ ଉଆସ ଭିତରେ ବନ୍ଦୀ ପରି ବେଦନାରେ ମର୍ମରଉଠେ ସେ । ଆଉ ଟିକିଏ ସମୟ କରି ସେ ଯଦି ତାକୁ ସାନ୍ନିଧ୍ୟ ଦିଅନ୍ତା, କାହାଣୀ କହି ତା’ ଦେହର ଲୁଗାଟାକୁ ଟିକେ ସଜାଡ଼ି ବା ଖୋଲି ଦିଅନ୍ତା, ତାହାହେଲେ ସେ ଅତୀତ ଉପରେ ନିର୍ଭର ନକରି, ବର୍ତ୍ତମାନକୁ ବି ଉପଭୋଗ କରନ୍ତା । ସ୍ତ୍ରୀ ହବାପାଇଁ ଚାହିଁଥିଲା ବୋଲି, ସଙ୍ଗିନୀ ହବା ପାଇଁ ମନା କରି ନଥିଲା । ମା ହବା ପାଇଁ ମନ କରିଥିଲା ବୋଲି ପାଖରେ ଥାଇ ବି ପିଲାମାନଙ୍କ ପାଖରୁ ଆଭିଜାତ୍ୟର ଦୂରତ୍ଵ କାମନା କରି ନଥିଲା ।

 

ସେଇଥିପାଇଁ ଆଜି ମଧ୍ୟାହ୍ନରେ ସୁଏଟର୍‌ ବୁଣିବା ପାଇଁ ଯାଇ ଅଟକି ଯାଇଥିଲା ହାତ । ଏଇ ସାତ ଦିନର ସୁଖ ମଧ୍ୟରେ ସେ କିଛି ହରାଇ ନଥିଲା, ବରଂ ପାଇଥିଲା ଅନେକ । ସମୁଦ୍ର କେତେ ବିରାଟ, କିନ୍ତୁ କୂଳରେ ବସି ଏତେ ଟିକେ ସମୁଦ୍ର ଦେଖି, ଅଳ୍ପ କେତୋଟି ତରଙ୍ଗ ଗଣି ଆମୋଦ ପାଏ ମଣିଷ । ପଡ଼ିଥିବା କୋଟି କୋଟି ଉପଳ ଖଣ୍ଡରୁ ଚାରି ପାଞ୍ଚଖଣ୍ଡ ଗୋଟାଇ ଆଣି ଘର ସଜାଏ ସେ ।

 

ସାତଦିନର ଅନୁଭୂତିକୁ ସାଇତି ରଖିବା ପାଇଁ ଚାହୁଁଥିଲା ଅରୁନ୍ଧତୀ ।

 

—ଘର ବାହାରେ ସେହପରି ଛିଡ଼ା ହୋଇଥିଲା ଅଭିଳାଶ ।

 

—ଭିତରକୁ ଆସ, ଅନୁରୋଧ କଲା ଅରୁନ୍ଧତୀ ।

 

ଆପତ୍ତି ନାହଁ ?

 

—କାହିଁକି ?

 

ପାଲଟା ପ୍ରଶ୍ନ ଶୁଣି ଉତ୍ତର ନଦେଇ ଭିତରକୁ ପଶି ଯାଉଁ ଯାଉଁ କହିଲା ଅଭିଳାଶ—ଏତେ ବଡ଼ ଘରଟାରେ ଏକାକୀ ରହି ରହି ବଡ଼ ଯନ୍ତ୍ରଣା ପାଉଥିବ, ନା ?

 

ତା’ ମୁହଁକୁ ଦଣ୍ଡେ ଅପଲକ ନେତ୍ରରେ ଅନେଇ ଆଖି ଫେରାଇ ଆଣି ଶାନ୍ତ କଣ୍ଠରେ କହିଲା—ଲେଖକମାନେ ପ୍ରାଚୁର୍ଯ୍ୟ ଭିତରେ ଅଭାବଟାକୁ ବଡ଼ କରି ଦେଖନ୍ତି, ନା ?

 

ହସିଦେଇ କହିଲା ଅଭିଳାଶ ପ୍ରାଚୁର୍ଯ୍ୟ ମଣିଷକୁ ଶାନ୍ତି ଦିଏନା ଅରୁନ୍ଧତୀ ।

 

—ଆଉ ଅଭାବ ?

 

କେଜାଣି କାହିଁକ ହଠାତ୍ ତାକୁ ପଚାରିଦେଲା ଅରୁନ୍ଧତୀ ।

 

ଅଭାବ ବି ପ୍ରୟୋଜନ ହୁଏ ଜୀବନରେ; ନହେଲ ଏତେ ଉଦ୍ୟମ, ଏତେ ଆବେଗ ରହିବ ନାହିଁ ।

 

—ସତ, ନିରାଟ ସତ କହିଛି ।

 

ଯାହାହେଉ, ଏଇ କେତେ ଦିନର ଆତିଥ୍ୟ, ତୁମ ଦୁହିଙ୍କର ସାନ୍ନିଧ୍ୟ, ଆଉ ପିଲାମାନଙ୍କର ପ୍ରେମ ମନେ ରହିବ ଚିରଦିନ । ସଂସାର ପୁଣି ଏତେ ସୁନ୍ଦର, ସତରେ ଯଦି ଜାଣି ଥାଆନ୍ତି ଆଗରୁ…

 

କହୁଁ କହୁଁ ହଠାତ୍ ରହିଗଲା ଅଭିଳାଶ ।

 

—ରହିଗଲ ଯେ ।

 

—ତୁମେ କହିଦିଅ ।

 

ବାହା ହୋଇ ସଂସାରୀ ହୋଇଥାଆନ୍ତ, ନୁହେଁ ?

 

କେତେକ୍ଷଣ ନୀରବ ରହିଯାଇ ଧୀରେ ଧୀରେ କହିଲା ଅଭିଳାଶ ସମସ୍ତଙ୍କର ସବୁ କଥା ଭାଗ୍ୟରେ ଜୁଟେନା ଅରୁନ୍ଧତୀ ।

 

ଭାଗ୍ୟ ନୁହେଁ, ତୁମେ ଚାହିଁଥିଲେ ସବୁ ହୋଇଥାଆନ୍ତା । ଏତେବଡ଼ ଲେଖକର ହାତ ଧରିବା ପାଇଁ ଆସିଥାଆନ୍ତେ ଅନେକ ।

 

ତୁମେ ବୁଝିବନି, ସେ ହୁଏନା, ସେ ହୁଏନା ।

 

ଆଶ୍ଚର୍ଯ୍ୟ ହୋଇ ତା’ ଆଡ଼କୁ ଦୃଷ୍ଟି ଫେରାଇ କହିଲା ଅରୁନ୍ଧତୀ—ମାନେ ?

 

—ଏ ସଂସାରରେ ସମ୍ପଦର ତଉଲ ହୁଏ । କବିତା ବା ଗଳ୍ପର ନୁହେଁ ଅରୁ ।

 

ଅନ୍ତରର କେଉଁ ଗଭୀର ଅଭ୍ୟନ୍ତରର ବେଦନା ବହନ କରି ଯେପରି ଝରି ଆସିଲା କଥା କେତୋଟି ।

 

ଅବାକ୍ ହୋଇଗଲା ଅରୁନ୍ଧତୀ ।

 

ଉପରର ଏଇ ତରଳ, ସରଳ ମଣିଷଟାର ଏତେ ଅନ୍ତର୍ବେଦନା ଲୁଚି ରହେ କେଉଁଠି ? କେତେ ପ୍ରାଣର ଅକୁହା କାହାଣୀ ଫୁଟିଛି ତାଙ୍କର ଆଲେଖ୍ୟରେ, କେତେ ହୃଦୟର ଦାବୀ, ପ୍ରତିବାଦ ଶୁଣାଯାଇଛି ତାଙ୍କର ଚରିତ୍ରମାନଙ୍କରେ । ରାଜପଥର ଭିଡ଼ ପରି ତାଙ୍କର ଲେଖନୀ ମୁନରେ ଜମି ଉଠିଛି ଚରିତ୍ରର ଭିଡ଼, କେତେବେଳେ ବା ସେଇ ଭିଡ଼ ଠେଲି ଜଣେ ଅଧେ ଆଗକୁ ଆସିଛନ୍ତି ନିଜର କଥା ସାବ୍ୟସ୍ତ କରିବା ପାଇଁ, ବିଶ୍ୱ–ଦରବାର ଆଗରେ ନିଜର ନାଲିସ୍ କରି ଜଣାଇବା ପାଇଁ, ଆଉ କିଏ ବା ସାଲିସ୍ କରି ପଡ଼ିରହିଛି ପଛରେ । ଏବେ ଲୋକଙ୍କର ହସ ଆଉ କାନ୍ଦ, ଆଶା ଓ ନୈରାଶ୍ୟ, ଶ୍ରମ ଓ ସାଧନା ସମ୍ପର୍କରେ ଏତେ ସାର୍ଥକ ଚରିତ୍ର ଯିଏ ସୃଷ୍ଟି କରି ଅନ୍ୟ ଆଖିରେ ରୂପକଥାର ରାଜକୁମାର ପରି ଆପଣାର ଅତି ପ୍ରିୟ ହୋଇପାରିଲେ, ପୁଣି ଯାହାଙ୍କର ଲେଖନୀର ଚରିତ୍ରମାନଙ୍କ ସହିତ ଏକାତ୍ମ ହୋଇ ସହସ୍ର ପାଠକ ପାଠିକା ନିଜର ନିଃଶ୍ଵାସପରି ଅନ୍ୟର ଅନ୍ତର୍ଦାହ ଓ ଉଲ୍ଲାସ ଅନୁଭବ କରିପାରିଲେ, ସେହି ମଣିଷଟିର ପୁଣି ଏତେ ଅକୁହା–କଥା ଥାଇପାରେ, ଏତେ ରିକ୍ତତା ସତ୍ତ୍ୱେ ପୁଣି ସେ ଏତେ ଶକ୍ତ ହୋଇ ପାରନ୍ତି,ଏହା ବିସ୍ମିତ କରିଦେଲା ଅରୁନ୍ଧତୀକୁ । ଆଉ ସେହି ବିସ୍ମୟାଲୋକରେ ସେ ଆଖି ଖୋଲି ଦେଖିଲା ଜଣେ ଅତି ସାଧାରଣ ମଣିଷର ଅଭିରାମ ରୂପ, ଗୋଟିଏ ଜୀବନର ଅସାଧାରଣ ଆବେଗ l

 

ଅଭିଳାଶ ଆଡ଼କୁ ସେ ଆଉ ଟିକିଏ ଘୁଞ୍ଚି ଆସି କହିଲା ଜୀବନକୁ ନେଇ ଏତେ କଥା ଲେଖିଲ, ଅଥଚ ନିଜର ଜୀବନଟାକୁ ଏତେ ନିର୍ଜନ କରିଦେଲ ଅଭିଳାଶ !

 

କୌଣସି ଉତ୍ତର ନଦେଇ ପାଷାଣ ପ୍ରତିମାପର କେବଳ ଅରୁନ୍ଧତୀ ଆଡ଼କୁ ଚାହିଁ ରହିଲା ସେ ।

 

ଅଧା ବୁଣା ସୁଏରଟାକୁ ବିଛଣା ଉପରେ ରଖିଦେଇ କିଛି ସମୟ ପରେ କହିଲା—ବସି ବସି ତୁମ କଥା ଶୁଣନ୍ତି, ତୁମକୁ ଅନେକ କଥା କୁହନ୍ତି, ଏଇଆ କେବଳ ଇଚ୍ଛା ହୁଏ ମୋର ।

 

ପ୍ରାଣପ୍ରାଚୁର୍ଯ୍ୟର ଏଇ ଜୁଆର ଭିତରେ ଭୁମେ କେବେ ଅଣନିଶ୍ଵାସୀ ହୋଇଛ, ଅରୁନ୍ଧତୀ-?

 

ତା’ କଥାର ମୋଡ଼ ଫେରାଇବା ପାଇଁ କହିଲା ଅଭିଳାଶ—ହୋଇଛି, ନିଶ୍ଚୟ ହୋଇଛି-। କିଛି ସମୟ ଆଗରୁ ତୁମେଇ କହିଥିଲ ନା ପ୍ରାଚୁର୍ଯ୍ୟ ମଣିଷକୁ ଶାନ୍ତି ଦିଏ ନା ବୋଲି ! ମୁଁ ଶାନ୍ତି ପାଇନି, କହିଲେ ଯେପରି ଭୁଲ ହେବ, ପାଇଛି କହିଲେ ବି ସେହିପରି ସତ୍ୟର ଅପଳାପ ହେବ-

 

ସ୍ତବ୍‌ଧ ହୋଇଗଲା ଅଭିଳାଶ l ଅରୁନ୍ଧତୀର ମୁହଁ ଉପରେ ସର୍ବଦା ଲାଗି ରହିଥିବା ହସ ଟିକିଏ, ତା’ ସର୍ବାଙ୍ଗ ଘେରି ଫୁଟି ଉଠୁଥିବା ସାବଲୀଳ ସୌନ୍ଦର୍ଯ୍ୟ, ତା’ହେଲେ ତା’ର ଅନ୍ତରର ପରିଚୟ ନୁହେଁ ।

 

ହସ ଭିତରେ ଅଶ୍ରୁର ଝରଣା, ଫଲ୍‍ଗୁର ପ୍ରବାହପର ଲୁକ୍‌କାୟିତ ।

 

ତୁମେ ସଂସାର କରିଥିଲେ ଆହୁରି ସୁନ୍ଦର କରି ପୃଥିବୀକୁ ଦେଖି ପାରିଥାଆନ୍ତ ଅଭିଳାଶ ।

 

—ଟିକିଏ ରହିଯାଇ କହିଲା ଅରୁନ୍ଧତୀ ।

 

ମୋ ଚାରିପାଖରେ ସଂସାର କରି ଯେଉଁମାନେ ରହିଛନ୍ତି, ସେମାନଙ୍କୁ ଦେଖି ଏଇକଥା ମନେ ହୋଇନି କେବେ ।

 

ଅରୁନ୍ଧତୀ ନିଜ ଭିତରେ କ’ଣ ଖୋଜିବା ପାଇଁ ଚେଷ୍ଟା କଲା ଯେପରି ।

 

ମନପ୍ରାଣ ଦେଇ ଖୋଜିଲେ, ମଣିଷ ନିଜର ଯେଉଁ ଚିତ୍ର ଦେଖେ ମାନସଲୋକରେ ସେଥିରେ ଚମକିପଡ଼ି ନିଜକୁ ପ୍ରଶ୍ନ ପଚାରେ, ତିରସ୍କାର କରେ, ଆଉ କେତେବେଳେ ବା ନିଜର ଅକ୍ଷମତା ପାଇଁ ଦୀର୍ଘ ନିଃଶ୍ଵାସ ତ୍ୟାଗ କରେ ।

 

ଅରୁନ୍ଧତୀ ବି ନିଜକୁ ଖୋଜିବା ପାଇଁ ଚେଷ୍ଟା କରିଥିଲା । ଜନାକୀର୍ଣ୍ଣ ସଂସାର ପଥରେ ସେ ଖୋଜିଲାବେଳେ କିନ୍ତୁ କାହାକୁ ନପାଇ ନିର୍ଜନତାର ବେଦନାରେ ଶିହରି ଉଠିଥିଲା ବାରମ୍ବାର । ସେ ଯେପରି କିଛି ସମୟ ପାଇଁ ସମସ୍ତଙ୍କର, ଅନ୍ୟ ଅନନ୍ତ ସମୟ ସେ କେବଳ ଏକା, ନିହାତି ଏକା ।

 

ଏକାକିନୀର ବେଦନା ହରଣ କରି ଅଳ୍ପଦିନ ପାଇଁ ଆସିଥିଲା ଅଭିଳାଶ । ସେ ଚାଲିଯିବ ଆଉ କେତେଘଣ୍ଟା ପରେ । ହୁଏଇ ଭୁଲିଯିବ ଅରୁନ୍ଧତୀ ଓ ଅଜିତ କଥା । ସେମାନେ ବି ହୁଏତ ଆଉ ତାକୁ ପ୍ରତିଦିନ ମନେ ପକାଇବେ ନାହିଁ ।

 

ମଧ୍ୟାହ୍ନର ନୀରବତାରେ, ମଧ୍ୟରାତ୍ରିରେ ନିର୍ଜନତାରେ ସେ ଆଖି ଖୋଲି ଚାହିଁଲେ ଆଉ କାହାକୁ ଦେଖିବ ନାହିଁ, କାହାରି ଶବ୍ଦ ଶୁଣିବ ନାହିଁ । ଯେପରି ଏକା ଥିଲା, ସେହିପରି ଏକା ଏକା ରହିଯିବ ।

 

ସମୟ ଉତ୍ତୀର୍ଣ୍ଣ ହୋଇଯାଉଥିଲା । ଅଭିଳାଶ ଉଠିପଡ଼ି ଅରୁନ୍ଧତୀ ଆଗକୁ ଆସି କହିଲା-। ସେତେବେଳେ ହୁଏତ ବିଦାୟ ନେବାର ସୁଯୋଗ ମୁଁ ପାଇବିନି । ସେଥିପାଇଁ ଏତିକିବେଳୁ କହି ରଖୁଛି, ତୁମେ ସଙ୍ଗ ଦେଇ ମୋତେ ଧନ୍ୟ କରିଛ । ସବୁଦିନେ ଏହା ମନେ ରହିବ ମୋର ।

 

ତା’ପରେ ତା’ ମୁହଁକୁ ଚାହିଁଲା ଅରୁନ୍ଧତୀ ।

 

ସେଇ ଆଖିଯୋଡ଼ି ଭିତରେ କଅଣ ଦେଖିଲା କେଜାଣି, ଉଠିପଡ଼ି ଅନ୍ତର ନିଗାଡ଼ି ଏକ ସ୍ନିଗ୍‌ଧ ଦୃଷ୍ଟି ନିବେଦନ କଲା ସେ ।

 

ଅରୁନ୍ଧତୀର ସେଇ ପ୍ରସାରିତ ଓ ପୁଲକିତ ଚାହାଣୀରେ ସେ ଦେଖିଲା ମଧ୍ୟାହ୍ନରେ ସକାଳ ଫୁଲର ଅନୁପମ ସୁଷମା ।

 

ଅସମୟରେ ବି ମଉଳିଯାଇନି, ମଳିନ ଦିଶୁନି ।

 

ମଧ୍ୟାହ୍ନରେ ସକାଳର ଫୁଲର ସମର୍ପଣ ଦେଖି ସେ ବିମୂଢ଼ ହୋଇଗଲା କ୍ଷଣକ ପାଇଁ ।

 

ଆଉ ତା’ପରେ ତିଳେ ମାତ୍ର ବିଳମ୍ବ ନକରି ଧୀରେ ଧୀରେ ଅରୁନ୍ଧତୀର ପ୍ରକୋଷ୍ଠ ଭିତରୁ ନିଷ୍କ୍ରାନ୍ତ ହୋଇଗଲା ।

☆☆☆

 

ତିନୋଟି ବିଜ୍ଞାପନ

।।୧ ।।

 

ବେକାର ବ୍ୟକ୍ତି ଯେ ନିକମା ନୁହେଁ ଏବଂ ସେ ବି ଯେ ସାମାଜିକ କାର୍ଯ୍ୟରେ ଲାଗିପାରେ, ଏହା ଜାଣିବା ପରେ ମୋର ଆଉ ଦୀର୍ଘଶ୍ଵାସ ପକାଇବାର କୌଣସି କାରଣ ନଥିଲା । ଏମ୍. ଏ. ପାଶ୍ କରି ଦୁଇ ବର୍ଷ ହେଲା ଘରେ ବସିଥିଲି । ସରକାରି ଚାକିରୀଟିଏ ମିଳିଥିଲେ କରିଥାଆନ୍ତି, କିନ୍ତୁ ତାହା ଖାଣ୍ଟି ସୋରିଷ ତେଲ ପରି ଏପରି ଦୁର୍ଲଭ ଯେ ତଳ ପାହ୍ୟାର ଲୋକମାନଙ୍କୁ ବହୁ ଧାରାଧରି କରି ମଧ୍ୟ ପାଇ ପାରିଲି ନାହଁ । ଅନ୍ୟ ଚାକିରୀ ବା କାମ କରିବା ପାଇଁ ଆଗ୍ରହ ହଉ ନଥିଲା । ସରକାରୀ ଚାକିରୀର ମଉଜ ଅନ୍ୟଥିରେ ନାହିଁ । ସକାଳୁ ଖାଇ ପିଇ ଧୀରେ ସୁସ୍ଥେ ଏଗାରଟାରୁ ଦିନ ବାରଟା ମଧ୍ୟରେ ଅଫିସ ପହଞ୍ଚି ଉପସ୍ଥାନ ଖାତାରେ ଦସ୍ତଖତଟାଏ ଦେଇଦେଲେ କାମ ଅଧା ଶେଷ ହୋଇଯାଏ । ଆଉ ଗୋଟେ ଅଧେ ଫାଇଲ ଟାଣି ଆଣି “ଫର୍ ଅଡ଼ର୍‌ସ ଫ୍ଲିଜ" ଲେଖି ଉପରକୁ ପଠାଇଦେଲେ ନିଶ୍ଚିନ୍ତ ହୁଏ ମଣିଷ । “ଅଗ୍ରବଲ ଆଣ୍ଡ୍ ଅଗ୍ରବାଲ” ପାଖରେ କାମ କଲେ ଦରମା ପଚାଶ ଟଙ୍କା ବେଶୀ ମିଳିପାରେ, କିନ୍ତୁ ରକତ ନିଗାଡ଼ିନବ । ନିଜ ଉପାୟରେ ବାଦାମ ବିକି ହବ, କିନ୍ତୁ ବି. ଏ. ଏମ୍. ଏ., ପାଶ୍ କରି ଶେଷରେ ଏୟା କରିବା ପାଇଁ ମନ ହେଲା ନାହିଁ ।

 

ପ୍ରତିଦିନ ସକାଳେ ଚା’ ପିଇସାରି ‘ସମାଜ’ର ଦୁଇ ପୃଷ୍ଠା ଭର୍ତ୍ତିହୋଇ ବାହାରିଥିବା ବିଜ୍ଞାନଗୁଡ଼ିକୁ ତନ୍ନ ତନ୍ନ କରି ମୋତେ ପଢ଼ିବାକୁ ହୁଏ, ଗୋଟେ ଦୁଇଟା କାଗଜର ଯଥାସ୍ଥାନରୁ କାଟି ଖାତା ଭିତରେ ପୁଣି ଅଠା ଦେଇ ଚିଟାଇ ଦିଏ । ସେଦିନ ବିଜ୍ଞାପନ ଖାତାଟା ଦେଖୁ ଦେଖୁ ଦରଖାସ୍ତ କରି ନଥିବା ତିନୋଟି ବିଜ୍ଞାପନ ଆଖି ଆଗରେ ପଡ଼ିଲା । ଦରଖାସ୍ତ କାହିଁକି ଦେଲିନାହଁ ବୋଲି ଅନେକ ଭାବିଲି, କିନ୍ତୁ କାରଣ ଖୋଜି ପାଇଲି ନାହିଁ । ବଳ,ବୟସ, ଯୋଗ୍ୟତା ସବୁ ଥିଲା । ଆହାରେ ! ଗୋଟାଏ ବଡ଼ ଭୁଲ ହୋଇଗଲା ଭାବି ଅନୁତାପ କଲି ।

 

ପ୍ରଥମ ବିଜ୍ଞାପନଟା ତଳେଇ ଦେଖିଲେ ଖୁବ୍ ଚିତ୍ତାକର୍ଷକ ମନେ ହେଉଥିଲା । ବିଜ୍ଞାପନ ଦେଇଥିବା ବ୍ୟକ୍ତିର ଦରଦ ଅଛି । ସେହି ବିଜ୍ଞାପନଟିରେ ଥିଲା—

 

“ଆଶା” ଏକ ଲଜ୍ଜାଶୀଳା ଲଳନା

ତାକୁ ଲାଳନ କର

ସେ ମରୀଚିକା ନୁହେଁ, ଉଦ୍ୟମ କଲେ ଧରାଦିଏ

ଦୀର୍ଘଶ୍ଵାସ ନୁହେଁ

ଦୁର୍ଦ୍ଦମନୀୟ ପ୍ରଯତ୍ନ ହିଁ ତାର ଉପଯୁକ୍ତ ଉପହାର ।”

 

ମନଟା ଖୁସି ହୋଇଗଲା । ଆଶା ଦେବୀଙ୍କୁ ଲାଳନ ନକରି ମୁଁ ହତୋତ୍ସାହ ହୋଇ ଦୀର୍ଘଶ୍ଵାସ ଛାଡ଼ୁଥିଲି ବୋଲି ଅନୁତାପ ମଧ୍ୟ କଲି । ତାଙ୍କୁ ସନ୍ତୁଷ୍ଟ କରିବା ପାଇଁ ଦୁର୍ଦ୍ଦମନୀୟ ପ୍ରଯତ୍ନ ପ୍ରୟୋଜନ । ଏଥିପାଇଁ ଅନୁପଯୁକ୍ତ ନ ଥିଲେ ମଧ୍ୟ ମନରେ ନୂଆ ସାହସ ବାନ୍ଧି ପୁଣି କାମରେ ଲାଗିଯିବା ପାଇଁ ସ୍ଥିର କଲି ।

 

ଦ୍ଵିତୀୟ ବିଜ୍ଞାପନଟି ଥିଲା ଗୋଟିଏ ଅନୁଷ୍ଠାନର ।

 

“ବଡ଼ ଲୋକର ପୁଅ ଭାବରେ ବଡ଼ ନହୋଇ

ନିଜର ବ୍ୟକ୍ତିତ୍ୱ ଓ ପ୍ରତିଭା ଦ୍ଵାରା

ବଡ଼ ହୁଅ ।

ଉପରେ ସ୍ଥାନ ଖାଲି ଅଛି ।”

 

ସୁନ୍ଦର ଆକର୍ଷଣୀୟ ବିଜ୍ଞାପନଟିଏ । ମୁଁ ତ ବଡ଼ ଲୋକର ପୁଅ ନଥିଲି, ତେଣୁ ନିଜର ବ୍ୟକ୍ତିତ୍ଵ ଓ ପ୍ରତିଭା ଦ୍ଵାରା ବଡ଼ ହବାପାଇଁ ମନସ୍ଥ କଲି । କିନ୍ତୁ କେତେ ଦିନ ଲାଗିବ, କେବେ ଉପରକୁ ଉଠି ପାରିବି ଏଇ ଚିନ୍ତା ମନରୁ ଗଲା ନାହିଁ ।

 

ତୃତୀୟ ବିଜ୍ଞାପନଟି ଆହୁରି ଚିତ୍ତାକର୍ଷକ ଥିଲା । ସମାଜସେବୀ ଜଣେ କିଏ ନିଜର ପରିଚୟ ଗୋପନ ରଖି ଘୋଷଣା କରିଥିଲେ–

 

“ସମାଜ ସେବାର ବିକଳ୍ପ ନାହିଁ

ତୁମେ ସେବା ଦିଅ

ସେ ତୁମକୁ ସଂପଦ ଦେବ

ସବୁ ସେବା ଯେପରି ତୁମର

ସବୁ ସମ୍ପଦ ବି ତୁମର ।”

 

ମନୋହର କଥାଟିଏ । ସେବା ଦେଲେ ସଂପଦ ମିଳିବ I ପୁଣି ସବୁ ସେବା ଯେପରି ନିଜର ହୋଇ ରହିବ ସବୁ ସଂପଦ ବି ନିଜର ହୋଇରହିବ । ପରସ୍ପର ବିରୋଧାଭାଷ ଥିଲେ ମଧ୍ୟ ତର୍କ କରି ପ୍ରତ୍ୟେକ କଥାର ଗୂଢ଼ାର୍ଥ ବୁଝାଇବା ସମ୍ଭବ ନୁହେଁ, ମୁଁ ତର୍କ ନ କରି ସରଳ, ସହଜ ମନରେ ସବୁ ବୁଝିନେଲି ।

 

ଏତେ ସୁଯୋଗ ଥାଉଁ ଥାଉଁ ଆଜିଯାଏ ବେକାର ହୋଇ ବସି-ରହିଲି ବୋଲି ନିଜ ଉପରେ ବଡ଼ ରାଗ ହେଲା । ମୁହଁ ଉପରେ ହାତ ବୁଲାଇ ଦେଖିଲି ନିଶ ଦାଢ଼ି ଭର୍ତ୍ତି । କେତେଦିନ ହେଲା ଖିଅର ହୋଇନାହିଁ । ନିରୁତ୍ସାହିତ ମନର ପ୍ରତିବିମ୍ବ ଏଇ ମୁହଁ । ମନ ଯେତେବେଳେ ଆଶାୟିତ, ଆଶା ଦେବୀଙ୍କର ସ୍ନିଗ୍‌ଧ ସ୍ପର୍ଶରେ ଦୋଳାୟିତ ସେତେବେଳେ ମୁହଁଟା ଅସୁନ୍ଦର ମଇଳା ରହିବ କାହିଁକି । ତାଙ୍କୁ ମୋହିତ କଲାଭଳି ମୋ ମୁହଁ ଉପରେ ଦୀପ୍ତି ରହିବା ଆବଶ୍ୟକ ବୋଲ ମନେହେଲା । ଗୋଟିଏ ପାନାମା ବ୍ଲେଡ୍ ନେଇ ଆସି ସଙ୍ଗେ ସଙ୍ଗେ ଦାଢ଼ି ସଫା କରିବା ପାଇଁ ଲାଗିଗଲି ।

 

॥ ୨ ॥

 

ତାଙ୍କର ବକ୍ତୃତା ଶୁଣି ମୋ ମନର ଅବସାଦ, ଦେହର ଦୁର୍ବଳତା ସବୁ ପାଣି ଫୋଟକା ପରି ଉଭେଇଗଲା । ମୁଁ ଯେ କର୍ମ ଯୋଗରେ ନିଜକୁ ନିର୍ଲିପ୍ତ ଭାବରେ ଆହୁତି ନଦେଇ ଆଶକ୍ତ ହୋଇ ଆଜିଯାଏ ବସି ରହିଥିଲି, ସେଥିପାଇଁ ଗାଳି ଦେଲି ନିଜକୁ । ସଭା ଶେଷ ହେଲା ପରେ ମୁଁ ତାଙ୍କର ରହିବା ଠିକଣା ଟିପି ନେଇ ରାତିରେ ପହଂଚିଗଲି ତାଙ୍କ ଘରେ ।

 

ସେ ବାରନ୍ଦାରେ ଗୋଟେ ଇଜି ଚେଆରରେ ବସି ସିଗାରେଟ୍ ଟାଣୁଥିଲେ ।

 

ମୁଁ ନମସ୍କାର କରି ତାଙ୍କ ଆଗରେ ଗୋଡ଼ ଭାଙ୍ଗି ଛିଡ଼ାହେଲି ।

 

ସେ ଲକ୍ଷ୍ୟ କରି ପାରିଲେ ନାହିଁ ।

 

ମୁଁ ମୁଣ୍ଡ କୁଣ୍ଡାଇଲି, ହାତରେ ହାତ ଘଷିଲି, ଏପାଖ ସେପାଖ ଚାହିଁଲି, କାଶିଲି… ।

 

ସେ ମୋ ଆଡ଼କୁ ଚାହିଁ କହିଲେ— କାମ ପାଇଁ ଆସିଛ ?

 

ମୁଁ କହିଲି—ଆଜ୍ଞା ।

 

ସେ କହିଲେ—ପାରିବ ?

 

ମୁଁ ଉତ୍ତର ଦେଲି—ସବୁ ପାରିବି ଆଜ୍ଞା ।

 

ସେ କହିଲେ—କାଲିଠୁ ଆସ ।

 

ମୁଁ ତାଙ୍କ ପଦଧୂଳି ନେଇ କହିଲି—କାଲି ସକାଳୁ ଆସିବି ।

 

ସେ ଏତେବେଳେ ମୋ ମୁହଁକୁ ଚାହିଁ କହିଲେ—ସକାଳୁ ନୁହଁ, ରାତି ଦଶଟାରେ ଆସିବ, ବୁଝିଲ । ଦିନବେଳେ କାମ ନାହିଁ, କାମ ରାତିରେ ।

 

ମୁଁ ଆଶ୍ଚର୍ଯ୍ୟ ହେଲେ ବି ଆଉ ପ୍ରଶ୍ନ ପଚାରିଲି ନାହିଁ । କାଳେ ଯଦି ଅସନ୍ତୁଷ୍ଟ ହୁଅନ୍ତି… । କାମଟିଏ ଦେଲେ ରାତି ହଉ ବା ଦିନ ହଉ ସେଥିରେ ମୋର ଯାଏ ଆସେ କେତେ । ବରଂ ରାତିରେ ଆଶାଦେବୀଙ୍କ ସହିତ ବେଶୀ ଦେଖା ହବ; ତାଙ୍କ ସହିତ ଆଳାପ କରିବା ପାଇଁ ବେଶୀ ସମୟ ମିଳିବ ।

 

ନମସ୍କାର କରି ବିଦାୟ ନେଇ ତହିଁ ଆରଦିନ ରାତି ଦଶଟାବେଳକୁ ମୁଁ ଯାଇ ତାଙ୍କ ପାଖରେ ହାଜର ହୋଇଗଲି । ସେ ସେହିପରି ଇଜି ଚେୟାରଟାରେ ବସିଥିଲେ, ଜଣେ ଯୁବତୀ ତାଙ୍କର ପାଦ ଘଷି ଦଉଥିଲା ।

 

ସେ ସିଗାରେଟ ଟାଣୁଥିଲେ—

 

ମୁଁ ନମସ୍କାର କରି ଛିଡ଼ା ହେଲି ।

 

ସେ ମୋତେ ଦେଖି ଖୁସି ହେଲେ । ଲତାକୁ କହିଲେ… ଏତିକିରେ ଥାଉ ଲୀଳା । ମୁଁ ଟିକେ ଆସେ ।

 

ତା’ପରେ ମୋତେ ସାଙ୍ଗରେ ନେଇ ତାଙ୍କ ଘର ଦକ୍ଷିଣକୁ ଯାଇଥିବା ଗୋଟେ ଅଣଓସାରିଆ ଗଳିରେ ନେଇଗଲେ । ବେଶୀ ଦୂର ଯିବାକୁ ହେଲାନାହିଁ । ଗୋଟାଏ ଗୋଦାମ ଘର ଆଗରେ ପହଞ୍ଚିଲାକ୍ଷଣି, କିଏ ଅପେକ୍ଷା କରି ବସିଥିଲା ପରି ଆମକୁ ଦେଖି ଭିତରକୁ ନେଇଗଲା । ବିଜୁଳି ଆଲୁଅ ଥିଲେ ମଧ୍ୟ ଗୋଦାମ ଭିତରେ ତାର ବ୍ୟବସ୍ଥା ନଥିବା ଦେଖି ଆଶ୍ଚର୍ଯ୍ୟ ବି ହେଲି । ଆମେ ଭିତରକୁ ଗଲାପରେ ଦରଜା ବନ୍ଦ ହୋଇଗଲା ।

 

ଭିତରେ ଆମ ଦୁଇଜଣଙ୍କୁ ଛାଡ଼ି ସେହି ଜଣକ ବ୍ୟତୀତ ସେତେବେଳେ ଆଉ କେହି ନଥିଲେ । ମୁଁ ଏଣେତେଣେ ଚାହୁଁଥିଲି ।

 

ସେ ପାଖକୁ ଆସି କହିଲେ—କର୍ମଯୋଗୀ ନହେଲେ କାମ ହୁଏ ନାହିଁ । ନିର୍ଲିପ୍ତ ହୋଇ କାମନା ନକରି କାମ କରିଯିବା ହିଁ ପୁରୁଷର କର୍ତ୍ତବ୍ୟ । ମନକୁ କାମନାଶୂନ୍ୟ କରି ପାରିଲେ କର୍ମଦୋଷ ଲାଗେ ନାହିଁ । ତୁମେ ପାଠ ପଢ଼ିଛ । ସ୍ଵୟଂ ଶ୍ରୀକୃଷ୍ଣ ଅର୍ଜୁନକୁ ଏହି କଥା କହିଥିବାର ନିଶ୍ଚୟ ଜାଣିଥିବ । ତେଣୁ ମନରେ ଆଶାକୁ ଲାଳନକର କିନ୍ତୁ ସେଥିରେ ହଜିଯାଅ ନାହିଁ । ଦୁର୍ଦ୍ଦମନୀୟ କର୍ମନିଷ୍ଠା ଦେଖାଇ ଲକ୍ଷ୍ୟ ବସ୍ତୁ ହାସଲ କର; କିନ୍ତୁ ସେଥିର ଲାଭାଲାଭରେ ଅଂଶ ଗ୍ରହଣ କରିନାହିଁ ।

 

ମୁଁ ଏସବୁ ଗତତତ୍ତ୍ଵ କଥା ଜାଣି ନଥିଲେ ମଧ୍ୟ ଯିଏ ମୋର ଅନ୍ନଦାତା, ଆଦର୍ଶ ପୁରୁଷ ଏବଂ ଦଶଜଣଙ୍କର ନେତା ତାଙ୍କରି ମୁହଁରୁ ଏସବୁ ଶୁଣି ଏହାର ତାତ୍ପର୍ଯ୍ୟ ବୁଝିବା ପାଇଁ ଆଉ କଷ୍ଟ କଲିନାହିଁ । ହଠାତ୍ ଭାବପ୍ରବଣ ହୋଇ ତାଙ୍କ ପାଦ ଛୁଇଁ କହିଲି—ଆପଣ ଯେପରି କହିବେ କରିବି-। ଆଜ୍ଞା କରନ୍ତୁ ।

 

ସେ ଖୁସିହୋଇ କହିଲେ—ଏ ଗୋଦାମର ମାଲିକ ମୁଁ ନୁହେଁ । ଏହା ଆମ ଅନୁଷ୍ଠାନର-। ମୁଁ ଟ୍ରଷ୍ଟି ମାତ୍ର । ସେପାଖ ଘରେ ଅଟାକଳ ଅଛି । ଏଠାରେ ଗହମ, ମକା, ବାଜରା ସବୁ ଭର୍ତ୍ତି ହୋଇଛି । ଅଟା କଲାବେଳେ ଅନୁପାତ ଅନୁସାରେ କାମ କରାଇବ । ଗହମ ସହିତ ମକା, ବାଜରା ମିଶିଲେ ଖାଦ୍ୟସାର ହ୍ରାସ ନହୋଇ ବରଂ ବୃଦ୍ଧିପାଏ । ବଜାରରେ ସବୁ ଚଳୁଛି-। କେହି ଧରି ପାରିବେ ନାହିଁ ।

 

ମୁଁ ଅବାକ୍ ହୋଇ ତାଙ୍କ ମୁହଁକୁ ଅନାଇଥାଏ । କଥାଟା ଏଡ଼େ ସହଜ, ଅଥଚ ବୁଝିବାରେ ଅକ୍ଷମ ହଉଛି ବୋଲି ମନେ ହେଲା ।

 

ସେ ମୋର ସଂଶିତ ଚିତ୍ତକୁ ନିର୍ମଳ କରିଦବା ପାଇଁ କହିଲେ—ଏହା ଅପମିଶ୍ରଣ ନୁହେଁ । ଆମେ ନିଜ ବୁଦ୍ଧି ବଳରେ ଲୋକଙ୍କର ସେବା କରୁଛୁ ମାତ୍ର । ତା’ପରେ ଉପରିସ୍ଥ କେହି ଚେକ୍ କରିବା ପାଇଁ ଆସିଲେ ବାଧା ଦବ ନାହିଁ । ତାଙ୍କ କଥା ମୁଁ ବୁଝିବି ।

 

ତା’ପରେ ମୋ ମୁହଁକୁ ଚାହିଁ ସେ କହିଲେ—ପାରିବ ?

 

ମୁଁ କହିଲି—ଚେଷ୍ଟା କରିବି ।

 

ସେ ତା’ପରେ ମୋତେ ସେଠାରେ ଛାଡ଼ି ଏକା ଘରକୁ ଫେରିଗଲେ ।

 

ଯିବା ଆଗରୁ ପୂର୍ବରୁ ଅପେକ୍ଷା କରୁଥିବା ଲୋକ କହିଲା—ଆଜ୍ଞା ! ‘ବ୍ଲାକଡ୍‍ଗ’ର ତିନୋଟି ମାତ୍ର ପାଇଲି । ଲୀଳା ହାତରେ ପଠାଇଦେଇଛି । ସେ ନୂଆ ହୋଇ ହସ୍‌ପିଟାଲକୁ ଆସିଛି । ଅମଙ୍ଗ ହଉଥିଲା । ପଦୋନ୍ନତିର ଆଶା ପାଇ ଯାଇଛି, ଟିକିଏ ଦେଖିବେ । ମୁଁ କିଛି ବୁଝି ନପାରି ବୋକା ପରି ଛିଡ଼ା ହୋଇଥିଲି ।

 

ସେ ଚାଲିଗଲା ପରେ ପ୍ରୌଢ଼ ମ୍ୟାନେଜର ମୋତେ କହିଲେ—ଏ ଯୁଗ ତୁମର ୟଙ୍ଗମ୍ୟାନ । ତୁମେ ହିଁ ଏ ଯୁଗର ନିର୍ମାତା । ଆସ, ବିଅର ଖାଅ ତ ?

 

ମୁଁ କହିଲି ଆଜ୍ଞା ନା ।

 

ସେ କହିଲେ—ନା କହିଲେ ଚଳିବ ନାହିଁ ଯୁବକ । ନିର୍ଲିପ୍ତ, ନିଷ୍କାମ ହୋଇ ବିଅର ପାନକଲେ ଆଶା ଦେବୀ ଆପେ ଆପେ ଆସି ଧରାଦେବେ । ଦେହ ମନ ତାଜା ହବ, ତୁମେ କର୍ମଠ ହୋଇଉଠିବ ।

 

ମୁଁ କିଛି କିଛି ବୁଝୁଥିଲେ ମଧ୍ୟ ନିର୍ବୋଧ ପରି ପଚାରି ଦେଲି—ଆଜ୍ଞା, ଇଏ କଅଣ ଏୟା କରନ୍ତି ।

 

ସେ ମୋ ମୁହଁକୁ ଚାହିଁ ଟିକିଏ ନରମ ହସ ହସିଦେଇ ମୋ ପିଠିରେ ହାତ ବୁଲାଇ କହିଲେ—ହଁ, ନକଲେ ନେତା ହବା ପାଇଁ, ହଜାର ହଜାର ଲୋକଙ୍କ ସେବା କରିବା ପାଇଁ ପଇସା ଆସିବ କେଉଁଠୁ । ଜନତା ଜନାର୍ଦ୍ଦନର ସେବା କରିବା ତାଙ୍କର ଏକମାତ୍ର ବ୍ରତ । ଆଜିକୁ କୋଡ଼ିଏ ବର୍ଷ ହେଲା ମୁଁ ତାଙ୍କ ସହିତ ଅଛି, ତାଙ୍କ ପ୍ରଦର୍ଶିତ ପଥରେ ଚାଲିଛି କାରଣ ନ ପଚାରି । ଅବାଧ୍ୟ ହୋଇନାହିଁ । ସେ ମୋତେ କେବେ ହତାଶ ମଧ୍ୟ କରି ନାହାନ୍ତି ।

 

ଦଣ୍ଡେ ରହି ସେ ପୁଣି କହିଲେ—ତୁମେ ରହିଯାଅ, ଦେଖିବ—ତମର କିଛି ଅଭାବ ରହିବ ନାହିଁ ।

 

ମୁଁ କିନ୍ତୁ ଚାଲାକ ନଥିଲି ।

 

ରହି ନପାରି ଆଶାଦେବୀଙ୍କୁ ଏକା ସେଠାରେ ଅଯତ୍ନରେ ପଡ଼ି ରହିବା ପାଇଁ ଛାଡ଼ିଦେଇ ଭୋର ହବା ଆଗରୁ ପଳାଇ ଆସିଲି ଅନେକ ଦୂରକୁ ।

☆☆☆

 

॥ ୩ ॥

 

ଅପରିଚିତ ସେହି ସ୍ଥାନଟିରେ ମୋର ନିଜର ବା ପରିଚିତ କେହି ନଥିଲେ ।

 

ମୁଁ ପଥ ଅପଥରେ ସାରା ଦିନଯାକ ବୁଲିଲି । ହେଲେ ଆଶ୍ରୟ ଟିକେ ପାଇଲି ନାହିଁ । ହୋଟେଲକୁ ଯିବାପାଇଁ ସାହସ ନଥିଲା । ଧର୍ମଶାଳାକୁ ଯିବାପାଇଁ ଇଚ୍ଛା ନଥିଲେ ବି ଗଲି ଶେଷରେ । ଦୁଦୁଆଲା ଧର୍ମଶାଳା । ମହାଶୟ ମନର ମହତ୍ ଦାନ । ଦୁଦୁଆଲା ଧର୍ମଶାଳାର ଗେଟ୍ ପାଖରେ ଛିଡ଼ାହୋଇ କାହାକୁ କିଛି ପଚାରିବା ପାଇଁ ଅପେକ୍ଷା କରୁଥିଲି । ହଠାତ୍ ଜଣେ କିଏ ପଛରୁ ମୋର କାନ୍ଧ ଉପରେ ହାତରଖି କହିଲେ—କିଛି ଖୋଜୁଛ ୟଙ୍ଗମ୍ୟାନ୍ ?

 

ମୁଁ ତାଙ୍କୁ କେବେ ଦେଖି ନଥିଲି । ତାଙ୍କର ସ୍ନେହଶିକ୍ତ କଣ୍ଠର ପରଶ ପାଇ କାହିଁକି କେଜାଣି ଭାବପ୍ରବଣ ହୋଇପଡ଼ିଲି । ଆଖି ମୋର ଛଳଛଳ ହୋଇଗଲା । ସେ ମୋର ମନକଥା ବୁଝିଲା ପରି ସାନ୍ତ୍ୱନା ଦେଇ କହିଲେ–ଉପରେ ସ୍ଥାନ ଖାଲି ଅଛି । ଆଗ ରୁହ, ତା’ପରେ ଅନ୍ୟ କଥା ହବା ।

 

ମୁଁ ସଙ୍ଗ ପାଇ ଶାନ୍ତ ହେଲି । ଉପରକୁ ଯାଇ ଗୋଟିଏ କୋଠରୀରେ ବ୍ୟାଗଟିକୁ ରଖିଲି-। ଆଉ ତ ସାଙ୍ଗରେ କିଛି ନ ଥିଲା ।

 

ମୁହଁ ହାତ ଧୋଇ ପୋଛି ହଉଥିଲାବେଳେ ସେ ପୁଣି ଆସିଲେ । ତକ୍ତପୋଷ ଉପରେ ବସିପଡ଼ି କହିଲେ…ବେକାର ବୋଲି କ୍ଷୋଭ କରନା । ମୁଁ ମଧ୍ୟ ଦିନେ ବେକାର ଥିଲି, କିନ୍ତୁ ନିଜର ଉଦ୍ୟମ, ଶ୍ରମ ଓ ସତତା ଦ୍ଵାରା ଉପରକୁ ଉଠିଛୁ ।

 

ମୁଁ ସାହସ ପାଇ କହିଲି…ଆପଣ ବହୁ ଆଗର କଥା କହୁଛନ୍ତି । ମଣିଷର ସଦ୍‌ଗୁଣଗୁଡ଼ିକର ଆଦର ଏବେ ବି ଅକ୍ଷୁଣ୍ଣ ଅଛି କି ?

 

ସେ କହିଲେ…କମ ବେଶୀ ଯେ ନ ହୋଇଛି ଏପରି ନୁହେଁ । କିନ୍ତୁ ଉଦ୍ୟମର ମୂଲ୍ୟ ସବୁବେଳେ ଅଛି ୟଙ୍ଗ୍‌ମ୍ୟାନ୍ ।

 

ମୁଁ ତାଙ୍କୁ ମୋର ନିଃସହାୟ ଅବସ୍ଥା କଥା କହି ଉପଦେଶ ଚାହିଁଲି । ସେ ଅତି ଉଚ୍ଚକୋଟୀର ମଣିଷ ଥିଲେ । ତାଙ୍କର ଆଖିର ଚାହାଁଣୀରେ, କଥାର ଦରଦରେ ମୋତେ ସଂପୂର୍ଣ୍ଣ ଭାବରେ ଆପଣାର କରିନେଇ କହିଲେ— ଚେଷ୍ଟା କରିଯାଅ, ଉଦ୍ୟମକୁ ଶିଥିଳ କର ନାହିଁ । ଶେଷରେ ଜୟୀ ହବ ଯୁବକ ।

 

ତାପରେ ନିଜ ଅଙ୍ଗେ ନିଭାଇଥିବା ଘଟଣା ସବୁ କହିଲେ । ସାଧାରଣ ଜଣେ ପ୍ରାଥମିକ ଶିକ୍ଷକରୁ ନିଜ ଉଦ୍ୟମରେ ଉଠି ଉଠି କିପରି ମଧ୍ୟ ଇଂରାଜୀ ବିଦ୍ୟାଳୟର ହେଡ଼ମାଷ୍ଟ୍ରର ହେଲେ ତାହା ମଧ୍ୟ କହିଲେ । ମୁଁ ଅଭିଭୂତ ହୋଇ ଶୁଣୁଥୁଲ ମଣିଷର ସଂଗ୍ରାମ ଏବଂ ଜୟ, ପରାଜୟ କଥା-। ସେ ଜୀବନଯୁଦ୍ଧରେ ବେଶୀ ହାରିଥିଲେ, ଜିତିଥିଲେ କମ । ତଥାପି ତାଙ୍କ ହୃଦୟରେ ତିକ୍ତତା ନ ଥିଲା ମନରେ, ବିଦ୍ୱେଷ ନ ଥିଲା ।

 

ମୁଁ ତାଙ୍କୁ କହିଲି ଯାହାହେଉ କଛି ଗୋଟାଏ ନ କଲେ ଉପବାସ ରହିବାକୁ ହବ ଯେ....

 

ସେ କହିଲେ କାଲି ଗୋଟାଏ ଇଣ୍ଟରଭ୍ୟୁ ଅଛି ପ୍ରାଥମିକ ସ୍କୁଲର ଶିକ୍ଷକ ପଦ ପାଇଁ । ଇନ୍‌ସପେକ୍ଟର ମୋର ଛାତ୍ର । ତୁମେ ଦରଖାସ୍ତ ଆଗରୁ ନ ଦେଇଥିଲେ ବି କିଛି ଯାଏ ଆସେ ନାହିଁ-। ପରୀକ୍ଷାରେ ଅବତୀର୍ଣ୍ଣ ହୁଅ ।

 

—ଇଣ୍ଟରଭିଉ !

 

—ହଁ ଇଣ୍ଟରଭିଉ । ଦିନ ଦଶଟାବେଳେ ।

 

—ଆପଣ କହୁଛନ୍ତି ଯେତେବେଳେ ଯିବି ।

 

ନିଶ୍ଚୟ ଯାଅ । ନହେଲେ ନାହିଁ, ହୋଇଗଲା ଯଦି କାମରେ ଆସିବ ।

 

ମୁଁ ଇଣ୍ଟରଭିଉକୁ ଯିବା ପାଇଁ ପ୍ରସ୍ତୁତ ଆରମ୍ଭ କରିଦେଲି । ଲୁଗା ଜାମା ମଇଳା ହୋଇଯାଇଥିଲା ଗତିରେ ସବୁ ସଫା କରିପକାଇଲି ।

 

ତାଙ୍କ ପାଖରୁ ରାତି ପାଇଁ ବିଦାୟ ନେଇ ବାହାରେ ଗୋଟିଏ ହୋଟେଲରେ ଗରମ ଭାତ ଓ ଡାଲଣା ଖାଇ ଆସି ଶୋଇପଡ଼ିଲି । ଥକି ଯାଇଥିଲି, ସଙ୍ଗେ ସଙ୍ଗେ ନିଦ ହୋଇଗଲା । ଦୁଦୁଆଲା ଧର୍ମଶାଳାର ଶହ ଶହ ଛାରପୋକମାନଙ୍କର ଆକ୍ରମଣ, ଡଜନ ଡଜନ ମଶାଙ୍କର ଦଂଶନ ଜାଣି ପାରିଲି ନାହିଁ ।

 

ସକାଳୁ ଉଠି ସମୁଦ୍ରକୂଳେ ଘେରାଏ ବୁଲିଆସିଲି । ମନଟ ହାଲୁକା ହୋଇଗଲା, ଫୁର୍ତ୍ତି ବି ଲାଗିଲା ଟିକିଏ । ଇଣ୍ଟରଭିଉ ପାଇଁ ନିଜକୁ ସଜାଡ଼ି ନେଲି ।

 

ପ୍ରଥମ ଚାରିଜଣଙ୍କ ପରେ ମୋର ପାଳି ପଡ଼ିଲା । ମୁଁ ଯାଇ ନିର୍ବାଚକ ମଣ୍ଡଳୀଙ୍କୁ ନମସ୍କାର ଜଣାଇ ନିର୍ଦ୍ଦିଷ୍ଟ ଆସନରେ ବସିଲି । ସଭାପତି ପଚାରିଲେ କଣ ପଢ଼ିଛ ।

 

ଉତ୍ତର ଦେଲି—ଏମ୍. ଏ. ପାସ୍ କରିଛି ।

 

—କେଉଁ ବିଷୟରେ ?

 

—ଅର୍ଥନୀତିରେ ।

 

—ଦେଶରେ ଦୁର୍ନୀତ ବୃଦ୍ଧି ପାଉଛି କାହିଁକି କହି ପାରିବ ?

 

—ଅନେକ ଦେଶସେବା ନାମରେ ଦେଶର ସମ୍ପଦକୁ ଠୁଳ କରୁଛନ୍ତି ନିଜ ନିଜର ସମ୍ପଦ ଭାବରେ ।

 

—ଏହାର ଅର୍ଥ ?

 

ଟେଲିଫୋନ୍‌ଟା ବାଜିଉଠିଲା । ସେ ଉଠାଇ ନେଇ କହିଲେ—ହ୍ୟାଲୋ ।

 

—ନାମ ?

 

—ମନମୋହନ ପଟ୍ଟନାୟକ—ଉତ୍ତର ଆସିଲା ସେପାଖରୁ ।

 

—ଆଉ କଅଣ ?

 

—ସେ ଆମ ବିଶ୍ୱନାଥ ବାବୁଙ୍କ ବଡ଼ପୁଅ । ବିଶ୍ଵନାଥ ବାବୁଙ୍କୁ ଚିହ୍ନନ୍ତି ତ ?

 

—ହଁ ହଁ । ସେ ଏବେ ଏ. ଡି. ଏମ୍.ରୁ ରିଟାୟର କରିଛନ୍ତି ।

 

—ଦେଖିବେ ?

 

—ସେ କଥା ଆଉ କହିବେନି । ମୁଁ ସବୁ ସଜାଡ଼ି ଦେବି ।

 

ଫୋନ ରଖିଦେଇ ମୋ ଆଡ଼କୁ ଚାହିଁ କହିଲେ—ତୁମ ବାପା କଅଣ କରନ୍ତି ?

 

ମୁଁ କହିଲି ଲଣ୍ଡିରି କରିଛନ୍ତି ।

 

—ତା’ମାନେ ଲୁଗା ସଫା କରନ୍ତି ?

 

ସେ କିପରି ନିସ୍ପୃହ କଣ୍ଠରେ କହିଲେ ।

 

ମୁଁ କହିଲି—ଆଜ୍ଞା ।

 

ମୁଁ ଲକ୍ଷ୍ୟ କରୁଥିଲି କିଭଳି ତାଙ୍କର ମୁହଁର ଭାବ ପରିବର୍ତ୍ତିତ ହେଉଥିଲା । ଅନ୍ୟ ସଭ୍ୟମାନେ ଆଖି ଗୋଲ କରି କପାଳକୁ ଉପରକୁ ଟେକିବାର ମଧ୍ୟ ଲକ୍ଷ୍ୟ କଲି ।

 

ଜଣେ କହିଲେ—ବାପାଙ୍କ ଜୀବିକା ଛାଡ଼ି ତମେ ଚାକିରୀ ପାଇଁ କାହିଁକି ଆସିଛ ?

 

ମୁଁ କହିଲି—ବାପର ଜୀବିକା ସହିତ ପୁଅର ଜୀବିକା ଏକ ହବ, ଏହା କେଉଁ ନୀତିର କଥା ?

 

ସେମାନେ ଆଉ କିଛି ନପଚାରି କହିଲେ—ହଉ, ହଉ । ଏଥର ଆସିପାର ।

 

ମୁଁ ନମସ୍କାର କରି ନିଶ୍ଚିତ ମନରେ ଫେରି ଆସିଲି ଯେ ମୋର ଚାକିରୀ ହବନାହିଁ । ଧୋବାର ପୁଅ ଲୁଗା ସଫା ନକରି ମାଷ୍ଟର ହବ ଏହା ଯେପରି କଳ୍ପନାତୀତ । ତା’ ପରେ, ବଡ଼ ଲୋକଙ୍କର ପୁଅ ଯେତେବେଳେ ବେକାର ବସିଛନ୍ତି !

 

ସେହି ବିଜ୍ଞାପନ କଥାଟା ମନେ ପଡ଼ିଗଲା । ମୁଁ ମନେ ମନେ ଭାବିଲି ଏଇମିତ କେତେ କେତେ ବିଜ୍ଞାପନ ବୋଧହୁଏ ବାହାରେ ସାଧାରଣ ଲୋକଙ୍କୁ ବିଭ୍ରାନ୍ତ କରିବା ପାଇଁ ।

 

ମୋର ହତୈଷୀଙ୍କ କଥା ମନେପଡ଼ିଲା । ସେ କହିଥିଲେ—ଉଦ୍ୟମ କରିଯାଅ । ପରାଜୟ ପରେ ପୁଣି ଉଠି ବସିବା ପାଇଁ ପ୍ରଯତ୍ନ କର ।

 

ମୁଁ ପୁଣି ଚେଷ୍ଟା କରିବା ପାଇଁ ମନେ ମନେ ସଂକଳ୍ପ କଲି ।

 

ମୋଚି ସାହି ପାର ହୋଇ ବଡ଼ ଡାକଘର ପାଖକୁ ଆସିଲେ ସାମ୍ନା ଦେଇ ସମୁଦ୍ରକୂଳକୁ ଯେଉଁ ସିଧା ରାସ୍ତା ପଡ଼ିଛି ସେଇ ରାସ୍ତା ଉପରକୁ ଆସିଲବେଳକୁ ମୂଷଳ ଧାରରେ ଝଡ଼ ବୃଷ୍ଟି ଆରମ୍ଭ ହୋଇ ଯାଇଥିଲା । କେଉଁଆଡ଼େ ଯିବି, କେଉଁଠି ଆଶ୍ରୟ ଗ୍ରହଣ କରିବି ସ୍ଥିର କରି ନପାରି ପ୍ରଥମେ ଭିଜିଗଲି କିଛି, ତା’ପରେ ଦଉଡ଼ି ଯାଇ ଡାହାଣ ପାଖରେ ଥିବା ଗୋଟିଏ ଦୋତାଲା କୋଠାର ବାରଣ୍ଡା ଉପରକୁ ଉଠିଗଲି ଗେଟ୍ ଖୋଲି ।

 

ସାମ୍ନା ଦରଜା ବନ୍ଦ ଥିଲେ ବି ନାମ ଫଳକ ଚକ୍‌ ଚକ୍‌ କରି ସୂଚାଉଥିଲା ଗୃହକର୍ତ୍ତୀଙ୍କ ପରିଚୟ । ଲେଖାଥିଲା—

 

କୁମାରୀ ଚେତନା ମହାନ୍ତି

ସମାଜ ସେବିକା

 

ଆଶ୍ଵସ୍ତ ହେଲି ନିଶ୍ଚିତ ଭାବରେ ଜାଣି ଯେ, ଭଦ୍ରମହିଳା ନିଜର ସ୍ଵାର୍ଥ ଓ ସମ୍ଭୋଗକୁ ବିସର୍ଜନ ଦେଇ ସମାଜ ସେବାରେ ନିଜକୁ ଉତ୍ସର୍ଗ କରିଛନ୍ତି । ତାଙ୍କର ବ୍ୟକ୍ତିତ୍ଵ, ଆଦର୍ଶ ଏବଂ ନିଷ୍ଠାର ଏକ କାଳ୍ପନିକ ମୂର୍ତ୍ତି ମୋ ମାନସପଟରେ ସାକାର ରୂପ ନବାକୁ ଆରମ୍ଭ କରିଥିଲା ।

 

ଗତ କେହ୍ନେ ବର୍ଷ ଭିତରେ ଏହି ନାମଟି କେତେଥର ଶୁଣିଥିବି, ଖବରକାଗଜମାନଙ୍କରେ ଏହାଙ୍କର ପ୍ରଶସ୍ତି ପଢ଼ିଥିବି । ତାଙ୍କରି ବନ୍ଦ ଦରଜା ସମ୍ମୁଖରେ ଛିଡ଼ା ହୋଇ ତାଙ୍କୁ କେବେ ଦେଖି ନଥିଲେ ମଧ୍ୟ, ସେ ଯେ ମୋର ଅତି ପରିଚିତ ଓ ଆପଣାର ଏହି କଥା ମନେହେବାକୁ ଲାଗିଲା । ତାଙ୍କର ମହତ୍ତ୍ଵ, ସେବାକ୍ଷେତ୍ରରେ ତାଙ୍କର ଐକାନ୍ତିକ ନିଷ୍ଠା ଏବଂ ସମର୍ପଣ ତାଙ୍କୁ କେତେ ବଡ଼ କରିଥିଲା ମୋ ପାଖରେ ।

 

କବାଟ ଖୋଲିବାର ଶବ୍ଦ ହେଲା । ବର୍ଷା ମୂଷଳ ଧାରାରେ ଭାଙ୍ଗି ପଡ଼ୁଥିଲା ଧରଣୀ ଉପରେ । ପବନରେ ଛିଟିକି ଆସି ପାଣିଛିଟା ଲାଗୁଥିଲା ଦେହରେ ମୁହଁରେ ।

 

ଜଣେ କିଏ ମଧ୍ୟବୟସ୍କା ଭଦ୍ରମହିଳା କବାଟ ଖୋଲି କହିଲେ କାହାକୁ ଖୋଜୁଛ ?

 

ମୁଁ କିଛି ଉତ୍ତର ଦେଇପାରଲି ନାହିଁ । ତାଙ୍କ ମୁହଁକୁ ଦୁଇତିନି ଥର ଚାହିଁଲି । ଦେହରେ ସରଳତା ଓ ନିଷ୍ଠାର ପ୍ରତୀକ ଧଳା ଶାଢ଼ି । ମୁହଁରେ ପଡ଼ନ୍ତ ଯୌବନର ଦୀପ୍ତି ।

 

ସେ କହିଲେ—ବେକାର ?

 

ମୁଁ ସମ୍ମତିର ସୂଚନା ଦେଲି ।

 

ସେ ପଚାରିଲେ—ପଢ଼ାପଢ଼ି ?

 

ମୁଁ ଉତ୍ତର ଦେଲି—ଏମ୍. ଏ.

 

ସେ ଆପାଦମସ୍ତକ ମୋତେ ଭଲ କରି ନିରୀକ୍ଷଣ କରି କହିଲେ—ହଉ, ଭିତରକୁ ଆସ-। ବର୍ଷାରେ ଭିଜି ଗଲେ ବି ଏ ଯାଏ ଡାକୁ ନଥିଲ ଯେ ।

 

ମୁଁ କିଛି କହିଲି ନାହିଁ । ତାଙ୍କର ଦରଦ ପାଇଁ ଦୟାମୟଙ୍କ ପାଖରେ ପ୍ରଣତି ଜଣାଇଲି ।

 

ଭିତରକୁ ନେଇଯାଇ ସେ କହିଲେ—ଏମ୍. ଏ. ପାସ୍ କରି ବୁଲୁଛ । କିଛି ପାଇଲ ନାହିଁ-

 

ମୁଁ କହିଲି—ନା ।

 

ସେ କହିଲେ—ମୋ ଅନୁଷ୍ଠାନରେ ରହିବ ?

 

ମୁଁ ଆଶ୍ଚର୍ଯ୍ୟ ହୋଇକହିଲି—ଏଠାରେ କ’ଣ ମୋ ପାଇଁ ସ୍ଥାନ ଅଛି ?

 

ସେ କହିଲେ—ହଁ ।

 

ମୁଁ କହିଲି—ମୁଁ ସବୁ କରିପାରିବି । ପ୍ରତିଶ୍ରୁତି ଦଉଛି । ଆପଣ ହତାଶ ହେବେ ନାହିଁ ।

 

ସେ ଖୁସି ହେଲା ପରି ମନେ ହେଲା । ସେ କହିଲେ, ଆମର ଇଏ ଗୋଟିଏ ସମାଜ କଲ୍ୟାଣ ଅନୁଷ୍ଠାନ । ସେବାହିଁ ଏହାର ଲକ୍ଷ୍ୟ । ମୋତେ ତ ଆଖି ଆଗରେ ଦେଖୁଛ, ମୋ ବିଷୟରେ ଶୁଣିଥିବ ବି ବହୁତ । ମୁଁ ସେବା ଜୀବନର ବ୍ରତ ଭାବରେ ଗ୍ରହଣ କରିଛି । ଏ ସବୁ ସମ୍ପଦକୁ ସେବା କାର୍ଯ୍ୟରେ ଉତ୍ସର୍ଗ କରିଛି । ମୋର ବିଶ୍ଵାସ ସେବାର ବିକଳ୍ପ ଆଉ କିଛି ନାହିଁ ଏବଂ ସେବା କଲେ ତୁମେ କେବେ ଅସୁଖୀ ରହିବ ନାହିଁ ।

 

ତାଙ୍କ ମତ ସହିତ ସେହି ବିଜ୍ଞାପନଟାର ଏତେ ସାମଞ୍ଜସ୍ୟ ଥିଲା ଯେ ମୁଁ ଅନ୍ୟ କିଛି ନଭାବି ହଠାତ୍ କହି ପକାଇଲା—ଆପଣ କଅଣ ସେ ବିଜ୍ଞାପନଟା ଦେଇଥିଲେ ?

 

ସେ କହିଲେ—ଠିକ୍ ଅନୁମାନ କରିଛ । କିନ୍ତୁ ଜାଣ, ଜଣେ ହେଲେ କେହି ଦରଖାସ୍ତ କରିନାହାନ୍ତି ।

 

ମୁଁ କହିଲି—ମୁଁ ମନ କଲାବେଳକୁ ସମୟ ଅତିକ୍ରାନ୍ତ ହୋଇ ଯାଇଥିଲା ।

 

ସେ ହସିଦେଇ କହିଲେ—ଚିନ୍ତା ନାହିଁ । ଦରଖାସ୍ତ କାଲି ଦବ । ତୁମକୁ ବିନା ଦରଖାସ୍ତରେ ନିଯୁକ୍ତି ଦେଇଦେଲି ।

 

ମୁଁ ଯେ ଆଉ ବେକାର ନୁହେଁ, ମୋର ମର୍ଯ୍ୟାଦା ବି ଯେ ଅନ୍ୟମାନେ ସ୍ଵୀକାର କରିବେ, ଏହି ସମ୍ଭାବନା ମୋତେ ପୁଲକିତ କଲା ।

 

ସେ ମୋତେ କହିଲେ—ଏଇ ମୋର ଅଫିସ ଏବଂ ବାସସ୍ଥାନ । ତୁମେ ବି ଏଠାରେ ରହିବ । ପ୍ରତିଦିନ ମୋର କାର୍ଯ୍ୟସୂଚୀ ସ୍ଥିର କରିବ, ଚିଠିପତ୍ରର ଉତ୍ତର ଦବ, ଆଉ ବେଳେ ବେଳେ ଗୋଟେ ଅଧେ ଭାଷଣ ଲେଖିଦବ ।

 

ମୁଁ ଅବାକ୍ ହୋଇଯାଇ ତାଙ୍କ ଆଡ଼େ ଚାହିଁଲି । ସେ ମୋ ମନ କଥା ବୁଝିଲା ପରି କହିଲେ–ବଡ଼ ବଡ଼ ନେତାଙ୍କ ମୁହଁରୁ ବହୁ ସୁନ୍ଦର ସୁନ୍ଦର କଥା ଶୁଣୁଥିବ । ସେମାନେ ଲେଖନ୍ତିନି, ଲେଖି ଦିଅନ୍ତି ସେମାନଙ୍କର ସେମାନଙ୍କର ସେକ୍ରେଟାରୀମାନେ ।

 

ମୁଁ ଆଶ୍ଵସ୍ତ ହେଲି ଯେ, ମୁଁ ବି ଜଣେ ପ୍ରଖ୍ୟାତ ସମାଜ ସେବିକାଙ୍କର ସେକ୍ରେଟାରୀ ହବାପାଇଁ ଯାଉଛି ।

 

ଉପର ମହଲାର ଗୋଟିଏ କୋଣରେ ଖାଲିଥିବା ଗୋଟିଏ ଘରେ ରହିବାର ବ୍ୟବସ୍ଥା ହେଲା ମୋ ପାଇଁ । ମୁଁ ଘଣ୍ଟାକ ଭିତରେ ତାଙ୍କର ପରିବାରଭୁକ୍ତ ହୋଇଗଲି ।

 

ରାତି ଖାଇ ପିଇ ଖୁସିରେ ଶୋଇବାକୁ ଗଲି । ବହୁତ ରାତିଯାଏ ନିଦ ହେଲାନି । ବେକାର ନୁହେଁ, ଏହି ସାନ୍ତ୍ୱନା କଅଣ କମ୍ ବଡ଼, କମ୍ ଗର୍ବର ବିଷୟ ।

 

ଆକାଶରୁ ବର୍ଷା ଝରୁଥାଏ ଅସରନ୍ତି ଧାରାରେ । ପବନ ବହୁଥାଏ ଜୋର୍‌ରେ । ବିଜୁଳି ଝଟକୁଥାଏ । ମୁଁ କବାଟ ବନ୍ଦ ନକରି ଖୋଲା ରାସ୍ତା ଦେଇ ବାହାରକୁ ଚାହୁଁ ଚାହୁଁ କେତେବେଳେ ଶୋଇ ପଡ଼ିଲି ଜାଣି ବି ପାରିଲି ନାହିଁ ।

 

କିନ୍ତୁ ତିନି ଚାରିଥର ଲାଗି ଲାଗି ଅତି ପାଖରେ ବିଜୁଳିର ଝଲକ ଦେଖାଗଲା । ନିଦ ଭାଙ୍ଗିଗଲାବେଳକୁ ମୁଁ ଅନୁଭବ କଲି, ସେହି ଝଡ଼ ରାତିରେ ପବନର ନିଶ୍ଵାସ ନେଇ କିଏ ଯେପରି ମୋ ପାଖରେ ଚଳ ପ୍ରଚଳ କରୁଛି । ଭୟ ଲାଗିଲା । ଭୂତ ପ୍ରେତ କଥା ପିଲାଦିନେ ଅନେକ ଶୁଣି ମନଟା ଭୀରୁ ହୋଇଯାଇଥିଲା । ଆଖି ନ ଖୋଲି ସେହିପରି ଶୋଇ ରହିଲା ।

 

ବର୍ଷା ପାଣିର ଛିଟା ସଙ୍ଗେ ଆଉ କାହାର ଯୋଡ଼ାଏ ଭିଜା ଅଧର ମୋ କପାଳରେ ଲାଗିଲା ଆସି ।

 

ମଣିଷର ଉଷ୍ମ ନିଶ୍ଵାସ ମୋ ଦେହରେ ବାଜିଲା ବିଜୁଳିର ଚମକ ଖେଳାଇ ।

 

ମୁଁ ତଡ଼ିତ୍ ବେଗରେ ଉଠି ବସିବା ପାଇଁ ଚେଷ୍ଟା କଲାବେଳକୁ, ମୋ ମୁହଁରେ ହାତ ଦେଇ ସେ କହିଲେ—ଭୀଷଣ ଝଡ଼ ବୃଷ୍ଟିରେ ପୃଥିବୀ ଭାସିଯିବା ପରି ମନେ ହେଉଛି । ଏକା ଏକା ରହି ପାରିଲିନି, ବଡ଼ ଭୟ ଲାଗିଲା...

 

ମୁଁ ନିର୍ବାକ ନିସ୍ପନ୍ଦ ଭାବରେ ଶଙ୍କିତ ଚିତ୍ତର ବିହ୍ୱଳତାକୁ ମାପି ନପାରି ଆଖି ବୁଜିଲି ।

☆☆☆

 

Unknown

କଳା କଳା ମେଘ

 

ଆକାଶର ବେଶ୍ ବଦଳି ଯାଉଛି ।

 

କଳା କଳା ମେଘଗୁଡ଼ା ପାଣି ନ ବରଷି ଉଡ଼ିଗଲେ ଅନ୍ୟଆଡ଼େ ।

 

ଚାତକ ପକ୍ଷୀ ବାହୁନି ଉଠିଲା ପାଣି ଟୋପେ ପାଇଁ, ବର୍ଷା ହେଲାନି ।

 

ଆଶା ନେଇ ଯାଇଥିଲା, କିନ୍ତୁ ହତାଶା ନେଇ ବିଲରୁ ଫେରି ଆସିଲା ହରିପଦ ।

 

ପଦ୍ମା ଆଶ୍ଚର୍ଯ୍ୟ ହେଲା, ସ୍ଵାମୀକୁ ଏତେ ଶୀଘ୍ର ଏପରି ଚୁପ୍‌ ଚାପ୍‌ ହୋଇ ଫେରି ଆସିବାର ଦେଖି ।

 

—ଫେରି ଆସିଲ ଯେ ? ଆଗକୁ ଆସି କହିଲା ପଦ୍ମା ।

 

ହଠାତ୍ ରାଗିଗଲା ହରିପଦ । ସେ ସମ୍ଭାଳି ନ ପାରି କହି ପକାଇଲା—ତୋ ସୋହାଗରେ ବାଧା ପଡ଼ିଲା ନା ?

 

ଆଖି ଛଳଛଳ ହୋଇଆସିଲା ପଦ୍ମାର । ସେ ସ୍ଵାମୀର ସୋହାଗିନୀ । ତାଙ୍କ ଅବର୍ତ୍ତମାନରେ ସୋହାଗ କରିବ, ସଙ୍ଗ କରିବ ଏଇ କଥା କହି ପାରିଲେ !

 

ଉତ୍ତର ଦେଇପାରିଲା ନାହିଁ । ଅଧର କମ୍ପିଉଠିଲା ଟିକିଏ । ତା’ପରେ ବାଧା ନମାନି ଝରି ପଡ଼ିଲା ଅଶ୍ରୁଧାର ।

 

କଥାପଦକ ଖସି ଯାଇଛି ତୁଣ୍ଡରୁ । ଆଉ ଫେରାଇ ଆଣି ହେବ ନାହିଁ । ହଠାତ୍ କାହିଁକି ଏପରି ନିକୃଷ୍ଟ କଥା ପଦେ କହି ଦେଲା ବୋଲି ସତରେ ଅନୁତାପ କଲା ହରିପଦ ।

 

ସେ ଖଟ ଉପରେ ବସିପଡ଼ି କହିଲା—ବର୍ଷା ନାହିଁ । ଧାନ ଗଛଗୁଡ଼ା ଜଳି ଗଲେଣି ଖରାରେ । ଆଉ ଆଶା ନାହିଁ ।

 

କିନ୍ତୁ ଜବାବ ନଦେଇ ଧୀରେ ଧୀରେ ଲୁହଭିଜା ଆଖିରେ ସେଠାରୁ ଅପସରି ଗଲ ପଦ୍ମା-

 

ମନଟା ଦଗ୍‌ଧ ହେଲା ହରିପଦର ।

 

ନିଜ ଉପରେ ଆହୁରି ବେଶି ରାଗ ହେଲା । ଦିନ ଦଶଟା ହବ । କେତେ ଆଶା କରି ଯାଇଥିଲା ସେ, ବର୍ଷା ହେଲେ ବିଲରେ ପାଣି ମଡ଼ାଇବ ବୋଲି ।

 

କିନ୍ତୁ ବୁନ୍ଦାଏ ପାଣି ବି ପଡ଼ିଲା ନାହିଁ ଆକାଶରୁ ।

 

ପୃଥିବୀ ଶେଷରେ ଆତୁର ହୋଇ ଅପେକ୍ଷା କରୁଥିଲା ବର୍ଷାର । ଝୁମୁଝୁମୁ ନୃତ୍ୟ କରି କିନ୍ତୁ ଆସିଲା ନାହିଁ, ପୃଥିବୀର ଶୋଷିତ ହୃଦୟ ଉପରେ ଭିଜା ଅଧର ବୁଲାଇ ଦେଇଗଲା ନାହିଁ ।

 

ଉଠି ଆସୁଥିବା କଅଁଳ ଧାନଗଛ ଗୁଡ଼ିକ ଶୁଖିଆସିଲଣି ।

 

ପୋଖରୀରେ ପାଣି ନାହିଁ । କୂଅ ଶୁଖି ଆସିଲାଣି । ନଦୀ ବା କେନାଲ ନାହିଁ ପାଖରେ, ଆଷାଢ଼ ମାସରେ ଏପରି ହବ, କେହି କେବେ କଳ୍ପନା କରି ନଥିଲା ।

 

ହରିପଦର ମନଟା କରୁଣ ହୋଇଗଲା । ଅସହାୟ ମଣିଷର ଆକୁତି ତା’ର ଦେହକୁ ଆବୃତ କରି ପକାଇଲା କ୍ଷଣକରେ । ସେ ଉଠି ନ ଯାଇ ଖଟ ଉପରେ ଶୋଇପଡ଼ିଲା ସେହିପରି ।

 

ଭାତରନ୍ଧା ଶେଷ କରି ପଦ୍ମା ଫେରି ଆସିଲା ବେଳକୁ ହରିପଦ ଶୋଇ ପଡ଼ିଥିଲା ଅବେଳରେ ।

 

ଡରିଗଲା ପଦ୍ମା । ଶଙ୍କିତ ହୃଦୟରେ ଧୀରେ ଧୀରେ ସ୍ଵାମୀ ପାଖକୁ ଆସି କପାଳ ଉପରେ ହାତ ରଖିଲା ପଦ୍ମା । ଅସୁଖ କର ନାହିଁ ତ !

 

ଆହା ! କାମିକା ମଣିଷ, କେତେ କାମ କରନ୍ତି, ଖାଇବା ବସିବା ପାଇଁ ସମୟ ନଥାଏ । ଶୋଇ ପଡ଼ିଛନ୍ତି ଭାବନାରେ ।

 

ନା, ଜ୍ଵର ନାହିଁ । ପରମେଶ୍ଵର କୋଟି ପରମାୟୁ ଦିଅନ୍ତୁ । କାଚ ବଜ୍ର ହଉ ।

 

ପରିଚିତ ହାତର ପରଶ ପାଇ ନିଦ ଭାଙ୍ଗିଗଲେ ବି ଉଠି ନପଡ଼ି ଶୋଇ ରହି ଟିକିଏ ଆଦର ଉପଭୋଗ କରୁଥିଲା ହରିପଦ ।

 

—ଭଲଲାଗୁନି ?

 

ଉତ୍ତର ନ ଦେଇ ସେହିପରି ଶୋଇ ରହିଲା ହରିପଦ ।

 

ପଦ୍ମା ପାଇଁ ଗର୍ବ କରେ, ଛାତି ଫୁଲାଇ ବାଟ ଚାଲେ । ଦୁଇବର୍ଷ ତଳେ ବାହା ହୋଇ ବୋହୂ କରି ଘରକୁ ଆଣିଥିଲା ତାକୁ । ପାଠ ପଢ଼ିଛି—ରାମାୟଣ, ମହାଭାରତ ବେଶ୍ ସ୍ଵର ଦେଇ ବୋଲିପାରେ । ସେ ବି ବେଶି ପଢ଼ି ପାରିଲା କେଉଁଠି ? ମାଟ୍ରିକ୍ ପାସ୍ କରି ଘରକୁ ଫେରି ବିଲ ବାଡ଼ିରେ ମନ ଦେଲା ହରିପଦ । ଚାକିରୀ ଖଣ୍ଡେ ପାଇଲା ନାହିଁ ବୋଲି ଥରେ ଥରେ ଦୁଃଖ କରେ, ବାବୁ ହୋଇ ପାରିଲା ନାହିଁ ବୋଲି ଦଗ୍‌ଧ ହୁଏ ।

 

ପଦ୍ମାର ନିଟୋଳ ରୂପ ତାକୁ ମୁଗ୍‌ଧ କରେ, ତା’ର ଭସା ଭସା ଆଖି ଲମ୍ବା ଲମ୍ବା ଭୁରୁ ତାକୁ ମୋହିତ କରେ । ଯୌବନର ସବୁ ସମ୍ପଦ ଅଙ୍ଗେ ଅଙ୍ଗେ ଖୁନ୍ଦି ଦେଇଛି ପଦ୍ମା । କିଛି ଅଭାବ ନାହିଁ । ଅନୁରାଗର ଜୁଆର ଦେହରେ, ମୁହଁରେ ଆଉ ମନରେ ।

 

ଚମ୍ପାଫୁଲ ପରି ରଙ୍ଗ ଅନୁରାଗିଣୀର । ପୁଣି ଛୁଇଁ ଦେଲେ ଝାଉଁଳି ପଡ଼େ, ଲାଜକୁଳୀ ଲତାପରି । ପ୍ରଥମେ ପ୍ରଥମେ ପଦ୍ମା ତାକୁ ପସନ୍ଦ କରୁନାହିଁ ବୋଲି ଭାବୁଥିଲା ହରିପଦ । କିନ୍ତୁ ଲାଜକୁଳୀ ଲତାର ସଙ୍କୋଚନରେ ପ୍ରସାରଣର ପ୍ରବଣତା ଅଛି ବୋଲି ସେ ବି ବୁଝି ପାରିଥିଲା ସେତେବେଳେ !

 

ପଦ୍ମା ରାସ୍ତା ଉପରେ ଚାଲିଗଲେ ପାଞ୍ଚ ଦଶ ଯୋଡ଼ା ଆଖି ଘୂରି ବୁଲେ ତା’ ଚାରିପାଖରେ ।

 

ତା ସାଙ୍ଗ ପ୍ରମୋଦ ବି.ଏ. ପଢ଼ି ଫେରିଛି ସହରରୁ । ତା’ର ଗୃହାଣୀ ବା ପଦ୍ମା ସହିତ ତା’ର କଥାବାର୍ତ୍ତାକୁ ସୁଖପାଏ ନାହିଁ ହରିପଦ । ପ୍ରମୋଦଟା ନିଶାଖୋର ପରି ଟୁଳୁ ଟୁଳୁ ଆଖିରେ ପଦ୍ମାକୁ ଏଭଳି ଚାହେଁ କାହିଁକି ? ଦିନେ ତା’ ମୁହଁ ଉପରେ ମୁଖି ଗୋଟେ ଲଦି ଦବାପାଇଁ ଚିହିଁକି ଯାଇଥିଲା ସେ । କିନ୍ତୁ ପୁଣି ରୋକି ନେଇଥିଲା ନିଜକୁ । ସାଙ୍ଗଟା !

 

ପଦ୍ମା ତା’ ସାଙ୍ଗରେ ହସି ହସି କଥା ନ କହିଲେ କଅଣ ମହାଭାରତ ଅଶୁଦ୍ଧ ହୋଇଯାଆନ୍ତା !

 

ଶୋଇ ଶୋଇ ଭାବୁଥିଲା ହରିପଦ ।

 

—ଉଠମ ! ଏତେ ଛଳ କାହିଁକ ସେ ।

 

ନ ଉଠି ପଦ୍ମାର ହାତକୁ ଗୋଟାଇ ଆଣି ଛାତି ଉପରେ ବୁଲେଇ ଦେଇ କହିଲା ହରିପଦ—ମୋ ସାଙ୍ଗରେ ଗେହ୍ଲେଇ ହୋଇ, ହସି କରି ଆଜି କାଲି କଥା ପଦେ ହଉନୁ ।

 

—ସେଥିପାଇଁ ଏତେ ବଡ଼ ଅପବାଦ ଦେଇ ପାରିଲ !

 

ହରିପଦକୁ ଏହିପରି ବେଳେ ବେଳେ ଶାସନ କରେ ପଦ୍ମା ।

 

ତା ପୂରିଲା ପୂରିଲା ଯୌବନୋଦୀପ୍ତ ଚିବୁକ ଉପରେ ଆଙ୍ଗୁଳି ଜାକି କହିଲା ହରପଦ–ସେଇ କଥା ମନେ ରଖିଛୁ ଏଯାଏ ।

 

ତାକୁ ଛାତି ଉପରକୁ ଟାଣୁ ନାହିଁ କାହିଁକି ବୋଲି ମନେ ମନେ ଅନୁଯୋଗ କରୁଥିଲା ପଦ୍ମା ।

 

—ସହରରେ ପଢ଼ିଥିଲ । କେତେ ସାଙ୍ଗ ସାଥୀ କଅଣ ନଥିବେ ଯେ..

 

ଅଭିମାନିଆ ସ୍ଵରରେ କହିଲା ପଦ୍ମା ।

 

ଆଉ ତର ସହିଲା ନାହଁ ହରିପଦର ।

 

ମଧ୍ୟାହ୍ନର ରୌଦ୍ରଦୀପ୍ତ ଧରଣୀ ସିନା ତୃଷାର୍ତ୍ତ ହୋଇ ଅପେକ୍ଷା କରୁଥିଲା ବର୍ଷାର, ସେ କିନ୍ତୁ ନିରାଶ କଲା ନାହିଁ ପଦ୍ମାକୁ ।

 

ବାହାରେ କିଏ ଡାକିଲା ଯେପରି ।

 

ତର ତର ହୋଇ ଉଠିଯାଇ କହିଲାପଦ୍ମା—ପିଲା ହୋଇଯାଉଛ ନା ?

 

—ବୁଢ଼ା ହୋଇଗଲେ ଭଲ ଲାଗିବ, ନା ?

 

ହସି ଉଠିଲେ ଦୁହେଁ ।

 

ଓ ହରିପଦ ! ହରିପଦ !!

 

ହରିପଦ ଉଠିଯାଇ ଦାଣ୍ଡ କବାଟ ଖୋଲିଦେଇ କହିଲା—ଅର୍ଜୁନ ବାବୁ ! ଆସନ୍ତୁ ଆସନ୍ତୁ । ଏଇ ଅବେଳରେ ମନେ ପକାଇଲେ ଯେ ।

 

ଭିତରକୁ ପଶିଯାଇ କହିଲେ ଅର୍ଜୁନ ବାବୁ—ଠିକ୍ ଖାଇବାବେଳେ ଆସିଛି, ଅବେଳ ନୁହେ ।

 

କଥାଟା ତାକୁ ଲକ୍ଷ୍ୟକରି ଯେପରି କହିଲେ ସେପରି ଅନୁମାନ କଲା ପଦ୍ମା ।

 

ଅର୍ଜୁନ ବାବୁ ଗ୍ରାମସେବକ ।

 

ବୟସରେ ହରିପଦଠାରୁ ତିନି କି ଚାରି ବରଷର ବଡ଼ ହେବେ ।

 

ଖଟ ଉପରେ ବସି ପଡ଼ି କହିଲେ, ଅର୍ଜୁନ ବାବୁ—ତା’ପରେ କିପରି ଅଛ କୁହ ।

 

—ବର୍ଷା ହଉନି । ମନ ଭଲ ରହୁନି ।

 

—ହବ, ବର୍ଷା ହବ । ଆଠ ଦଶ ଦିନ ଡ଼େରି ହୋଇଯାଇଛି । ନ ହବ ବୋଲି ଆଶଙ୍କା କରନାହିଁ ।

 

ସାନ୍ତ୍ୱନା ପାଇ କହିଲା ହରିପଦ—ଆପଣଙ୍କ ତୁଣ୍ଡ ସୁତୁଣ୍ଡ ହେଉ । ଭଗବାନ ଅଧିକ ଉନ୍ନତି କରନ୍ତୁ ।

 

—ଉନ୍ନତି ମାନେ ବଦଳି । ଏଠାରୁ ତଡ଼ିଦବା ପାଇଁ ମନ ହେଉଛି ହରିପଦ ?

 

ପଦ୍ମା ଆଢ଼ୁଆଳରେ ଛିଡ଼ା ହୋଇଥିଲା, ତାକୁଇ ଲକ୍ଷ୍ୟ କରି କହିଲା ଅର୍ଜୁନ ବାବୁ ।

 

ହରିପଦ ସଙ୍ଗେ ସଙ୍ଗେ ଉତ୍ତର ଦେଲା । ନା, ନା, ନା । ଆପଣ ଆମର ଉପକାର ଲୋକ । ଆପଣ ପାଖରେ ଥିଲେ ଲୋକେ ଭରସା ପାଆନ୍ତେ ।

 

ଭିତରୁ ପଦ୍ମା କହିଲା–—ରନ୍ଧାରନ୍ଧି ତ ସରିଛି । ବାଢ଼ିବି ?

 

ହରିପଦ କିଛି କହିବା ପୂର୍ବରୁ କହିଲେ ଅର୍ଜୁନ ବାବୁ—ସତରେ ଖାଇବା ପାଇଁ ଦଉଛ ହରିପଦ ! ଆରେ ଥାଉ ଥାଉ । ଅବେଳରେ ଆସିଗଲି, ଦେଖିଗଲି କିପରି ଅଛ । ଆଉ ଦିନେ ନୋଟିସ ଦେଇ ଆସିବ ଯେ ଭଲକରି ଖୁଆଇବ ।

 

—ନା, ନା । ଆଜି ଖାଇକରି ନ ଗଲେ ଆମ ମନରେ ଦୁଃଖ ହବ ।

 

ତା’ପରେ ସ୍ତ୍ରୀକୁ କହିଲା—ଆଉ ବିଳମ୍ବ ନକରି ବଢ଼ାବଢ଼ି କର ।

 

ପଦ୍ମା କାମରେ ଲାଗିଗଲା ।

 

ଅର୍ଜୁନ ବାବୁ ହରିପଦକୁ କହିଲେ—କେବଳ ଏଇ ଚାଷ ଉପରେ ନିର୍ଭର କଲେ ଚଳିବ ନାହଁ ହରିପଦ । ଆଉ ଗୋଟେ କିଛି କର ।

 

—ଆଉ କଅଣ କରିହବ ଅର୍ଜ୍ଜୁନ ବାବୁ ! ପାଖରେ ଧନ ନାହିଁ ଯେ ବସିବା ସମୟରେ ବେପାରଟିଏ କରିବ ।

 

—ମନ ଥିଲେ ଧନ ଆପେ ଆପେ ଆସିବ । ଆଗ ମନ ସ୍ଥିରକର । ଉପରକୁ ଉଠିବା ପାଇଁ ସିଡ଼ି ପଡ଼ିଛି । ଉଠିବା ପାଇଁ ଉଦ୍ୟମ କର । ନ ହେଲେ କେବଳ ତଳେ ଥାଇ ସିଡ଼ିଧରାର କାମ କରିବ ସିନା, ଉଠି ପାରିବ ନାହିଁ ।

 

—ନିଶ୍ଚୟ କରିବି, ହେଲେ ଭରସା ପାଉନି ।

 

ହରିପଦକୁ ଆହୁରି ନିକଟତର କରିବା ପାଇଁ କହିଲେ ଅର୍ଜୁନ ବାବୁ—ଚାକିରୀ କରିବ ?

 

ଚମକି ପଡ଼ିଲା ହରିପଦ । ଚାକିରୀ ମିଳିଲା ନାହଁ ବୋଲି ସିନା ପୂର୍ବପୁରୁଷଙ୍କ ଭିଟାମାଟିକୁ ଆବୋରି ବସି ଗାଁରେ ସଢ଼ୁଛି । ସହର ଜୀବନର ଯାକଜମକ ଏବେ ବି ଲୋଭ ଜନ୍ମାଏ ମନରେ । ଉତ୍ସାହିତ ହୋଇ କହିଲା ହରିପଦ—ସତରେ ମୋତେ ଆଉ ଚାକିରୀ ମିଳିବ ?

 

—କାହିଁକ ମିଳିବନି । ତମେ ତ ବୁଢ଼ା ହୋଇଯାଇନ । କୃଷିର ପ୍ରଚାର ପାଇଁ ସଦର ମହକୁମା ଅଫିସରେ ଜଣେ ଲୋକର ପ୍ରୟୋଜନ । ଦରମା ମୋରି ପରି । ଗସ୍ତଖର୍ଚ୍ଚ ଭଲ ଅଛି ।

 

ବାଢ଼ିଦେଇ ସାରିଲିଣି, ଆସ ଭିତରୁ କହିଲା ପଦ୍ମା ।

 

ହାତ ଧୋଇ ପାଖାପାଖି ହୋଇ ବସିଲେ ଦୁହେଁ । ଖାଇବା ପାଇଁ ଆରମ୍ଭ କରିଦେଇ କହିଲେ ଅର୍ଜୁନ ବାବୁ—ତମ ଘର ଖାଇବା ସୁଆଦ ପାଟିରେ ଲାଗିଲେ ଆଉ କେଉଁଠି ଖାଇବା ପାଇଁ ଇଚ୍ଛାହୁଏନା । ହରିପଦ ।

 

ଲାଜ ଲାଜ ସ୍ଵରରେ କହିଲା ପଦ୍ମା—ସେପରି କିଛି କରି ପାରିଲି ନାହିଁ । ଆଗରୁ ତ ଜାଣି ନଥିଲି !

 

—ନା, ବିନା ନୋଟିସରେ ଯାହା କରିଛ ତାହା ତ କମ କଥା ନୁହେଁ । ଏଡ଼େ ସୁନ୍ଦର ହାତପରଷା ଖାଇ ହରିପଦ ସତରେ ଭାଗ୍ୟବାନ ।

 

ପଦ୍ମାର ମନଟା ଖୁସି ହୋଇଗଲା । ତା’ର ରାନ୍ଧିବା ଯଶ ଶୁଣି ସେ ପୁଲକିତ ହେଲା ।

 

ହରିପଦ କହିଲା—ଆପଣ ଭାଉଜଙ୍କୁ ନେଇ ଆସୁନାହାନ୍ତି କାହିଁକି ଯେ ? ସବୁବେଳେ ଏକା ଏକା… ।

 

—କଅଣ କରିବି ଭାଇ କୁହ । ତମ ଭାଉଜ ବଡ଼ଲୋକର ଝିଅ । ଗାଁକୁ ଆସିବା ପାଇଁ ରାଜି ହଉନାହାନ୍ତି । ସବୁବେଳେ ଜିଗର—ବଦଳି ହୋଇ ଆସ ।

 

ପଦ୍ମା ଆଶ୍ଚର୍ଯ୍ୟ ହେଲା ଅର୍ଜ୍ଜୁନର କଥା ଶୁଣି । ବଡ଼ଘର ଝିଅ ବୋଲି ନିଜ ସ୍ଵାମୀ ସହିତ ମଫସଲରେ ରହିବା ପାଇଁ ଅମଙ୍ଗ । ଘର କରିବେ ତା’ ହେଲେ କିପରି ? ସମୟ ତ ବସି ରହିବ ନାହିଁ !

 

ହରିପଦ କହିଲା—ତା’ହେଲେ ମୋ କଥା ମନେ ରହିବ ତ ?

 

ମାଛଭଜାରୁ ଟିକିଏ ମୁହଁରେ ପୂରାଇ କହିଲେ ଅର୍ଜ୍ଜୁନ ବାବୁ,—ନିଶ୍ଚୟ ନିୟୟ, ବଡ଼ ସାହେବଙ୍କ ସହିତ ଭଲ ସମ୍ପର୍କ ଅଛି । ତାଙ୍କୁଇ କହିବି ଯେ କେହି ଆଉ ବାଧା ଦେଇ ପାରିବେ ନାହିଁ ।

 

—ଶୀଘ୍ର କହନ୍ତୁ । ଆପଣ ଭରସା । ଆଉ କଏ ଅଛି ଯେ କହିବି ।

 

ଅର୍ଜ୍ଜୁନ ବାବୁ ପଦ୍ମା ଆଡ଼କୁ ଲକ୍ଷ୍ୟ କରି କହିଲେ—ତାଙ୍କୁ ପଚାର । ସେ ରାଜି ହେବେ ତ-!

 

ହରିପଦ କହିଲା—ଆପଣ ଠିକ୍ କରନ୍ତୁ । ସେ ରାଜି ହବ ।

 

ପଦ୍ମା ଥାଳି ଉପରେ ଦୋହରା ଦେଇ ଧୀରେ ଧୀରେ କହିଲା—ମୁଁ କିଛି ନଜାଣି କିପରି ରାଜି ହୋଇଯିବ ?

 

ହରିପଦ କହିଲା—ଅର୍ଜ୍ଜୁନ ବାବୁ ଏମ୍. ଡ଼ି. ଓ. ସାହେବଙ୍କ ନିଜ ଲୋକ । ମୋ ପାଇଁ ଗୋଟେ ଭଲ ଚାକିରୀ ମହକୁମା ଅଫିସରେ ଠିକ୍ କରାଇଦେବେ କହୁଛନ୍ତି । ଦରମା ତାଙ୍କ ନିଜ ପରି । ପୁଣି ଗସ୍ତ ଖର୍ଚ୍ଚା ବି ଅଛି ।

 

ପଦ୍ମା ବଲ ବଲ କର ଚାହିଁଲା ସ୍ଵାମୀ ଆଡ଼କୁ । ଛାତିରେ ଛନକା ପଶିଗଲା ପରି ମନେହେଲା ତା’ର । ଅର୍ଜ୍ଜୁନ ବାବୁଙ୍କ ସଂସାରରେ ସୁଖ ନାହିଁ । ସ୍ତ୍ରୀ, ସ୍ଵାମୀ ଏକା ସ୍ଥାନରେ ରହିପାରୁ ନାହାନ୍ତି । ଏପରି ଜୀବନର ସୁଆଦ କେଉଁଠି ? ପର ଗୋଲାମି କରିବାରେ ଲୋଭ କାହିଁକି ? ଘର ଭଡ଼ାଦେଇ ରହିବା କଷ୍ଟକର ହବ । ପୂର୍ବପୁରୁଷର ଭିଟାମାଟି ଛାଡ଼ି ଅନ୍ୟର ଆଗରେ ଗୋଡ଼ଭାଙ୍ଗି ଛିଡ଼ା ହେବାକୁ ହେବ । ଘରେ ରଘୁନାଥଙ୍କୁ ଶାଶୁ ତା’ ହାତରେ ସମର୍ପି ଦେଇଛନ୍ତି । ତାଙ୍କୁ ରଖିବ କେଉଁଠି ? ନା, ନା ସେ ଯାଇପାରିବ ନାହିଁ ସହରକୁ ।

ପୁଣି ପଦ୍ମା ଭାବିଲା—ସେ ଏକା ରହିବେ, ଖାଇବେ କିପରି ? ଘରେ ତ ଲୁଗାଟି ଶୁଖାଇ ପାରନ୍ତି ନାହିଁ । ରାନ୍ଧି ବାଢ଼ି ପାରିବେ ନିଜେ ! ଏଇ ସୁଖର ସଂସାରଟା ତାଙ୍କ ଅଭାବରୁ ନିଶୂନ ଦିଶିବ । ଘରର ଶିରୀ ତୁଟିଯିବ ।

ଦୁହିଁଙ୍କର ଖିଆ ପିଆ ଶେଷ ହେଲା । ସେମାନେ ଦାଣ୍ଡ ଘରେ ବସିଲେ ଯାଇ । ପଦ୍ମା ଅଇଁଠା ବାସନଗୁଡ଼ା ଧୋଇମାଜି ରଖିଦେଲା । ଖାଇବା ସ୍ଥାନ ପରିଷ୍କାର କଲା । ନିଜେ ଦୁଇଗୁଣ୍ଡା ଭାତ ଗିଳିଦେଇ ଆଉସବୁ ରଖିଦେଲା । ସ୍ଵାମୀର ଚାକିରୀ କଥା ଶୁଣି ସତରେ ତା’ର ହାଲୁକ ଶୁଖି ଯାଇଥିଲା । ତା’ପରେ ହାତ ମୁହଁ ଧୋଇ ଶୋଇବା ଘରେ ଶୋଇ ଶୋଇ କାନ୍ଦିଲା ।

ଗାଆଁ ମାଟିରେ ସୁନା ଫଳେ । କରମ କଲେ କେବଳ ଦୁଇଟା ପେଟ ନୁହେଁ, ଆଉ ଯଦି କୋଳ ଭର୍ତ୍ତି କରି କିଏ ଆସେ ତା ପେଟ ବି ଅପୂରା ରହିବ ନାହିଁ । ହଉ ମଫସଲ; ସ୍ନେହ, ପ୍ରୀତି, ଦୟା କ୍ଷମା ରହିଛି । ସହରର ଭେଳିକି ଲଗା ଅଲୁଅ, ଅତର ନଥାଉ ଏଠାରେ; ଜୀବନ ଅଛି । ଶୁଣିଥିଲା ପଦା ପିଲାଦିନେ ଆଈବୁଢ଼ୀ ପାଖରୁ—କୁଆଡ଼େ ଭଲ ଗୋଲଗାଲ ଭେଣ୍ଡିଆଟିଏ ଦେଖିଲେ ସହରର ଭୋକିଲା ମାଇକିନିଆ ଭେଳିକି ଲଗାଇ ଦେଇ ମେଣ୍ଢା କରି ଆଜୀବନ ରଖିନିଏ ଘରେ ଅଏସ କରିବା ପାଇଁ, ଫରମାସ ପୂରଣ ପାଇଁ । ଯଦି ସେପରି କାହାରି ହାବୁଡ଼ରେ ପଡ଼ିଯାଏ ହରିପଦ, ଯଦି ଆଉ ନଫେରି ରହିଯାଏ ସେଆଡ଼େ ? ଚଉଦପୁରୁଷରେ ବତୀ ଲଗାଇବା ପାଇଁ ରହିବେ ନି କେହି । କୁଳ ବୁଡ଼ିଯିବ ।

ହରିପଦ ଫେରିଲାବେଳକୁ ରଡ଼ି ଛାଡ଼ି କାନ୍ଦୁଥିଲା ପଦ୍ମା ।

ତା ପିଠିରେ ହାତ ବୁଲାଇ କହିଲା ହରିପଦ—ଯାଇନି ତ !

କେବେ ଯିବି ଠିକ୍ ନାହିଁ । ଆଗ ହଉ....

କିଛି ନ କହି ତା’ ପାଦ ଦୁଇଟିକୁ କୋଳରେ ଜାକି ଧରି ବାହୁନିବାକୁ ଲାଗିଲା ପଦ୍ମା ।

ହରିପଦକୁ ଖରାପ ଲାଗିଲା । ପଦ୍ମାଟା ନିହାତି ସ୍ଵାର୍ଥପର ବୋଲି ମନେ ହେଲା ତା’ର । ନହେଲେ ଏତେ ବଡ଼ ସୁଯୋଗକୁ କେହି ହାତଛଡ଼ା କରେ । ଚାକରଟିଏ ପାଇଁ କେତେ ହନ୍ତସନ୍ତ, ଧାଁଧପଡ଼ ଧରାଧରି କରି ବି ପାଉନାହାନ୍ତି । ଆଉ ସେଇ ସରଗଚାନ୍ଦ ଯେତେବେଳେ ତା ହାତମୁଠା ଭିତରେ, ସେତେବେଳକୁ ନିଜ ମରଦ ସହିତ ଶୋଇପାରିବ ନାହିଁ ବୋଲି ସୁଆଗ ଦେଖାଇ ହଉଛି-। ରାଗିଯାଇ ହରିପଦ ଗୋଟାଇ ଆଣିଲା ପାଦ ଯୋଡ଼ାକ । ପଦ୍ମାକୁ ଠେଲିଦେଇ କହିଲା–ସୁଁ ସୁଁ ହୋଇ ଏତେ ମିଛ ସରାଗ ଦେଖାନା ମ ? ଆଉ କାହାକୁ ଦେଖିଲେ ହସରେ ଫାଟିପଡ଼ୁ, ଆଉ ମୋ ପାଖରେ ଲୁହ ଗଡ଼ାଇବୁନି ତ କଅଣ କରିବୁ ।

 

ଅବାକ୍ ହୋଇ ତୁନି ପଡ଼ିଗଲା ପଦ୍ମା । ଏତେ କଡ଼ା କଥା ଶୁଣି ଆଉ କାନ୍ଦି ବି ପାରିଲା ନାହିଁ ।

 

ହରିପଦ ଖଟ ଉପରେ ଶୋଇପଡ଼ିଲା । ପଦ୍ମାକୁ ଡାକିଲା ନାହିଁ, ତା ଛାତି ଉପରେ ହାତ ବୁଲାଇ ଦେଲା ନାହିଁ ।

 

ସଦର ମହକୁମାରେ ଦେଢ଼ଶହ ଟଙ୍କାର ଚାକିରି ପାଇ ଧନ୍ୟ ହୋଇଯାଇଛି ହରିପଦ । ମଣିଷ ଭିତରେ ମଣିଷଟାଏ । ବାବୁ ବୋଲି ଗାଁକୁ ଆସିଲେ ସମୀହ କରନ୍ତି ଲୋକେ । ଗତଥର ଆସିଲାବେଳେ ଅତର ମାଖି ଆସିଥିଲା ଯେ ଦୁଇଦିନ ଯାଏ ଦେହ ତା’ର ମହ ମହ କରୁଥୁଲ ।

 

ସ୍ଵାମୀ ଆସିଲେ ପଦ୍ମା ଭଲମନ୍ଦ କରି ଖୁଆଏ । ଲୁଗାପଟା ସଫା କରିଦିଏ । ଗୋଡ଼ ମୋଡ଼ିଦିଏ, ଗଳ୍ପ କରେ, ହାଁ କରି ସହରର ମାଇକିନିଆ କିପରି ସାଇକଲ ଚଢ଼ି ସିଗାରେଟ ଖାଇ ବୁଲନ୍ତି ତା’ର ଗଳ୍ପ ଶୁଣେ ।

 

ଦୁଇମାସ ଭିତରେ ହରିପଦର ଚିକଣିଆ ଗୋଲଗାଲ ଦେହଟା ଭାଙ୍ଗିଗଲା ପରି ମନେହେଲା ପଦ୍ମାର । ମୁଣ୍ଡର ବାଳଗୁରା ନିଖୁରା ଦିଶୁଛି । ଆଖିଗୁଡ଼ା ପଶିଗଲାଣି । ବିକଳ ଲାଗେ ପଦ୍ମାକୁ । ଭୟ ଲାଗେ ସହରର କେହି ବଦମାସ ମାଇକିନିଆ ତା ରକତ ଶୋଷିନଉ ନାହିଁ ତ ! କିଛି କହିପାରେନା ସ୍ୱାମୀକୁ । ତୁଣ୍ଡର କଥା ତୁଣ୍ଡରେ ରହିଯାଏ ।

 

ବର୍ଷାଦିନେ ରାତିରେ ଘଡ଼ଘଡ଼ି ସହିତ ଝଡ଼ ହେଲେ ବଡ଼ ଭୟ ପାଏ ପଦ୍ମା । ହରିପଦ ଥିଲାବେଳେ ତା ଛାତି ତଳେ ଯାକିଯୁକି ହୋଇ ଶୋଇ ପଡ଼ୁଥିଲା । ଏବେ ଦୁରୁ ଦୁରୁ ଛାତିରେ ଡରି ଡରି ଶୁଏ ।

 

ବରଷା ହଉଥିଲା । ଝଡ଼ ବତାସରେ କେତେ ଗଛପତ୍ର ଟଳି ପଡ଼ୁଥିଲେ । ଡରି ଡରି କବାଟ କିଳି ଖଟ ଉପରେ ଆଖି ବୁଜି ଶୋଇଥିଲା ପଦ୍ମା । ଦାଣ୍ଡ ଦରଜାରେ କିଏ ଆଘାତ କଲା ପେପରି । ଉଠି ବସି କାନପାରି ଶୁଣିଲା ଭଲ କରି ।

ଶବ୍ଦ ସ୍ପଷ୍ଟ ଶୁଣାଗଲା ।

ଏତେ ରାତିରେ ଏଇ ଝଡ଼ ବୃଷ୍ଟିରେ କିଏ ଡାକୁଛି !

ହରିପଦ ଆସିଲା ପରା !

ମା ବାସେଳିଙ୍କୁ ବୋଦା ଦବ ବୋଲ ମନାସିଥିଲା ପଦ୍ମା । ହରପଦକୁ ଭଲରେ ଭଲରେ ଭେଳିକି-ଲଗୀଙ୍କ ପାଖରୁ ଫେରାଇ ଆଣିଲେ ପୂଜା କରିବ ବୋଲି ପଣତ କାନିରେ ଗଣ୍ଠି ପକାଇଥିଲା ସେ ।

ସାବୀ—ମା’ ସେ ପାଖରେ ଶୋଇଥିଲା । ବୁଢ଼ୀ ଲୋକ । ରାତିରେ ଭଲ ଦେଖିପାରେନା । କାନକୁ ଶୁଣାଯାଏନା ।

କିନ୍ତୁ ଯଦି ହରିପଦ ନହୋଇ ଚୋର ଡକେଇତ ହୋଇଥାଏ…

କବାଟରେ ବାରମ୍ବାର ଆଘାତ ଦବାର ଶୁଣି ଆଉ ବସି ରହି ନପାରି ବୁଢ଼ୀକୁ ଉଠାଇ କବାଟ ଫିଟାଇ ଦେଖିଲାବେଳକୁ ବର୍ଷାରେ ତାଳୁରୁ ତଳିପାଯାଏ ଜୁଡ଼ୁ ସୁଡ଼ ହୋଇ ଶୀତରେ ପ୍ରାୟ ଥରୁଥିଲେ ଅର୍ଜୁନ ବାବୁ !

 

ସେ ସଙ୍ଗେ ସଙ୍ଗେ କହିଲେ—ଗସ୍ତରୁ ଫେରୁଥିଲି । ବର୍ଷା ଆସିଗଲା ସେ ଗାଁ ମୁଣ୍ଡ ତୋଟାରେ ଦୁଇଘଣ୍ଟା ଅଟକିଗଲି । ବେଳୁବେଳ ଝଡ଼ ବଢ଼ିଲା, ଗୋଟେ ଦୁଇଟା ଗଛ ଆଖି ସାମ୍ନାରେ ଉପୁଡ଼ିଗଲା । ଆଉ ଠିଆ ନହୋଇ ବାହାରି ଆସିଲି ଜୀବନକପାଳ ବିକଳରେ । ମଝି ଦାଣ୍ଡରେ ହୋଇଛି, ଚଡ଼କ ଗୋଟାଏ ମାରିଲା ଯେ…ମୁଣ୍ଡ ଉପର ଦେଇ ଚାଲିଗଲା । ଆଉ ଟିକିଏ ହୋଇଥିଲେ ମରିଯାଇଥାଆନ୍ତି ।

 

ଦୟା ହେଲା ପଦ୍ମାର ।

 

ଉପକାରିଆ ମଣିଷ । ହରିପଦକୁ ଚାକିରୀ ଖଣ୍ଡିଏ କରାଇ ଦେଇଛନ୍ତି । ତାକୁ ଧରମ ଭଉଣୀ କରିଛନ୍ତି ।

 

ତରତର ହୋଇ ସେ କହିଲା—ଭିତରକୁ ଆସନ୍ତୁ । ମୁଁ ଗାମୁଛା ଖଣ୍ଡେ ଆଣି ଦଉଛି । ଦେହ, ମୁଣ୍ଡ ପୋଛି ପକାନ୍ତୁ ।

 

ଦଉଡ଼ି ଯାଇ ଗାମୁଛା ଖଣ୍ଡେ ଆଣି ଅର୍ଜୁନ ବାବୁଙ୍କ ହାତକୁ ବଢ଼ାଇ ଦେଲା ପଦ୍ମା । ତା’ପରେ ସେ ପୋଛିପାଛି ହୋଇ ସାରିଲାବେଳକୁ ସଫା ଲୁଗା ଖଣ୍ଡେ ଆଣି ଆଗରେ ରଖିଦେଇ ଗଲା ।

 

ଅର୍ଜ୍ଜୁନବାବୁ ଲୁଗା ବଦଳାଇ କହିଲେ, ରାତି ଅନେକ ହେଲାଣି । ଶୋଇ ପଡ଼ । ମୁଁ ଏଇ ଖଟଟାରେ ବସି ବସି ରାତି କଟାଇଦେବି ।

 

ବର୍ଷା ଛାଡ଼ିବାର କୌଣସି ଲକ୍ଷଣ ଦେଖାଯାଉ ନଥିଲେ । ହରିପଦ ଥିଲେ କେଡ଼େ ଆରାମରେ ଏତେବେଳକୁ ଶୋଇଥାଆନ୍ତା ପଦ୍ମା ! ସ୍ଵାମୀ-ସୋହାଗ ତା’ କପାଳରେ ନାହିଁ ।

 

ବୁଢ଼ୀ ଯାଇ ଶୋଇ ପଡ଼ିଲା ନିଜ ସ୍ଥାନରେ । ଭିତରକୁ ଯାଇ କବାଟ ଆଉଜାଇ ଦେଲା ପଦ୍ମା ।

 

ଦମକା ପବନ ହୁ ହୁ ହୋଇ ବେଳେ ବେଳେ ପଶି ଆସୁଥୁଲା ଭିତରକୁ ।

 

ଲଣ୍ଠନଟି ଲିଭିଗଲା । ଅନ୍ଧକାରର ଭୟଙ୍କର ରୂପ ଦେଖି ଶିହର ଉଠିଲା ପଦ୍ମା ।

 

ବେଶି ଅନ୍ଧାର ହେଲେ ହରିପଦ ତା’ ଉପରେ ହାତ ରଖେ, କାଳେ ଡରିବ ବୋଲି ତା’ ମୁହଁକୁ ଟାଣି ଆଣି ଛାତି ତଳେ ଗୁଞ୍ଜଦିଏ ।

 

ସେ ସଦର ମହକୁମାରେ ଏକା ହୁଏତ ଶୋଇଥିବ । କିମ୍ବା ଯଦି କେହି ବଦମାସ ମାଇକିନିଆ ଭେଳିକି ଲଗାଇ ମେଣ୍ଢା କରି ଦେଇଥାଏ ! ଆଉ ଭାବି ପାରିଲା ନାହଁ ପଦ୍ମା ।

 

ତା’ ଦେହର ଅନାବୃତ ଅଂଶ ଉପରେ କାହାର ଗରମ ନିଶ୍ଵାସ ଢାଳି ହୋଇପଡ଼ିଲା । ଆତଙ୍କରେ ଥରିଉଠିଲା ସେ ।

 

ସରୀସୃପର ଶବ୍ଦହୀନତା ନେଇ ବିଶ୍ଵାସହୀନ ଯୋଡ଼ାଏ ଆଖି, ଯୋଡ଼ାଏ ହାତ, ଯୋଡ଼ାଏ ପାଦ, ଆଉ ଗୋଟାଏ ଦେହବିଶିଷ୍ଟ ବିଷଧର ଜନ୍ତୁ ପ୍ରବଳ ବେଗରେ ତା’ର ସମଗ୍ର ଶରୀରକୁ ଗ୍ରାସ କରିବାକୁ ଲଗିଲା । ସେହି ବିଷଧରର ଦନ୍ତ ଓ ନଖର ବିଷଜ୍ଜ୍ୱାଳାରେ ତିଳ ତିଳ ହୋଇ ଜୀବନର ଭୟଙ୍କର ଅତଳ ଗହ୍ୱରକୁ ସଂଜ୍ଞାହୀନ ପ୍ରାୟ ଚାଲି ଯାଉଥିବାବେଳେ ସେ ଖାଲି ଶୁଣୁଥିଲା ବହୁ ଦୂରରୁ ଦମକା ପବନରେ ଭାସି ଆସୁଥିବା ସନ୍ତପ୍ତ ଧରଣୀର ଗୋଟିଏ ଅତି କରୁଣ, କ୍ରନ୍ଦସୀ ଦୀର୍ଘଶ୍ଵାସ ।

 

ସଦର ମହକୁମା ଅଫିସକୁ ସେଦିନ ଫେରୁ ଫେରୁ ଅନେକ ରାତି ହୋଇ ଯାଇଥିଲା । ହରିପଦ ସାଇକଲଟିକୁ ଠେଲି ଠେଲି ଝଡ଼ରେ ବର୍ଷା ଓ ପବନ ମାଡ଼ ଖାଇ ଥରି ଥରି ଆସି ଯେତେବେଳେ ଭଡ଼ା ଘରେ ପହଞ୍ଚିଲା, ଆଲୁଅ ନଥିଲା । ଭୋକ ଲାଗୁଥିଲା, କିନ୍ତୁ ରାନ୍ଧି ନଥିଲା ହରିପଦ ।

 

ଛୋଟ କାଠ ଖଟ ଉପରେ ଯାଇ ଶୋଇ ପଡ଼ିଲା ଭୋକରେ । ନିଦ ହଉ ନଥିଲା । ଆକାଶର କଳା କଳା ମେଘଗୁଡ଼ା ଯୁଦ୍ଧ-ଘୋଷଣା କରି ଗୁମୁରୁଥିଲେ ପାଣି ଢାଳି ଢାଳି । ବିଜୁଳି ମାରୁଥୁଲା, ଚଡ଼କ ପଡ଼ୁଥିଲା । ମନଟା ଛଟପଟ ହେଉଥୁଲା ହରିପଦର । ପନ୍ଦର କୋଶ ଦୂରରେ ଘର ଭିତରେ ଭୟରେ ଥରି ଥରି ଅନାଶ୍ରିତ ପଦ୍ମା ହୁଏତ କାନ୍ଦୁଥିବ ବାହୁନି ବାହୁନି ।

 

ଆଉ ଥରେ ବିଜୁଳି ମାରିଲା, ଆଉ ଗୋଟାଏ ଚଡ଼କ ପଡ଼ିଲା ପାଖରେ । ଭୟରେ ଥରି ଉଠିଲା ହରିପଦ ।

 

ସଂଜ୍ଞାହୀନ ହୋଇ ପଡ଼ି ରହିଥିଲା ପଦ୍ମା ।

 

ଯେତିକି ତା କଥା ମନେପଡ଼ିଲା ସେତିକି ଅନ୍ତର ଭିତରର ଅଦମନୀୟ ଅନ୍ତର୍ବେଦନା ବାହାରର ବର୍ଷା ଧାର ପରି ଝରି ପଡ଼ିଲା ହରିପଦର ଆଖିରୁ ।

 

ସେ କାନ୍ଦୁଥିଲା । କାନ୍ଦୁଥିଲେ ଏ ଦେଶର ନିଃସହାୟ କୋଟି କୋଟି ପଦ୍ମା ।

☆☆☆

 

ପାଗଳର ପ୍ରେମ

 

ସତ୍ୟାନନ୍ଦକୁ ପାଗଳ ବୋଲି କହିଲେ ସେ ହସେ, ଆଉ ବେଳେ ବେଳେ ବି କାନ୍ଦେ । ହସିବା ଓ କାନ୍ଦି । କାରଣ ନଥାଇ କରେ ବୋଲି କହନ୍ତି । ସେ ଯେ ପାଗଳ, ଏକଥା ବୁଝିପାରେ ନାହିଁ ସତ୍ୟାନନ୍ଦ । ପାଗଳର ଅର୍ଥ କଅଣ, ଜଣେ କାହିଁକ ପାଗଳ ହୁଏ, ପାଗଳାମିର ଲକ୍ଷଣ କଅଣ ତାହା ସେ ଜାଣେ ନାହିଁ; କିମ୍ବା ଏ ବିଷୟରେ ଅଧିକ ଜାଣିବାପାଇଁ ତାର ଆଗ୍ରହ ହୁଏ ନାହଁ । ସେ ପାଗଳ ହେଲେ ପୃଥିବୀର ଯଦି କ୍ଷତି ବୃଦ୍ଧି ହୁଏ ନାହଁ, ତା’ହେଲେ ପୃଥିବୀର ମଣିଷମାନେ ତାକୁ ପାଗଳ ବୋଲି ଅଭିହିତ କଲେ ସେଥିରେ ମଧ୍ୟ ଭାର ଯାଏ ଆସେ ନାହିଁ ।

 

କେଉଁ ଦିନଠାରୁ ସେ ପାଗଳ ହୋଇଗଲା ବା ଲୋକେ କେଉଁ ଦିନଠାରୁ ତାକୁ ପାଗଳ ବୋଲି କହିଲେ ତାହା ତାର ଆଦୌ ମନେ ନାହଁ । ସିମିତି ଅନେକ କଥା ମନେ ନାହିଁ ସତ୍ୟାନନ୍ଦର-। ସବୁ ଯେପରି ଗୋଳମାଳ ହୋଇଯାଇଛି । ଯାହା ଦେଖିଥିଲା, ଶୁଣିଥୁଲା ଏବଂ ଅନୁଭବ କରିଥିଲା ସେ ସବୁ ଆଉ ସ୍ମରଣ କରି ପାରୁନାହିଁ । ଛିଣ୍ଡା ସୂତାଖିଅ ପରି ଥରେ ଥରେ ଗୋଟେ ଦୁଇଟା କଥା ମନେ ପଡ଼େ, ଗୋଟେ ଦୁଇଟା ସ୍ଵର ଶୁଣାଯାଏ ବା ଗୋଟେ ଦୁଇଟା ପରିଚୟ ସ୍ମୃତି ପଟରେ ଉଭା ହୁଏ । କିନ୍ତୁ ସେତିକି, ଅଧିକ ଭାବି ପାରେ ନାହଁ । ମାନସପଟରେ କିଛି ସ୍ଥାୟୀ ହୁଏ-। ବେଶୀ ସମୟ ବି ଗୋଟେ କଥାକୁ ମନ ଭିତରେ ଧରି ରଖିପାରେ ନାହିଁ । ପୃଥିବୀ ଘୂରିଲା ପରି ତା’ ମଥାଟା ବି ଘୂରିଯାଏ, ସେ କଚାଡ଼ି ହୋଇ ପଡ଼ିଯାଏ, ଆଉ ଅବସାଦରେ ଧୀରେ ଧୀରେ ଆଖିବୁଜେ ।

 

ଏତିକିବେଳେ ପାଖଆଖରେ ପିଲାମାନେ ଖେଳୁଥିଲେ ତା’ ପାଖକୁ ମାଡ଼ି ଆସି ଖତେଇ ହୁଅନ୍ତି, ତା’ ଉପରକୁ ଗୋଡ଼ି ପଥର ପକାନ୍ତି । ଜଣେ ଅଧେ ଭଲ ଲୋକ ପାଖଦେଇ ଚାଲିଗଲାବେଳେ ସେମାନଙ୍କୁ କେବଳ ଯେ ନିବୃତ୍ତ କରନ୍ତି ତାହା ନୁହେଁ, ସେ ଖଣ୍ଡେ ବା ଫଳ ଗୋଟେ ତା’ ପାଖରେ ରଖି ଦେଇଯାଆନ୍ତି । ଅବସାଦଭରା ଆଖିରେ ହଠାତ୍ ଝଲକାଏ ଆଲୋକ ଲୁଚକାଳି ଖେଳେ; ମୁହଁ ଉପରେ ଚେନାଏ ଆନନ୍ଦ ମାଖି ହୋଇଯାଏ । ସେ ଅବାକ୍ ହୋଇ ଚାହିଁ ରହେ ଚାଲି ଯାଉଥିବା ଲୋକଟିର ମୁହଁ ଉପରକୁ । ଅବସାଦ କଟିଯାଏ, ଆଖିର ନିଦ ଉଭେଇ ଯାଏ, ପୁଣି ସତ୍ୟାନନ୍ଦ ହସି ଉଠେ ବା ଉଚ୍ଚ ସ୍ଵରରେ କାନ୍ଦେ । ପିଲାଗୁଡ଼ା ଭୟରେ ଦୂରକୁ ପଳାଇ ଯାଆନ୍ତି ।

 

ସେମାନଙ୍କର ମୁହଁ ଉପରେ ପ୍ରଗଳ୍‍ଭତା ଉଭାଇ ଯାଇ ତାହା ସ୍ଥାନରେ ଦେଖାଦିଏ ଭୟ, ବେଳେବେଳେ ଆତଙ୍କ ।

 

ସେଇ ମୁହଁ ଦେଖି ଶିହରି ଉଠେ ସତ୍ୟାନନ୍ଦ । ସୂର୍ଯ୍ୟର ରାଶି ରାଶି ଆଲୋକ ଚକ ଚକ କରୁଥିଲେ ମଧ୍ୟ ସେ କେବଳ ଦେଖେ ଅନ୍ଧକାର, ଅସରନ୍ତି ଅକଳନ୍ତି ଅନ୍ଧକାର । ସେଇ ଅନ୍ଧକାର ଭିତରେ ହଜିଯାଏ ପାଗଳ ସତ୍ୟାନନ୍ଦ ଦରାଣ୍ଡି ହୁଏ ପଥ ଖୋଜି ଖୋଜି । ଅନନ୍ତ ସମୁଦ୍ରର ତରଙ୍ଗ ପରି ଅନ୍ଧାରର ବି ତରଙ୍ଗ ଅଛି, ବେଗ ଅଛି । ସେଇ ଅନ୍ଧକାରର ତରଙ୍ଗ ତାକୁ ପକାଏ ଉଠାଏ, ବୁଡ଼ାଏ ବା ଭସାଏ । ସେ ଅଣନିଶ୍ଵାସୀ ହୋଇଯାଏ । ବ୍ୟାକୁଳ ହୋଇ ବାଟ ଖୋଜେ । ସେଇ ଅନ୍ଧକାର ଘନୀଭୂତ ହୁଏ, ଗୋଟାଏ ସୁଡ଼ଙ୍ଗ ଭିତରେ ପୃଥିବୀର ସବୁ ଭୟ, ଆତଙ୍କ ଠୁଳ ହୋଇଥିବା ପରି ମନେହୁଏ । ସେ ଦେଖେ ସ୍ତବ୍‌ଧ ହୋଇ କୋଟି କୋଟି ମଣିଷର ବାହାରକୁ ବାହାରିବାର ନିଷ୍ଫଳ ପ୍ରଚେଷ୍ଟା । ହୋ ହୋ କର ହସି ଉଠେ ।

ରାଜଧାନୀରେ ବୁଲୁ ବୁଲୁ ଷ୍ଟେସନ ଆଡ଼େ ଚାଲି ଆସେ ସତ୍ୟାନନ୍ଦ । ବଡ଼ ବଡ଼ ସାହେବମାନେ ଆସିଲେ ସେମାନଙ୍କ ପାଇଁ ଗୋଟେ ବଗି ଲାଗେ । ସେଲୁନ ଭିତରେ ସବୁ ସୁବିଧାର ଅଧିକାରୀ ବଡ଼ ସାହେବ ପରଦାର ଫାଙ୍କ ଦେଇ ବାହାରକୁ ଚାହାଁନ୍ତି । ସମ୍ମୁଖରେ ଥିବା ବରଗଛ ମୂଳେ ସତ୍ୟାନନ୍ଦ ନିର୍ବିକାର ଚିତ୍ତରେ ନିଃଶଙ୍କ ହୋଇ ତାଙ୍କ ଆଡ଼କୁ ଅନାଏ । ଏଇ ସ୍ଥାନଟିକୁ ପସନ୍ଦ କରେ । ବହୁଦିନରୁ ତାହା ସହିତ ପରିଚୟ ବୋଲି ମନେହୁଏ । ମାଟିରୁ ଚିହ୍ନା ଚିହ୍ନା ଗନ୍ଧ ଆସି ନାକରେ ବାଜେ । ସେ ମୁଗ୍‌ଧ ହୋଇ ମୁଠାଏ ମାଟି ଉଠାଇ ଆଣି ପାଟି ଭିତରେ ପୂରାଇ ଦିଏ, ଆଉ ତା ପରେ ପୁଣି ଥୁ ଥୁ କର ଉଗାଳି ପକାଏ । ବଡ଼ ସାହେବ ଘୃଣାରେ ଶିହରି ଉଠନ୍ତି, ଛି ଛି କହି ପରଦାଟା ଟାଣିଦିଅନ୍ତି, ପାଖରେ ତାଙ୍କର ସୁରକ୍ଷା ପାଇଁ ବନ୍ଧୁକ ହାତରେ ପଇଁତରା ମାରୁଥିବା ଚକ୍ଷକ ଜଣକ ଗର୍ଜିଉଠି କହେ ପଳା, ପଳା ଏଠୁ ।

ମେମ ସାହେବ ବଡ଼ ସାହେବଙ୍କ କାନ୍ଧ ଉପରେ ନଇଁପଡ଼ି କହନ୍ତି—ଡାର୍ଲିଂ ! ଦେଖୁଛ କି ଭୟାନକ ନାଷ୍ଟି । ମଣିଷ ନୁହେଁ, ବିଷ୍ଟ । ପଶୁଠାରୁ ବି ନଗଣ୍ୟ ।

ତାଙ୍କ ଚାହାଁଣୀରୁ ପୁଞ୍ଜ ପୁଞ୍ଜ ଘୃଣା ଉତୁରିଉଠେ । ବଡ଼ ସାହେବ ଓଠରେ ପରଶ ଦେଇ କହନ୍ତି—ସେ ଆଡ଼କୁ ଚାହିଁ ନାହିଁ ଡାର୍ଲିଂ । ଲୋକଟା କେଡ଼େ ଜଘଣ୍ୟ ଆଉ ଅପରିଷ୍କାର ଦେଖିଲ-?

ସତ୍ୟାନନ୍ଦ କିଛି ବୁଝିପାରେ ନାହଁ । ବଲ ବଲ କରି ଚାହିଁ ରହେ ପରଦା ଢଙ୍କା ସେଲୁନର ଝରକା ଆଡ଼କୁ ।

ଜଣେ ଲୋକ ପାଇଁ ଏତେ ବଡ଼ ବଗିଟାଏ ! ବୁଝିବାକୁ କଷ୍ଟ ହୁଏ ସତ୍ୟାନନ୍ଦର ।

ସେଇ ଆଡ଼କୁ ଚାହିଁ ସେ ଥୁ ଥୁ କରି ଛେପ ପକାଏ । ସାହେବଙ୍କ ଆଲସେସିଆନ କୁକୁରଟା ତାଙ୍କ ସାନ ପୁଅ ସହିତ ବଲ ଖେଳୁଥିଲା, ହଠାତ୍ ବଲ୍‍ଟା ଯାଇ ପାଗଳ ସତ୍ୟାନନ୍ଦ ପାଖରେ ପଡ଼ିଲା । ଚିତ୍କାର କରି ଉଠିଲା ପିଲାଟି, ଭୋ ଭୋ କରି ଆଗକୁ ମାଡ଼ିଗଲା କୁକୁରଟା ।

ପରଦା ଟାଣି ଘଟଣା ଲକ୍ଷ୍ୟ କରିନେଲେ ବଡ଼ ସାହେବ ।

ମେମ୍ ସାହେବ ଆଖିରେ ଆତଙ୍କ ଖେଳାଇ କହିଲେ ଇସ୍ କି ନାଷ୍ଟି ! ଛେପ ଖଙ୍କାର ପକାଉଛି ଲୋକଟା । ଆଉ ସେଇଠାରୁ ବଲଟା ପୁଣି ମୁହଁରେ ଧର ଆଣିବ ଟିପୁ !

ଟିପୁ ବଲ୍‍ଟାକୁ କାମୁଡ଼ିବା ଆଗରୁ ବଡ଼ ପାଟିରେ ଚିତ୍କାର କରି ଉଠିଲେ ବଡ଼ ସାହେବ–ଓଃ ନୋ, ନୋ । ଛୁଅଁନା, ଛୁଅଁନା ।

କୁକୁରଟା ଛିଡ଼ା ହୋଇ ଲାଞ୍ଜ ହଲାଇଲା । ତା’ ଆଖିରେ ବି ଏତେ ଘୃଣା ! ଇସ୍, ଆଉ ସହିପାରିଲା ନାହିଁ ସତ୍ୟାନନ୍ଦ । ବଲଟାକୁ ହାତରେ ଗୋଟାଇ ନେଇ ଫୋପାଡ଼ି ଦେଲା ଦୂରକୁ । ଆଉ ସଙ୍ଗେ ସଙ୍ଗେ ତା’ ପିଠି ଉପରେ ବନ୍ଧୁକ ମୁନରେ ଦୁଇଥର ଖେଞ୍ଚି ଦେଇ କହିଲା ରକ୍ଷକ—ବଦ୍ ତମିଜ ! ପଳା ପଳା ଏଠୁ ।

ଉଠି ବସି ନ ଥିଲେ ତା’ ଦେହରେ ବନ୍ଧୁକର ଆଉ ଥରେ ବା ଦୁଇଥର ଖେଞ୍ଚା ଖାଇଥାଆନ୍ତା ସତ୍ୟାନନ୍ଦ । ମୁହଁ ଉପରେ ବିସ୍ମୟ ପ୍ରକାଶ କରି ଝରକା ଫାଙ୍କରୁ ଝଲକି ଉଠୁଥିବା ଦୁଇଯୋଡ଼ା ଦୃଷ୍ଟି ରେ ପୁଞ୍ଜୀଭୂତ ଘୃଣା ଦେଖି ଉଚ୍ଚ ସ୍ଵରରେ କାନ୍ଦିଉଠିଲା ସେ ।

 

—ପଳା ଶଳା ବଦ୍ ତମିଜ !

 

ପାଟି କରି ଗୋଡ଼ାଉ ଥିଲା ରକ୍ଷକ ।

 

ଖଣ୍ଡେ ଦୂରରେ ଥିବା ଗୋଟିଏ ଶୁଖିଲାଗଛ ମୂଳରେ ବସି ସେଇ ଗଛ ଉପରେ ହାତ ବୁଲଇଲା ସେ ।

 

ପତ୍ର ନାହିଁ, ଫୁଲ ନାହିଁ, ଫଳ ବି ନାହିଁ ।

 

ଜୀବନ ନାହିଁ ।

 

ଜୀବନ ଥିଲେ । ପତ୍ର କଅଁଳେ, ଫୁଲ ଫୁଟେ, ଆଉ ଫଳ ବି ହୁଏ ।

 

ହୋ ହୋ କରି ହସିଉଠିଲା ସତ୍ୟାନନ୍ଦ ।

 

ମେଞ୍ଚାଏ ଛେପ ପକାଇ ଦେଲା ମୃତ ବନସ୍ପତି ଉପରେ । ତା’ ପରେ କ୍ଳାନ୍ତିରେ ଶୋଇପଡ଼ିଲା ଘଡ଼ିଏ । କିନ୍ତୁ ଗୋଟାଏ ରେଳଗାଡ଼ିର ତୁରୀ ଶୁଣି ଉଠିବସିଲା ପୁଣି । ଚାଲିଯାଉଥିବା ରେଳଗାଡ଼ିର ଇଞ୍ଜିନ୍‌କୁ ଦଣ୍ଡେ ଚାହିଁ ରହିଲା‌ ସତ୍ୟାନନ୍ଦ । ତା’ ପରେ ଗଛଟାକୁ କୁଣ୍ଢାଇ ପକାଇ କଇଁ କଇଁ ହୋଇ କାନ୍ଦିଲା । ସିଲଭର ଗିଲାସରେ ପାଖ ନଳରୁ ପାଣି ଆଣି ଗଛ ମୂଳରେ ଢାଳିଲା ଏବଂ ମନକୁ ମନ କହିଲା–ଅନା ଅନା—ମୋ ଆଡ଼କୁ ଅନା । ମୁଁ ତତେ ଭଲପାଏ ।

 

ଟିକିଏ ଦୂରରେ ଛିଡ଼ା ହୋଇ ତାକୁ ଲକ୍ଷ୍ୟ କରୁଥିବା ରକ୍ଷକଟା ବିଦ୍ରୂପ କରି ହସିଉଠି କହିଲା—ମଲାଗଛ ମୂଳରେ ପାଣି ଢାଳୁଛି, ପୁଣି କଥା କହୁଛି ତା ସହିତ ! ବଦ୍ ତମିଜ ! ହିଃ ହିଃ ହିଃ !

 

ସେଇ ହସର ଲହରୀ ସୁଡ଼ଙ୍ଗ ଭିତରର ଜମାଟବନ୍ଧା ଅନ୍ଧକାର ପରି ତା’ ଆଡ଼କୁ ମାଡ଼ିଆସିଲା । ଶ୍ରାନ୍ତ, କ୍ଳାନ୍ତ ପଥିକ ପରି ଆଉ ଛିଡ଼ା ହୋଇ ନପାରି ଗଛ ମୂଳରେ ଦୁମ୍ କରି ପଡ଼ିଗଲି ସତ୍ୟାନନ୍ଦ ।

 

ବଡ଼ ସାହେବଙ୍କ ଅର୍ଦ୍ଦଳି ଚାଲି ଯାଉଁ ଯାଉଁ କହିଲା ଆହା ! ବିଚରା !!

 

ବିଚରା ସତ୍ୟାନନ୍ଦ ଜାଣି ପାରେନାହିଁ କେତେବେଳେ ରାତି ହୁଏ, ପୁଣି କେତେବେଳେ ସକାଳ ଆସେ, ସୂର୍ଯ୍ୟର ରଶ୍ମିପରି ଅନ୍ଧକାରର ଘନୀଭୂତ କାଳିମା ତାକୁ ସ୍ପର୍ଶ କରେ ନାହିଁ । ସେ କେବଳ ବେଳେ ବେଳେ ଅବାକ୍ ହୋଇ ଲକ୍ଷ୍ୟହୀନ ଫାଙ୍କା ଦୃଷ୍ଟିରେ ଅନାଏ ।

 

ରାତି ଅଧରେ ହଠାତ୍ ଉଠିବସି ଆକାଶକୁ ଚାହିଁଲା ସେ ।

 

ଅଗଣିତ ଉଜ୍ଜ୍ୱଳ ନକ୍ଷତ୍ର ।

 

ଅନନ୍ତ ବାଙ୍ମୟ ନିସ୍ତବ୍‌ଧତା ।

 

ମନେ କଲା ସତ୍ୟାନନ୍ଦ ଆଡ଼କୁ ମୁହଁକର ଯେପରି ସହସ୍ର ସହସ୍ର ଲୋକ ଛିଡ଼ା ହୋଇଛନ୍ତି । ସମସ୍ତଙ୍କ ଦୃଷ୍ଟି ତାହାରି ଉପରେ ନିବଦ୍ଧ, ସମସ୍ତଙ୍କ ମୁହଁ ଉପରେ ତାହାରି ଉଦ୍ଦେଶ୍ୟରେ ଗୋଟିଏ ମାତ୍ର ପ୍ରଶ୍ନବାଚୀ ।

 

କଅଣ ତାକୁ ପଚାରିବେ ସେମାନେ ।

 

ସେ କଅଣ ଦୋଷ କରିଛି ।

 

ସେ କାହାର କିଛି ଚୋରି କରିନାହିଁ, ତଥାପି କାହିଁକି ସେମାନେ ଚାହିଁ ରହିଛନ୍ତି ତା’ହେଲେ ।

 

ସେମାନେ ତାକୁ ଚିହ୍ନନ୍ତି !

 

ସେମାନଙ୍କର ସେ ଆପଣାର !

 

ସେମାନଙ୍କ ଦୃଷ୍ଟିରେ ଆହ୍ଲାଦ ଅଛି କି ନାହିଁ ଜାଣିବା ପାଇଁ କଟମଟ କରି ଉପରକୁ ଅନାଇଲା ସତ୍ୟାନନ୍ଦ !

 

ମଧ୍ୟରାତ୍ରିର ଶିଶିର ବିନ୍ଦୁ ଧୀରେ ଧୀରେ ଖସି ଆସୁଥୁଲା ଧରିତ୍ରୀ ଉପରକୁ ।

 

ଦୁର୍ବାଦଳ ଅପେକ୍ଷା କରିଥିଲା ଟୋପାଏ ସ୍ନେହସିକ୍ତ ଅଶ୍ରୁ ପାଇଁ ।

 

କିଏ କାନ୍ଦୁଛି ?

 

ଷ୍ଟେସନ ଆର ପାଖରୁ କେଉଁ ଆର୍ତ୍ତର କରୁଣ ଚିତ୍କାର ଭାସି ଆସିଲା ପବନରେ ।

 

ଏଇ ଦେଶର ଶହ ଶହ ହତଭାଗ୍ୟ, ଅସହାୟ, ଉତ୍ପୀଡ଼ିତ ବ୍ୟକ୍ତି ଟିକିଏ ଆଶ୍ରୟ ପାଇଁ ଆସନ୍ତି ଷ୍ଟେସନକୁ—ଷ୍ଟେସନରେ ଶହ ଶହ ମଣିଷଙ୍କର ଯିବା ଆସିବା ହୁଏ ବୋଲି । ଯେତେହେଲେ ମଣିଷ ତ ! ଏକାପରି ଜୀବନ ! ଏକ ଉତ୍ସରୁ ଆଗମନ । କିନ୍ତୁ ସେମାନେ ଚିହ୍ନି ପାରନ୍ତିନାହିଁ । ମଣିଷ ମଣିଷକୁ ଚିହ୍ନିଁପାରେ ନା, ଦେଖି ପାରେନା । ଏହା ଉପଲବ୍‌ଧି କରୁଥିଲେ ସେଇ ଅସହାୟ, ଅବହେଳିତ, ନିର୍ଯ୍ୟାତିତ ବ୍ୟକ୍ତିମାନେ ଟିକିଏ ସହାୟତା, ନିମିଷକର ସମବେଦନା ପାଇଁ ଧାଇଁ ଆସନ୍ତେ ନାହିଁ ।

 

ତା’ହେଲେ ଏଇ ରୋଗିଣୀ ଆସିଥିଲା କାହିଁକି ?

 

ମହା ଅପରାଧ କରି ନଥିଲେ ମଣିଷ ହୋଇ ମଣିଷର ଅବଜ୍ଞା ପାଇବା ପାଇଁ କିଏ ଆସେ ଯେ… ।

 

ସେ ତା’ହେଲେ କି ଅପରାଧ କରିଛି ।

 

ମନକୁ ମନ ବାରମ୍ବାର ପଚାରିଲା ସତ୍ୟାନନ୍ଦ । ଉତ୍ତର କେହି ଦେଲେ ନାହିଁ । ରାଗ ହେଲା ନିଜ ଉପରେ । ଗୋଟି ଗୋଟି କରି ମଥାର ଗୁଡ଼ାଏ ବାଳ ଟାଣି ଟାଣି ଉପାଡ଼ିଦେଲା ସତ୍ୟାନନ୍ଦ ।

 

ତାରାମାନେ ତେବେ ବି ସେହିପରି ତା’ ଆଡ଼କୁ ଚାହିଁଥିଲେ ।

 

ଦୁବଘାସ ଉପରେ ଶିଶିର ବିନ୍ଦୁ ଠୁଳ ହେଉଥିଲେ ।

 

ଥଣ୍ଡା ଲାଗୁଥିଲା ।

 

କାହିଁକି ଥଣ୍ଡା ଲାଗେ ?

 

ସେଲୁନ ଭିତରେ ଏପରି ଥଣ୍ଡା ଲାଗୁଥିଲେ ବଡ଼ ସାହେବ ଶୋଇପାରନ୍ତେ ନାହିଁ ।

 

ଏତେ ପୋଷାକ ପିନ୍ଧିଲେ ଗରମ ଲାଗେନା ?

 

ଦେହର ପ୍ରତି ଲୋମ ମୂଳରେ ଏତେ ଲଜ୍ଜା ଅଛି କାହିଁକ ?

 

ଯଦି ଲଜ୍ଜା ନ ଥାଆନ୍ତା, ଦେହକୁ ଆବୃତ କରିବାର ଅଭିପ୍ରାୟ ବା ଅଭିଳାଷ ରହନ୍ତା ନାହିଁ ।

 

ଏଇ ତାରାମାନଙ୍କର ଲଜ୍ଜା ନାହିଁ ବୋଲି ବେହିଆ ପରି ସେମାନେ ତା’ ଆଡ଼କୁ ଚାହିଁ ରହିଛନ୍ତି । ସେମାନଙ୍କର ହୁଏତ ବହୁତ ପୋଶାକ ଥାଇପାରେ, ନହେଲେ ତାର ଖାଲି ଦେହକୁ ଏତେ ହସି ହସି ଅନାନ୍ତେ କାହିଁକି ।

 

ଆକାଶକୁ ଆଉ ଚାହିଁ ପାରିଲା ନାହିଁ ସତ୍ୟାନନ୍ଦ ।

 

ମୁହଁ ତଳକୁ କରି ଗୁମ୍ ମାରି ବସି ରହିଲା ଘଡ଼ିଏ ।

 

ଦୁବଘାସର ମଥା ଶିଶିର ବିନ୍ଦୁର ଭାରରେ ଅବନତ ହୋଇଗଲା ।

 

କଇଁ କଇଁ କରି କାନ୍ଧି ଉଠିଲା ସତ୍ୟାନନ୍ଦ ।

 

ପୁଲିସ କନେଷ୍ଟବଳ ଯାଇ ଭିକାରୁଣୀଟାକୁ ଭିଡ଼ୁଥିଲା ।

 

ଲାଜ ସରମ ନାହିଁ କିରେ ପୋଡ଼ା ମୁହାଁ....

 

ଲାଜ ସରମ ଥିଲେ ପ୍ଳାଟଫର୍ମ ଉପରେ ଶୋଇଥାଆନ୍ତା କେଉଁ ଦୁଃଖରେ । ଲାଜ ସରମ ନଥିଲେ ମଣିଷ ଏହିପରି ହୁଏ ନା ଲାଜ ସରମ ଥିଲେ ମଣିଷ ଏହିପରି ହୁଏ ।

 

ପୁଲିସର ଅଏସ କରିବା ପାଇଁ ମନ ହେଉଥିଲା ।

 

ଦୁଇଦିନ ହେଲା ଉପାସରେ ରହିଛି ଯେ ଥରୁଟିଏ ପଚାରିବା ପାଇଁ ବେଳ ପାଇଛୁ ?

 

ଆର୍ତ୍ତକଣ୍ଠରେ କହିଲା ଭିକାରୁଣୀ ।

 

ଦେହ ଭିତରେ ଅସୁର ଗୋଟାଏ ଆସିକି ଚିହିଁକି ଉଠିଲା ।

 

ପଥର ଖଣ୍ଡେ ଗୋଟେଇ ନେଇ ଫୋପାଡ଼ି ଦେଲା ସତ୍ୟାନନ୍ଦ !

 

ହାଃ ! ହାଃ ! ହାଃ !

 

ଉଃ ! ମରିଗଲି, ମା ଗୋ !

 

ଆରେ ! କିଏ ଅଳପାଇସା ଏୟା କଲୁରେ !

 

ରକ୍ଷକର ଦିନ ନଥିଲା । ବଡ଼ ସାହେବଙ୍କ ସୁଖନିଦ୍ରା ପାଇଁ ସେ ଅନାଇ ରହିଥିଲା ।

 

ଦଉଡ଼ି ଆସି ବନ୍ଧୁକ ଲାଛି ଦେଇଗଲା ସତ୍ୟାନନ୍ଦ ଉପରେ ।

 

ବେଦନାର କୌଣସି ଆଭାସ ନଦେଇ ପଡ଼ି ଯାଉଁ ଯାଉଁ ବିଜୁଳୀବତି ଖୁଣ୍ଟଟାକୁ ଧରି ପକାଇଲା ସେ ।

 

ପ୍ରାଣ ନାହିଁ ଅଥଚ ପ୍ରାଣୀକୁ ସହାୟତା ଦେଲି ବୋଲି ବିଜୁଳୀବତି ଖୁଣ୍ଟଟାକୁ କୁଣ୍ଢେଇ ପକାଇ ତା’ ଦିହରେ ମୁହଁ ଘଷିଲା ସତ୍ୟାନନ୍ଦ ।

 

ଏଇ ପୃଥିବୀ ଗୋଟେ ଦୁଇଟା ନା ଅନେକ ।

 

ଏଇ ରାଜଧାନୀ କଅଣ ଗୋଟିଏ ସହର ।

 

ଗୋଟିଏ ସହର ହୋଇଥିଲେ କୌଣସି ଗଳି କନ୍ଦିରେ ବା ଦୋକାନରେ କିମ୍ବା କେଉଁ ବଜାର ଛକ ଉପରେ ଜଣକର ଅନ୍ୟ ଜଣକ ସହିତ ଦେଖା ହୋଇଯାଆନ୍ତା । ସାକ୍ଷାତ କରିବା ପାଇଁ ଶ୍ରମ କରିବାକୁ ପଡ଼ନ୍ତା ନାହିଁ ।

 

କାହାରି ସହିତ ତାର ଦେଖା ହୁଏ ନାହିଁ ।

 

କେହି ତାକୁ ଦେଖି ପାରନ୍ତି ନାହିଁ ।

 

ତାର ବି କେବେ କେମିତି ମନହୁଏ ତାକୁ କହି ଦେଖନ୍ତା କି, ତା’ ପାଇଁ ପଥ ଚାହିଁ ବସି ରହନ୍ତା କି !

 

ନା, ନା, ନା ।

 

ପଥ ଚାହଁଲେ ପ୍ରୀତି ହୁଏ ।

 

ପ୍ରୀତି କଅଣ ?

 

ସେଇ ସୁଡ଼ଙ୍ଗର ଅନ୍ଧାର ନା ଆକାଶର ଆଲୋକ ପରି ।

 

ପ୍ରୀତି ଟିକିଏ ମିଳନ୍ତା କି !

 

କିଏ ଦବ ?

 

ଏଇ ପୃଥିବୀ ଯଦି ଗୋଟାଏ, ତା’ହେଲେ ତା’ ସହିତ ଅନ୍ୟମାନଙ୍କର ସାମଞ୍ଜସ୍ୟ ଥିବ ତା !

 

ଆଉ ସହର ?

 

ଗୋଟିଏ ନହୋଇ ଯଦି ଅନେକ ହୋଇଥାଏ ସମସ୍ତେ କଅଣ ସମସ୍ତଙ୍କୁ ଚିହ୍ନି ପାରିବେ-

 

ଏକ ରକ୍ତ, ମାଂସ, ମେଦ, ଅସ୍ଥିର ଦେହ ।

 

ପ୍ରାଣର ଗୋଟିଏ ପରିଚୟ ।

 

ତାହାହେଲେ ତାକୁ ନ ଚିହ୍ନବେ ନାହିଁକି ?

 

ସେ ମୃତ ବନସ୍ପତିକୁ ଚିହ୍ନିପାରିଲା । ତା’ର ସହାୟତା ପାଇ ନିଜ ଦେହରେ ବି ଉଷ୍ମା ଆସିଲା ।

 

ଆହ୍ଲାଦ ଟିକିଏ ପାଇଲେ ଆଲୋକ ଦେଖାଯାଏ ।

 

ବନ୍ଧୁକ ଢିଅରେ ଲାଛି ଦେଇ ଯାଇଥିଲା ରକ୍ଷକ ।

 

ରକ୍ତ ଝରୁଥିଲା ଗୋଟେ ଦୁଇଟା ସ୍ଥାନରୁ ।

 

ମଣିଷମାନଙ୍କୁ ପୀଡ଼ା ହୁଏ ରକ୍ତ ଝରିଲେ ।

 

ପ୍ରାଣୀମାନେ କଷ୍ଟ ପାଆନ୍ତି ରକ୍ତ ବୋହିଲେ ।

 

ତା’ର ପ୍ରାଣ ଅଛି କି ନାହିଁ । ସେ ମଣିଷ କି ନୁହେଁ । ତା’ର ପରିଚୟ କିଛି ଅଛି କି ନାହିଁ-

 

କିଛି ଠିକ୍ କରି ପାରିଲା ନାହିଁ ସତ୍ୟାନନ୍ଦ ।

 

ସେ କେବଳ ଯନ୍ତ୍ରଣାକାତର ଦୃଷ୍ଟି ଦେଇ ନିଜ ଦେହରୁ ଝରି ପଢ଼ୁଥୁବା ଶୋଣିତ ଧାରକୁ ସ୍ତବ୍‌ଧ ହୋଇ ଲକ୍ଷ୍ୟ କଲା ।

 

ଜାନୁଆରୀ ପହିଲାର ନୂତନ ପୋଷାକ ପିନ୍ଧି ପାହାନ୍ତା ଗାଡ଼ିରୁ ଓହ୍ଲାଇଲା ଜଣେ ।

 

ଅନ୍ୟ ଯାତ୍ରୀମାନେ ଚାଲିଗଲେ । ବ୍ୟସ୍ତ ଥିଲେ ସେମାନେ ।

 

ଅନ୍ଧଟାଏ ପ୍ଳାଟଫର୍ମ ସିଡ଼ିର ସୁବିଧା ସ୍ଥାନଟିଏ ଦେଖି ପଇସା ମାଗୁଥୁଲା ।

 

ଅନ୍ଧ ବାବା ! ଦୟା କଲେ ଜଗନ୍ନାଥେ ତୁମକୁ ଦୟା କରିବେ ।

 

ଆଉ ୟାକୁ ଦୟା ନକଲେ ଜଗନ୍ନାଥେ ରାଗିଯିବେ ।

 

କିଏ ସେଇ ଜଗନ୍ନାଥେ, ତାଙ୍କୁ ଥରେ ଦେଖିବା ପାଇଁ ମନ ହେଲା ସତ୍ୟାନନ୍ଦର ।

 

ନା । ସେ ଯଦି ସମସ୍ତଙ୍କୁ ଦୟା ନ କରନ୍ତି ତାଙ୍କୁ ଦେଖି ଲାଭ କଅଣ !

 

ଦୟା କି ?

 

ନିଷ୍ଠୁରତା କି ପ୍ରକାର ?

 

ସେଇ ସୁଡ଼ଙ୍ଗର ରାଶି ରାଶି ଅନ୍ଧକାର ପରି ନା ଆକାଶର ଆଲୋକ ପରି ?

 

ତାକୁ କେହି ଭଲପାଆନ୍ତି ନା ଘୃଣା କରନ୍ତି ।

 

ଭଲପାଇବା କିପରି ? ଘୃଣା କାହାକୁ କୁହାଯାଏ ।

 

ତା’ ଦେହରେ ଜୀବନ ଅଛି କି ନାହିଁ ପରଖିବା ପାଇଁ ଯୋର କରି ଚିମୁଟିଦେଲା ସତ୍ୟାନନ୍ଦ । ଆଉ ନିଜେ ଯନ୍ତ୍ରଣାରେ ଚିତ୍କାର କରି ଉଠିଲା ।

 

ଯନ୍ତ୍ରଣା କେଉଁଠୁ ଆସିଲା,

 

ମଣିଷ କାହିଁକ ମଣିଷକୁ ଘୃଣା କରେ ।

 

ତାକୁ ସମସ୍ତେ ଘୃଣା କରନ୍ତି ।

 

ସେ ତେବେ ବଂଚିବ କାହିଁକ ?

 

ହଠାତ୍ ଭଙ୍ଗା ଟୋକେଇ, ସିଲଭର ଗିଲାସ ଆଉ ହାତ ମୁଠା ଭିତରେ ଥିବା ଭଙ୍ଗା ଖପରାଟିକୁ ଫିଙ୍ଗିଦେଇ ରେଳଲାଇନ ଉପରକୁ କୁଦି ପଡ଼ିଲା ସତ୍ୟାନନ୍ଦ ।

 

ଷ୍ଟେସନକୁ ପହଂଚିଥିଲା ବୋଲି ଗାଡ଼ିର ଗତି ଅତି ମନ୍ଥର ଥିଲା I ତଥାପି ତାକୁ ଉଠାଇ ଆଣିବା ଆଗରୁ ତା ପାଦର ପାଞ୍ଚଟି ଆଙ୍ଗୁଳିରୁ ଚାରୋଟି କଟି ଯାଇଥିଲା ।

 

ପ୍ଳାଟଫର୍ମ ଉପରେ ତାକୁ ଶୁଆଇ ଦେଇ କହିଲା ପୁଲିସ କନେଷ୍ଟବଳ—ବଦ୍‍ତମିଜ ! ମରିବାକୁ ଏତେ ଇଚ୍ଛା ହଉଚି ତ ବୁଡ଼ି ମରୁନୁ !

 

ଭଲ ଭାବରେ ଶୁଭି ନଥିଲା ତାକୁ । ବହୁ ଦୂରରୁ ଯେପରି ତାକୁ କହୁଛି କିଏ । ଆଖି ବନ୍ଦ ଥିଲା, ଚାରିପାଖରେ ରାଶି ରାଶି ଅନ୍ଧକାର, ଆଉ ସେଇ ସୁଡ଼ଙ୍ଗର ଘନୀଭୂତ କାଳିମା କେବଳ ଦେଖୁଥିଲା ସତ୍ୟାନନ୍ଦ !

 

ତା ଦେହ ଉପରେ କିଏ ଛୁଇଁଦେଲା, ଯେପରି !

 

ଏ ଛୁଆଁ ସେ ଛୁଆଁ ନୁହେଁ ।

 

ବନ୍ଧୁକର ଲାଛି ପରି ଏହା ବେଦନା ଦିଏନାହିଁ ।

 

ଗୋଟିଏ ଅନନୁଭୂତ ବିଦଗ୍‌ଧ ଅନୁଭୂତି ତା’ ସର୍ବାଙ୍ଗରେ ଶିହରଣ ଖେଳାଇଦେଲ ।

 

ଶିହରଣର ବି ରଂଗ ଅଛି ।

 

ଆକାଶର ଆଲୋକ ଆଉ ଆନନ୍ଦର ବି ରଂଗ ଅଛି ।

 

ସ୍ନେହ ଓ ପ୍ରୀତିର ?

 

ସେମାନଙ୍କର ରଂଗ କିପରି ?

 

ଆଖି ଖୋଲି ଧୀରେ ଧୀରେ ଚାହିଁଲା ପାଗଳା ସତ୍ୟାନନ୍ଦ ।

 

ସେ ମୁହଁ ଉପରେ ଖେଳାଇ, ଆଖିର ଦୃଷ୍ଟିରେ ସହାୟତାର ଭରସା ଦେଇ ତା’ର କୁଢ଼ କୁଢ଼ ବେଦନାରୁ, କଣିକାଏ ନବା ପାଇଁ ହାତ ବଢ଼ାଇଲା ।

 

ସ୍ରୋତସ୍ୱନୀର ସେବାର ଆବେଗ ଥିଲା ସେଥିରେ ।

 

ପ୍ରତ୍ୟୁଷର ପ୍ରଥମ ଆଲୋକ ପରି ତାହା ଥିଲା ବରଣୀୟ ।

 

ଆକାଶର ଆଲୋକ ପରି ତାକୁ ଆକର୍ଷଣ କରୁଥିଲା ସେଇ ଦୃଷ୍ଟି ।

 

ଆନନ୍ଦର ବ୍ୟାପ୍ତି ପରି ତାହା ଥିଲା ଅସୀମ ।

 

ପରମ ପୁଲକରେ ଅବାକ୍ ହୋଇ ପୃଥିବୀରେ ପ୍ରୀତିର ପ୍ରଥମ ସ୍ପର୍ଶ ଅନୁଭବ କରୁଥିଲା ସତ୍ୟାନନ୍ଦ ।

 

ସେ କହିଲା—ଉଠ ! ରାତି ପାହି ଆସିଲାଣି ।

 

ପାଗଳ ସତ୍ୟାନନ୍ଦ କୋହ ସମ୍ଭାଳି ନପାରି ଭାଙ୍ଗି ପଡ଼ିଲା କ୍ରନ୍ଦନର ଉଚ୍ଛ୍ୱାସରେ । ତାର ଲୁହଝରା ଆଖିରେ ସେ ଦେଖୁଥିଲା ଗୋଟିଏ ସୁନ୍ଦର ମୁହଁର ବେଦନାଦଗଧ ଚେନାଏ ହସ ।

 

ହସ ହିଁ ଜୀବନର ପ୍ରତୀକ ।

 

ସେ ତା’ ହେଲେ ଆଉ ମରିବ କାହିଁକି ।

 

କାନ୍ଦିବା ମୁହଁ ଉପରେ ହସର ସରୁ ରେଖାଟିଏ ଝରି ଆସିଲା ଧୀରେ ଧୀରେ ପ୍ରଥମ ସୂର୍ଯ୍ୟର ଆଲୋକ ପରି ।

 

ବିକୃତିର ହସ ।

 

ସୀମାହୀନ ସମୁଦ୍ର ରଙ୍ଗ ପ୍ରତିଦିନ ଏକାପରି ରହେ ନାହିଁ ।

 

ସମୁଦ୍ରର ରଙ୍ଗ ବି ବଦଳେ ।

 

ମଣିଷର ମନ ବି ବଦଳେ ।

 

ବଦଳି ଯାଏ ସମାଜ, ସ୍ଥିତି ଏବଂ ପୃଥିବୀ ।

 

ନୂତନ ସବୁବେଳେ ସ୍ଵାଗତଯୋଗ୍ୟ । ଭଲ କି ମନ୍ଦ ବିଚାର ନ କରି ନୂତନକୁ ଗ୍ରହଣ କରେ ପୃଥିବୀ । ପୁରାତନ ଜୀର୍ଣ୍ଣ ମଳିନ ହୋଇଯାଏ, ନୂତନ ପାଖରେ ଆତ୍ମସମର୍ପଣ କରେ ।

 

ନୂତନ ପାଖରେ ପୁରାତନର ଆତ୍ମସମର୍ପଣ ଦେଖି ଅବାକ୍ ହୋଇଗଲା ଧରିତ୍ରୀ ।

 

କେହି ବିଚାର କଲେ ନାହିଁ, ଭଲ ବା ମନ୍ଦ ବୁଝିବା ପାଇଁ ଚେଷ୍ଟା ବି କଲେ ନାହିଁ । ନୂତନ ନୂଆ ଶିହରଣ ନେଇ ଆସିଲା ବୋଲି ତାକୁ ସ୍ଵାଗତ କଲେ ସମସ୍ତେ ।

 

ଚିରନ୍ତନ ବିଶ୍ୱାସ ଭାଙ୍ଗିଗଲା ।

 

ପୁରାତନ ମୂଲ୍ୟବୋଧ ଅଟଳ ଅଚଳ ହୋଇ ଆଉ ରହିଲା ନାହିଁ ।

 

ସେହି ନୂତନ ଆଗରେ କିନ୍ତୁ ସହଜରେ ଆତ୍ମସମର୍ପଣ ନକରି ତାହା ବିରୁଦ୍ଧରେ ସଂଗ୍ରାମ କରିଯିବା ପାଇଁ ସେ ସିଦ୍ଧାନ୍ତ କଲା ।

 

ଶ୍ଳୀଳ କେବେ ଅଶ୍ଳୀଳ ହୁଏ ନାହଁ ।

 

ଅଶାଳୀନତା ଶାଳୀନତାକୁ ଧାରଣ କରେ ନାହିଁ ।

 

ଛିଣ୍ଡା ବ୍ଲାଉଜଟିକୁ ଗୋଟାଇ ନେଇ ପୁଣି ଲଜ୍ଜା ଲୁଚାଇବା ପାଇଁ ଚେଷ୍ଟାକଲା ଧରିତ୍ରୀ ।

 

ଛାତ୍ରୀ-ନିବାସର ନୂତନ ଅନ୍ତେବାସୀ ସେ ।

 

ପ୍ରଥମ ଦିନ ଏଭଳି ଏକ ଅନୁଭୂତି ହେବ ବୋଲି ସେ ସ୍ଵପ୍ନରେ ସୁଦ୍ଧା ଭାବି ନଥିଲା । ସେ ଛାତ୍ରୀନିବାସ ଭିତରକୁ ପ୍ରବେଶ କଲାବେଳେ କେହି ତାକୁ ଆନ୍ତରିକତା ଦେଇ ଅଭିନନ୍ଦନ କରି ନଥିଲେ । ବରଂ ଜଣେ ଦୁଇଜଣ ତାକୁ ଦେଖି ଚାପା ହସର ଜଟିଳତା ମଧ୍ୟରେ ଏକ ଅନାବୃତ ଅଶ୍ଳୀଳତାର ସୂଚନା ଦେଇଥିଲେ ।

 

ସନ୍ଧ୍ୟା ହେବାପୂର୍ବରୁ ସେ ପ୍ରତିଦିନ ସ୍ନାନ କରେ । ସ୍ନାନ ଘରୁ ଆସି ପ୍ରସାଧନ ଶେଷ କରି ଧୂପବତୀ ଜାଳି ଦୁଇ ମିନିଟ ନତମସ୍ତକ ହେଲା ଧରିତ୍ରୀ । ମାଆର ଉପସ୍ଥିତ ଅନୁଭବ କଲା ପ୍ରତ୍ୟେକ ଅଙ୍ଗରେ ।

 

ପଛରେ କିଏ ତାହାର ଉଚ୍ଚ ଗଭାକୁ ଲକ୍ଷ୍ୟ କରି କହିଲା—କେତେବଡ଼ ଫଲ୍‌ସ ଲଗାଇଛି ଦେଖିଲୁ ।

 

କେହି ଦେଖିବାକୁ ଅପେକ୍ଷା କଲେ ନାହିଁ ।

 

ଆଉ ଜଣେ ଜୋର କରି ତାର ଯୁଡ଼ାଟା ଖୋଲି ଦେଇ ହସି ଉଠିଲା ।

 

କିନ୍ତୁ ଫଲ୍‌ସ ପଡ଼ିଗଲା ନାହିଁ ।

 

ଏକା ସାଙ୍ଗରେ ସାଇତା ହୋଇଥିବା କୃଷ୍ଣବେଣୀ ଲମ୍ବିଗଲା କେବଳ ।

 

ଫଲ୍‌ସ ଏବଂ ରିଆଲିଟିର ତୁଳନା ହୁଏ ନାହିଁ ।

 

କେତକୀ ଧରିତ୍ରୀର ମୁହଁକୁ ସମସ୍ତଙ୍କ ଆଡ଼କୁ ବୁଲାଇ ଦେଇ କହିଲା—ନାମଟିତ ଧରିତ୍ରୀ । କିନ୍ତୁ କେତେ ଜଣକୁ ଆଜିଯାଏ ଧରି ସାରିଲୁଣି ଶୁଣେ…

 

ଅନ୍ୟମାନେ ପ୍ରବଳ ବେଗରେ ହସିଉଠିଲେ ।

 

ଧରିତ୍ରୀ ହତବାକ୍ ହୋଇଗଲା ଏହି ଅପରିଚିତ ଅନ୍ତେବାସିନୀମାନଙ୍କର ଧୃଷ୍ଟତା ଦେଖି-

 

ତାକୁ ନୀରବ ରହିବାର ଦେଖି ତା’ର ଚିବୁକ ଉପରେ ଯୋରରେ ଆଘାତ ଦେଇକହିଲା କେତକୀ, ଭଲ ଲାଗିଲା ?

 

ଧରିତ୍ରୀ ଆଉ ସହ୍ୟ କରି ପାରିଲା ନାହଁ । ସେ କେତକୀକୁ ଠେଲି ଦେଇ କହିଲା—ଏତେ ଅଶ୍ଳୀଳତା ଭଲ ଲାଗେନି ମୋତେ ।

 

ଆଚ୍ଛା ! ଶ୍ଳୀଳତା ଶିଖାଉଛୁ ଆମକୁ....

 

କହି କହି କେତକୀ ବାଘୁଣୀ ପରି ତାକୁ ଖଟ ଉପରେ ଲୋଟାଇ ଦେଇ ବାରମ୍ବାର ଆଘାତ କଲା । ଲିପି ତା’ର ବ୍ଲାଉଜ ଏକା ଝଟକାରେ ଛିଣ୍ଡାଇ ଟାଣି ବାହାର କରି ଫିଙ୍ଗିଦେଲା ଭୂମି ଉପରେ ।

 

ଲଜ୍ଜା, ଘୃଣା ଏବଂ ବେଦନାରେ ଅଜ୍ଞାନ ହୋଇଗଲା ଧରିତ୍ରୀ ।

 

କିନ୍ତୁ ଅଳ୍ପକ୍ଷଣ ପାଇଁ । ପରେ ପରେ ଉଠି ବସି ପ୍ରବଳ ବେଗରେ ପ୍ରତିରୋଧ କଲା ସେ-। କେତକୀକୁ ଯୋର କରି ଫିଙ୍ଗି ଦେଇ ଲିପିକୁ ଠେଲି ଦେଲାବେଳେ ଆଉ ଜଣେ ଗୋଟିଏ ସ୍କେଲ ପଟାରେ ଯୋର କରି ପିଟି ଦେଇଗଲା ତାକୁ ।

 

ଯନ୍ତ୍ରଣାରେ ବ୍ୟାକୁଳ ହୋଇଉଠିଲା ଧରିତ୍ରୀ ।

 

ସେମାନେ ସମସ୍ତେ ମିଶି ତାକୁ ବିବସ୍ତ୍ର କରିବା ପାଇଁ ଚେଷ୍ଟା କଲେ ।

 

ଛାଟିପିଟି ହୋଇ ନିଜର ଲଜ୍ଜାକୁ ସେମାନଙ୍କ ପାଖରୁ ଲୁଚାଇ ରଖିବା ପାଇଁ ଚେଷ୍ଟା କରି ହାରିଯାଉଥିଲା ବେଳେ ପୁରାଣର ଶରଣଦ ଶ୍ରୀକୃଷ୍ଣ ଦ୍ରୌପଦୀଙ୍କୁ ଶତବସ୍ତ୍ର ଯୋଗାଇ ଦେଲା ପରି ହଠାତ୍ କୋଠରୀ ସମ୍ମୁଖରେ ଦେଖାଦେଲେ ଅଧ୍ୟକ୍ଷା ।

 

ମୁହୂର୍ତ୍ତକ ମଧ୍ୟରେ କକ୍ଷଚ୍ୟୁତ ଗ୍ରହ ପରି ଅନ୍ତର୍ଦ୍ଧାନ ହୋଇଗଲେ ସମସ୍ତେ ।

 

ଅଧ୍ୟକ୍ଷା ଭିତରକୁ ଆସି ପଚାରିଲେ । କଅଣ ହଉଥିଲା ?

 

ସେ କିଛି କହିପାରିଲା ନାହିଁ । କିନ୍ତୁ ତା’ ଆଖିକୋଣରେ ଟଳମଳ ହେଉଥିବା ଦୁଇ ବିନ୍ଦୁ ଲୁହ ଦେଖି ତାକୁ ସାହସ ଦେଇ କହିଲେ ସେ–ଟିକିଏ ସହିଯାଅ । ଦୁଇଚାରି ଦିନ ପରେ ସବୁ ଶାନ୍ତ ହୋଇଯିବ ।

 

ଅନ୍ୟାୟକୁ ମୁଁ କେବେ ସହିନାହିଁ ମ୍ୟାଡ଼ାମ । ନମ୍ର ଅଥଚ ଦୃଢ଼ ସ୍ଵରରେ କହିଲା ଧରିତ୍ରୀ-

 

ତାକୁ ପାଖକୁ ଟାଣିନେଇ କହିଲେ ଅଧ୍ୟକ୍ଷା—ଦେଖି ମୁହଁଟା ଇସ୍ ! ଲାଲ ପଡ଼ିଯାଇଛି ଠାଏ ଠାଏ ।

 

ଗୋଟିଏ ଅବ୍ୟକ୍ତ କୋହର ତାଡ଼ନାରେ ଥରି ଉଠୁଥିଲା ଧରିତ୍ରୀ ।

 

ସେ ଯଥା ସମ୍ଭବ ନିଜକୁ ସଂଯତ କରି ନିବେଦନ କଲା—ଏତେ ଅଶୋଭନୀୟ, ଅଭଦ୍ର ହୋଇପାରନ୍ତି ଏମାନେ ?

 

କୌଣସି ଉତ୍ତର ନ ଦେଇ ତା’ପିଠି ଉପରେ ହାତ ବୁଲାଇ କହିଲେ ଅଧ୍ୟକ୍ଷା…ଯାଇ ମୁହଁ ହାତ ଧୋଇ ଆସି ଟିକିଏ ଆରାମ କର । ମୁଁ ପରେ ପୁଣି ଆସିବି.....

 

ସେ ଚାଲିଗଲା ପରେ ମୁହଁ ହାତ ଧୋଇ ଲୁଗା ବଦଳାଇ ଖଟ ଉପରେ ବସିଲା ଧରିତ୍ରୀ-

 

ନୂତନ ଯୁଗର ନୂତନ ଜୀବନକୁ ସେ ସ୍ଵାଗତ କରିଥିଲା । କିନ୍ତୁ ନୂତନ ଯୁଗର ନୂତନତା ନାମରେ ନଗ୍ନବାଦକୁ ସେ ଅନ୍ତରର ସହିତ ଘୃଣା କଲା ।

 

ନଗ୍ନବାଦ ସମ୍ବଳହୀନର ନୁହେଁ, ସମ୍ବଳ ଅଧିକାରୀମାନଙ୍କ ଫେସନ । ଯେଉଁମାନଙ୍କର ଅଛି, ସେମାନେ ଅନ୍ୟକୁ ଶୃଙ୍ଖଳିତ କରି ନିଜେ ବିଶୃଙ୍ଖଳ ହେବାପାଇଁ ଭଲ ପାଆନ୍ତି । ଥିଲାଲୋକଙ୍କର ବିଶୃଙ୍ଖଳାହିଁ ଯେପରି ସମସ୍ତଙ୍କର ଆଦର୍ଶ ଏବଂ ଅନୁକରଣୀୟ ।

 

ରାଗିଙ୍ଗ୍ ସମ୍ପଦଶାଳୀର ଫେସନ । ସେ ଅଶ୍ଳୀଳ ହୁଏ । ଅଶୋଭନ ଓ ବିଶୃଙ୍ଖଳାକୁ ପ୍ରଶ୍ରୟ ଦେଇ ଆଭିଜାତ୍ୟର ଆଡ଼ମ୍ବର ଦେଖାଏ ।

 

ଧରିତ୍ରୀ ଭାବିଲା—କାହିଁକି ଏଇ ମାଟିର ମନ୍ତ୍ର ଶିଖିଲେ ନାହିଁ ଏ ଦେଶର ତରୁଣମାନେ-। ଆମର ସଂସ୍କୃତିରେ ନୂତନକୁ ସ୍ଵାଗତ କରିବାର କି ଚମତ୍କାର ବୈଶିଷ୍ଟ୍ୟ ରହିଛି । ଘରକୁ ନବବଧୂ ଆସିଲେ ତାକୁ ଯେପରି ବରଣ କରିନେଇ ଆପଣାର କରିବାପାଇଁ ପ୍ରଯତ୍ନ କରାଯାଏ, ସେହିପରି ଛାତ୍ରାବାସକୁ ନୂତନ କେହି ଆସିଲେ ଆତ୍ମୀୟ ଓ ଅନ୍ତରଙ୍ଗମାନଙ୍କୁ ଛାଡ଼ି ଆସିବାର ବେଦନାକୁ ପୋଛିଦେଇ ସଂଗ, ସହଯୋଗ ଓ ସ୍ନେହ ଦବାପାଇଁ ଆଗେଇ ଆସୁଥିଲେ ଗୁରୁକୁଳର ପୁରାତନ ଛାତ୍ରଛାତ୍ରୀମାନେ । ପ୍ରତିଯୋଗିତା ଲାଗୁଥିଲା କିଏ ନୂତନକୁ ଖୁସି କରାଇ ପାରିବ ।

 

ଆଜି ଆଉ ତାହା ନାହିଁ । ଯେଉଁମାନେ ପ୍ରାଚୁର୍ଯ୍ୟ ମଧ୍ୟରେ କେବଳ ଯୌନ ଓ ନଗ୍ନ ଚେତନାକୁ ପ୍ରଶ୍ରୟ ଓ ପ୍ରାଧାନ୍ୟ ଦେଇଛନ୍ତି, ସେହିମାନଙ୍କଠାରୁ ଧାରକରା ସଂସ୍କୃତି, ପରମ୍ପରା ଓ ଚଳଣି ଆମେ ଶିଖିବା ପାଇଁ ଖୁବ୍ ପ୍ରଯତ୍ନ କରୁଛୁ ।

 

ଧରିତ୍ରୀ ସ୍ଥିରକଲା—ସେ ସବୁ ବାଧାବିଘ୍ନ ସତ୍ତ୍ୱେ ଏହାର ପ୍ରତିରୋଧ କରିବ, ପ୍ରତିବାଦ କରିବ ।

 

ନଖ ଓ ଦନ୍ତ କ୍ଷତଯୋଗୁ ଦେହ ମୁହଁ ଠାଏ ଠାଏ ଜଳୁଥିଲା । ବାହାରର ଜ୍ୱାଳା ଅପେକ୍ଷା ସେ ଯନ୍ତ୍ରଣା ଅନୁଭବ କରୁଥିଲା ଅନ୍ତର ଭିତରେ ।

 

ରାତି ଗଭୀର ହେବା ସଙ୍ଗେ ସଙ୍ଗେ ଏକ ନିବିଡ଼ ନିସ୍ତବ୍‌ଧତା ଆଚ୍ଛନ୍ନ କଲା ପୃଥିବୀକୁ ।

 

ନଗ୍ନବାଦୀମାନଙ୍କ ଦେହରେ ସଂଚରିତ ମାଦକତା ଅଥୟ କଲା ସେମାନଙ୍କୁ ।

 

କେତକୀ ସ୍ଥିର ହୋଇ ବସି ନପାରି ଧରିତ୍ରୀର କୋଠରୀ ଆଗରେ ଆଉ ଚାରି ପାଞ୍ଚଜଣଙ୍କ ସହ ଉଭା ହେଲା ପୁଣି ।

 

ଭିତରୁ ଦରଜା ବନ୍ଦ ଥିଲା ।

 

ବାହାରୁ ଛଳନା କରି କହିଲା ଜଣେ—ଦରଜା ଖୋଲ । ଚମକି ପଡ଼ିଲା ଧରିତ୍ରୀ ।

 

—ମୁଁ ତୁମ ପରି ନୂତନ…ଦରଜା ଖୋଲ ।

 

ମଣିଷକୁ ଏ ଯାଏ ବିଶ୍ୱାସ କରିଆସିଥିଲା ସେ ।

 

ଅବିଶ୍ଵାସର ବିଷ ଥିଲେ ସେ ସୁଖୀ ହୋଇପାରନ୍ତା ନାହିଁ, ମଣିଷକୁ ଭଲ ପାଇପାରନ୍ତା ନାହିଁ, ଜୀବନର ଜୟଗାନ କରନ୍ତା ନାହଁ !

 

ଅବିଶ୍ୱାସ କିନ୍ତୁ ବିଷପର ବିଶ୍ୱାସଘାତକ ।

 

ଦରଜା ଖୋଲିଦବା ପରେ, ଆଗପଛ ହୋଇ ପୁଣି ସେଇ ପାଞ୍ଚଜଣ କୋଠରୀ ଭିତରକୁ ପଶିଆସି ବନ୍ଦ କରିଦେଲେ ଦରଜା ଭିତରୁ ।

 

ଧରିତ୍ରୀ ନିଜକୁ ପ୍ରସ୍ତୁତ କରୁଥିଲା ପ୍ରତିରୋଧ କରିବାପାଇଁ ।

 

ମୁହଁଟି ବେଶ ସୁନ୍ଦର ଦିଶୁଛି ତ କହିଲା ଜଣେ ।

 

—ଚଟୁଳ ହୋଇଛି ସତେ ।

 

ଆଉ ଜଣେ ମନ୍ତବ୍ୟ କଲା ।

 

—ଚୁପ୍ କର । ଧରିତ୍ରୀ ଦୃଢ଼ତାର ସହିତ ପ୍ରତିବାଦ କଲା ।

 

ତା’ର ଓଠରେ ହାତ ଛୁଆଁଇ କହିଲା କେତକୀ ପ୍ରେମ କଅଣ ?

 

ଧରିତ୍ରୀ କିଛି ଉତ୍ତର ଦେଲାନାହିଁ ।

 

ତାକୁ ଟିକେ ନିଜ ଆଡ଼କୁ ଆଉଜାଇ ଆଣି କହିଲା କେତକୀ—ଲାଜ ଲାଗୁଛି ?

 

—ମୋ କଥା ମୁ ବୁଝିବି । ତୀକ୍ଷ୍‍ଣ ହୋଇ କହିଲା ଧରିତ୍ରୀ ।

 

—ତୋ କଥା ତୁ ବୁଝିବୁ ଯେ, ଆମ କଥା ବି ବୁଝିବା ଦରକାର ।

 

ଅନ୍ୟ ଜଣେ ଖତେଇ ହୋଇକହିଲା—

 

—କହ ପ୍ରେମ କଅଣ ?

 

ପୁନର୍ବାର ପଚାରିଲା କେତକୀ ।

 

—ଭଲପାଇବା ।

 

ଅନନ୍ୟୋପାୟ ହୋଇ କହିଲା ଧରିତ୍ରୀ ।

 

—ତୁ କାହାକୁ ଭଲ ପାଉ ?

 

ପଚାରିଲା କେତକୀ ।

 

—ଆଉ, କେତେଜଣଙ୍କୁ ଭଲ ପାଉ ?

 

ପଚାରି ଦେଇ ଖିଲି ଖିଲି କରି ହସିଉଠିଲା ଆଉ ଜଣେ ।

 

ମୁଁ ମାଆକୁ ଭଲପାଏ । ନମ୍ର ହୋଇ କହିଲା ଧରିତ୍ରୀ ।

 

—ବାଜେ କଥା । ସେ ଭଲ ପାଇବା କଥା ତୋ’ଠାରୁ କେହି ଶୁଣିବାପାଇଁ ଆସିନାହିଁ । କହିଲା ଜଣେ ।

 

ଅନ୍ୟ ଭଲ ପାଇବା କଥା ମୁଁ ଜାଣେ ନାହିଁ । ନିର୍ଭୀକ ଭାବରେ ଜବାବ ଦେଲା ଧରିତ୍ରୀ ।

 

—ନିଶ୍ଚୟ ଜାଣୁ । ଗର୍ଜିଉଠିଲା କେତକୀ ।

 

ନୀରବ ହୋଇଗଲା ଧରିତ୍ରୀ ।

 

ମୌନ, ସମ୍ମତିର ଲକ୍ଷଣ । ଟିପ୍‌ପଣୀ କାଟିଲା ଆଉଜଣେ ।

 

—ମୌନ ରହିଲେ ଚଳିବ ନାହିଁ । କହ କେତେ ଜଣକୁ ଭଲପାଉ ?

 

ନିଜକଥା ଅନ୍ୟ ତୁଣ୍ଡରୁ ଶୁଣିବା ପାଇଁ ଆଶା କରିବା ଅନ୍ୟାୟ । ଅଧୀର ହୋଇ କହିଲା ଧରିତ୍ରୀ ।

 

ତାକୁ ଯୋରକରି ଆଲିଙ୍ଗନ କରି କହିଲା କେତକୀ-ନୂଆ ମୁହଁରେ ପୁରୁଣା କଥା ।

 

ଆଉ ସମ୍ଭାଳି ନପାରି ଘୁଞ୍ଚି ଯିବାପାଇଁ ଉଦ୍ୟମ କଲା ଧରିତ୍ରୀ ।

 

ଚାରିଜଣ ତାକୁ ଟେକି ନେଇ ଶୁଆଇ ଦେଲେ ଖଟ ଉପରେ ।

 

ଜଣେ କହିଲା—ଦେଖୁଛୁ କଅଣ ନିୟତି ଖୋଲିଦେ—

 

ନଗ୍ନବାଦର ସ୍ତାବକିନୀମାନେ ଆପ୍ରାଣ ଉଦ୍ୟମ କଲେ ଧରିତ୍ରୀକୁ ବିବସନା କରିବାପାଇଁ-

 

ଏ ଯୁଗ ସମସ୍ତ ଲଜ୍ଜା ପରିତ୍ୟାଗ କରି ବିବସନା ହୋଇଯାଇଛି । ସବୁ ଲଜ୍ଜା, ଶାଳୀନତା, ଶ୍ରୀ ଆତ୍ମଗୋପନ କରି ତ୍ରାହି ତ୍ରାହି ଡାକ ଦଉଛନ୍ତି । ଛାତ୍ରୀନିବାସର ଗୋଟିଏ କ୍ଷୁଦ୍ର ପ୍ରକୋଷ୍ଠ ମଧ୍ୟରେ ଲଜ୍ଜାକୁ ଲୁଚାଇ ରଖିବା ପାଇଁ ଶେଷ ପ୍ରଚେଷ୍ଟା କଲା ଧରିତ୍ରୀ ।

 

ଆଘାତ ପାଇ ତଳେ ପଡ଼ିଗଲା କେଗକୀ । ତା’ପରେ ହିଂସ୍ର ବାଘୁଣୀ ପରି ତାତିଲା ରକ୍ତଲୋଭରେ କୁଦିପଡ଼ିଲା ଧରିତ୍ରୀ ଉପରକୁ ।

 

ବିଜୁଳି ଆଲୁଅ ଲିଭିଗଲା ହଠାତ୍ ।

 

ରକ୍ଷା ପାଇଗଲା ଧରିତ୍ରୀ, ନହେଲେ ଆଲୋକରେ ସେ ଦିଗମ୍ବରୀ ହୋଇ ଦେଖିପାରି ନଥାନ୍ତା ନିଜକୁ ।

 

—ଆଲୁଅ ଜାଳିଦେ ନିୟତି ।

 

କହିଲା କେତକୀ ।

 

ସୁଇଚଟାକୁ ଏପାଖ ସେପାଖ କଲେ ମଧ୍ୟ କୌଣସି ଆଲୁଅ ଜଳିଲା ନାହିଁ ।

 

ପରିବ୍ୟାପ୍ତ ଅନ୍ଧକାର ଭିତରେ ସରୀସୃପର ଆଖି ଜଳି ଉଠିଲା ପରି ଜଳି ଉଠିଲା ଦଶଯୋଡ଼ା ଆଖି । ନିରାଶ୍ରୟ ଆଖିଯୋଡ଼ିକ ଆଶ୍ରୟ ପ୍ରାର୍ଥନା କରି ବନ୍ଦ ହୋଇଗଲା ଆତଙ୍କରେ ।

 

ସରୀସୃପର ଦଂଶନରେ କେବଳ ବିଷର ଜ୍ଜ୍ୱାଳା ।

 

ତାହାର ଆଲିଙ୍ଗନରେ କଣ୍ଟକିତ ଅରଣ୍ୟର ଭୀତି ।

 

ଧରିତ୍ରୀ ଅଣନିଶ୍ୱାସୀ ହୋଇ ପଡ଼ିରହିଥିଲା ଖଟ ଉପରେ ।

 

ତା’ର ଦେହ ଉପରେ ହାତ ଖେଳାଇ କହିଲା କେତକୀ…କାହାପାଇଁ ଏ ଦେହକୁ ଏତେ ଲୁଚାଇବା ପାଇଁ ଚେଷ୍ଟାକରୁ । କିଏ ସେହି ଭାଗ୍ୟବାନ ।

 

ଆଉ ଜଣେ କହିଲା, କିଏ ସେହି ହତଭାଗ୍ୟ ବୋଲି କହ ।

 

ସମସ୍ତେ କଳରୋଳ କରି ଉଠିଲେ ।

 

ମଥାଟା ଘୁରୁଥୁଲା ଧରିତ୍ରୀର ।

 

ସେଇ ନିରନ୍ଧ୍ର ଅନ୍ଧକାର ମଧ୍ୟରେ ମୁକ୍ତି ପ୍ରାର୍ଥନା କରି ଆଲୋକର ସନ୍ଧାନ କରିକରି ଦୌଡ଼ିବାପାଇଁ ଚେଷ୍ଟାକରି କେବଳ ମୁହଁମାଡ଼ି ପଡ଼ିରହିଲା ସେ ।

 

ସେମାନେ ଫେରିଗଲେ ଅନେକ ପରେ ।

 

ପାହାନ୍ତିଆ ପବନର ପରଶରେ ସଜ୍ଞାଫେରି ପାଇଲା ଧରିତ୍ରୀ ।

 

ଅନ୍ଧକାର ଭିତରେ ଅଣ୍ଡାଳି ଅଣ୍ଡାଳି ଖଣ୍ଡିଏ ଲୁଗା ଦେହରେ ଜଡ଼ାଇ–ସରୀସୃପୀୟ ସଭ୍ୟତାର ବନ୍ଦୀଘରୁ ଦୌଡ଼ି ପଳାଇଲା ସେ ।

 

ଛାତ୍ରୀ ନିବାସ ପାରହୋଇ ବଡ଼ ରାସ୍ତା ଅତିକ୍ରମ କରି, ଗୋଟିଏ ଛୋଟ ରାସ୍ତାଧରି ପ୍ରାୟ ଅଧଘଣ୍ଟାଏ ପରେ ଯେତେବେଳେ ଆସି ଗୋଟିଏ ଯାତ୍ରୀବାହୀ ରେଳଗାଡ଼ି ଭିତରେ ସେ ବସିଲା, ସେତବେଳକୁ ଗାଡ଼ି ଚାଲିବା ପାଇଁ ଆରମ୍ଭ କରିଦେଇଥିଲା ।

 

ଉଚ୍ଚଶିକ୍ଷାର ଆଶା ସବୁ ପଡ଼ିରହଲା ପଛରେ ।

 

ଧରିତ୍ରୀ କାନ୍ଦୁଥିଲା ।

 

ତା’ପାଇଁ ନୁହେଁ, ଯେଉଁମାନଙ୍କୁ ଛାଡ଼ି ଆସିଲା ସେହିମାନଙ୍କ ପାଇଁ ।

 

ସେମାନେ ହୁଏତ ହସୁଥିଲେ…

 

ଯେମିତି ହସେ “ବିକୃତି” ।

☆☆☆

 

ଅର୍ପିତା

 

ଅର୍ପିତା ସଂଧ୍ୟା ହୋଇଯିବା ପୂର୍ବରୁ ଯେପରି କାହାର ଅପେକ୍ଷା କରୁଥିଲା ।

 

ବାଲ୍‌କନି ଉପରେ ତିନି ଚାରିଥର ଆସି ଛିଡ଼ାହେଲା; ମଥା କୁଣ୍ଡାଇଲା; ଶୁଖୁଥିବା ବ୍ଲାଉସ୍‌ଟାକୁ ଉଠାଇ ନେଲା—କିନ୍ତୁ କେହି ସେ ପାଖ ବାଲକନି ଉପରେ ଆସି ଛିଡ଼ା ହେଲାନାହିଁ । ଏପରି କେବେ ହୁଏନାହିଁ । ଦୁହେଁ ଦୁହିଁଙ୍କର ଯିବା ଓ ଆସିବାକୁ ଏପରି ମେଳ ଖୁଆଇ ଚଳାଇ ନିଅନ୍ତି ଯେ ଯଦିବା ବାହାର ଲୋକର ଆଖିରେ ଏହା ପଡ଼ିବ ନାହିଁ; ତଥାପି ସେ ଦୁହେଁ ପରସ୍ପରର ସମୟ ଜଗି ପରସ୍ପରକୁ ଦେଖିନେବେ । ଆଉ କଅଣ କେବଳ ଦେଖିନବା ପାଇଁ ଏତେ ସଜବାଜ ? ପରସ୍ପରକୁ ଦେଖିବାରେ ମଧ୍ୟ ଏକ ଯୋଗସୂତ୍ର ସ୍ଥାପିତ ହୁଏ, ଏକ ଆକର୍ଷଣର ଶିହରଣ ଶିରା ପ୍ରଶିରାରେ ସଂଚରିତ ହୁଏ । ଏଇ ଯୋଗସୂତ୍ର ଆଜି ସ୍ଥାପିତ ହୋଇ ପାରିଲା ନାହିଁ । ଉଷ୍ଣ ମନଟା ଶିଥିଳ ହୋଇଗଲା ଟିକିଏ । ଅର୍ପିତା ଆଶ୍ଚର୍ଯ୍ୟ ହୋଇଗଲେ ଅଂଶୁମାନକୁ ନ ଦେଖି । କାହିଁ ସେ ତ କିଛି ଇଂଗୀତ ଦେଇ ନଥିଲା ଯେ ଆଜି ରହିବ ନାହିଁ ବୋଲି ।

 

ଅଂଶୁମାନକୁ ସେ କେବେ ପ୍ରଥମ ଦେଖିଲା ଭଲ କରି ମନେ ପଡ଼େନି ଅର୍ପିତାର । କିନ୍ତୁ ତା’ର ଏତିକ ମନେଅଛି ଯେ, ସେ ତାକୁ ଯେଉଁଦିନ ପ୍ରଥମ ଦେଖିଥିଲା ସେ ଦିନ ସେ ଭିଜି ଭିଜି ଘରକୁ ଫେରୁଥିଲା । ଝରକା ବାଟ ଦେଇ ସେ ବର୍ଷା ଦେଖୁଥିଲୁ ଏବଂ ବର୍ଷାର ଛିଟା ମୁହଁ ଉପରେ ଲାଗୁଥିଲା ବି ପୋଛୁ ନଥିଲା । ବର୍ଷାରେ ସେଦିନ ଭିଜିବା ପାଇଁ ମନ ହୋଇଥିଲେ; କିନ୍ତୁ ଭିଜି ପାରିଲା ନାହିଁ । ମା’ ବକିବେ ବୋଲି ସାହସ ହେଲା ନାହିଁ । ଅଂଶୁମାନକୁ କିନ୍ତୁ ଭିଜି ଭିଜି ଫେରିବାର ଦେଖି ତା’ର ମାୟା ହେଲା । ଚିହ୍ନାପରିଚୟ ନଥିଲେ ବି ତା’ ପାଇଁ ସେଦିନ ଟିକିଏ ଭାବିଲା ଏବଂ ସେ ଭିଜିବାର ସୁଯୋଗ ହରାଇଲା ବୋଲି ଦୁଃଖ ବି କଲା ।

 

ସେହିଦିନୁ ଦୁହେଁ ଦୁହିଁଙ୍କୁ ବହୁବାର ଦେଖିଛନ୍ତି, ପରସ୍ପରର ପରିବାର ମଧ୍ୟରେ କୌଣସି ବିନିମୟ ନଥିଲେ ବି, ଦୁହିଁଙ୍କ ମଧ୍ୟରେ ଅନେକ ଭାବ ବିନିମୟ ହୋଇଛି ।

 

ଚାନ୍ଦିନୀଚୌକର ଅଣଓସାରିଆ ଗଳି ଉପରେ ମୁହାଁମୁହିଁ ଦୁଇଟି ତିନିମହଲା କୋଠା । ଭଡ଼ା ଘର । ଦୁଇମହଲର ଗୋଟିଏ ଘରେ ଅଂଶୁମାନ ରହେ ପରିବାର ଭିତରେ, ଆଉ ଠିକ୍ ସାମ୍ନା ଘରେ ଦୁଇମହଲା ଉପରେ ଅର୍ପିତାର ଘର । ଏଇ ଘର ସେମାନଙ୍କର ନିଜର ନୁହେଁ, ଭଡ଼ାରେ ପ୍ରାୟ କୋଡ଼ିଏ ବର୍ଷ ରହିଲେଣି, ଏତେ ଦିନର ରହିବା ମଧ୍ୟରେ ନିଜ ଘରର ମାୟା ଲାଗିଯାଇଛି ମନରେ । ଅଂଶୁମାନର ମଧ୍ୟ ନିଜ ଘର ନୁହେଁ । ତା’ ବାପ ଚାକିରୀ କରି ଚଳନ୍ତି । ସେ ବି ବୋଧେ ଚାକିରୀ କରେ ।

 

ସେଇ ପ୍ରଥମ ଦେଖିଲା ଦିନୁ ଆଜିଯାଏ କେତେଥର ଯେ ଦେଖିଲାଣି ସେ ଅଂଶୁମାନକୁ-। ଏଇ ପରିଚୟ ଭିତରେ ସଂସାରର ବ୍ୟାବହାରିକ ସଂପର୍କ ନଥିଲେ ବି ଦୁହେଁ ଦୁହିଁଙ୍କୁ ଚିହ୍ନନ୍ତି, ପରୋକ୍ଷ ପ୍ରଚେଷ୍ଟା ଦ୍ୱାରା ଉଭୟ ଉଭୟଙ୍କର ନାମ ଠିକଣା ଜାଣି ଯାଇଛନ୍ତି । ଅଂଶୁମାନ ସହିତ କଥା କହିବାର ସୁଯୋଗ ପାଇ ନଥିଲେ ବି ତା’ର ଆଚାର ବ୍ୟବହାର ସହିତ ସେ ଖୁବ୍ ପରିଚିତ-। ଶନିବାର ଦିନ ସେ କି ରଙ୍ଗର ଜାମା ପିନ୍ଧି ସିନେମା ଯାଏ ବା ରବିବାର ଦିନ କି ପ୍ରକାର ପୋଷାକ ତା’ର ପ୍ରିୟ ଏ ସବୁ ତା’ର ମୁଖସ୍ଥ ।

 

ଏତେ ଘନିଷ୍ଠତା ସତ୍ତ୍ୱେ ବେଳେ ବେଳେ ଆହୁରି ଜାଣିବା ପାଇଁ ଯେ ଇଚ୍ଛା ହଉ ନଥିଲା ଏପରି ନୁହେଁ । ସୁଯୋଗ ଖୋଜିଲେ ବି ମିଳୁ ନଥିଲା । ଦୁଇଟି ପରିବାର ଏତେ ପାଖରେ ରହୁଥିଲେ ବି ସେମାନଙ୍କ ମଧ୍ୟରେ କୌଣସି ସଂପର୍କ ନଥିଲା ।

 

ଦୁର୍ଗାପୂଜା ବେଳେ ବର୍ଷକୁ ଥରେ ତାଙ୍କ ଘରକୁ ଚାନ୍ଦା ନବା ପାଇଁ ସାହିର ଆଉ ପାଞ୍ଚଜଣଙ୍କ ସହିତ ଅଂଶୁମାନ ବି ଆସୁଥିଲା । ସେ ସେମାନଙ୍କ ଆଗରେ କେବେ ବାହାରୁ ନ ଥିଲେ ବି ମାଆର ପଛପଟେ ଛିଡ଼ାହୋଇ ସବୁ ଦେଖୁଥିଲା ଏବଂ ଶୁଣୁଥିଲା । ଗତ ସୋମବାର ଦିନ ଅଂଶୁମାନ ଚାନ୍ଦା ନବା ପାଇଁ ଆସିଥିଲା, ତାକୁ ଶୁଣାଇ ଶୁଣାଇ ଏ ବର୍ଷ ଭଲ ଯାତ୍ରା ହବ ବୋଲି କହିଗଲା । ମାଆଠାରୁ ସେ ଶୁଣିଥିଲା ଯେ ଅର୍ପିତା ଯାତ୍ରା ଦେଖିବା ପାଇଁ ଭାରି ଭଲପାଏ ।

 

ଆଜି ସକାଳୁ ମଧ୍ୟ ସେ ଅଂଶୁମାନକୁ ଦେଖି ନଥିଲା । ଏବେ ବି ନ ଦେଖି ମନରେ ନାନା ପ୍ରକାର ସନ୍ଦେହ ସୃଷ୍ଟି ହେଲା । ଅଂଶୁମାନକୁ ଏଇ ଦୁଇ ବର୍ଷର ପରିଚୟ ମଧ୍ୟରେ କାହିଁ ଯିବାର ସେ ଦେଖିନାହଁ । ହଠାତ୍ ତା’ହେଲେ କୁଆଡ଼େ ଚାଲିଗଲା ସେ । ତାଙ୍କ ଘରେ ଚାକର ଟୋକାକୁ ଡକାଇ ପଠାଇ ଏ କଥା ପଚାରିବା ପାଇଁ ଇଚ୍ଛା ହେଲେ ବି ତାହା କରିପାରିଲା ନାହିଁ । କାଳେ କିଏ କଅଣ ଭାବିପାରେ ବୋଲି ଆଉ କିଛି କରିବା ପାଇଁ ସାହସ ହେଲା ନାହିଁ ।

 

ଅଂଶୁମାନକୁ ସେ ନଦେଖିଲା ବୋଲି ଏତେ ବ୍ୟାକୁଳ ଓ ବ୍ୟସ୍ତ କାହିଁକି ହେଉଛି ବୋଲି ବାରମ୍ବାର ମନକୁ ମନ ପ୍ରଶ୍ନ କଲା । ସେ ତାହାର କେହି ନୁହଁ, ତଥାପି ମନେହୁଏ ଯେପରି ସେ ନଥିଲେ ଅଂଶୁମାନ ନଥାନ୍ତା ବା ଅଂଶୁମାନ ନ ରହିଲେ ସେ ରହିପାରନ୍ତା ନାହିଁ ।

 

ଅଂଶୁମାନର କେହି ଛୋଟ ଭଉଣୀ ବା ଭାଇ ଥିଲେ ସେ ନିଶ୍ଚୟ ସେମାନଙ୍କ ସହିତ ପରିଚୟ କରି ଥାଆନ୍ତା ଏବଂ ସେମାନଙ୍କ ମାଧ୍ୟମରେ କେତେ ଅକୁହା କଥା କହିପାରି ଥାଆନ୍ତା । କିନ୍ତୁ ସେ ସୁଯୋଗ ନଥିଲା । ଚିଠି ସେ କେବେ ଲେଖିନାହିଁ, ଲେଖିଦେଲେ ଯଦି ଆଉ କାହାରି ହାତରେ ପଡ଼ିଯାଏ ଏହି ଆଶଙ୍କା ତାକୁ ଅନେକ ଥର ନିରୁତ୍ସାହିତ କରିଥିଲା ।

 

ଏହି ଦିନଯାକ ତାକୁ ନ ଦେଖିପାରି ମନଟା ଅସ୍ଥିର ହେଲା । କେତେ ଅଶୁଭ କଥା ବି ମନକୁ ଆସିଲା । ମନେ ମନେ ଅଭିମାନ ବି କଲା । ସେ ତା’ ପାଇଁ ଏତେ ଭାବି ମରୁଛି କାହିଁକି ? ଅଂଶୁମାନ ଯଦି ତା’ ପାଇଁ ବ୍ୟଗ୍ର ନୁହେଁ ତା’ ହେଲେ ଏକତରଫା ସଂପର୍କ ହୁଏ ନାହିଁ । ଆଉ ସେ ଯଦି ତା’ କଥା ଭାବି ଥାଆନ୍ତା ନିଶ୍ଚୟ ତାକୁ ସୂଚନା ନ ଦେଇ ଚାଲି ଯାଇ ନଥାନ୍ତା ।

 

ରାତିଟା ମୋଟେ ପସନ୍ଦ ହୁଏ ନାହିଁ ଅର୍ପିତାର । ଦିନବେଳେ ତା’ର ଦୃଷ୍ଟି ପ୍ରସାରିତ । ରାତି ହେଲେ ସଂକୁଚିତ ଦୃଷ୍ଟିରେ ସବୁ ଦିଶେ ନାହିଁ । ଯାହାକୁ ଦେଖିବା ପାଇଁ ଇଚ୍ଛା, ତାକୁ ଦୂରରୁ ରାତିରେ ଦେଖିହୁଏ । ବିଜୁଳି ଆଲୋକରେ ଦେଖିବା କଅଣ ଦେଖିବା ! ମୁହଁଟା ଭଲ ଦିଶେ ନାହିଁ, ଦେହର ରଙ୍ଗ, ମୁହଁର ଅନୁରାଗ ବାରିହୁଏ ନାହିଁ ।

 

ଦିନ ଶେଷ ହୋଇ ସଂଧ୍ୟା ବି ଉତ୍ତୀର୍ଣ୍ଣ ହୋଇଗଲା । କିନ୍ତୁ ଅଂଶୁମାନ ଫେରିଲା ନାହିଁ । ଆଜି ଶନିବାର ଥିଲା, ଅଫିସ ଅଧା ଛୁଟି, କିନ୍ତୁ କାହଁ ସେ ତ ତିନିଟା ବେଳକୁ ଫେରିଲା ନାହିଁ କି ଛଅଟା ବେଳକୁ ଇଭନିଂ ସୋ ସିନେମା ଦେଖିଗଲା ନାହିଁ ।

 

ଚାନ୍ଦିନୀ ଚୌକର ମୋଡ଼ ଉପରେ ବରଗଛମୂଳେ ଗୋଟେ ସଭା ହଉଥିଲା ମହିଳା ସମ୍ବତ୍ସର ପାଳିବା ପାଇଁ । ଡାକବାଜି ଯନ୍ତ୍ର ସାହାଯ୍ୟରେ ସହରରେ ଦୁଇ ତିନି ଦିନ ବେଶ୍ ପ୍ରଚାର ବି କରାଯାଇଥିଲା । ବଡ଼ ବଡ଼ ଦୁଇ ତିନି ଜଣ ନେତା ବି ଆସି ଭାଷଣ ଦେବାର କାର୍ଯ୍ୟକ୍ରମ ସ୍ଥିର ହୋଇଥିଲା । ଯଦି ଅଂଶୁମାନ ଆସୁ ଆସୁ ସେଇଠି ଅଟକି ଯାଇଥାଏ । ମହିଳା ସମ୍ବତ୍ସରକୁ ସାଫଲ୍ୟମଣ୍ଡତ କରିବା ପାଇଁ ଯଦି ଆଗଭର ହୋଇ ବାହାଦୂରୀ ଦେଖାଇବା ପାଇଁ ସଭାର ବ୍ୟବସ୍ଥା ସମ୍ପୂର୍ଣ୍ଣ କରିବାର ଦାୟିତ୍ୱ ନେଇଥାଏ ! ବିଚିତ୍ର ନୁହେଁ ।

ସଭାଆଡ଼େ ଯିବା ପାଇଁ ମନ ହେଲା । ମହିଳା ପ୍ରାଧାନ୍ୟ ସଭାକୁ । ଯିବା ପାଇଁ ନିଶ୍ଚୟ ମାଆ ମନା କରିବେ ନାହିଁ ।

ସେ ଗାଧୁଆ ଘର ଭିତରକୁ ଯାଇ ମୁହଁ ହାତ ଧୋଇ ଆସି ଲୁଗା ବଦଳାଇଲା, ସ୍ନୋ ପାଉଡ଼ର ନିଜ ମୁହଁରେ ଲଗାଇଲା । ବେଣୀରେ ଗୋଟେ ନାଲି ରିବନ ଗୁଡ଼ାଇ ଦେଇ ହାତରେ ଛୋଟ ଭ୍ୟାନିଟି ବ୍ୟାଗଟାକୁ ଧରି ବାହାରିପଡ଼ିଲା ।

ବେଶ୍ ଜମିଥାଏ ସଭା । ପ୍ରଥମ ବକ୍ତା ଭାଷଣ ଶେଷ କରି ବସିବା ବେଳକୁ ଯେତେବେଳେ କରତାଳିର ଲହରୀ ମାଡ଼ି ଆସୁଥିଲା, ସେତିକିବେଳକୁ ସେ ପହଞ୍ଚିଲା ସଭା ସ୍ଥଳରେ-। କଲରୋଳର ଢେଉ ଲାଗିଲା ଆସି ତା’ ଦେହରେ, ସେ ବି ଜଣେ ମହିଳାଭାବରେ ଜଣେ ପୁରୁଷର ଉଚ୍ଛ୍ୱସିତ ପ୍ରଶଂସା ଢେଉରେ ଭାବପ୍ରବଣ ହୋଇ ଭାସି ବୁଲିଲା କଛି ସମୟ ପାଇଁ-। ଭଲ ବି ଲାଗିଲା ।

ବକ୍ତୃତା ଶୁଣିବା ପାଇଁ କିନ୍ତୁ ଆସି ନ ଥିଲା ଅର୍ପିତା । ସେ ଅଂଶୁମାନ ସେଠାରେ ଅଛି କି ନାହିଁ ଦେଖିବା ପାଇଁ ଆସିଥିଲା । କିନ୍ତୁ କାହିଁ କେଉଁଠାରେ ହେଲେ ତାକୁ ନଦେଖି ସେ କେବଳ ଯେ ହତୋତ୍ସାହ ହେଲା ତାହା ନୁହେଁ, ରୀତିମତ ବିଷର୍ଣ୍ଣ ହୋଇଉଠିଲା । ଆଜି ଯଦି ଅଂଶୁମାନ ଏହି ସଭାରେ ବକ୍ତୃତା ଦେଇ ଥାଆନ୍ତା, କେଡ଼େ ସୁନ୍ଦର ମାନି ଥାଆନ୍ତା ସତରେ । କାହିଁକି କେଜାଣି ମନେହେଲା ଅର୍ପିତାର ଯେ, ଅଂଶୁମାନ ନାରୀ ଜାତିର ପ୍ରତିନିଧି !

ନାରୀମାନେ ମୂକ ନୁହନ୍ତି, କିନ୍ତୁ ସେମାନେ ମୁଖର ହେଲେ ମୂକଠାରୁ ବେଶୀ ଅଙ୍ଗଭଙ୍ଗୀ କରି କଥାର ଗୁରୁତ୍ୱ ସାବ୍ୟସ୍ତ କରନ୍ତି ବୋଲି ତା’ର ସ୍ପଷ୍ଟ ଧାରଣା । କିନ୍ତୁ ଅଂଶୁମାନ ମୁକ ନାରୀମାନଙ୍କର ଯଦି ପ୍ରତିନିଧିତ୍ୱ କରନ୍ତା, ତା’ ହେଲେ ବ୍ୟକ୍ତିଗତ ବିନିମୟ ବିନା ବି ସେମାନଙ୍କର ହର୍ଷ, ବିଷାଦ, ବିରହ ବା ବିଭବ ଜାଣିପାରନ୍ତା । ସେମାନଙ୍କର ଆଖିର ଚାହାଁଣୀ ଏବଂ କଥା ମଧ୍ୟରେ ବାସ୍ତବ ପାର୍ଥକ୍ୟ ବୁଝି ପାରନ୍ତା ବା ହଁ ଏବଂ ନାହିଁ ମଧ୍ୟରେ କିପରି ଓଲଟା ଅର୍ଥ ବୁଝିବାକୁ ହୁଏ, ତାହା ଭଲ ଭାବରେ ସୂଚାଇ ଦେଇପାରନ୍ତା ।

ଧେତ୍ । ଅଂଶୁମାନଟା ନିହାତି ନିଷ୍ଠୁର ହୋଇ ନଥିଲେ ଏଭଳି ଏକ ସୁବର୍ଣ୍ଣ ସୁଯୋଗକୁ ହାତଛଡ଼ା କରନ୍ତା ନାହିଁ । ସୁଯୋଗ ସବୁବେଳେ ଆସେ ନାହିଁ । ଯେତେବେଳେ ଆସେ ତାକୁ ହାତ ମୁଠାରେ ଧରି ପକାଇବାହିଁ ହେଉଛି ସୁପୁରୁଷର କର୍ତ୍ତବ୍ୟ ଏବଂ କରାମତି ପଣିଆ ।

ଯଦି ଛପି ଛପି ଆସି ତା’ର ହାତ ଧରି ପକାନ୍ତା ବା ପଛପଟୁ ହାତ ବେଢ଼ାଇ ଆଖି ବୁଜାଇ ଦିଅନ୍ତା, ତା’ହେଲେ ତାକୁ ଖୁବ୍ ଭଲ ଲାଗନ୍ତା । ସେ ଲାଜରେ କେବଳ ଲାଲ ପଡ଼ି ଯାଆନ୍ତା ନା ଅନୁରାଗରେ ଗୋଲପୀ ରଂଗର ହସ ହସନ୍ତା, ତାହା କେହି ନହେଲେ ବି ସେ ତା ହାତମୁଠା ଭିତରୁ ହାତ ଛଡ଼ାଇ ଆଣିବାର ଚେଷ୍ଟା ନକରି ବରଂ ସେହି ହାତ ଧରିବା ସମୟକୁ କାଳାନ୍ତର ମଧ୍ୟରେ ଅନୁଭବ କରିବା ପାଇଁ ପ୍ରାର୍ଥନା କରନ୍ତା ଏ କଥା ସେ ବୁଝି ପାରୁଥିଲା । ଅଂଶୁମାନ ସନ୍ଧିକ୍ଷଣର ସ୍ପନ୍ଦନ ବୋଲି ତା’ର ମନେହେଲା । ସେ ଜୀବନକୋଷର ଶିହରଣ ବୋଲି ସେ କଳ୍ପନା କଲା ।

ଅଂଶୁମାନ ଯଦି ସ୍କୁଲର ଇନିସ୍‌ପେକ୍ଟର ହୋଇଥାଆନ୍ତା ତା’ହେଲେ ତା’ର ଦରଖାସ୍ତଟା ନିଶ୍ଚୟ ନାମଞ୍ଜୁର ହୋଇ ନ ଥାନ୍ତା । ଆଉ ସେ ଯଦି ଚାକିରୀଟିଏ ପାଇ ଥାଆନ୍ତା, ଅଂଶୁମାନ ସହ ଏକା ଟାଉନ୍ ବସ୍‌ରେ ଗପ କରି ଯିବାର ସୁବିଧା ଅନାୟାସରେ ତାକୁ ମିଳିଥାଆନ୍ତା ।

କିନ୍ତୁ କିଛି ହେଲା ନାହିଁ ।

ମହିଳା ସମ୍ବତ୍ସର ପାଳନ କରିବାର ତାତ୍ପର୍ଯ୍ୟ ବୁଝାଇ ଜଣେ ମଧ୍ୟବୟସ୍କା ଭଦ୍ରମହିଳା କହୁଥିଲେ—ସବୁ କ୍ଷେତ୍ରରେ ନାରୀକୁ ପଦାନତ କରି ରଖିବା ପାଇଁ ଯୁଗ ଯୁଗ ଧରି ପ୍ରଚେଷ୍ଟା ହୋଇଆସିଛି । ସେଥିପାଇଁ ସୀତାଙ୍କୁ ଅଗ୍ନିରେ ଝାସ ଦେଇ ସତୀତ୍ଵ ପରୀକ୍ଷା କରିବା ପାଇଁ ପଞ୍ଚସ୍ଵାମୀର ସ୍ତ୍ରୀ କରି ଦ୍ରୌପଦୀଙ୍କୁ ଏକ ପତିବ୍ରତର ମହିମା ଉପସ୍ଥାପିତ କରିବା ପାଇଁ ସୂଚନା ଦିଆଯାଇଛି । ଖାଲି କ’ଣ ଏତିକି ? ପ୍ରେମ କରିବାରେ ମଧ୍ୟ ନାରୀକୁ ପୁରୁଷଠାରୁ ଟ୍ରେନିଂ ପାଇବା ପାଇଁ ବଡ଼ ବଡ଼ ସହରରେ ମାସେଜ କ୍ଲିନିକ୍, ବିଉଟି କ୍ଲିନିକ୍ ପ୍ରଭୃତି ଖୋଲି ଯାଇଛି । ଆମେ ଏ ସବୁର ପ୍ରତିରୋଧ କରିବା, ବିବାହ କରି ପୁରୁଷର ଦାସତ୍ୱ ବରଣ କରିବା ନାହଁ ବରଂ ଆମର ସୌନ୍ଦର୍ଯ୍ୟ ଯେପରି ପୁରୁଷକୁ ଆକର୍ଷଣ ନକରି ସେମାନଙ୍କ ମଧ୍ୟରେ ବୀତରାଗ ସୃଷ୍ଟି କରିବ ସେଥିପାଇଁ ସବୁମନ୍ତେ ଚେଷ୍ଟା କରିବା । ଏଥିପାଇଁ ପ୍ରସାଧନ ତ୍ୟାଗ କରିବା ଓ ରାନ୍ଧିବା ବାଢ଼ିବାକୁ ଯଥା-ସମ୍ଭବ ଚାକରମାନଙ୍କ ଉପରେ ନ୍ୟସ୍ତ କରିବା ଉପରେ ସେ ଜୋର ଦେଲେ ।

ଅର୍ପିତା ଦେଖିଲା ଯେ, ସେ ଭଦ୍ରମହିଳା ବକ୍ତୃତା ଦେଲାବେଳେ ବେଶ୍ ଘନ ଘନ କରତାଳି ମଝିରେ ମଝିରେ ପଡ଼ଥିଲା । ଅଂଶୁମାନ ହୋଇଥିଲେ ଏହାଙ୍କୁ କୁହାଇ ଦେଇ ନଥାନ୍ତା ! ନିଶ୍ଚୟ ପ୍ରତିବାଦ କରି ଥାଆନ୍ତା । ନାରୀ ହୋଇ ଏଭଳି କହିବା ପାଇଁ ଦିଅନ୍ତା ନାହିଁ ।

କିନ୍ତୁ ଅଂଶୁମାନ ଆସିଲା ନାହିଁ । ପୁଅଗୁଡ଼ା ଦରକାର ବେଳେ ଇମିତି ପଛଘୁଞ୍ଚା ଦେଇ ପଳେଇ ଯାଆନ୍ତି ରଣ କ୍ଷେତ୍ରରୁ । ସେ ଜାଣିଥିଲେ ଆସି ନଥାନ୍ତା ବା ବାଲକନି ଉପରୁ ଭିଜା ଅଂଶୁମାନକୁ ଦେଖି ବର୍ଷାର ଯେଉଁ ଶିହରଣ ସେ କଳ୍ପନା କରିଥିଲା, ତାହା କରି ନଥାନ୍ତା ।

ଅଂଶୁମାନ କାଳେ ବା ଆସି ପ୍ୟାଣ୍ଡେଲ ପଛପଟେ ବସିଥିବ ବା ଅନ୍ୟକାର୍ଯ୍ୟରେ ବ୍ୟସ୍ତ ଥିବ, ଏହା ସେ ଦେଖିବା ପାଇଁ ତତ୍ପର ହୋଇଉଠିଲା ।

କିନ୍ତୁ ପାଇଲା ନାହିଁ ।

ରାତି ହୋଇ ଯାଇଥିଲା । ଅଂଶୁମାନ ଆସିଲ ନାହଁ କି ତା’ ସହିତ ଦେଖା ହେଲା ନାହିଁ ବୋଲି ମନରେ ଅନେକ ଅଭିଯୋଗ ଉପସ୍ଥାପିତ କଲା ।

ଯଦି ଅଂଶୁମାନ ସହିତ ତା’ର ବାହାଘର ହୁଅନ୍ତା, ତା’ ହେଲେ ନିଶ୍ଚୟ ସେ ତାକୁ ଇମିତି ଜବାବ ଦିଅନ୍ତା ଯେ, ଅଷ୍ଟମଙ୍ଗଳା ଯାଏ ତା’ ମୁହଁରୁ ଭାଷା ବାହାରନ୍ତା ନାହିଁ । ପ୍ରଥମେ ପୁଅ ଗୁଡ଼ାକୁ ଚୁପ୍‍ କରିଦେଲେ ପରେ ନିଜକୁ ଆଉ ଅଧିକ ନ କହି ଚୁପ୍ ହବାକୁ ସୁବିଧା ହୁଅନ୍ତା । ସେତେବେଳେ ଖାଲି ଅଂଶୁମାନ କୁହନ୍ତା, ଆଉ ସେ ଶୁଣନ୍ତା । କି ମଜା ହୁଅନ୍ତା ସତରେ ।

ହେଲେ ସତରେ କ’ଣ ଅଂଶୁମାନ ତାକୁ ବାହା ହବାପାଇଁ ରାଜି ହବ । ସେ ଜାତି ଗୋତ୍ର ଜାଣେ ନାହିଁ । ଆଜିକାଲି ମଣିଷ କଅଣ ନିଜର ପରିଚୟକୁ ଜାତି ଗୋତ୍ର, ବର୍ଣ୍ଣ ଓ ଭାଷା ମଧ୍ୟରେ ଆବଦ୍ଧ କରିବ ! ସେ ଏ ସବୁ କିଛି ପସନ୍ଦ କରେ ନାହିଁ । ମାଆ ନ ମାନଲେ ବି ସେ ତାଙ୍କୁ ମନାଇ ପାରିବ । ଅଂଶୁମାନଟା ମାଈଚିଆ, ନ ହେଲେ ଅନ୍ତତଃ ଗୋଟେ ପ୍ରସ୍ତାବ ତ ଦେଇଥାଆନ୍ତା । ପୁଅ ବୋଲିତ ଗର୍ବରେ ଫାଟି ପଡ଼ୁଛି, ଅଥଚ ଦିନେ ଆସି ବା ଆଉ କାହାରି ଦ୍ୱାରା ଏଇ ସରଳ ପ୍ରସ୍ତାବଟା ଦେଇ ଯାଇ ପାରିଲାନାହିଁ ।

ନାଁ !

ସେ ନ କରୁ, କିନ୍ତୁ ଅର୍ପିତା କାହିଁକ ଧୀର ହୋଇ ବସିବ ! ମହଳା ସମ୍ବତ୍ସରରେ ପୁରୁଷମାନେ ସିନା ମୁକ ହୋଇଗଲେ, ନାରୀମାନେ ବାଚାଳ ନହେଲେ କାମ ଚଳିବ କିପରି । ତାକୁଇ ସବୁ କରିବାକୁ ପଡ଼ିବ । ସେ ମନେ ମନେ ସ୍ଥିର କଲା ଯେ ସେ ବେଶ୍ ପାରିବ ।

ରାତି ବେଶୀ ହୋଇଗଲେ ସେ ବାହାରେ ରହେ ନାହିଁ । ସଭା ଶେଷ ଯାଏ ସେ ଆଉ ରହିଲା ନାହିଁ ।

ମେଘଟା ନ ଥିଲା ଦିନବେଳେ । ଏ ଭିତରେ କେତେବେଳେ ଦକ୍ଷିଣା ପବନ ଟିକିଏ ବହି ଯାଇଥିଲା ସେ ଜାଣି ପାରି ନ ଥିଲା । ଭସା ଭସା ମେଘମାନେ ଏକଯୁଟ ହୋଇ ବେଶ୍ ସଜ ହୋଇଥିଲେ ଆକାଶରେ । ସେମାନଙ୍କର ହସଗୁଡ଼ା ବର୍ଷା ହୋଇ ପଡ଼ିବାକୁ ଆରମ୍ଭ କରିଦେଲେ । ଉପରୁ ଓହ୍ଲାଇଲା ବେଳେ ଅନେକ ଟୁପୁରୁ ଟାପୁରୁ କଥା ହୋଇ ଓହ୍ଲାଉ ଥିବାର ସେ ଲକ୍ଷ୍ୟ ବି କଲା-

ଠିକ୍ ଏଇମିତି ପରିବେଶ ହେଲେ ବେଶ୍ ଭଲ ଲାଗେ ଅର୍ପିତାକୁ । ଅଂଶୁମାନକୁ ଯଦି ସେ ବାହା ହୁଏ, ଏଇମିତି ପାଗରେ ବାହାହବ । ସେ ସୁଯୋଗ ଯଦି ଜୀବନରେ ନ ଆସେ ଆଜୀବନ କୁମାରୀ ହୋଇ ରହିଯିବ ।

ବର୍ଷା ପଡ଼ୁଥିଲା, ସେ ଭିଜିଯାଉଥିଲା । ତା’ର ଲୁଗା ଭେଦି କେତେ ଟୋପା ବର୍ଷା ଦେହରେ ଲାଗୁଥିଲା । ଆକାଶକୁ ଲକ୍ଷ୍ୟ କଲା ଅର୍ପିତା । ବେଶ୍ କଳା ହୋଇଯାଇଥିଲା ଆକାଶ । ସେଇ କଳାଆକାଶର ମୁହଁରେ ନିଜର ମୁହଁକୁ ଘଷିବା ପାଇଁ ଇଚ୍ଛା ହେଲା ତା’ର । ଯାଃ ! ଅଂଶୁମାନଟା ଯଦି କଳା ମେଘ ହୋଇ ଖସି ଆସନ୍ତା ଉପରୁ ତଳକୁ !

ସେ ଦିନ କିନ୍ତୁ ଭିଜି ଭିଜି ଆସୁଥିଲା ଅଂଶୁମାନ । ଅଫିସରୁ ଫେରୁଥିଲା । ଆଉ ତାକୁ ଭିଜି ଭିଜି ଫେରିବାର ସେ ଦେଖିଥିଲା । ଆଉ ବୋଧେ କେହି ଦେଖି ନଥିଲେ, ବା ଦେଖିଥିଲେ ବି ଦୃଷ୍ଟି ଦେଇ ନଥିଲେ । ସେଥିରେ ତା’ର ଯାଏ ଆସେ ନାହିଁ । ସେ ଯେ ଦେଖିଛି ଏବଂ ତା’ର ଦେଖା ଯେ ଅନ୍ୟମାନଙ୍କର ଦେଖା ନୁହେଁ, ଏହା ସେ ଆଜି ବେଶ୍ ସ୍ପଷ୍ଟ ଭାବରେ ଅନୁଭବ କରିପାରିଲା ।

ଘରେ ପହଞ୍ଚି କାହାକୁ ବସିବା ଘରେ ମାଆ ସହିତ କଥା କହୁଥିବାର ଶୁଣିଲା; କିନ୍ତୁ ସେ ଆଡ଼କୁ ଲକ୍ଷ୍ୟ ନ ରଖି କାଳେ ମାଆ ଦେଖିଲେ ଗାଳିଦେବେ ବୋଲି ସେ ତର ତର ଚାଲିଗଲା ଭିତରକୁ ।

ବାଲ୍‌କନି ଉପରେ ଯାଇ ଠିଆ ହୋଇ ଅଂଶୁମାନର ଘର ଆଡ଼କୁ ଅନାଇଲା I ବର୍ଷା ହଉଥିଲେ ବି ଭିଜିବା ପାଇଁ ବେଶ ଭଲ ଲଗୁଥିଲା । ଆଜି ଯଦି ତାକୁ ବି ଭିଜିବାର ଦେଖିପାରନ୍ତା ଅଂଶୁମାନ ! ତା'ର ଉଷ୍ମ ଶୋଣିତର ପ୍ରବାହରେ କଳନାଦ ସୃଷ୍ଟି ହୁଅନ୍ତା ନିଶ୍ଚୟ ।

 

ବାଲ୍‌କନି ଉପରେ ସବୁଦିନ ପରି ଆଜି ଆଉ ଅଂଶୁମାନ ଆସି ଛିଡ଼ା ହେଲା ନାହିଁ କିମ୍ବା ତା’ର ଛାଇ ସେ ଦେଖି ପାରିଲା ନାହିଁ ।

ଲୁଗା ବଦଳାଇବା ପାଇଁ ଇଚ୍ଛା ହେଲାନି । ଅଂଶୁମାନ ଦେଖିଥିଲେ ସେ ସତରେ ଖୁସି ହୋଇଥାଆନ୍ତା !

ଉନ୍ମନା ହେଲା ଅର୍ପିତା !

ବର୍ଷାବତରଣର ଅଭିରାମ ଆନନ୍ଦକୁ ଅଙ୍ଗେ ଅଙ୍ଗେ ସାଇତି ରଖିଲା ।

ମାଆ ଡାକିଲେ ବୋଧେ ।

“ଶୁଣୁଛୁ ଅର୍ପି… ।”

ନ ଶୁଣିଲା ପରି ଛିଡ଼ା ହୋଇ ରହିଲା ଅର୍ପିତା ।

“ଆର୍ପି ଆସିଲୁ ଇଆଡ଼େ, କିଏ ଆସିଛି ଦେଖିଯା ।” କହିଲେ ମାଆ ।

କିଏ ଆସିବ ଏଇ ରତିରେ । ଜଗୁ ମଉସା ଆସିଥିବେ ! କଚେରୀ କାମ ସାରି ଘରକୁ ଫେରିଯାଇ ନପାରି ବା ନରି କକେଇ ଆସିଥିବେ ତା’ ବାହାଘର ବିଷୟରେ ସାକୁଲେଇ ହବା ପାଇଁ-। ସେ ବାହା ହବନି ବୋଲି ମନା କରି ଦେଇଥିଲା, ବାରମ୍ବାର ସେଇ ଗୋଟାଏ କଥା ଭଲ ଲାଗେନା ଶୁଣିବା ପାଇଁ ।

ମାଆ ଭିତରକୁ ପଶି ଆସି ଅର୍ପିତାକୁ ଦେଖି କହିଲେ—ଏଇଠି ଭିଜୁଛୁ ଆଉ ମୁଁ ଡାକି ଡାକି ଥକିଲିଣି !

ଅର୍ପିତା କିଛି ଉତ୍ତର ଦେଲା ନାହିଁ ।

“ତୋ ଢଙ୍ଗ ମୋତେ କିଛି ଭୁଲ ଲାଗୁନି ଅର୍ପି । ତୁ ଜବାବ ଦବୁ କି ନାହିଁ କହିଲୁ… ।” କହିଲେ ମାଆ ।

“ମୁଁ ତ ମନା କରି ଦେଇଛି… ।” କହିଲା ଅର୍ପିତା ।

—“ସେ ନିଜ ତରଫରୁ କଥାଟା ଉଠେଇଛନ୍ତି…ମୁଁ ଏତେ ସହଜରେ ମନା କରିଦେବି । ଆଉ ଏ ସୁଯୋଗ ପାଇବୁ ଜୀବନରେ… ।”

ମାଆ ବୁଝାଇଲା ।

ଅର୍ପିତାର ସବୁ କଳ୍ପନା ମଉଳି ଯାଉଥିଲା । ସେ ରାଗିଯାଇ କହିଲା—ସେ ସୁଯୋଗ ମୋର ଲୋଡ଼ାନାହଁ ମାଆ । ତୁ ମନା କରିଦେ ।

ମାଆ କାନ୍ଦ କାନ୍ଦ ହୋଇ କହିଲେ—ଶେଷରେ ଏୟା କହି ପାରିଲୁ ତୁ । ଏତେ କଥା ଯଦି ମନରେ ଥିଲା, ଘଣ୍ଟା ଘଣ୍ଟା ଧରି ବାଲ୍‌କନିରେ ଛିଡ଼ାହୋଇ ଏତେ ଅନଉଥିଲୁ କାହିଁକି ଲୋ ଅର୍ପି… ।”

ମାଆର କଥା ବୁଝି ନପାରି ଆହୁରି ରାଗିଯାଇ କହିଲା ଅର୍ପିତା—ବାଲ୍‌କନିରେ ଛିଡ଼ାହେଲେ କେବଳ ମଣିଷର ମୁହଁ ଦିଶେନି ମାଆ… ଆକାଶ ଦିଶେ…ତାରାମାନେ ଦିଶନ୍ତି ମେଘ ବି ଦିଶେ ।

ସେତେବେଳକୁ ମାଆ ଚାଲିଯାଇଥିଲେ ସେଠାରୁ ।

ତାଙ୍କୁ ବୁଝାଇ କହୁଥିଲା କିଏ—ମୋତେ ଥରେ ସୁଯୋଗ ଦିଅନ୍ତୁ…ମୁଁ ଥରେ ଅର୍ପିତାକୁ ବୁଝାଏ—

ମାଆ ଆଗେ ଆଗେ ଏବଂ ଆଉ ଜଣେ ପଛେ ପଛେ ଆସି ବାଲ୍‌କନି ପାଖରେ ଛିଡ଼ା ହେଲେ ।

ଅର୍ପିତା ସେହିଭଳି ଭିଜୁଥିଲା ।

—ଦେଖ୍ କିଏ ଆସିଚନ୍ତି…ତାଙ୍କ ମୁହଁକୁ ଚାହିଁ ଯାହା କହିବାର କହ ଏଥର…

କହିଦେଇ ମାଆ ଅନ୍ତର ହୋଇଗଲେ କାର୍ଯ୍ୟର ଛଳନା କରି ।

ଅର୍ପିତା ମୁହଁ ଫେରାଇ ଅପଲକ ନେତ୍ରରେ ଦେଖିଲା ଏକ ଅବିସ୍ମରଣୀୟ ମୁହୂର୍ତ୍ତ । କାଳାନ୍ତରର ସ୍ଥିତି ଭୁଲି ସେଇଠି ଅଟକି ଯାଇଛି ।

ଅଂଶୁମାନ ରୁମାଲଟା ବଢ଼ାଇ ଦେଇ କହିଲା—ମୁହଁଟା ପୋଛି ଦିଅ ତ ଅର୍ପିତା ।

Image